Unknown

 

 

 

 

 

 

 

 

 

 

 

ବୀର ଓଡ଼ିଆ

ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ

 

ବୀର ଓଡ଼ିଆ

ଚପଳା

 

ସନ୍ଧ୍ୟା ପ୍ରାୟ ସମାଗତ । ମହାନଦୀତୀରରେ–କଟକଠାରୁ ପ୍ରାୟ ଏକ କୋଶ ଦୂରରେ–ଜଣେ ଅସ୍ତ୍ରଧାରୀ ବୀର ପୁରୁଷ ଏକାକୀ ଉପବିଷ୍ଟ, ଗଭୀର ଚିନ୍ତାରେ ମଗ୍ନ । କିଛି ଦୂରରେ ସଜ୍ଜିତ ଅଶ୍ୱ ଦଣ୍ଡାୟମାନ । ଚତୁର୍ଦ୍ଦିଗ ନିସ୍ତବ୍ଧ–ଜୀବ କୋଳାହଳର ଅସ୍ଫୁଟ ପ୍ରତିଧ୍ୱନି ମାତ୍ର ସେହି ନିର୍ଜନ ସ୍ଥାନରେ ଶ୍ରୁତ ହେଉଥିଲା । ଏହି ସମୟରେ ସେହି ସାନ୍ଧ୍ୟ ନିସ୍ତବ୍ଧତା ମଥିତ କରି କରୁଣ ଚିତ୍କାର ଉଠିଲା,–‘କିଏ କେଉଁଠି ଅଛ, ଧାଇଁ ଆସି ମୋତେ ରକ୍ଷାକର ।’

 

ଅସ୍ତ୍ରଧାରୀ ପୁରୁଷ ଚମକି ପଡ଼ିଲେ, ହଠାତ ଠିଆ ହୋଇ ଭାବିଲେ,–‘ଏ କ’ଣ ଉତ୍କଳଜନନୀର ବିଳାପ ଧ୍ୱନି ? ପଠାଣ ଅତ୍ୟାଚାରରେ ପୀଡ଼ିତ ହୋଇ କାନ୍ଦୁଛ ମା ? ଶାନ୍ତ ହୁଅ, ଆଉ କାନ୍ଦ ନାହିଁ’–‘ତୁମ ଆଗରେ ଖଡ଼୍‍ଗ ଛୁଇଁ ଶପଥ କରୁଛି’–ଶୁଭ୍ର–ତରଙ୍ଗା ମହାନଦୀର ଜଳ ଉଚ୍ଛ୍ୱସିତ କରି ପୁଣି ଚିତ୍କାର ଉଠିଲା,–‘ରକ୍ଷାକର, ରକ୍ଷାକର’ ।

 

ଅସ୍ତ୍ରଧାରୀ ପୁରୁଷଙ୍କର ଚମକ ଭାଙ୍ଗିଲା । ସେଇକ୍ଷଣି ସେ ଅଶ୍ୱାରୋହଣ କଲେ–ଯେଉଁ ଦିଗରୁ ଆର୍ତ୍ତନାଦ ଆସୁଥିଲା, ସେଇ ଦିଗରେ ନକ୍ଷତ୍ରବେଗରେ ଧାଇଁଗଲେ । କିଛି ଦୂର ଅଗ୍ରସର ହୋଇ ମହାନଦୀକୂଳ ନିକଟସ୍ଥ ଗୋଟିଏ ଭଗ୍ନ ଅଟ୍ଟାଳିକାର ପ୍ରାଙ୍ଗଣରେ ଉପନୀତ ହେଲେ । ଦେଖିଲେ, ସେଠାରେ ଦୁଇ ଜଣ ସୁସଜ୍ଜିତ ଯୁବକ ତ୍ରୟୋଦଶ ବର୍ଷୀୟା ଜଣେ ବାଳିକାର ବସ୍ତ୍ର ଆକର୍ଷଣ କରି ତାହାକୁ ଉଲଙ୍ଗ କରିବାକୁ ଚେଷ୍ଟିତ, ବିପନ୍ନା ବାଳିକା ଘନଘନ ଚିତ୍କାର କରୁଅଛି । ଭଗ୍ନ ଅଟ୍ଟାଳିକାଟି ପ୍ରତିଧ୍ଵନିତ କରି ବୀର ପୁରୁଷ ଗମ୍ଭୀର, ପ୍ରଶାନ୍ତ କଣ୍ଠରେ ଚିତ୍କାର କରି କହିଲେ,–‘କିଛି ଭୟ ନାହିଁ ମା, ଭୟ ନାହିଁ ।’

 

ବାଳିକା ଅତିଶୟ ରୂପବତୀ । ରୂପ, ଯୌବନ ସ୍ପଷ୍ଟରୂପେ ଆହୁରି ଫୁଟି ନାହିଁ, ତଥାପି କମଳ ମୁକୁଳ ଭଳି ବାଳିକାଟି ଅତି ସୌନ୍ଦର୍ଯ୍ୟମୟୀ । ଯୁବକ ଦୁହିଁଙ୍କ ମଧ୍ୟରୁ ଜଣେ ମୁସଲମାନ, ଅପରଟି ହିନ୍ଦୁ । ଦୁହେଁ ବହୁମୂଲ୍ୟ ପରିଚ୍ଛଦରେ ଭୂଷିତ–ମସ୍ତକରେ ଉଷ୍ଣୀଷ କଟିରେ କୋଷସଂବଦ୍ଧ ତରବାରି । ତେବେ ପଠାଣ ଯୁବକର ଉଷ୍ଣୀଷ ହୀରକମଣ୍ଡିତ, ଅସିକୋଷଟି ମାଣିକ୍ୟଜଡ଼ିତ । ଯାହାର ଅତ୍ୟାଚାରରେ ପ୍ରପୀଡ଼ିତ ହୋଇ ଓଡ଼ିଶାର ହିନ୍ଦୁ କୁଳକାମିନୀଗଣ ବନ ପର୍ବତରେ ଲୁଚି ରହି ମହା ଆତଙ୍କରେ, ଉପବାସରେ, ଉଦ୍‍ବିଗ୍ନ ପ୍ରାଣରେ ଦିନ କଟାଉଥିଲେ, ଏହି ମୁସଲମାନ ଯୁବକ ସେଇ ପ୍ରଜାକଣ୍ଟକ, ହିନ୍ଦୁ ବିଦ୍ୱେଷୀ ମହମ୍ମଦ ତକିଖାଁ–ସୁବାଦାର-ପୁତ୍ର । ହିନ୍ଦୁ ଯୁବକର ନାମ ବିନୋଦବିହାରୀ–ଜଣେ ଦେଶ ବିଖ୍ୟାତ ଧନୀ । ଏଣୁ ସେ ସୁବାଦାରଙ୍କର ଅନୁଗ୍ରହ-ପାତ୍ର, ସୁବାଦାର ପୁତ୍ରଙ୍କର ବିଶ୍ୱସ୍ତ ମିତ୍ର । ଜଗତରେ ଏପରି କୌଣସି ଅନ୍ୟାୟ କାର୍ଯ୍ୟ ନାହିଁ ଯେଉଁଥିରେ ତକିଖାଁ ଓ ତାଙ୍କ ସହଚରଙ୍କର ଦ୍ଵିଧା ବା ସଙ୍କୋଚ ଜନ୍ମିପାରେ ।

 

‘‘ଭୟ ନାହିଁ’’ ଏହି ଚିତ୍କାର ଶୁଣିବାକ୍ଷଣି ତିନି ଜଣ ପଛକୁ ଅନାଇ ଦେଖିଲେ, ଅଶ୍ୱପୃଷ୍ଠରେ କାଳାନ୍ତକ ଯମ ସଦୃଶ ରାଜା କୃଷ୍ଣଚନ୍ଦ୍ର । ରାଜାଙ୍କୁ ଦେଖି ତକିଖାଁ ଅତିଶୟ ରାଗରେ ଜଳି ଉଠିଲେ, ଭୟଙ୍କର ଗର୍ଜନ ତର୍ଜନ କଲେ । କୃଷ୍ଣଚନ୍ଦ୍ର କିନ୍ତୁ ଭୀତ, ବିଚଳିତ ନ ହୋଇ ହଠାତ ଅଶ୍ୱପୃଷ୍ଠରୁ ଅବତରଣ କଲେ ଏବଂ ଉଗ୍ର ପଦାଘାତରେ ବିନୋଦବିହାରୀଙ୍କୁ, ଦୂରରେ ନିକ୍ଷିପ୍ତ କରି ତକିଖାଁଙ୍କର କେଶାକର୍ଷଣ କଲେ । ସୁବାଦାର-ପୁତ୍ରଙ୍କର ଉଷ୍ଣୀଷ ମସ୍ତକ-ଚ୍ୟୁତ ହୋଇ ପଡ଼ିଲା । କୃଷ୍ଣଚନ୍ଦ୍ର ସେହି ବହୁମୂଲ୍ୟ ଉଷ୍ଣୀଷଟି ପଦଦଳିତ କରି ବଜ୍ର-ଗମ୍ଭୀର କଣ୍ଠରେ କହିଲେ,–‘ଆଜି ତୁମର ମସ୍ତକ ଏପରି ପଦାଘାତରେ ଚୂର୍ଣ୍ଣ କରି ପାରିଲେ ମୋ କ୍ରୋଧର ତର୍ପଣ ହୁଅନ୍ତା, ତକିଖାଁ ।’

 

ତକିଖାଁ କ୍ରୋଧରେ କମ୍ପିତ, ଆତ୍ମହରା ହୋଇ ବଂଶୀଧ୍ୱନି କଲେ । ଅତ୍ୟଳ୍ପ ସମୟରେ ଚାରିଜଣ ସଶସ୍ତ୍ର ପଠାଣ ଘଟନା ସ୍ଥଳରେ ଆସି ଉପସ୍ଥିତ ହୋଇଗଲେ । ତକିଖାଁ ଅଙ୍ଗୁଳି ସଙ୍କେତରେ ରାଜାଙ୍କୁ ଦେଖାଇ ଦେଇ ଆଦେଶ କଲେ–‘କାଫେରକୁ ଧରି ବନ୍ଦୀ କର ।’

 

ପଠାଣ ପ୍ରହରୀମାନେ ରାଜାଙ୍କ ପ୍ରତି ଅଗ୍ରସର ହେବାମାତ୍ରକେ ସେ ହସ୍ତ ଆନ୍ଦୋଳନ କରି କହିଲେ,–‘ବାନ୍ଧ, ଆପତ୍ତି ନାହିଁ । ତେବେ କିଛି ସମୟ ଅପେକ୍ଷା କର । ଆଗେ ଏହି ବାଳିକାକୁ ନିରାପଦ ସ୍ଥାନରେ ନେଇ ରଖି ଆସେ । ଏହା ନ କରିବା ଯାଏଁ କେହି ମୋତେ ଧରି ବନ୍ଦୀ କରି ପାରିବ ନାହିଁ–ଧରିବାକୁ ଚେଷ୍ଟା କଲେ, ସାବଧାନ, ଅନର୍ଥକ ରକ୍ତପାତ ହେବ ।’

 

ତକିଖାଁ : ରାଜବିଦ୍ରୋହୀ କାଫେର, ଏଡ଼େ ଆସ୍ପର୍ଦ୍ଧା । ତୋର ! ଭାବିଛୁ, ତୋତେ ଶାସ୍ତି ନ ଦେଇ ଛାଡ଼ି ଦେବି ? ଆମମାନଙ୍କୁ ପରାସ୍ତ କରି ପଳାଇବୁ ?

 

ରାଜା ଏହା ଗ୍ରାହ୍ୟ ନ କରି ଭୂଲୁଣ୍ଠିତା ବାଳିକା ଆଡ଼କୁ ଅନାଇ କହିଲେ–‘ଆଉ କାହିଁକି ଧୂଳିରେ ଗଡ଼ୁଛ ମା, ଉଠି ଠିଆ ହୁଅ ।’ ବାଳିକା ଆଗେ ନିଜ ଦେହ ବସ୍ତ୍ରାବୃତ କରିବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ–ତାହାର ପରିଧେୟ ଛିନ୍ନଭିନ୍ନ ! ସେ ଆଉ ଉଠିଲା ନାହିଁ–ଲଜ୍ଜାରେ ସଂକୁଚିତ ହୋଇ ପୂର୍ବବତ୍ ତଳେ ପଡ଼ି ରହିଲା । ରାଜା କୃଷ୍ଣଚନ୍ଦ୍ର ବାଳିକାର ପରିଧାନାର୍ଥ ସ୍ୱୀୟ ଉଷ୍ଣୀଷଟି ଦେବାରୁ, ସେ ସେଥିରେ ଯେ କୌଣସି ପ୍ରକାରେ ଶରୀର ଆବୃତ କରି ରାଜାଙ୍କ ପୃଷ୍ଠ ଭାଗରେ ଆସି ଠିଆ ହେଲା ।

 

ତକିଖାଁ ଓ ବିନୋଦବିହାରୀ ତରବାରି ଉନ୍ମୁକ୍ତ କରି ଅଗ୍ରସର ହେଲେ । ରାଜା ସୁବାଦାର-ପୁତ୍ରଙ୍କୁ ସମ୍ବୋଧନ କରି ରୁକ୍ଷ ସ୍ୱରରେ କହିଲେ,–‘ସୁବାଦାର କିମ୍ବା ତାଙ୍କ ସୈନ୍ୟ ସହିତ ମୋର କୌଣସି ବିରୋଧ ନାହିଁ । ତେବେ ତୁମେମାନେ ଯଦି ମୋତେ ଆକ୍ରମଣ କର, ତାହାହେଲେ ଆତ୍ମରକ୍ଷା ପାଇଁ ମୁଁ ନିଃସଙ୍କୋଚ ଭାବରେ ତୁମମାନଙ୍କର ରକ୍ତପାତ କରିବି–ଏଇ ନରହତ୍ୟା ପାଇଁ ମୁଁ ଦାୟୀ ନୁହେଁ ।’

 

ତକିଖାଁ : ବୃଥା ଗର୍ବ ପ୍ରଦର୍ଶନରେ କିଛି ଲାଭ ନାହିଁ, ପାଷଣ୍ଡ ! ହୁଅ ଅଗ୍ରସର, ଦେଖାଯିବ ତୋ ବାହୁରେ କେତେ ଶକ୍ତି ଅଛି ।

 

ତକିଖାଁ କୃଷ୍ଣଚନ୍ଦ୍ରଙ୍କୁ ଆକ୍ରମଣ କଲେ । ରାଜା ଅବଲୀଳାକ୍ରମେ ସେଇ ଆକ୍ରମଣରୁ ଆତ୍ମରକ୍ଷା କରି କ୍ରୁଦ୍ଧ ବ୍ୟାଘ୍ର ପରି ତକିଖାଁ ଉପରକୁ ଲମ୍ଫ ଦେଲେ ଏବଂ ତାଙ୍କ ହାତରୁ ତରବାରି ଛଡ଼ାଇ ନେଇ ଦୂରକୁ ଫୋପାଡ଼ି ଦେଲେ । ରାଜାଙ୍କର ଅପୂର୍ବ ବଳ ଓ କ୍ଷିପ୍ରକାରିତା ଦେଖି ବିନୋଦବିହାରୀ ଭୟରେ ଥରି କିଛି ଦୂରରେ ଯାଇ ଠିଆ ହେଲେ । ସୈନିକମାନେ ତକିଖାଁଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଉନ୍ମୁକ୍ତ ତରବାରି ହସ୍ତରେ ଅଗ୍ରସର ହେଲେ ।

 

ରାଜା ଅଶ୍ୱପୃଷ୍ଠରେ ଆରୋହଣ କରି ବାଳିକାକୁ କିଛି ଦୂର ଘୁଞ୍ଚିଯିବା ସକାଶେ ଇଙ୍ଗିତ କଲେ । ସୈନିକମାନେ ରାଜାଙ୍କ ପ୍ରତି ଧାବିତ ହୋଇ ଆକ୍ରମଣ କଲେ । ରାଜାଙ୍କ ସର୍ବାଙ୍ଗ କମ୍ପି ଉଠିଲା, ଚକ୍ଷୁ ଲାଲ ହୋଇଗଲା । ସେ ଅଗ୍ରଗାମୀ ପଠାଣକୁ ଲକ୍ଷ୍ୟ କରି କିଛି ଦୂରରୁ ଶୂଳ ନିକ୍ଷେପ କଲେ । ପଠାଣ ଶୂଳବିଦ୍ଧ ହୋଇ ପ୍ରାଣତ୍ୟାଗ କଲା । ଶୂଳ ତ୍ୟାଗ କରିବାର ଅବ୍ୟବହିତ ପରେ ରାଜା ପ୍ରଚଣ୍ଡ ବେଗରେ ଅଗ୍ରସର ହୋଇ ଦ୍ଵିତୀୟ ସୈନିକକୁ ଆକ୍ରମଣ କଲେ । ତାହାକୁ ମୁହୂର୍ତ୍ତ ମଧ୍ୟରେ ଖଡ଼୍‍ଗଦ୍ୱାରା ନିହତ କଲେ ଏବଂ ତାହାର ହସ୍ତସ୍ଖଳିତ ବର୍ଚ୍ଛା ଉଠାଇ ନେଇ ତଦ୍ଦ୍ୱାରା ତୃତୀୟ ସୈନିକର ଜୀବନ ନେଲେ । ଚତୁର୍ଥ ପଠାଣ ସୈନିକକୁ ଆକ୍ରମଣ କରିବା ଆଉ ଦରକାର ହେଲା ନାହିଁ–ସେ ସେଠାରୁ ପଳାଇ ଆତ୍ମରକ୍ଷା କଲା ।

 

ତକିଖାଁ ରାଜାଙ୍କ ସମ୍ମୁଖରେ ଠିଆ ହୋଇ କହିଲେ,–‘ଏ ଅପମାନ କେବେ କ୍ଷମା କରିବି ନାହିଁ, କୃଷ୍ଣଚନ୍ଦ୍ର ।’

 

ରାଜା : ଯଦୁବଂଶ କେବେ କ୍ଷମା ଭିକ୍ଷା କରେ ନାହିଁ, ତକିଖାଁ ।

 

ତକିଖାଁ : ମନେ ରଖ, ଆଜି ଠାରୁ ମୁଁ ତୋର ଚିରଶତ୍ରୁ ହେଲି । ଦିନେ ଦେଖିବୁ ଏଇ ଶତ୍ରୁତାର ପରିଣାମ ।

 

ରାଜା : କୃଷ୍ଣଚନ୍ଦ୍ର ଜଗତରେ କାହାକୁ ଡରେ ନାହିଁ, ମ୍ଳେଚ୍ଛ ! ଯାହା ଇଚ୍ଛା ସାଧ୍ୟମତେ କରିପାରୁ–କୃଷ୍ଣଚନ୍ଦ୍ର ସକଳ ସମୟରେ ପ୍ରସ୍ତୁତ । ତୁ ସୁବାଦାର-ପୁତ୍ର ହୋଇ ନଥିଲେ ଆଜି ତୋତେ ଏପରି ଶାସ୍ତି ଦେଇଥାନ୍ତି, ସତୀ-ଅଙ୍ଗ ସ୍ପର୍ଶ କରିବାକୁ ଆଉ କେବେ ଯେପରି ତୋର ସାହସ ହୁଅନ୍ତା ନାହିଁ ।

 

ତକିଖାଁ ଗର୍ଜନ କରି ବିନୋଦବିହାରୀ ସଙ୍ଗେ ସେଠାରୁ ଚାଲିଗଲେ । ରାଜା ବାଳିକାକୁ ସଙ୍ଗେ ଧରି ସେହି ସ୍ଥାନ ତ୍ୟାଗକଲେ ।

 

ସେହି ସମୟରେ ପଠାଣ ସର୍ଦ୍ଦାରମାନେ ଓଡ଼ିଶାରେ ଅତ୍ୟାଚାର କରୁଥିଲେ ତେବେ ତକିଖାଁଙ୍କ ଅତ୍ୟାଚାରର ମାତ୍ରା କିଛି ଅଧିକ ଥିଲା । ରମଣୀର ସତୀତ୍ଵ ତାଙ୍କ ନିକଟରେ ଥିଲା କ୍ରୀଡ଼ାର ସାମଗ୍ରୀ ମାତ୍ର । ଆଜି ବାଳିକା ଉପରେ ଯେପରି ଅତ୍ୟାଚାର ହୋଇଥିଲା, କୁଳକାମିନୀଗଣଙ୍କ ଉପରେ ସର୍ବଦା ସେପରି ହେଉଥିଲା । ତେବେ ବାଳିକାଟି ଯେପରି ରକ୍ଷା ପାଇଲା, ସମସ୍ତଙ୍କ ଅଦୃଷ୍ଟରେ ତାହା ଘଟେ ନାହିଁ ।

 

ସୂର୍ଯ୍ୟାସ୍ତ ସମୟ । ରାଜା କୃଷ୍ଣଚନ୍ଦ୍ର ବାଳିକା ସଙ୍ଗେ ତାହାର ପିତାର ଅନ୍ୱେଷଣ କରିବାକୁ ଯିବାବେଳେ ବାଳିକାକୁ ପଚାରି ବୁଝି ନେଲେ ଯେ, ମହାନଦୀର ଅପରପାର୍ଶ୍ୱରେ, ମଥୁରାପୁର ନାମକ ଗ୍ରାମରେ ତାହାର ଘର । ତାହାର ନାମ ଚପଳା । ପିତା ଭିନ୍ନ ତାହାର ଆଉ କେହି ନାହିଁ । ସେ ଦିନ ଚପଳା ପିତା ସହିତ ପଥ ଅତିକ୍ରମ କରି ସ୍ଵଗ୍ରାମକୁ ଯାଉଥିଲା । ପ୍ରହରୀବର୍ଗ–ବେଷ୍ଟିତ ତକିଖାଁ ଓ ବିନୋଦବିହାରୀ ସେହି ଭଗ୍ନ ଅଟ୍ଟାଳିକା-ପ୍ରାଙ୍ଗଣରେ ଦୁହିଁଙ୍କୁ ଆକ୍ରମଣ କରି, ଚପଳାର ପିତାକୁ ମହାନଦୀ ଗର୍ଭରେ ନିକ୍ଷିପ୍ତ କରି ଦେଲେ, ତାହାର ଧର୍ମ ନଷ୍ଟ କରିବାକୁ ଉଦ୍ୟତ ହେଲେ । ତାହାକୁ ସ୍ପର୍ଶ କରି ତାହାର ବାଗ୍‍ଦତ୍ତ ସ୍ୱାମୀ ସହିତ ଚିର ବିଚ୍ଛେଦ ଘଟାଇଲେ । ଚପଳାର ପ୍ରାଣ ଫାଟିଗଲା, କାତର ହୋଇ ସେ କେତେ ଅନୁନୟ ବିନୟ କଲା–କିନ୍ତୁ ତାହାର କଥାରେ କର୍ଣ୍ଣପାତ କରୁଛି କିଏ ? ବାଳିକା ସେତେବେଳେ ସ୍ତବ ସ୍ତୁତି ଛାଡ଼ି ପିଞ୍ଜରାବଦ୍ଧା ବ୍ୟାଘ୍ରୀ ପରି ଫୁଲି ଉଠି କେତେ ତର୍ଜନ ଗର୍ଜନ କଲା–ତଥାପି କିଛି ଫଳ ହେଲା ନାହିଁ । ସେତେବେଳେ ଅନନ୍ୟୋପାୟ ହୋଇ ଚିତ୍କାର କଲା । ତେବେ ସେଇ ବିଜନ ବନ-ବେଷ୍ଟିତ ଭଗ୍ନ ଅଟ୍ଟାଳିକା ମଧ୍ୟରେ ସେଇ ଚିତ୍କାର-ଧ୍ୱନି ଶୁଣିବ କିଏ ? ଶୁଣି ବା କରିବ କ’ଣ ? ତକିଖାଁ ଯେ ସୁବାଦାର-ପୁତ୍ର–ଦୁର୍ଦ୍ଦାନ୍ତ, ପ୍ରବଳପରାକ୍ରାନ୍ତ, ଅତ୍ୟାଚାରୀ ଯୁବକ । ଚପଳା କିନ୍ତୁ ନିରସ୍ତ ହେଲା ନାହିଁ–ଅବିରାମ ଚିତ୍କାର କରିବାକୁ ଲାଗିଲା । ଯେତେବେଳେ ପାପିଷ୍ଠ ତକିଖାଁ ଓ ତାଙ୍କ ସଙ୍ଗୀ ଚପଳାର ବସନାଂଶ ଛିନ୍ନଭିନ୍ନ କରି ତଳେ ପକାଇ ଦେଇ ତାହାର ସତୀତ୍ଵ-ନାଶରେ ସମୁଦ୍ୟତ ହେଲେ, ସେତେବେଳେ ବିପନ୍ନା, ନିଃସହାୟା ବାଳିକା ଶେଷ ଚେଷ୍ଟା କରିବା ଉଦ୍ଦେଶ୍ୟରେ ବିକଳ ହୃଦୟରେ କ୍ଷୀଣ କଣ୍ଠରେ ଡାକିଲା–‘କିଏ କେଉଁଠି ଅଛ, ଧାଇଁ ଆସି ମୋତେ ରକ୍ଷା କର ।’

 

ଏହା ଶୁଣିବା ପରେ ରାଜା ଚପଳାକୁ ଆଶ୍ୱାସନା ଓ ଅଭୟ ଦେଇ କହିଲେ, ସେ ସଧ୍ୟାନୁଯାୟୀ ତାହାର ପିତାର ଅନୁସନ୍ଧାନ କରିବେ । ସେଥିପାଇଁ କିନ୍ତୁ ତାଙ୍କୁ ବେଶି ଦୂର ଆଉ ଯିବାର ହେଲା ନାହିଁ–ମହାନଦୀକୂଳରେହିଁ ଚପଳା ପିତାର ସନ୍ଧାନ ମିଳିଲା । ସେଠାରେ ଧୀବର କେତେ ଜଣ ମାଛ ଧରୁଥିଲେ । ସେମାନେ ରାଜାଙ୍କୁ ଗୋଟିଏ ଶବ ଦେଖାଇ ପଚାରିଲେ–‘ଏ ଲୋକଟି କିଏ ? ମୃତ ଶରୀରଟି ଦେଖି, ଚିହ୍ନି ଚପଳା ଚମକି ପଡ଼ିଲା–ଭୂଲୁଣ୍ଠିତ ହୋଇ କରୁଣ ରୋଦନ-ଧ୍ୱନିରେ ଗଗନ-ବକ୍ଷ ବିଦୀର୍ଣ୍ଣ କରି ପକାଇଲା । ଆଶ୍ଚର୍ଯ୍ୟର ବିଷୟ, ଅଳ୍ପକ୍ଷଣ ପରେ ଚପଳାର ବିଳାପ ସହସା ବନ୍ଦ ହୋଇଗଲା–ଶୋକାନଳ ପରିବର୍ତ୍ତେ ତାହାର ହୃଦୟରେ ପ୍ରତିହିଂସା-ବହ୍ନି ଜାଳି ଉଠିଲା । ସେ ଚକ୍ଷୁ ମଥିତ କରି ଉଠି ଠିଆ ହେଲା । ପିତୃ-ଶବ ସ୍ପର୍ଶ କରି ମନେ ମନେ କ’ଣ ଗୋଟାଏ ପ୍ରତିଜ୍ଞା କଲା । ରାଜା ଏକାବେଳକେ ବିସ୍ମିତ, ନିର୍ବାକ ! ସେ ଦେଖିଲେ ବାଳିକାର ଚକ୍ଷୁ ଶୁଷ୍କ–କିଛିକ୍ଷଣ ପୂର୍ବେ ନୟନ ପ୍ରାନ୍ତରେ ଥିଲା ଅଶ୍ରୁକଣା, ବର୍ତ୍ତମାନ ସେଠାରେ ଅଗ୍ନିକଣା !

 

ବାଳିକା ଧୀର ବିନମ୍ର କାଣ୍ଠରେ ରାଜାଙ୍କୁ କହିଲା–‘ବୀରାବତାର ! ଦନୁଜ-ଦର୍ପ-ଦଳନ ଶ୍ରୀକୃଷ୍ଣ ଆଜି ଦୁର୍ଯ୍ୟୋଧନ, ଦୁଃଶାସନ ହାତରୁ ଦ୍ରୌପଦୀର ମାନ ରକ୍ଷା କରି ଅଛନ୍ତି । ଆପଣଙ୍କର ଏହି ଋଣ କିପରି ପରିଶୋଧ କରିବି, କିଛି ସ୍ଥିର କରି ପାରୁ ନାହିଁ ।’

 

ରାଜା : ତୁମର ନେତ୍ର ଓ ଅଧରରେ ଭୀମ ପ୍ରତିଜ୍ଞାର ସ୍ପଷ୍ଟ ଚିହ୍ନ ଦେଖିପାରି ମନେ କରୁଛି, ଦିନ ଆସିବ ଯେତେବେଳେ ତୁମର ପ୍ରତିଶୋଧ ବହ୍ନିରେ ଓଡ଼ିଶାର ଦୁର୍ଯ୍ୟୋଧନ, ଦୁଃଶାସନ ଦଗ୍‍ଧ ହେବେ–କୌରବ ବଂଶ ଧ୍ୱଂସ ହେବ ।

 

ପରେ ଦୁହେଁ ମହାନଦୀ ପାର ହୋଇ ମଥୁରାପୁରରେ ଉପସ୍ଥିତ ହେଲେ । ସେତେବେଳେ ପୂର୍ଣ୍ଣିମା-ଜ୍ୟୋତ୍ସ୍ନାରେ ଆକାଶ-ମଣ୍ଡଳ ଉଦ୍ଭାସିତ । ଗ୍ରାମବାସୀମାନେ ରାଜା କୃଷ୍ଣଚନ୍ଦ୍ରଙ୍କୁ ଭଲ କରି ଜାଣନ୍ତି । ସେମାନେ ଆସି ତାଙ୍କୁ ବେଷ୍ଟନ କରି ଠିଆ ହୋଇଗଲେ । ରାଜା ସେମାନଙ୍କ ଆଗରେ ଚପଳାର ଶୋଚନୀୟ ଅବସ୍ଥା ବିବୃତ କଲେ ।

 

ତକିଖାଁଙ୍କ ଅତ୍ୟାଚାର କଥା ଶୁଣି ହିନ୍ଦୁପ୍ରାଣ ବିଚଳିତ ହୋଇ ଉଠିଲା । ରାଜା ସେମାନଙ୍କର କ୍ରୋଧ ଶାନ୍ତ କରି ଚପଳାର ରକ୍ଷଣାବେକ୍ଷଣ ଭାର ନେବାପାଇଁ ସେମାନଙ୍କୁ ଅନୁରୋଧ କଲେ । ପରେ ସେ ଚପଳାକୁ ତାହାର ପିତୃଗୃହରେ ରଖାଇ ତାହାର ସେବା କରିବାପାଇଁ ସେହି ଗ୍ରାମର ଦୁଇ ଜଣ ସ୍ତ୍ରୀଙ୍କୁ ନିଯୁକ୍ତ କରି ସେଠାରୁ ପ୍ରସ୍ଥାନ କଲେ ।

Image

 

ରାଜା କୃଷ୍ଣଚନ୍ଦ୍ର

 

ଇତିହାସ-ପାଠକମାନେ ଜାଣନ୍ତି, ମୋଗଲ-କୁଳ-ତିଳକ ‘ଦିଲ୍ଲୀଶ୍ୱରୋବା ଜଗଦୀଶ୍ଵରୋବା’ ଆକବର ଯେତେବେଳେ ଭାରତର ସମ୍ରାଟ ଥିଲେ, ଓଡ଼ିଶାରେ ସେତେବେଳେ ଭୋଇ-ବଂଶ-ରାଜତ୍ଵର ପ୍ରତିଷ୍ଠା ହୁଏ । ଏହି ବଂଶ ‘ଯଦୁ-ବଂଶ’ ନାମରେବି ପ୍ରସିଦ୍ଧ । ଉତ୍କଳର ଶେଷ ସ୍ୱାଧୀନ ଗଜପତି ରାଜା ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ, ଉତ୍କଳ-ଗଗନରୁ ସ୍ୱାଧୀନତା-ରବି ଚିର ଦିନପାଇଁ ଅସ୍ତମିତ ହେଲା, ଉତ୍କଳ-ରାଜସିଂହାସନ ଶୂନ୍ୟ ହୋଇ ପଡ଼ିଲା–ଦେଶରେ ଅରାଜକତାର ସ୍ରୋତ ବହିଗଲା । ସେତେବେଳେ ରାମଚନ୍ଦ୍ରଦେବ ଖୋରଧା ଅଧିକାର କରିନେଲେ; ସେଠାରେ ନିଜର ରାଜଧାନୀ ସ୍ଥାପନ କରି, ଗଜପତି ଉପାଧି ଧାରଣ କରି ସ୍ୱାଧୀନ ରାଜତ୍ୱ ଚଳାଇବାକୁ ଲାଗିଲେ । ଆକବରଙ୍କର ବିଖ୍ୟାତ ରାଜସ୍ୱ-ସଚିବ ଉଦାରମତି ଚିରସ୍ମରଣୀୟ ରାଜା ତୋଦରମଲ୍ଲ ରାମଚନ୍ଦ୍ର ଦେବଙ୍କୁ ଯଥେଷ୍ଟ ବୃତ୍ତି ପ୍ରଦାନ କରି, ଉତ୍କଳ ଗଜପତିଙ୍କର ପ୍ରକୃତ ଉତ୍ତରାଧିକାରୀ ଏବଂ ଓଡ଼ିଶାର ସ୍ୱାଧୀନ ରାଜା ବୋଲି ସ୍ୱୀକାର କଲେ । ରାମଚନ୍ଦ୍ର ଦେବ ଓ ତାଙ୍କର ପରବର୍ତ୍ତୀ ରାଜାମାନେ ‘ଭୋଇବଂଶୀୟ ବା ଖୋରଧା ରାଜା’ ନାମରେ ପରିଚିତ ହେଲେ । ରାମଚନ୍ଦ୍ର ଦେବ ଯଦୁବଂଶର ପ୍ରଥମ ରାଜା । ତାଙ୍କ ପରେ ଏହି ବଂଶରେ ଚଉଦଜଣ ରାଜା ଖୋରଧା-ସିଂହାସନ ଅଳଙ୍କୃତ କରିଥିଲେ । ଏହି ଉପନ୍ୟାସରେ ଯେଉଁ ସମୟର ଘଟନା ବର୍ଣ୍ଣିତ ହେଉଅଛି, ସେହି ସମୟରେ ଖୋରଧାର ଶାସକ ଥିଲେ ଦ୍ଵିତୀୟ ରାମଚନ୍ଦ୍ର ଦେବ । ସେ ଆଜିକୁ ପ୍ରାୟ ଦୁଇ ଶତ ବର୍ଷ ତଳର କଥା-

 

ଏହି ଉପନ୍ୟାସର ବୀର କୃଷ୍ଣଚନ୍ଦ୍ର ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କର କନିଷ୍ଠ ଭ୍ରାତା–ହରେକୃଷ୍ଣ ଦେବଙ୍କର ଚତୁର୍ଥ ପୁତ୍ର । ସେ ଥିଲେ ଓଡ଼ିଶା ସୁବାଦାରଙ୍କର ଜଣେ ଜାୟଗିରିଦାର । ଅନ୍ୟାନ୍ୟ ଜାୟଗିରି ଅପେକ୍ଷା ତାଙ୍କ ଜାୟଗିରିଟି ଅଧିକ ବିସ୍ତୃତ ଥିଲା । ଓଡ଼ିଶାର ମୋଗଲ ଶାସନ-କର୍ତ୍ତାମାନେ ଜାୟଗିରି-ପ୍ରଥା ଅକ୍ଷୁଣ୍ଣ ରଖି ରାଜସ୍ୱ ଆଦାୟ, ରାଜ୍ୟଶାସନ କରୁଥିଲେ । ଏହି ପ୍ରଥା ଗଜପତି ରାଜାମାନଙ୍କ ସମୟରୁ ପ୍ରଚଳିତ ।

 

ବିସ୍ତୀର୍ଣ୍ଣ ଜାୟଗିରିର ଶାସକ ହେଲେହେଁ କୃଷ୍ଣଚନ୍ଦ୍ର ସୁବାଦାରଙ୍କ ଅଧୀନ । ତାଙ୍କୁ ସମସ୍ତେ ‘ରାଜା’ ବୋଲି ଡାକନ୍ତି, ତାଙ୍କୁ କେତେ ଗୋଟି କିଲାର ଅଧିକାର ଭାର ମଧ୍ୟ ଦିଆଯାଇଥିଲା ।

 

ସେହି ସମୟର ଅନ୍ୟାନ୍ୟ ଜାୟଗିରିଦାରଙ୍କ ପରି ରାଜା କୃଷ୍ଣଚନ୍ଦ୍ର ଅଧର୍ମପରାୟଣ, ଅତ୍ୟାଚାରୀ ଓ ପ୍ରଜାପୀଡ଼କ ନଥିଲେ । ସ୍ଵଜାତିପ୍ରୀତି, ସ୍ଵଧର୍ମାନୁରାଗ ତାଙ୍କର ଉଦାର ହୃଦୟରେ ପ୍ରତି ମୁହୂର୍ତ୍ତ ଖେଳି ବୁଲେ । ଓଡ଼ିଶାର ମଙ୍ଗଳ ଲାଗି, ଓଡ଼ିଆ ଜାତିର ମାନ ରଖିବାପାଇଁ, ସର୍ବୋପରି ପଠାଣ–ଅତ୍ୟାଚାରରୁ ହିନ୍ଦୁଧର୍ମକୁ ରକ୍ଷା କରିବା ସକାଶେ ସେ ସର୍ବସ୍ୱ ତ୍ୟାଗ କରିବାକୁ–ଏପରି କି ପ୍ରାଣ ପର୍ଯ୍ୟନ୍ତ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ । କୃଷ୍ଣଚନ୍ଦ୍ର ସୁପୁରୁଷ । ତାଙ୍କ ମୁଖମଣ୍ଡଳରେ ଲାବଣ୍ୟ, ଉନ୍ନତ ଲଲାଟରେ ପ୍ରଖର ବୁଦ୍ଧି, ଉଜ୍ଜ୍ୱଳ ନୟନରେ ଅପୂର୍ବ ତେଜ, ଓଷ୍ଠପ୍ରାନ୍ତରେ ଦୃଢ଼ ପ୍ରତିଜ୍ଞା ପରିବ୍ୟକ୍ତ ହେଉଥିଲା । ଯେଉଁ ବୟସରେ ମନୁଷ୍ୟର ଶରୀର ପରିଣତ ଓ ସୌନ୍ଦର୍ଯ୍ୟଯୁକ୍ତ ହୁଏ, କୃଷ୍ଣଚନ୍ଦ୍ରଙ୍କର ବର୍ତ୍ତମାନ ସେଇ ବୟସ । ସେ ଆଜିସୁଦ୍ଧା ତେୟାଳିଶବର୍ଷ ଅତିକ୍ରମ କରି ନାହାନ୍ତି । ତାଙ୍କର ଅଭାବ କିଛି ନଥିଲା । ଗୃହରେ ଉନ୍ନତହୃଦୟା, ସ୍ୱଦେଶବତ୍ସଳା ପତ୍ନୀ କମଳସୁନ୍ଦରୀ–ସମରନିପୁଣ ବିଂଶତିବର୍ଷୀୟ ପୁତ୍ର ବିଜୟଚନ୍ଦ୍ର–ଲାବଣ୍ୟମୟୀ କମଳାରୂପିଣୀ କନ୍ୟା ବାସନ୍ତୀ । ସଂସାରରେ ଯାହା କିଛି ମାନବର ଈପ୍ସିତ, ସବୁ ତାଙ୍କର ଥିଲା ।

 

ସବୁ ତାଙ୍କର ଥିଲା; ଅଥଚ କୃଷ୍ଣଚନ୍ଦ୍ରଙ୍କର ପ୍ରାଣ ଅସ୍ଥିର, ଅଶାନ୍ତିପୂର୍ଣ୍ଣ । ଯେତେବେଳେ ସେ ଶୁଣନ୍ତି ହିନ୍ଦୁର ଧନସମ୍ପତ୍ତି ଲୁଣ୍ଠିତ, କୁଳକାମିନୀଗଣଙ୍କ ସତୀତ୍ଵ ନଷ୍ଟ, ଦେବମନ୍ଦିର ମସ୍‍ଜିଦରେ ପରିଣତ ହେଉଅଛି, ସେତେବେଳେ ତାଙ୍କ ପ୍ରାଣ କାନ୍ଦି ଉଠେ, ହୃଦୟରେ ବିଷମ ଜ୍ୱାଳା ଜାତ ହୁଏ ଏବଂ ତାଙ୍କ ଜୀବନ ଓ ଐଶ୍ୱର୍ଯ୍ୟ ପ୍ରତି ତୀବ୍ର ଘୃଣା ଜନ୍ମେ । ଇତିହାସ ସାକ୍ଷ୍ୟ ଦିଏ ଯେ, ଓଡ଼ିଶାର ଶେଷ ସ୍ୱାଧୀନ ନରପତିଙ୍କ ମୃତ୍ୟୁଠାରୁ ମରହଟ୍ଟା ଅଧିକାର ପର୍ଯ୍ୟନ୍ତ ଓଡ଼ିଶାରେ ବହୁ ରକ୍ତପାତ, ଲୁଣ୍ଠନ, ବିପ୍ଳବ, ନାରୀ-ନିର୍ଯାତନା ଘଟିଥିଲା । କୃଷ୍ଣଚନ୍ଦ୍ର ଏହା ସହ୍ୟ କରିପାରୁ ନଥିଲେ । ତାଙ୍କର ଦୋର୍ଦ୍ଦଣ୍ଡ ପ୍ରତାପ, ଅସୀମ ସାହସ । ମୁସଲମାନ ଅତ୍ୟାଚାର ଧ୍ଵଂସରେ ସେ ଥିଲେ ପ୍ରଚଣ୍ଡ ମାର୍ତ୍ତଣ୍ଡ, ଅନୀତି ଅନ୍ୟାୟର ପ୍ରଧାନ କଣ୍ଟକ, ନିରାଶ୍ରୟର ଆଶ୍ରୟ, ନିଃସହାୟର ସହାୟ । କୌଣସି ପଠାଣ ହାତରେ ପ୍ରପୀଡ଼ିତ ହେବାକ୍ଷଣି ହିନ୍ଦୁ ପ୍ରଜାମାନେ କୃଷ୍ଣଚନ୍ଦ୍ରଙ୍କ ପ୍ରତି କାତର ଦୃଷ୍ଟି ନିକ୍ଷେପ କରି ସମୟୋଚିତ ପ୍ରତିକାର ପ୍ରାର୍ଥନା କରନ୍ତି ।

 

ଦଶ ସହସ୍ର ସୁଶିକ୍ଷିତ, ସୁସଜ୍ଜିତ ସୈନ୍ୟ ରାଜା କୃଷ୍ଣଚନ୍ଦ୍ରଙ୍କର ଆଜ୍ଞାଧୀନ ଥିଲେ । ଆବଶ୍ୟକ ହେଲେ ଆହୁରି ଦଶ କୋଡ଼ିଏ ହଜାର ସୈନ୍ୟ ସଂଗ୍ରହ କରିବାପାଇଁ ତାଙ୍କର ସାହସ ଓ ବଳ ଢେର୍ ଥିଲା । ସେତେବେଳେ ଓଡ଼ିଶାର ୩୦।୪୦ ହଜାରରୁ ଅଧିକ ପଠାଣ ସେନା ନଥିଲେ-। ମୋଗଲ ରାଜତ୍ଵରେ ଏତେ ଅରାଜକତା, ବ୍ୟଭିଚାର, ଅତ୍ୟାଚାର, ବିଦ୍ରୋହ ବିଭ୍ରାଟ ସତ୍ତ୍ୱେ ଓଡ଼ିଆର ଯୁଦ୍ଧନୈପୁଣ୍ୟ ଲୁପ୍ତ ହୋଇ ନଥିଲା–ଗ୍ରାମେ ଗ୍ରାମେ ସାମରିକ ଶକ୍ତି କ୍ରୀଡ଼ା କରୁଥିଲା-। ଓଡ଼ିଶାର ପାଇକ ଖଣ୍ଡାଇତମାନେ ପୂର୍ବ ପରି ସୈନ୍ୟଶ୍ରେଣୀଭୁକ୍ତ ହୋଇ ଓଡ଼ିଆ ବୀରତ୍ୱ, ବାହୁବଳର ପରିଚୟ ଦେଇଥିଲେ ।

 

ଓଡ଼ିଶା-ସୁବାଦାର କୃଷ୍ଣଚନ୍ଦ୍ରଙ୍କର ଅଦମ୍ୟ ପରାକ୍ରମରେ ଭୀତ ଏବଂ ସଦ୍‍ଗୁଣରେ ପ୍ରୀତ ଥିଲେ । ଦୂରବର୍ତ୍ତୀ ଜାୟଗିରି ମଧ୍ୟରେ କୃଷ୍ଣଚନ୍ଦ୍ରଙ୍କର କାର୍ଯ୍ୟକଳାପ ଜାଣିବାପାଇଁ ସୁବାଦାରଙ୍କର କୌଣସି ଉପାୟ ନଥିଲା । ରାଜା ନିଜ ଜାୟଗିରିର ସୀମାଭିତରେ ସର୍ବେସର୍ବା । ଏହାହିଁ ସୁବାଦାରଙ୍କ ଭୟର କାରଣ । ଏଣୁ ସେ କୃଷ୍ଣଚନ୍ଦ୍ରଙ୍କୁ ଦୂରରେ ନ ରଖି ସର୍ବଦା ନିଜ ଚକ୍ଷୁ ଆଗରେ, ରାଜଧାନୀ କଟକରେ ରଖିଥିଲେ । ତତ୍‍କାଳୀନ ଉପାଧି-ଦାନ-ପ୍ରଥା ଅନୁସାରେ ସୁବାଦାର କୃଷ୍ଣଚନ୍ଦ୍ରଙ୍କୁ ‘ରାୟ’ ଉପାଧିରେ ଭୂଷିତ କରିଥିଲେ । ଏହା ଛଡ଼ା ରାଜାଙ୍କ ପ୍ରତି ତାଙ୍କ ପ୍ରୀତିର ସ୍ପଷ୍ଟ ନିଦର୍ଶନ ଆଉ କ’ଣ ହୋଇପାରେ ?

 

ଏଠାରେ ଯେଉଁ ସମୟର ଘଟନା ବିବୃତ କରାଯାଉଅଛି, ସେହି ସମୟରେ ଓଡ଼ିଶାର ନାଏବ ସୁବାଦାର ଥିଲେ ସୁଜାଉଦ୍ଦିନ ମହମ୍ମଦ । ସେତେବେଳେ ତାଙ୍କର ଶ୍ୱଶୁର ସୁଶାସକ, ପ୍ରଜାବତ୍ସଳ ମୁର୍ଷିଦ କୁଲିଖାଁ ବଙ୍ଗ-ବିହାରର ସୁବାଦାର । ସେ ଶ୍ଵଶୁରଙ୍କ ଦ୍ୱାରା ଓଡ଼ିଶା-ସୁବାଦାର ପଦରେ ଅଧିଷ୍ଠିତ ହୋଇଥିଲେ । ଓଡ଼ିଶାରେ ନିଯୁକ୍ତ ଶାସନକର୍ତ୍ତାମାନେ ବଙ୍ଗଶାସକଗଣଙ୍କର ସହକାରୀ ବା ଅଧୀନ ରହୁଥିଲେ କହିଲେ ଚଳେ । ମୁର୍ଷିଦ କୁଲିଖାଁ ଭୂପତି ରାୟ ଓ କିଶୋର ରାୟ ନାମକ ଦୁଇ ଜଣ ବଙ୍ଗାଳୀଙ୍କୁ ଜାମାତାଙ୍କର ମନ୍ତ୍ରୀ ବା ସହକାରୀସ୍ୱରୂପ ପଠାଇଥିଲେ । ସୁଜାଉଦ୍ଦିନ ଶ୍ଵଶୁରଙ୍କ ପରି ଜଣେ ଉତ୍ତମ ଶାସକ । ସୁଶାସନ, ଉଦାରତା ଯୋଗେ ସେ ହିନ୍ଦୁ ପ୍ରଜାମାନଙ୍କର ଭକ୍ତି ଓ ପ୍ରୀତିର ପାତ୍ର ହୋଇପାରିଥିଲେ ।

 

କଳହ, ବିବାଦ ପ୍ରତି ସୁଜାଉଦ୍ଦିନଙ୍କର ଭୟଙ୍କର ଘୃଣା–ଅନ୍ୟାୟ ଅତ୍ୟାଚାରର ସେ ପକ୍ଷପାତୀ ନଥିଲେ । ରାଜକାର୍ଯ୍ୟ ଯେ କୌଣସି ପ୍ରକାରେ ନିର୍ବିବାଦରେ ଚଳାଇନେବା ତାଙ୍କର ଆନ୍ତରିକ ଇଚ୍ଛା । ସକଳ ସମୟରେ କିନ୍ତୁ ସେ ନିଜ ଅଭିପ୍ରାୟ ଅନୁଯାୟୀ କାର୍ଯ୍ୟ କରିପାରୁ ନଥିଲେ-। ତାଙ୍କର ପାଳିତ ପୁତ୍ର ତକିଖାଁ କେବେ କେବେ ଗୋଳମାଳ ସୃଷ୍ଟି କରି ତାଙ୍କ ମନରେ ଅଶାନ୍ତି ଆଣନ୍ତି । ସେ ଅନେକ ସମୟରେ ଅନେକ ବିଷୟରେ ତକିଖାଁ କର୍ତ୍ତୃତ୍ୱ ଚାଳିତ ହୁଅନ୍ତି ।

 

ମହାନଦୀ-ତୀର-ଘଟନାର ପରଦିନ ସୁବାଦାର ବାରବାଟୀ ରାଜଭବନରେ ସର୍ବଶୋଭାମୟ ବିସ୍ତୀର୍ଣ୍ଣ ଦରବାର-କକ୍ଷରେ ସଭାସଦ୍ ବର୍ଗ–ପରିବେଷ୍ଟିତ ହୋଇ ବସି ଅଛନ୍ତି, ଏହି ସମୟରେ ତକିଖାଁ ସୁବାଦାରଙ୍କ ନିକଟରେ ରାଜା କୃଷ୍ଣଚନ୍ଦ୍ରଙ୍କ ବିରୁଦ୍ଧରେ ରାଜବିଦ୍ରୋହ-ଅଭିଯୋଗ ଆଣିଲେ । ଜଣାଇଲେ, ରାଜା ଗୁରୁତର ଅପରାଧ କରି ଅଛନ୍ତି–ତିନିଜଣ ରାଜସୈନିକଙ୍କ ନିହତ କରିଅଛନ୍ତି । ସେହି ମୁହୂର୍ତ୍ତରେ ରାଜା ଦରବାରକୁ ଆହୂତ ହେଲେ । କେତେକ ଜଣ ଶରୀର-ରକ୍ଷୀଙ୍କୁ ସଙ୍ଗେ ନେଇ ସେ ସଭାଗୃହରେ ଉପନୀତ ହେଲେ । ତାଙ୍କୁ ଦେଖି ତକିଖାଁଙ୍କର ଦେହ କୋପରେ ଫୁଲି ଉଠିଲା । ସଭାସଦଗଣ ଅଭିଯୋଗରେ ପରିଣାମକୁ ଉତ୍କଣ୍ଠିତ ପ୍ରାଣରେ ଅପେକ୍ଷା କରି ରହିଲେ । ସମସ୍ତଙ୍କ ଦୃଷ୍ଟି ରାଜାଙ୍କ ଉପରେ । ରାଜା ସେଠାରେ ପ୍ରବିଷ୍ଟ ହେବାକ୍ଷଣି ସୁବାଦାର ତାଙ୍କୁ ସମ୍ବୋଧନ କରି ପ୍ରଶ୍ନ କଲେ,–‘ତୁମେ ରାଜବିଦ୍ରୋହୀ ?’ କୃଷ୍ଣଚନ୍ଦ୍ର ଧୀର ଗମ୍ଭୀର ସ୍ୱରରେ ଉତ୍ତର କଲେ–‘କାର୍ଯ୍ୟରେ ନୁହେଁ ।’

 

ସୁବାଦାର : ତୁମେ ରାଜସୈନ୍ୟ ବଧ କରିଅଛ ?

 

ରାଜା : କରିଅଛି ।

 

ସୁବାଦାର : କାରଣ ?

 

ରାଜା : ଆତ୍ମରକ୍ଷାର୍ଥ ।

 

ସୁବାଦାର : ସୈନିକମାନେ ତୁମକୁ ଆକ୍ରମଣ କଲେ କାହିଁକି ?

 

ରାଜା ଦୃଢ଼ଭାବରେ, ଉତ୍ତେଜିତ କଣ୍ଠରେ ଘଟନାଟି ଆଦ୍ୟୋପାନ୍ତ ଜଣାଇବା ପରେ କହିଲେ–‘ସୁବାଦାର-ପୁତ୍ର ତକିଖାଁ ପ୍ରକୃତ ଅପରାଧୀ ।’

 

ସୁବାଦାର : ସୁବାଦାର-ପୁତ୍ର ବିରୁଦ୍ଧରେ ଅଭିଯୋଗ ଆଗତ କରାଯାଇ ପାରିବ ନାହିଁ ।

 

ରାଜା : ସୁବାଦାର ! ଆପଣ ଦେଶର ରାଜା । ରାଜାଙ୍କୁ ଆମେମାନେ ଦେବତା ଜ୍ଞାନରେ ଶ୍ରଦ୍ଧା, ଭକ୍ତି କରିଥାଉ । ମୋର ଦୃଢ଼ ଧାରଣା, ଆମମାନଙ୍କର ସେଇ ଭକ୍ତି, ଶ୍ରଦ୍ଧା ନଷ୍ଟ କରିବେ ନାହିଁ–ଅତ୍ୟାଚାର, ବ୍ୟଭିଚାରର ପ୍ରଶ୍ରୟ ଦେବେ ନାହିଁ । ଆପଣ ଜାଣନ୍ତି ରାଜ୍ୟ, ସିଂହାସନ ସଂସ୍ଥାପିତ । ପ୍ରଜାଙ୍କ ଭକ୍ତିରେ ବାଧା ଦେଲେ, ପାପର ପ୍ରଶ୍ରୟ ଦେଲେ ରାଜ୍ୟ ଯେ ଅଚିରେ ନଷ୍ଟଭ୍ରଷ୍ଟ ହୋଇ ପଡ଼ିବ, ଏହା ଅନୁଭବୀ ସୁବାଦାରଙ୍କୁ ନୂଆକରି ବୁଝାଇବା ଦରକାର ନାହିଁ । ପଠାଣ ବୀରଜାତି । ଦେବତାଙ୍କ ପରି ପକ୍ଷପାତଶୂନ୍ୟ ହୋଇ ବିଚାର କରନ୍ତୁ–ଦେଖିବେ, ପଠାଣ-ଶାସନ ଚନ୍ଦ୍ରସୂର୍ଯ୍ୟ ଥିବାଯାଏଁ ଓଡ଼ିଶାରେ ଅକ୍ଷୁଣ୍ଣ ରହିବଇ ରହିବ ।

 

ସଭାଗୃହ ସ୍ତବ୍ଧ–ସୁବାଦାର ଚିନ୍ତାମଗ୍ନ । ରାଜାଙ୍କର ଅଦ୍ଭୁତ ସାହସ ଦେଖି, ଅଗ୍ନିମୟୀ ବାଣୀ ଶୁଣି ସଭାସଦଗଣ ବିସ୍ମିତ, ସ୍ତମ୍ଭିତ ହୋଇଗଲେ । କିଛିକ୍ଷଣ ପରେ ବିବେକୀ ସୁବାଦାର ପ୍ରସନ୍ନ ମୁଖରେ କହିଲେ,–‘ବର୍ତ୍ତମାନ ବୁଝି ପାରୁଛି ରାଜା ! ତୁମେ ରାଜ୍ୟର ହିତୈଷୀ, ପ୍ରଜାକୁଳର ଶୁଭାକାଂକ୍ଷୀ । ଯେଉଁମାନେ ଶୁଭ ମନ୍ତ୍ରଣା ଦିଅନ୍ତି, ସେମାନେହିଁ ମନ୍ତ୍ରୀପଦର ଯୋଗ୍ୟ–ତୁମକୁ ଆଜିଠାରୁ ଅମାତ୍ୟ–ପଦରେ ନିଯୁକ୍ତ କରୁଅଛି । ବର୍ତ୍ତମାନ ଦରବାର ଭଙ୍ଗ ହେଉ ।’

 

ସୁବାଦାର ସଭାଗୃହ ତ୍ୟାଗ କଲେ । ସମସ୍ତେ ଅବାକ ! ତକିଖାଁ ନିତାନ୍ତ ଲଜ୍ଜିତ, ବ୍ୟଥିତ ହୋଇ ପଡ଼ିଲେ । କିନ୍ତୁ କିଛି ସମୟ କ’ଣ ଗୁଡ଼ାଏ ଭାବି ଆଶ୍ୱସ୍ତ ହେଲେ, ସଭାସଦଗଣଙ୍କ ସଙ୍ଗେ ସେଠାରୁ ଚାଲିଗଲେ । ରାଜା ଓ ତାଙ୍କର ଦେହରକ୍ଷୀବର୍ଗ ମଧ୍ୟ ସେଠାରୁ ପ୍ରସ୍ଥାନ କଲେ ।

Image

 

ପରାମର୍ଶ

 

ବିନୋଦବିହାରୀ ଜଣେ କୁକର୍ମ-ନିରତ, କୁପଥଗାମୀ ବଙ୍ଗାଳୀ ଯୁବକ । ପୂର୍ବେ ବିବୃତ ହୋଇଅଛି, ସୁବାଦାର ସୁଜାଉଦ୍ଦିନଙ୍କ ସଙ୍ଗେ ଭୂପତି ରାୟ ଓ କେଶବ ରାୟ ମନ୍ତ୍ରୀ ହୋଇ ଓଡ଼ିଶାକୁ ଆସିଥିଲେ । ବିନୋଦବିହାରୀ ଭୂପତିରାୟଙ୍କର ଏକମାତ୍ର ସନ୍ତାନ । ତାଙ୍କ ପିତା ଓଡ଼ିଶାକୁ ଆସିବା ଆଗରୁ ତ ଖୁବ୍ ସଙ୍ଗତିସମ୍ପନ୍ନ ଥିଲେ–ସୁବାଦାରଙ୍କର ମନ୍ତ୍ରୀ ହେବାଦିନୁ ତାଙ୍କର ଧନ ସମ୍ପତ୍ତି ଆହୁରି ବୃଦ୍ଧି ପାଇଲା । କଟକ ଆସିବାର ଚାରିବର୍ଷ ପରେ ସେ ଇହଲୀଳା ସାଙ୍ଗ କଲେ–ତାଙ୍କ ମୃତ୍ୟୁର ପରବର୍ଷ ବିନୋଦଙ୍କ ଜନନୀ ମଧ୍ୟ ପରଲୋକ ଯାତ୍ରା କଲେ । ସେତେବେଳକୁ ବିନୋଦବିହାରୀଙ୍କର ବିବାହ ହୋଇ ସାରିଥିଲା ।

 

ଦୁର୍ଭାଗ୍ୟ କିମ୍ବା ସୌଭାଗ୍ୟରୁ, ବିନୋଦ ବିପୁଳ ଐଶ୍ୱର୍ଯ୍ୟର ଅଧିକାରୀ ହେଲେ । ପିତୃମାତୃହୀନ ସାଂସାରିକଦାୟିତ୍ୱ–ଜ୍ଞାନଶୂନ୍ୟ ଅସଚ୍ଚରିତ୍ର ଧନୀ ବ୍ୟକ୍ତି ଉଦ୍ଦାମ ଯୌବନରେ ଯାହା କରିଥାଏ, ବିନୋଦବି ତାହା କରିବାକୁ ଲାଗିଲେ । ଖୋରଧା ନିକଟସ୍ଥ ହରିପୁର ଗ୍ରାମରେ ତାଙ୍କର ଶ୍ୱଶୁରାଳୟ । ସୁରାପାୟୀ, ବେଶ୍ୟାସକ୍ତ ଯୁବକ ନିଜ ପତ୍ନୀକୁ ପ୍ରେମ ଆଦର କରିବାର ଅଳ୍ପ ଦେଖାଯାଏ । ବିନୋଦବାବୁ ନିଜ ଧର୍ମପତ୍ନୀଙ୍କୁ ଛୁଇଁ ପଚାରି ଯା'ନ୍ତି ନାହିଁ । ତାଙ୍କର ବିଳାସ-ଗୃହ ବାରାଙ୍ଗନାଦଳରେ ପରିପୂର୍ଣ୍ଣ ହେଲା–ପରିତ୍ୟକ୍ତା, ପଦଦଳିତା, ପତିଗତପ୍ରାଣା ସ୍ତ୍ରୀ ଗୌରୀ ଗଭୀର ମନୋବେଦନା ସହ୍ୟ କରି ପିତୃ ଗୃହରେ ଦିନପାତ କରିବାକୁ ଲାଗିଲେ ।

 

ଧନୀ ଲୋକହିଁ ମାନୀ–ଏ କଥା ଅସ୍ୱୀକାର କରିବ କିଏ ? ଐଶ୍ୱର୍ଯ୍ୟଶାଳୀ ବିନୋଦବିହାରୀଙ୍କ ସଙ୍ଗୀ ଓ ସ୍ତାବକଙ୍କର ଅଭାବ ହେଲା ନାହିଁ । ଏହାହିଁ ସଂସାରର ରୀତି ସିନା ! ସେ ଥିଲେ ସୁବାଦାରଙ୍କର ଜନୈକ ଉଚ୍ଚପଦସ୍ଥ କର୍ମଚାରୀ । ତକିଖାଁ ତାଙ୍କ ଗୃହକୁ ଯାତାୟାତ କରନ୍ତି । ଜଣକର ଅର୍ଥ, ଅନ୍ୟ ଜଣକର କ୍ଷମତା । ଦୁଇ ପ୍ରବଳ ନଦର ମିଳନରେ ଓଡ଼ିଶା ଅତ୍ୟାଚାର–ପ୍ଳାବିତ ହେଲା ।

 

କଟକରୁ କିୟତ୍‍ ଦୂରରେ, ମହାନଦୀର ଉପକୂଳରେ ବିନୋଦବିହାରୀ ରାୟଙ୍କର ବିଳାସ-ଭବନ–ନିକଟରେ ଗୋଟିଏ ସୁରମ୍ୟ ପ୍ରାସାଦ । ପ୍ରମୋଦ-ଗୃହରେହିଁ ସେ ନିଶାଯାପନ କରନ୍ତି–ଦିବସଟି ରାଜଧାନୀରେ ଅତିବାହିତ ହୁଏ । ବିଳାସ-ମନ୍ଦିରରେ ତକିଖାଁ, ବିନୋଦ ଉଭୟେ ମିଶି ମଉଜ ମଜଲିସ କରନ୍ତି । ବିଳାସ-ଭବନଟି ବଡ଼ ନୁହେଁ, ଅଥଚ ଦେଖିବାକୁ ଅତ୍ୟନ୍ତ ରମଣୀୟ-। ଗୃହପ୍ରାଚୀର ଚତୁର୍ଦ୍ଦିଗରେ ଲତାବିତାନ ବେଷ୍ଟିତା–ଯୁବତୀର ସୁନ୍ଦର ମୁଖମଣ୍ଡଳ ଯେପରି ଆଲୁଳାୟିତ କେଶରାଶିରେ ଆଚ୍ଛନ୍ନ । ଉଦ୍ୟାନ ବିବିଧ-ପୁଷ୍ପ-ପତ୍ର–ପ୍ରସନ୍ନ, ଚିତ୍ତ–ବିନୋଦନ-

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଅଛି । ଆକାଶରେ ଅଗଣ୍ୟ ନକ୍ଷତ୍ର ଦେଦୀପ୍ୟମାନ, ଉଦ୍ୟମରେ ଅସଂଖ୍ୟ ମଲ୍ଲିକା ପ୍ରସ୍ଫୁଟିତ । ବିଳାସଭବନର ପ୍ରତି କକ୍ଷ ଶତ ଶତ ଦୀପରେ ଆଲୋକିତ । ବିନୋଦବିହାରୀ ତାଙ୍କ କକ୍ଷ ମଧ୍ୟରେ ଗଜ-ଦନ୍ତ-ନିର୍ମିତ ପର୍ଯ୍ୟଙ୍କ ଉପରେ ଏକାକୀ ନୀରବ ଭାବରେ ଉପବିଷ୍ଟ । ପର୍ଯ୍ୟଙ୍କୋପରି ବିସ୍ତୃତ ସୁବର୍ଣ୍ଣଖଚିତ ମଖମଲ–ହର୍ମ୍ୟତଳ ପର୍ଯ୍ୟନ୍ତ ବିଳମ୍ବିତ । ଗୃହକୋଣରେ ମର୍ମର-ପ୍ରସ୍ତର-ନିର୍ମିତ ଉଲଙ୍ଗ ରମଣୀମୂର୍ତ୍ତି ଚତୁଷ୍ଟୟ । ପ୍ରତ୍ୟେକ ମୂର୍ତ୍ତିର ଉତ୍‍କ୍ଷିପ୍ତ ହସ୍ତରେ ସ୍ଫଟିକାଧାର–ସ୍ଫଟିକାଧାରାରେ ପୁଷ୍ପରାଶି । କକ୍ଷ ଗନ୍ଧମୟ, ଆଲୋକମୟ, ସୌନ୍ଦର୍ଯ୍ୟମୟ-। ଏହି ସମୟରେ ଜନୈକ ଭୃତ୍ୟ ଆସି ସମ୍ବାଦ ଦେଲା ଯେ, ଜଣେ ବାଳକ ବିନୋଦବାବୁଙ୍କର ଦର୍ଶନାଭିଳାଷୀ । ବିନୋଦ କହିଲେ,–‘ତାହା ନିକଟରେ ଯଦି ଅସ୍ତ୍ରଶସ୍ତ୍ର ନଥାଏ, ତାହା ହେଲେ ଏଠାକୁ ନେଇ ଆସ ।’

 

ତାଙ୍କର ଆଦେଶ ତତ୍‍କ୍ଷଣାତ ପାଳିତ ହେଲା । ଅପୂର୍ବ ସୁନ୍ଦର ଜଣେ ବାଳକ ଧୀର ପଦକ୍ଷେପରେ କକ୍ଷ ମଧ୍ୟରେ ପ୍ରବେଶ କରି ବିନୋଦବାବୁଙ୍କୁ ବିନୟସହ ପ୍ରଣାମ କଲା ଏବଂ ତାଙ୍କ ହସ୍ତରେ ଖଣ୍ଡିଏ ପତ୍ର ପ୍ରଦାନ କଲା । ବାଳକର ସୌନ୍ଦର୍ଯ୍ୟରେ ବିନୋଦ ଏକାବେଳକେ ମୁଗ୍ଧ ହୋଇଗଲେ । ତାହାର ମୁଖମଣ୍ଡଳରେ ଅପୂର୍ବ ଲାବଣ୍ୟ ଓ କମନୀୟତା, ଓଷ୍ଠରେ ଦୃଢ଼ ପ୍ରତିଜ୍ଞା, ନୟନରେ ଅଲୌକିକ ଦୀପ୍ତି । ଦେହର ବସ୍ତ୍ରାଦି ନବକ୍ରୀତ–ପରିଷ୍କାର, ପରିଚ୍ଛନ୍ନ । ରସିକ ବିନୋଦ ଭାବିଲେ,–‘ଆହା, ଏ ବାଳକ ନ ହୋଇ ଯଦି ବାଳିକା ହୋଇଥାନ୍ତା !’ ବାଳକକୁ ପ୍ରଶ୍ନ କଲେ,–‘କିଏ ଦେଇଛି ଏ ପତ୍ର ?’

 

ବାଳକ : ଜଣେ ବୃଦ୍ଧା ।

 

ବିନୋଦ : କିଏ ସେ ବୃଦ୍ଧା ?

 

ବାଳକ : ଆଜ୍ଞା କହିପାରିବି ନାହିଁ । ଆସୁ ଆସୁ ମୋତେ ସେ ବାଟରେ ଦେଖି ପଚାରି ବୁଝିନେଲା ଯେ, ଆପଣଙ୍କର ସାକ୍ଷାତ ଲାଭହିଁ ମୋର ଏଠାକୁ ଆସିବାର ଉଦ୍ଦେଶ୍ୟ । ପରେ ଏ ପତ୍ର ଦେଇ ଆପଣଙ୍କ ହାତରେ ଦେବାପାଇଁ ଅନୁରୋଧ କରି ଚାଲିଗଲା ।

 

ବିନୋଦ : ମୋ ପାଖରେ ତାହାହେଲେ ତୁମର ଆଉ କିଛି ପ୍ରୟୋଜନ ଅଛି ଦେଖୁଛ ।

 

ବାଳକ : ଆଜ୍ଞା ହଁ ।

 

ବିନୋଦ : କିଛି ସମୟ ଅପେକ୍ଷା କର–ପତ୍ରଟି ଦେଖେ ଆଗେ । ବିନୋଦ ପତ୍ରଟି ଖୋଲି ପାଠ କଲେ । ତହିଁରେ ଲେଖାଥିଲା–

 

‘ଶ୍ରୀ ଚରଣେଷୁ–

 

ପ୍ରାୟ ଏକବର୍ଷ ପରେ ପତ୍ର ଲେଖୁଛି । ପରିତ୍ୟକ୍ତାର ପତ୍ର ଲେଖିବାର ଅଧିକାର ଥାଉ ବା ନ ଥାଉ ନ ଲେଖି ଆଉ ରହି ପାରିଲି ନାହିଁ । କ୍ଷମା କରିବ ।

 

‘‘ମୋତେ ତ୍ୟାଗ କରିଛ, ଏ ଦୋଷ କିନ୍ତୁ ତୁମର ନୁହେଁ । ଦୋଷ ମୋ ଅଦୃଷ୍ଟର । ତିନିବର୍ଷ ବୟସରେ ମା ହରାଇ ବାରବର୍ଷ ବୟସରେ ପୁଣି ମା ପାଇଥିଲି–ଆଉ ପାଇଥିଲି ତୁମକୁ । ଦେବତାମାନଙ୍କ କଥା ଶୁଣିଛି, ଆଖିରେ କେବେ ଦେଖି ନାହିଁ । ଏଣୁ କହିପାରୁ ନାହିଁ, ତୁମେ ଦେବତା ଠାରୁ ବଡ଼ କି ନା ! ଅଦୃଷ୍ଟ ଦୋଷରେ ସବୁ ହରାଇ ବସିଛି । ମୁଁ ତୁମର ସଙ୍ଗ ହରାଇଛି ସତ, ତୁମକୁ ତ ହରାଇ ନାହିଁ । ତୁମେ ଯେ ମୋ ଭିତରେ, ବାହାରେ, ଇହକାଳରେ, ପରକାଳରେ । ଦିନ ରାତି ଭଗବାନ୍‍ଙ୍କ ନିକଟରେ ଗୁହାରି କରୁଛି, ଜନ୍ମ ଜନ୍ମାନ୍ତରରେ ଯେପରି ତୁମକୁହିଁ ସ୍ୱାମୀରୂପେ ପାଏ, କିନ୍ତୁ ଆଉ ଯେପରି ତୁମ ଚରଣ ସେବାରୁ ବଞ୍ଚିତ ନ ହୁଏ ।

 

‘‘ମୁଁ ତୁମ ପାଖରେ ଆଉ କିଛି ଲୋଡ଼େ ନାହିଁ–ଗୋଟିଏ ଭିକ୍ଷା ମାତ୍ର ଅଛି । ମୋ ଅନୁରୋଧ ରଖିବ ତ ପ୍ରାଣେଶ୍ୱର ? ଶୁଣୁଛି, ତୁମେ ସୁବାଦାର-ପୁତ୍ର ସଙ୍ଗେ ମିଶି ହିନ୍ଦୁ–ରମଣୀର ଧର୍ମ ନଷ୍ଟ କରୁଛ–ହିନ୍ଦୁ ପ୍ରାଣରେ ତୀବ୍ର ଯନ୍ତ୍ରଣା ଦେଉଛ । ଏହା କ’ଣ ହିନ୍ଦୁ ସନ୍ତାନର କାର୍ଯ୍ୟ ? ସତୀତ୍ଵହିଁ ନାରୀର ପ୍ରଧାନ ସମ୍ପଦ । ସେଇ ସମ୍ପଦ ହରି ନେବା ଅନ୍ୟାୟ । ଯଦି ମୋତେ ଦିନେ ହେଲେ ଚରଣରେ ସ୍ଥାନ ଦେଇଥାଅ, ଲେଶମାତ୍ର ପ୍ରେମ କରିଥାଅ, ତାହାହେଲେ ମୋର ଏହି ନିବେଦନ ଶୁଣି ଅତ୍ୟାଚାର, ବ୍ୟଭିଚାରରୁ କ୍ଷାନ୍ତ ହେବ । ଯେଉଁ ଦିନ ଶୁଣିବି ତୁମେ ଏହା କରିଛ, ସେ ଦିନ ମୋର ଯେତେ ସୁଖ ହେବ, ସତ୍ୟ କହୁଛି, ମୋତେ ପୁଣି ଗ୍ରହଣ କଲେବି ସେପରି ହେବ ନାହିଁ ।

 

ଚରଣ ସେବିକା,

ଗୌରୀ’’

 

ବାଳକ ବିନୋଦଙ୍କ ମୁଖକୁ ପଲକହୀନ ନେତ୍ରରେ ଅନାଇ ରହିଥାଏ । ଦେଖିଲା, ପତ୍ରପାଠଶେଷରେ ବିନୋଦବାବୁଙ୍କ ମୁଖରେ ବିରକ୍ତ ଓ ରାଗର ଘନ ରେଖା ପରିସ୍ଫୁଟ । ପରେ ବିନୋଦ ଅତିଶୟ ଘୃଣା ସହ ପତ୍ରଟି ଚିରି ଦେଇ ପର୍ଯ୍ୟଙ୍କ ତଳକୁ ନିକ୍ଷିପ୍ତ କଲେ । ବାଳକକୁ ପଚାରିଲେ, ‘ତୁମର ଘର କେଉଁଠି ?’

 

ବାଳକ : ବହୁ ଦୂରରେ ।

 

ବିନୋଦ : ତୁମ ଆଗମନର କାରଣ ?

 

ବାଳକ : ମୋର ଶୋଚନୀୟ ଅବସ୍ଥା ।

 

ବିନୋଦ : କ’ଣ ଚାହଁ ?

 

ବାଳକ : ଆଶ୍ରୟ । ଶୁଣିଛି ହଜୁର ! ଆପଣ ଧନୀ, କ୍ଷମତାବାନ୍ ଓ ଦୟାଳୁ । ମୁଁ ନିଃସମ୍ବଳ । ସଂସାରରେ ମୋର କେହି ନାହିଁ । ଚାକିରି ଭିକ୍ଷା କରିବାକୁ ଆସିଛି ।

 

ବିନୋଦ : ତୁମର ନାମ ?

 

ବାଳକ : ଚଇତ ।

 

ବିନୋଦବିହାରୀ ବାଳକ ଆଡ଼କୁ ଏକାଗ୍ର ଦୃଷ୍ଟିରେ କିଛି ସମୟ ଅନାଇ ରହି କହିଲେ,–‘ତୁମକୁ ଆଶ୍ରୟ ଦେଲି, ତୁମେ ସ୍ଵଚ୍ଛନ୍ଦଭାବରେ ମୋ ଗୃହରେ ବାସ କର । ଦୟାପରବଶ ହୋଇ ତୁମକୁ ଆଶ୍ରୟ ଦେଉ ନାହିଁ–ମୋର ସ୍ୱାର୍ଥ ଅଛି ।’

 

ବାଳକ : ସ୍ୱାର୍ଥ ? କ’ଣ ସେ ?

 

ବିନୋଦ : ତୁମେ ବଡ଼ ସୁନ୍ଦର, ତୁମକୁ ଦେଖିବାକୁ ଭଲ ଲାଗେ । ବାଳକର ବଦନମଣ୍ଡଳ ଲଜ୍ଜା-ରାଗରେ ରଞ୍ଜିତ ହୋଇଗଲା । ସେତେବେଳେ ନର୍ତ୍ତକୀଗଣ ଆସି ସେଠାରେ ଉପସ୍ଥିତ ହେଲେ । ସେମାନେ ନଗର ମଧ୍ୟରେ ବାସ କରନ୍ତି–ସନ୍ଧ୍ୟା ହେଲେ ବିଳାସଭବନରେ ଆସି ରୁଣ୍ଡ ହୁଅନ୍ତି । ହର୍ମ୍ୟତଳେ କେତୋଟି ବାଦ୍ୟଯନ୍ତ୍ର ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଥିଲା । ବିନୋଦଙ୍କ ଆଦେଶରେ ନର୍ତ୍ତକୀଦଳ କବି ଉପେନ୍ଦ୍ରଭଞ୍ଜଙ୍କର ଗୋଟିଏ ସଙ୍ଗୀତ ଗାଇ ନୃତ୍ୟ ଆରମ୍ଭ କଲେ ।

 

‘‘ଆହା ମୋ ଜୀବନଧନ ଜୀବନେ କି ଥିବରେ ।।ପଦ।।

ନିଶାକାଳେ ବିଧୁମୁଖୀ କିସ କରୁଥିବରେ,

ଆଶା-ପଲଙ୍କରେ ବସି ଭାଷା ଲେଖୁଥିବରେ ।। ୧ ।।

ଗଳେ ଥିଲା ମୋତିମାଳ ତୁଟି ଲୋଟୁଥିବରେ,

ଫିଟି ଲୋଟୁ ଥିବ କେଶ କାଳ କାଣ୍ଟୁ ଥିବରେ ।। ୨ ।।

ଉତ୍ପଳନୟନି ତୋ କପାଳେ ଏହା ଥିଲାରେ,

ସୁଫଳିତ ଅଙ୍ଗ ତୋର ବିଫଳିତ ହେଲାରେ ।। ୩ ।।

ଭଣେ ଉପଇନ୍ଦ୍ର ଭଞ୍ଜ କରି ପ୍ରୀତି-ଆଶାରେ,

ଆଉ କି ଶୁଣିବି ପ୍ରାଣପ୍ରିୟା-ପିକଭାଷାରେ ।। ୪ ।।’’

 

ଗାନ ବନ୍ଦ ହେବା ସଙ୍ଗେ ସଙ୍ଗେ ଭୃତ୍ୟ ଆସି ଜଣାଇଲା, ଦ୍ୱାରଦେଶରେ ସୁବାଦାର-ପୁତ୍ର ଦଣ୍ଡାୟମାନ । ତାଙ୍କୁ ଅଭ୍ୟର୍ଥନା କରିବାକୁ ବିନୋଦ ତୁରିତ ପଦରେ କକ୍ଷ ତ୍ୟାଗ କଲେ । ଏହି ଅବସରରେ ଚଇତ ବିନୋଦଙ୍କ ପର୍ଯ୍ୟଙ୍କ ତଳେ ଲୁଚି ରହିଲା । ବିନୋଦବିହାରୀ ଓ ତକିଖାଁ ପର୍ଯ୍ୟଙ୍କ ଉପରେ ଉପବେଶନ କରିବାକ୍ଷଣି ବାରବିଳାସିନୀଦଳ ପ୍ରଭୃତି କକ୍ଷରୁ ଚାଲିଗଲେ । ତକିଖାଁ କୋମଳ କଣ୍ଠରେ ପ୍ରଶ୍ନ କଲେ,–‘ବିନୋଦ ସାହେବ ! କୃଷ୍ଣଚନ୍ଦ୍ରର କଥାଟା କ’ଣ ଭୁଲି ଯାଇଛ ?’

 

ବିନୋଦ : ଭୁଲି ନାହିଁ ହଜୁର ! ତାହାକୁ ବାନ୍ଧି ଆଣି ଆପଣଙ୍କ ପଦପ୍ରାନ୍ତରେ ହାଜର ନ କରିବା ଯାଏଁ ଭୁଲି ପାରିବି ନାହିଁ ।

 

ତକିଖାଁ : ବେଶ୍ । ତାହାକୁ ତାହାହେଲେ ଧରି ଆଣିବାର କି ବ୍ୟବସ୍ଥା କରୁଅଛ ?

 

ବିନୋଦ : ଭାବିଛି, ଆପାତତଃ ତାହାକୁ ନ ଧରି ତାହାର ପରମ ସୁନ୍ଦରୀ ଯୁବତୀକନ୍ୟା ବାସନ୍ତୀକୁ ଧରି ଆଣିବି ।

 

ତକିଖାଁ : ବାହବା ! ବାହବା ! ଏ କଥାଟା ଆଗେ କରାଯାଉ । ଉପକୁକ୍ତ ପ୍ରତିଶୋଧ !

 

ବିନୋଦ : କିନ୍ତୁ–

 

ତକିଖାଁ : କିନ୍ତୁ ତେବେ କ’ଣ ?

 

ବିନୋଦ : କୃଷ୍ଣଚନ୍ଦ୍ରର ଉପସ୍ଥିତିରେ ତ ଏ କାର୍ଯ୍ୟ ହୋଇ ପାରିବ ନାହିଁ । ସେ ଯେ ସିଂହ-!

 

ତକିଖାଁ : ସିଂହ-ଗୁହାରୁ ତାହାର ଶାବକକୁ କାଢ଼ି ଆଣିବାର କ’ଣ ଉପାୟ ନାହିଁ ?

 

ବିନୋଦ : ଅଛି, ନିଶ୍ଚୟ ଅଛି । ସିଂହକୁ ସ୍ଥାନାନ୍ତରିତ କରି ଦେଲେ ହେଲା । ବର୍ତ୍ତମାନ ସେ ମନ୍ତ୍ରୀ–ଆପଣଙ୍କର ଚାକର । ରାଜ୍ୟର କୌଣସି ଗୋଟାଏ ଦୂର ସ୍ଥାନ ପରିଦର୍ଶନ କରି ଯିବା ନିମନ୍ତେ ତାହାକୁ ଆଦେଶ କରନ୍ତୁ । ଆଦେଶ ପାଳନ କରିବାକୁ ସେ ବାଧ୍ୟ । ଯଦି ନ କରେ, ଅବାଧ୍ୟତା–ଅପରାଧରେ ବନ୍ଦୀ ହେବ । ଉଭୟ ଦିଗରୁ ଲାଭ !

 

ତକିଖାଁ : ଉତ୍ତମ ପରାମର୍ଶ ! କଲି ପରଓୟାନା ଦେବି ମଧ୍ୟାହ୍ନ ପୂର୍ବେ ସେ ଯେପରି କଟକ ତ୍ୟାଗ କରେ ।

 

ପର୍ଯ୍ୟଙ୍କ ତଳେ ଚଇତ ଏ କଥାବାର୍ତ୍ତା ଶୁଣି ମନେ ମନେ କହିଲା,–‘ଶକୁନି-ପରାମର୍ଶର ପରିଣାମ ଦୁର୍ଯୋଧନର ସର୍ବନାଶ !’ ପରେ ଦୁହେଁ ସ୍ଥିର କଲେ, କୃଷ୍ଣଚନ୍ଦ୍ରଙ୍କର ଅଟ୍ଟାଳିକା ଅବରୋଧ କରିବା ସକାଶେ ଏକ ଶତ ସୈନିକ ପଠାଇବେ–ସେମାନେ କିନ୍ତୁ ସୈନିକ-ବେଶରେ ସଜ୍ଜିତ ହେବେ ନାହିଁ । ପରାମର୍ଶ ଶେଷ ହେବାରୁ ତକିଖାଁ ବନ୍ଧୁଙ୍କ ସଙ୍ଗେ ସୁରା ସରାପାଦି ପାନ କରି ବିଦାୟ ହେଲେ ।

Image

 

ସତର୍କତା ଅବଲମ୍ବନ

 

କଟକ ନଗରୀର ଉପକଣ୍ଠରେ ରାଜା କୃଷ୍ଣଚନ୍ଦ୍ରଙ୍କର ବାସଭବନ ସୁଦୃଢ଼ ଅଟ୍ଟାଳିକା । ତାହା ଗୋଟିଏ ଦୁର୍ଗ କହିଲେ ଚଳେ । ଚତୁର୍ଦ୍ଦିଗରେ ବିସ୍ତୀର୍ଣ୍ଣ ଉଦ୍ୟାନ । ମଧ୍ୟସ୍ଥଳରେ ବିଶାଳକାୟ ହର୍ମ୍ୟ–ସାଗର ମଧ୍ୟରେ ଦ୍ୱୀପ ଯେପରି ଶୋଭା ପାଏ । ଉଦ୍ୟାନର ପୃଷ୍ଠ ଭାଗରେ ସମୁଚ୍ଚ ପ୍ରାଚୀର, ପ୍ରାଚୀରର ଅପର ପାର୍ଶ୍ୱରେ ଭୃତ୍ୟ ଓ ଦ୍ୱାରପାଳମାନଙ୍କର ଗୃହଶ୍ରେଣୀ । ଭୃତ୍ୟମାନଙ୍କ ସଂଖ୍ୟା କମ୍ ନୁହେଁ–ଶତାଧିକ । ଏହି ଗୃହଶ୍ରେଣୀର ପଶ୍ଚାଦ୍‍ଭାଗରେ ସିଂହଦ୍ୱାର-ଶୋଭିତ ଅନ୍ୟ ଏକ ପ୍ରାଚୀର । ଏହି ସିଂହଦ୍ୱାର ବ୍ୟତୀତ ଅଟ୍ଟାଳିକାରେ ପ୍ରବେଶ କରିବାର ଦ୍ଵିତୀୟ ପଥ ନାହିଁ ।

 

ରାଜା ଅବଗାହନ କରୁଅଛନ୍ତି, ଏହି ସମୟରେ ଜନୈକ ରାଜଭୃତ୍ୟ ଆସି ଜଣାଇଲା ଯେ, ସେ ଦିନ ଦରବାରରେ ଯୋଗ ଦେବାପାଇଁ ରାଜା ଆଦିଷ୍ଟ ହୋଇଅଛନ୍ତି । ଯଥା ସମୟରେ ସ୍ନାନ ଭୋଜନାଦି ଶେଷ ହେଲା । ରାଜା ଅଶ୍ୱାରୋହଣ କରି ରାଜପ୍ରାସାଦ ଅଭିମୁଖରେ ଯିବାକୁ ଉଦ୍ୟତ ହୋଇଅଛନ୍ତି, ଏପରି ସମୟରେ ତାଙ୍କର ଜଣେ ଚାକର ଚଞ୍ଚଳ ଆସି ତାଙ୍କ ହାତରେ ପତ୍ର ଖଣ୍ଡିଏ ଦେଇ କହିଲା ଯେ, ଜଣେ ବାଳକ ତାହା ଦେଇଅଛି । ବିଳମ୍ବ ନ କରି ରାଜା ପତ୍ର ଖୋଲି ପାଠ କଲେ । ତହିଁରେ ଲେଖା ଥିଲା–

 

‘‘ଆଜି ରାତି ଆପଣଙ୍କ କନ୍ୟାଙ୍କୁ ହରଣ କରିବାର ଷଡ଼ଯନ୍ତ୍ର ଚାଲିଛି । ଆଦିଷ୍ଟ ହେଲେ ମଧ୍ୟ କଟକ ଛାଡ଼ି ଯିବେ ନାହିଁ ।’’

 

ରାଜାଙ୍କ ମୁଖରେ ଚିନ୍ତା-ରେଖା ପ୍ରକଟିତ ହେଲା । ପତ୍ରରେ ଲେଖକର ସ୍ଵାକ୍ଷର ନ ଦେଖି ପତ୍ରଗତ ବିଷୟ ସତ୍ୟ କି ନା ବୁଝି ନ ପାରି ରାଜା ସନ୍ଦିହାନ ହୋଇ ପଡ଼ିଲେ । କିନ୍ତୁ ଅଳ୍ପ ଚିନ୍ତା କରି ସ୍ଥିର କଲେ, ପତ୍ର ଲେଖକ ପ୍ରତାରକ ନୁହେଁ, ସତ୍ୟବାଦୀ–ଷଡ଼ଯନ୍ତ୍ର କଥା ପୂର୍ବରୁ ଜାଣିପାରିଅଛି । ନତୁବା ଦରବାର ବସିବା ଆଗରୁ, ଆଦେଶ ପ୍ରଚାର ହେବା ଆଗରୁ ରାଜାଙ୍କୁ ସ୍ଥାନାନ୍ତରିତ କରା ହେବ ବୋଲି ସେ ଜାଣିଲା କିପରି ? ରୋଷ ଓ କ୍ଷୋଭରେ ରାଜାଙ୍କ ଶରୀର କମ୍ପିତ ହେଲା । ଶରୀରରକ୍ଷୀ ପରିବୃତ ହୋଇ ସେ ଦରବାରରେ ଯାଇ ଉପନୀତ ହେଲେ ।

 

ସେ ଦିନ ସୁବାଦାର ନିତାନ୍ତ ଅସୁସ୍ଥ ଥିଲେ–ଦରବାରରେ ଯୋଗ ଦେଇ ପାରିଲେ ନାହିଁ-। ତକିଖାଁ ସୁବାଦାରଙ୍କର ପ୍ରତିନିଧିସ୍ୱରୂପ ସିଂହାସନ ନିମ୍ନରେ ସ୍ଥାନ ଗ୍ରହଣ କଲେ । ବିନୋଦବିହାରୀ ଦରବାର ଗୃହରେ କର୍ମଚାରୀବର୍ଗଙ୍କ ମଧ୍ୟରେ ଉପବିଷ୍ଟ । ଚଇତ ଦର୍ଶକଗଣଙ୍କ ମଧ୍ୟରେ ଆସୀନ । ଅନ୍ୟାନ୍ୟ ରାଜକାର୍ଯ୍ୟର ପର୍ଯ୍ୟାଲୋଚନା ପରେ ପୁରୀ ପ୍ରଭୃତି ସ୍ଥାନ ପରିଦର୍ଶନ କରି ଯିବା ସକାଶେ ରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତି ଆଦେଶ ହେଲା । ସେତେବେଳେ ଚଇତର ସୁକୋମଳ ଅଧର ପ୍ରାନ୍ତରେ ମନ୍ଦହାସଛଟା ଖେଳିଗଲା–ତାହା କିନ୍ତୁ କେହି ଲକ୍ଷ୍ୟ କରିପାରିଲେ ନାହିଁ । ପରେ ସଭାଭଙ୍ଗ ହେଲା । ରାଜା ସ୍ଵଭବନକୁ ପ୍ରତ୍ୟାବୃତ୍ତ ହେଲେ ।

 

ବୁଦ୍ଧିମାନ୍, ସାହସୀ ଓ ଅସ୍ତ୍ରକୁଶଳୀ ଗୋପାଳ ବିଷୟୀ ରାଜା କୃଷ୍ଣଚନ୍ଦ୍ରଙ୍କର ବିଶ୍ୱସ୍ତ, ପ୍ରିୟ ଦେବାନ । ରାଜା ଗୃହକୁ ଯିବାକ୍ଷଣି ବିଷୟୀଙ୍କୁ ସ୍ଵାକ୍ଷରଶୂନ୍ୟ ପତ୍ରଟି ପାଠ କରିବାକୁ ଦେଲେ । ଦେବାନ ମନଯୋଗ ସହ ତାହା ପଢ଼ି ମସ୍ତକ କିଞ୍ଚିତ୍ ଆନ୍ଦୋଳନ କରି କହିଲେ–‘କୌଣସି ସ୍ତ୍ରୀ ବୋଧହୁଏ ଏ ପତ୍ରର ଲେଖିକା । ମୋର ବିଶ୍ୱାସ, ଲେଖିକା ପ୍ରତାରଣା କରିନାହିଁ ।’

 

ରାଜା : ଏହା କିପରି ବୁଝିଲ ?

 

ଗୋପାଳ : ଶୁଣି ପାରୁଛି, ବିନୋଦ ସୈନ୍ୟ ସଂଗ୍ରହ କରୁଅଛି । ଏହି ଷଡ଼ଯନ୍ତ୍ର ମୂଳରେ ବିନୋଦ, ତକିଖାଁ ଉଭୟେ ଅଛନ୍ତି ।

 

ରାଜା : ତାହାହେଲେ ଦେଖୁଛି, ସେମାନେ ସସୈନ୍ୟ ଆଜି ଆମ ଗୃହ ଆକ୍ରମଣ କରିବେ ।

 

ଗୋପାଳ : କରନ୍ତୁ, ଭୟ ନାହିଁ । ସେଇ ଆକ୍ରମଣ ପ୍ରତିହତ କରି ଅଟ୍ଟାଳିକା ରକ୍ଷା କରିବାପାଇଁ ଆପଣଙ୍କର ଭୃତ୍ୟମାନେ ଅଛନ୍ତି । ସୁବାଦାରଙ୍କର ଆଦେଶ ଅମାନ୍ୟ କରନ୍ତୁ ନାହିଁ । ନିଶ୍ଚିନ୍ତ ମନରେ ପୁରୀ ଯାତ୍ରା କରନ୍ତୁ ।

 

ରାଜା : କରିବି, ଆଜି କିନ୍ତୁ ନୁହେଁ–ପାପିଷ୍ଠମାନଙ୍କୁ ଶାସ୍ତି ଦେଇ–କଥା ଶେଷ ନ ହେଉଣୁ କୁମାର ବିଜୟଚନ୍ଦ୍ର ହଠାତ କକ୍ଷ ମଧ୍ୟରେ ପ୍ରବେଶ କରି ଉତ୍କଣ୍ଠା-ବ୍ୟଞ୍ଜକ କଣ୍ଠରେ ପଚାରିଲେ–‘କାହାକୁ ଶାସ୍ତି ଦେବେ ବାବା ?’

 

ରାଜା : ବିନୋଦବିହାରୀକୁ ।

 

ବିଜୟ : କାରଣ ?

 

ରାଜା : ସୈନ୍ୟ ଧରି ସେ ଆଜି ଆମ ଗୃହ ଆକ୍ରମଣ କରିବାକୁ ଆସୁଛି ।

 

ବିଜୟ : ଆସୁ, ଭୟର କୌଣସି କାରଣ ନାହିଁ ବାବା ! ତାହାର ଶାସ୍ତି ବିଧାନ-ଭାର ମୋତେ ଦିଅନ୍ତୁ ।

 

ଗୋପାଳ : ଉତ୍ତମ କଥା ! କୁମାରଙ୍କ ଉପରେ ଏ ଭାର ନ୍ୟସ୍ତ ହେଉ ।

 

ରାଜା : ତୁମ ଦୁହିଁଙ୍କ ଉପରେ ଗୃହରକ୍ଷାଭାର ଅର୍ପଣ କରି ଆଜି ପୁରୀ ଯାଉଛି ।

 

ସୁବାଦାରଙ୍କ ଆଦେଶରେ ପିତା ପୁରୀ ଯାତ୍ରା କରୁଛନ୍ତି ଶୁଣି ବିଜୟ ବୀରଦର୍ପରେ କହିଲେ–‘ନିଶ୍ଚିନ୍ତ ରହନ୍ତୁ ବାବା । ସିଂହ-ଗହ୍ୱରରେ ମେଷଦଳ ପଶିବାକୁ କେବେ ସାହସୀ ହେବେ ନାହିଁ ।’

 

ବୀରତ୍ୱ ଓ ସାହସରେ ବିଜୟଚନ୍ଦ୍ର କୃଷ୍ଣଚନ୍ଦ୍ରଙ୍କର ଉପଯୁକ୍ତ ପୁତ୍ର । ବିପଦର ସମ୍ମୁଖୀନ ହେବାକୁ ସେ କେବେ ଡରନ୍ତି ନାହିଁ–ପଛଘୁଞ୍ଚା ଦିଅନ୍ତି ନାହିଁ ।

 

ଅପରାହ୍ନରେ ରାଜା ପୁରୀ ଅଭିମୁଖରେ ଯାତ୍ରା କଲେ । ଯାତ୍ରା କରିବା ଆଗରୁ ସେ ଚପଳାକୁ ଦେଖିବା ଉଦ୍ଦେଶ୍ୟରେ ମଥୁରାପୁରକୁ ଗଲେ, କିନ୍ତୁ ତାହାର ସନ୍ଧାନ ପାଇଲେ ନାହିଁ । କେତେ ଦିନ ହେଲା ଚପଳା କେଉଁଠାକୁ ଯାଇଅଛି ତାହା ଗ୍ରାମବାସୀମାନେ କହି ପାରିଲେ ନାହିଁ ।

Image

 

ଭୂଗର୍ଭରେ ଗୋପାଳ

 

ଗଭୀର ନିଶୀଥରେ ବିନୋଦବିହାରୀ ସଦଳବଳ ରାଜା କୃଷ୍ଣଚନ୍ଦ୍ରଙ୍କର ଅଟ୍ଟାଳିକା ଆକ୍ରମଣ କଲେ । ତାଙ୍କର ଷଡ଼ଯନ୍ତ୍ର କିନ୍ତୁ ସଫଳ ହୋଇ ପାରିଲା ନାହିଁ–ବଳ କୌଶଳ ସବୁ ବ୍ୟର୍ଥ ହେଲା । କୌଶଳକ୍ରମେ ଯେଉଁ କେତେକ ଜଣ ପଠାଣ ସୈନିକ ଅଟ୍ଟାଳିକା ମଧ୍ୟକୁ ଯାଇଥିଲେ, ସେମାନେ ଜୀବନ ଧରି ଆଉ ଫେରିଲେ ନାହିଁ । ବିନୋଦ ହତାଶ ହୃଦୟରେ ଛିନ୍ନଭିନ୍ନ ଦଳ ନେଇ ଲୋଷ୍ଟ୍ରାହତ ଶୃଗାଳ ସଦୃଶ ପଳାୟନ କଲେ । ଏହି ଅବସ୍ଥାରେ ପଳାତକ ପକ୍ଷରେ ବନପଥହିଁ ପ୍ରଶସ୍ତ–ଜଙ୍ଗଲାବୃତ ମାର୍ଗରେ ସେ ଅଶ୍ୱପୃଷ୍ଠରେ ପଳାୟନ କଲେ ।

 

ଅନ୍ଧକାର ନିଶୀଥ, ନିକଟରେ କେହି ନାହିଁ–ଅନୁଚରବର୍ଗ କିଏ କେଉଁ ମାର୍ଗ ଧରି ପଳାଇଛନ୍ତି, ଶତ୍ରୁ ପଶ୍ଚାଦ୍ଧାବିତ । ବିନୋଦ ଭୀତ ପ୍ରାଣରେ ପଳାୟମାନ । ଏହି ସମୟରେ ଅଦୃଶ ହସ୍ତନିକ୍ଷିପ୍ତ ଗୋଟିଏ ଶର ଆସି ତାଙ୍କର ଅଶ୍ୱଦେହ ବିଦୀର୍ଣ୍ଣ କରିଦେଲା । ଅଶ୍ୱଟି କମ୍ପିତ ଦେହରେ ଭୂତଳଶାୟୀ ହେଲା–ସଙ୍ଗେ ସଙ୍ଗେ ଅଶ୍ଵାରୋହୀ ଦୂରରେ ନିକ୍ଷିପ୍ତ ହୋଇ ପଡ଼ିଲେ । ଆହତ ବିନୋଦ ଚଞ୍ଚଳ ଉଠି ଠିଆ ହେଲେ । ଭୟବିହ୍ଵଳ ପ୍ରାଣରେ ଚତୁର୍ଦ୍ଦିଗ ପ୍ରତି ଦୃଷ୍ଟିପାତ କରିବାବେଳେ ଚଇତ କେଉଁଆଡ଼ୁ ଧାଇଁ ଆସି ସେଠାରେ ଉପସ୍ଥିତ ହେଲା । ପ୍ରଭୁଙ୍କୁ ବିସ୍ମୟ-ଜଡ଼ିତ କଣ୍ଠରେ କହିଲା–‘‘ଏ କ’ଣ ! ଆପଣ ଯେ ଅଶ୍ୱଶୂନ୍ୟ !’’

 

ବିନୋଦ : ବିପଦରେ ପଡ଼ିଛି । ସାହାଯ୍ୟ କର ଚଇତ ।

 

ଚଇତ : ଟିକେ ଅପେକ୍ଷା କରନ୍ତୁ, ଘୋଡ଼ା ନେଇ ଆସୁଛି ।

 

ଅନତିଦୂରରେ ଗୋଟିଏ କୃଷ୍ଣକାୟ ଅଶ୍ୱ ଠିଆ ହୋଇଥିଲା । ଚଇତ ତା’ ପିଠିରେ ବସି ମୃଦୁ ଗତିରେ ରାଜାଙ୍କ ଅଟ୍ଟାଳିକା ଆଡ଼କୁ ଅଗ୍ରସର ହେବାକୁ ଲାଗିଲା । ବନମଧ୍ୟରେ କିଛି ଦୂର ଯିବା ପରେ ଜଣେ ଅସ୍ତ୍ରଧାରୀ ଅଶ୍ଵାରୋହୀ ସହିତ ଚଇତର ହଠାତ ସାକ୍ଷାତ ହେଲା । ଦେଖିବାମାତ୍ରକେ ଅଶ୍ଵାରୋହୀ ଚଇତ ଦେହରେ ଅସ୍ତ୍ରାଘାତ କରିବାକୁ ଉଦ୍ୟତ ହେଲା । ସାହସୀ ଚଇତ ହାସ୍ୟ ସମ୍ବରଣ କରି ନପାରି କହିଲା–‘ବେଶ୍ ତ ! ନିରସ୍ତ୍ର ବାଳକ ସମ୍ମୁଖରେ ବୀରତ୍ୱର ପରିଚୟ !’ ଅଶ୍ଵାରୋହୀ ବାଳକକୁ ବାସ୍ତବିକ ଅସ୍ତ୍ରହୀନ ଦେଖି ଅପ୍ରତିଭ ହେଲା, ଅସି କୋଷବଦ୍ଧ କରି ପଚାରିଲା–‘କିଏ ତୁ ?’

 

ଚଇତ : ଆଗେ କହ, ତୁମେ କିଏ ।

 

ଅସ୍ତ୍ରଧାରୀ : ମୁଁ ଗୋପାଳ ବିଷୟୀ ।

 

ଚଇତ : ତାହାହେଲେ ମୁଁ ଭୂପାଳ କସେଇ ।

 

ଅସ୍ତ୍ରଧାରୀ : ବୁଝିପାରିଲି ନାହିଁ ।

 

ଚଇତ : ଆଗେ ବୁଝାଅ, ପରେ ବୁଝିବ ।

 

ଅସ୍ତ୍ରଧାରୀ : ମୁଁ ରାଜା କୃଷ୍ଣଚନ୍ଦ୍ରଙ୍କର ଦେବାନ ।

 

ଚଇତ : ବୁଝିଲି । ଆପଣ ବୋଧହୁଏ ପ୍ରଧାନ ଅପରାଧୀ ବିନୋଦବିହାରୀକୁ ଖୋଜୁଛନ୍ତି ।

 

ଦେବାନ : ହଁ । କେଉଁଠି ଅଛି ସେ ?

 

ଚଇତ : ଏଠାରୁ କିଛି ଦୂରରେ, ପଥମଧ୍ୟରେ ଅଶ୍ୱହୀନ ହୋଇ ପଡ଼ିଅଛି । ତାହାର ଅଶ୍ୱ ମୋ'ର ଶରରେ ଆହତ ।

 

ଦେବାନ : ଉଦ୍ଦେଶ୍ୟ ?

 

ଚଇତ : ପରେ କହିବି ।

 

ଦେବାନ : ତୁମେ ତ ବାଳକ–ଲକ୍ଷ୍ୟବେଧ ଶିଖିଲ କିପରି ?

 

ଚଇତ : ବହୁ ଦିନୁ ଶିଖିଛି । ସେଇ ଦିନୁ ଶିଖିଛି ଯେଉଁ ଦିନ ଦେଖିଲି, ହିନ୍ଦୁର ଧନମାନ ଧର୍ମ ପଠାଣର ପଦଦଳିତ, ଆଉ ଆପଣଙ୍କ ଭଳି ଲୋକେ ହିନ୍ଦୁମାନରକ୍ଷା ପାଇଁ ମୁସଲମାନ ବିରୁଦ୍ଧରେ ଅସ୍ତ୍ର ଧରିବାକୁ ପ୍ରସ୍ତୁତ ।

 

ଦେବାନ : ଲକ୍ଷ୍ୟବେଧ ଶିକ୍ଷାର ଉଦ୍ଦେଶ୍ୟ କ’ଣ ପଠାଣର ଉଚ୍ଛେଦ ସାଧନ ?

 

ଚଇତ : ନା । ଆତ୍ମରକ୍ଷା–ନରକୁଳକଳଙ୍କମାନଙ୍କର ସଂହାର ।

 

ଦେବାନ : ତୁମ ଆଚରଣ ଓ କଥାରୁ ଅନୁମାନ କରୁଛି ବାଳକ, ତୁମେ ମିଥ୍ୟା କହି ପ୍ରତାରଣା କରୁ ନାହଁ ।

 

ଚଇତ : ଆପଣଙ୍କର ଅନୁମାନ ଠିକ୍, ଦେବାନ !

 

ଦେବାନ : ତାହାହେଲେ ପଥ ଦେଖାଇ ଚାଲ ।

 

ଚଇତ : ଗୋଟିଏ କଥା । ମୁଁ ଆଗେ ଯାଇ ମୋର ଏହି ଅଶ୍ୱ ବିନୋଦକୁ ଦେବି । ସେ ଅଶ୍ୱାରୋହଣ କରି ପଳାଇବାକୁ ଉଦ୍ୟତ ହେବାମାତ୍ରକେ ଆପଣ ତାହାକୁ ଆକ୍ରମଣ କରିବେ । ପଛେ ପଛେ ଆସନ୍ତୁ । ମୁଁ ବିନୋଦର ଆଶ୍ରିତ, ଭୃତ୍ୟ । ମୋର ବିଶ୍ୱାସଘାତକତା ସେ ଯେପରି ଠଉରାଇ ନ ପାରେ । ଯେ କୌଣସି ପ୍ରକାରେ ପାଷଣ୍ଡ, ନରରାକ୍ଷସ, ହିନ୍ଦୁକୁଳପାଂଶୁଳ ବିନୋଦର ଅନିଷ୍ଟ କରିବା ମୋର ଏକାନ୍ତ ଅଭିପ୍ରେତ ।

 

ଏଠାରେ ଗୋପାଳ ବିଷୟୀଙ୍କର ଶରୀର ବର୍ଣ୍ଣନା ବୋଧହୁଏ ଅସଙ୍ଗତ, ଅପ୍ରାସଙ୍ଗିକ ହେବ ନାହିଁ । ଗୋପାଳ ବିଷୟୀ ଦୀର୍ଘକାୟ ପୁରୁଷ–ହସ୍ତପଦ ସମସ୍ତ ବଳିଷ୍ଠ, ସୁଶ୍ରୀ ଓ ସୁଶୋଭନ । ତାଙ୍କର ଉଚ୍ଚତା ଛଅ ଫୁଟରୁ କମ୍ ନଥିଲା । ମୁଖର ବର୍ଣ୍ଣ ବାଦାମୀ–ଶ୍ମଶ୍ରୁ ଆଡ଼କୁ ସୂକ୍ଷ୍ମ, ପ୍ରକାଣ୍ଡ ବିସ୍ତୃତ ଲଲାଟ, ଚକ୍ଷୁ ଦିଓଟି ବୃହତ୍, ଉଜ୍ଜ୍ୱଳ । ନାସିକାଟି ‘ତିଳ ପୁଷ୍ପ ଜିଣି’ ନ ହେଲେହେଁ ଶୁକ-ଚଞ୍ଚୁ-ବିନିନ୍ଦୀ । ତାଙ୍କ ବୟସ ୫୦ ବର୍ଷରୁ ଊଣା ନଥିଲା, ଅଥଚ ତାଙ୍କର କେଶ କୃଷ୍ଣବର୍ଣ୍ଣ–ମସ୍ତକର ଠାଏ ଠାଏ କିନ୍ତୁ କେତୋଟି କେଶ ରଜତ-ଶୁଭ୍ର ହୋଇଥିଲା । ତାଙ୍କ ଶରୀରରେ ଅସୀମ ଶକ୍ତି, ପ୍ରଚୁର ସାମର୍ଥ୍ୟ ଥିଲା । ବିଷୟୀଙ୍କ ଭଳି ମନୁଷ୍ୟ, ସେଇ ସମୟର ମନୁଷ୍ୟ ବର୍ତ୍ତମାନ ଆଉ ଦୃଷ୍ଟିଗୋଚର ହୁଅନ୍ତି ନାହିଁ–ଆଉ ଯେ ହତଭାଗିନୀ ଉତ୍କଳମାତା ସେଭଳି ଦୀର୍ଘ, ବଳିଷ୍ଠ, ସୁସ୍ଥ, ସବଳ, ସୁଶ୍ରୀ ସନ୍ତାନର ଜନନୀ ହୋଇ ନିଜକୁ ଗୌରବାନ୍ୱିତା ମନେ କରିବ, ଏ ଭରସା ହୁଏ ନାହିଁ । ଦିନୁ ଦିନ ଆମେମାନେ ଯେପରି କ୍ଷୁଦ୍ର, ଖର୍ବ, ଦୁର୍ବଳ ହୋଇ ପଡ଼ୁଅଛୁ । ସେ ଯୁଗ ଆଉ ଏ ଯୁଗ ! କେତେ ତଫାତ ! ! ପୁରାତନ ଉତ୍କଳର ମନୁଷ୍ୟତ୍ୱର ଧ୍ୱଂସାବଶେଷ ! ତୁମମାନଙ୍କର ଅଭାବ ଓଡ଼ିଆମାନଙ୍କ ମୁଖରେ ଯେଉଁ କାଳିମାର ଛାପ ଦେଇଅଛି, ତାହା ସେମାନଙ୍କ ନାମର ପଶ୍ଚାଦ୍‍ଭାଗସ୍ଥ ବି. ଏ., ଏମ୍. ଏ., ଡି. ଏଲ୍., ଏମ୍. ବି, ପ୍ରଭୃତି ଶୂନ୍ୟଗର୍ଭ ଉପାଧିମାଳା ଦୂର କରି ନ ପାରେ । ଆଧୁନିକ ଯୁଗର ଶୁଷ୍କ-ଶିକ୍ଷା ସଭ୍ୟତାଭିମାନୀ, ସୌଖୀନ ସିଗାରେଟ-ଧାରୀ, ବାରାଙ୍ଗନା-ପ୍ରଣୟ-ଭିଖାରି, କାଫି-ହୋଟେଲ୍-ବିହାରୀ, ଚିର-ଡିସ୍ପେପସିୟାପୀଡ଼ିତ, ଯୌବନେ ବୃଦ୍ଧ ଓଡ଼ିଆବାବୁମାନେ ଗୋପାଳ ବିଷୟୀଙ୍କ ରୂପବର୍ଣ୍ଣନାରେ ନାସିକା କୁଞ୍ଚନ କରିବେ ସନ୍ଦେହ ନାହିଁ । ଲଜ୍ଜାର ବିଷୟ, ସଭ୍ୟତାର ଅସଲ ଜିନିଷଟି ଆମେମାନେ ଗ୍ରହଣ କରି ପାରି ନାହୁଁ–ଗ୍ରହଣ କରୁଛୁ ତାହାର ଉପରିଭାଗରେ ଆବରଣ ମାତ୍ର । ଆଉ ସେଇ ଅନାଚାରର ଚାକଚକ୍ୟଶାଳୀ ଆବରଣରେ ନିଜ ଦେହ ଢାଙ୍କି ମନ୍ଦାନ୍ଧ ହୋଇ ଆମେମାନେ ଦୂରକୁ ଫୋପାଡ଼ି ଦେଇଛୁ ଆମମାନଙ୍କର ସ୍ୱାସ୍ଥ୍ୟ, ସରଳତା ଓ ସତ୍ୟବାଦିତା–ଏକ କଥାକେ ଆମର ଯାହା କିଛି ଥିଲା ସବୁ ।

 

ପ୍ରଥମରେ ଚଇତ ଅଗ୍ରସର ହେଲା–ସ୍ୱଳ୍ପକାଳ ମଧ୍ୟରେ ବିନୋଦ ନିକଟରେ ଉପନୀତ ହୋଇ ବିନୀତ ଭାବରେ ଉଦ୍‍ବିଗ୍ନ ସ୍ୱରରେ କହିଲା–‘ଘୋଡ଼ା ଆଣିଛି । ଏଠାରୁ ଶୀଘ୍ର ଚାଲିଯା'ନ୍ତୁ । ପଛରେ କେହି ଜଣେ ଅଶ୍ୱପୃଷ୍ଠରେ ଧାଇଁ ଆସୁଛି ।’

 

ବିନୋଦ ଅଶ୍ୱପୃଷ୍ଠରେ ବସି ପଳାୟନୋଦ୍ୟମ କରୁଅଛନ୍ତି, ଏହି ସମୟରେ ଗୋପାଳ ବିଷୟୀ ଆସି ସେଠାରେ ପହଞ୍ଚିଗଲେ । ଅଶ୍ଵାରୋହୀ ଗୋପାଳ ପ୍ରଚଣ୍ଡ ପଦାଘାତରେ ବିନୋଦଙ୍କୁ ଅଶ୍ୱପୃଷ୍ଠଚ୍ୟୁତ କରି ଦେଲେ ଏବଂ ଭୈରବ କଣ୍ଠରେ କହିଲେ,–‘ହିନ୍ଦୁ ବିଦ୍ୱେଷୀ ହିନ୍ଦୁଙ୍କୁ ଆଜି ଉପଯୁକ୍ତ ଦଣ୍ଡ ନ ଦେଇ ଛାଡ଼ିବି ନାହିଁ ।’ ବିନୋଦ ଆସି କୋଷମୁକ୍ତ କରି ଗୋପାଳଙ୍କୁ ଭୀମ ଦର୍ପରେ ଆକ୍ରମଣ କରିବାକୁ ଧାଇଁଲେ । ଗୋପାଳ ଗୋଟିଏ ବୃକ୍ଷଶାଖା ଭାଙ୍ଗି ଆଣି ପ୍ରତିଦ୍ୱନ୍ଦ୍ୱୀର ସମ୍ମୁଖୀନ ହେଲେ–ତାଙ୍କର ଉପର୍ଯ୍ୟୁପରି ଆଘାତରେ ବିନୋଦ ଭୂପୃଷ୍ଠରେ ପତିତ ହେଲେ, ତରବାରି ତାଙ୍କର ହସ୍ତଚ୍ୟୁତ ହୋଇ ପଡ଼ିଲା । ବିନୋଦ କାତର ସ୍ୱରରେ କହିଲେ,–‘ରକ୍ଷା କର, ଚଇତ ।’

 

‘ଭୟ କରନ୍ତୁ ନା, ସୈନ୍ୟ ଡାକି ଆଣୁଛି’, ଏହା କହି ଚଇତ ସେଠାରୁ ଅନ୍ତର୍ହିତ ହେଲା । ଅଧିକ ଦୂର କିନ୍ତୁ ଗଲା ନାହିଁ–ନିକଟରେ ବୃକ୍ଷାନ୍ତରାଳରେ ଲୁଚି ରହିଲା ।

 

ଅଳ୍ପ ସମୟ ପରେ ଚଇତ ଅତିଶୟ ବିସ୍ମିତ ହୋଇ ଦେଖିଲା, କେତେ ଜଣ ମୁସଲମାନ ସୈନିକ ଅକସ୍ମାତ୍ ସେଠାରେ ଆସି ରୁଣ୍ଡ ହୋଇଗଲେ । ଦେବାନ ଗୋପାଳ ପଳାୟନର ସୁବିଧା ନ ପାଇ ସେମାନଙ୍କ ହାତରେ ବନ୍ଦୀ ହେଲେ ।

 

ବିନୋଦ ବୁଝିଲେ, ଚଇତ ସୈନ୍ୟ ଡାକି ଆଣି ତାହାଙ୍କୁ ରକ୍ଷା କରିଅଛି । ଗୋପାଳ ସନ୍ଦେହ କଲେ ଯେ, ବାଳକ କର୍ତ୍ତୃକ ବାସ୍ତବରେ ସେ ପ୍ରତାରିତ ହୋଇ ଅଛନ୍ତି । ଏପରି ଘଟନାରେ ଦୁହିଁଙ୍କର ଏହି ଭ୍ରମ ହେବା ଅବଶ୍ୟ ଅସ୍ୱାଭାବିକ ନୁହେଁ । ଚଇତର ଏତେ ସାହସ, କାର୍ଯ୍ୟକାରିତା ପଣ୍ଡ ହେଲା–ତାହାର ଦୁଃଖ ଆଉ ସୀମା ମାନିଲା ନାହିଁ ।

 

ବିନୋଦବିହାରୀଙ୍କ ଗୃହରେ, ଭୂମିତଳେ ଗୋଟିଏ ଗଭୀର ଗହ୍ୱର ମଧ୍ୟରେ ଗୋପାଳ ବିଷୟୀ ଆବଦ୍ଧ ହେଲେ । ଗହ୍ୱର ପ୍ରଶସ୍ତ, ତେବେ ଆଲୋକଶୂନ୍ୟ । ଚତୁର୍ଦ୍ଦିଗରେ ଗାଢ଼ ଅନ୍ଧକାର, ସେଠାରେ ମନୁଷ୍ୟ ବା ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଦେଖିବାର ଉପାୟ ନାହିଁ–ଗୋପାଳ କାହାର କଣ୍ଠସ୍ୱରବି ଶୁଣି ପାରିଲେ ନାହିଁ । ଏହି ଗହ୍ୱର ଗଭୀରଜଳପୂର୍ଣ୍ଣ–ଜଳ ପୂତି ଗନ୍ଧମୟ । ମଧ୍ୟ ସ୍ଥଳରେ ଖଣ୍ଡିଏ ଉଚ୍ଚ ପ୍ରସ୍ତର–ଏହି ପ୍ରସ୍ତରହିଁ ଗୋପାଳଙ୍କର ଆସନ ଓ ଶଯ୍ୟା । ସେ ବୁଝିଲେ, ଯେପରି ସେ ପୃଥିବୀରୁ ବହୁ ଦୂରରେ କୌଣସି ଗୋଟିଏ ଅଜ୍ଞାତ ରାଜ୍ୟକୁ ନୀତ ହୋଇ ଅଛନ୍ତି । ଉପରୁ କେହି ସାହାଯ୍ୟ ନ କଲେ ତାଙ୍କ ଉଦ୍ଧାର ଆଶା ଆକାଶକୁସୁମ ମାତ୍ର । ଅଦୃଶ୍ୟ ହସ୍ତନିକ୍ଷିପ୍ତ ଫଳମୂଳାଦି ମାତ୍ର ଭକ୍ଷଣ କରି ସେ ଭୂଗର୍ଭରେ ଅତୀବ ମନୋକଷ୍ଟରେ ଜୀବନ ଧାରଣ କରିବାକୁ ଲାଗିଲେ ।

 

ଚଇତ ତୁନି ରହିବାର ବାଳକ ନୁହେଁ । ଗୁପ୍ତଭାବରେ କୌଶଳ ସହକାରେ ଗୋପାଳଙ୍କୁ ଉଦ୍ଧାର କରିବାକୁ ଅନେକ ଥର ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ । ଦିନେ ଅର୍ଦ୍ଧରାତ୍ରି ସମୟରେ ବିନୋଦଙ୍କ ଗୃହର ସମସ୍ତେ ଗାଢ଼ ନିଦ୍ରାଭିଭୂତ ଥିବାବେଳେ ଚଇତ ଗୋଟିଏ ଦୀର୍ଘ ରଜ୍ଜୁ ସଂଲଗ୍ନ ତକ୍ତାରେ ଖଣ୍ଡିଏ ପତ୍ର ଓ ଆଲୋକ ରଖି ଗହ୍ୱର ମଧ୍ୟକୁ ଧୀରେ ଧୀରେ ଛାଡ଼ିଲା । ଗୋପାଳ ଦୀପାଲୋକରେ ପତ୍ରଟି ପଢ଼ିଲେ,–

 

‘‘ଏହି ତକ୍ତା ଉପରେ ବସ, ମୁଁ ତାହା ଟାଣି ଉପରକୁ ଉଠାଉଛି ।

 

ତୁମର,

ସେଇ ଭୂପାଳ କସେଇ ।’’

 

କେତେକ ଦିନ ପୂର୍ବେ ଯେଉଁ ପତ୍ରରେ ରାଜା କୃଷ୍ଣଚନ୍ଦ୍ରକୁ ନୈଶ ଆକ୍ରମଣ କଥା ଜଣାଇ ଦିଆ ଯାଇଥିଲା, ସେଇ ପତ୍ର ଏବଂ ଉପସ୍ଥିତ ପତ୍ରଖଣ୍ଡିକ ଏକ ହାତର ଲେଖା । ଗୋପାଳ ବିସ୍ମିତ ହୋଇଗଲେ–ବିଚକ୍ଷଣ, ହିନ୍ଦୁ ପ୍ରାଣ ବାଳକକୁ ମନେ ମନେ ଅଶେଷ ଧନ୍ୟବାଦ ଦେଲେ । ସେ ତକ୍ତା ଉପରେ ବସିବାକ୍ଷଣି ଚଇତ ତାହା ଉଠାଇବାକୁ ପ୍ରାଣପଣେ ଚେଷ୍ଟା କଲା–ଉଠାଇ ପାରିଲା ନାହିଁ । ଗୋଟିଏ ଅଶ୍ୱକୁ କୂପ ନିକଟକୁ ନେଇ ତାହାର ଗଳାରେ ତକ୍ତା-ଯୁକ୍ତ ରଜ୍ଜୁଟି ବାନ୍ଧି ଦେଲା । ଦୁର୍ଭାଗ୍ୟବଶତଃ ଅଶ୍ୱଟି ଚିତ୍କାର କରି ଉଠିବାରୁ ସେହି ଧ୍ୱନିରେ ସମସ୍ତଙ୍କର ନିଦ୍ରା ଅପସାରିତ ହେଲା, ବିନୋଦ ଘଟନାସ୍ଥଳକୁ ଧାଇଁଗଲେ । ଚତୁର ଚଇତ ତାହାଙ୍କୁ ବୁଝାଇ କହିଲା ଯେ ଦୁଇ ଜଣ ଅଶ୍ଵାରୋହୀ ଆସି ଗୋପାଳଙ୍କର ଉଦ୍ଧାରୋଦ୍ୟମ କରୁଥିଲେ ଏବଂ ତାହାକୁ ଦେଖିବାମାତ୍ରକେ ବ୍ୟର୍ଥମନୋରଥ ହୋଇ ଚାଲିଗଲେ । ବିନୋଦ ଆଶ୍ୱସ୍ତ, ଆପ୍ୟାୟିତ ହୋଇ କହିଲେ–‘ଧନ୍ୟ ଚଇତ ! ତୁମର ଋଣ କେବେ ପରିଶୋଧ କରି ପାରିବି ନାହିଁ ।’

 

ପର ଦିନ ନିଶୀଥରେ, ବିନୋଦଙ୍କର ସୈନିକମାନେ ଅସତର୍କ ଥିବାବେଳେ, ବିଜୟଚନ୍ଦ୍ର ପଚାଶଜଣ ଅସ୍ତ୍ରଧାରୀ ଅନୁଚରଙ୍କ ସଙ୍ଗେ ବିନୋଦଙ୍କର ଗୃହ ହଠାତ ଆକ୍ରମଣ କଲେ । ବିନୋଦଙ୍କର ଅନୁଚରଗଣ ପରାଭୂତ ହୋଇ ପ୍ରାଣଭୟରେ ସେହି ସ୍ଥାନ ତ୍ୟାଗ କଲେ । ବିନୋଦ ଚଇତଙ୍କୁ ସଙ୍ଗେ ଧରି ପଳାୟନ କଲେ । ଅନିଚ୍ଛାସତ୍ତ୍ୱେ ଚଇତକୁ ପ୍ରଭୁଙ୍କ ସଙ୍ଗେ ଯିବାକୁ ହେଲା । ବିଜୟଚନ୍ଦ୍ର ଉଦ୍ୟାନ, ଗୃହ ତନ୍ନତନ୍ନ କରି ଖୋଜିଲେ–ଦେବାନଙ୍କୁ ପାଇଲେ ନାହିଁ । ଚଇତ ସେଠାରେ ଥିଲେ ସେ ଅବଶ୍ୟ ଗୋପାଳଙ୍କୁ ଉଦ୍ଧାର କରିପାରିଥା'ନ୍ତେ । ଶେଷରେ ନିରାଶ ହୋଇ ସେ ଅନୁଚରବୃନ୍ଦ ସହିତ ଗୃହକୁ ପ୍ରତ୍ୟାବୃତ୍ତ ହେଲେ ।

Image

 

ବୀରାଙ୍ଗନା

 

କମଳସୁନ୍ଦରୀ ବୀର ରମଣୀ । ଅସିଚାଳନା, ଲକ୍ଷ୍ୟବେଧରେ ସେ ସିଦ୍ଧହସ୍ତା । ପଞ୍ଚଦଶ ବର୍ଷ ବୟଃକ୍ରମ କାଳରେ ଯେତେବେଳେ ସେ ପିତୃଗୃହ ଛାଡ଼ି ରାଜା କୃଷ୍ଣଚନ୍ଦ୍ରଙ୍କର ସଂସାର ଅଳଙ୍କୃତ କଲେ, ସେତେବେଳେ ସେ ବିଳାସ ଭୋଗରେ ଅନୁରକ୍ତ ନ ହୋଇ ଧନୁର୍ବାଣ ଓ ତରବାରି ଗ୍ରହଣ କଲେ । କୃଷ୍ଣଚନ୍ଦ୍ର ସ୍ୱୟଂ ତାଙ୍କର ଗୁରୁ । ଦେଶ ଯେତେବେଳେ ଅତ୍ୟାଚାର-ପ୍ଳାବିତ, ବ୍ୟଭିଚାର-ପୀଡ଼ିତ, ହିନ୍ଦୁମାନେ ଯେତେବେଳେ ଆତ୍ମ-କଳହରେ ପ୍ରବୃତ୍ତ, ଏକତାଶୂନ୍ୟ, ଧର୍ମହୀନ, ସେତେବେଳେ ପ୍ରତ୍ୟେକ ହିନ୍ଦୁ ନାରୀର ଆତ୍ମରକ୍ଷାର୍ଥ ଅସ୍ତ୍ରଚାଳନା ଶିକ୍ଷା କରିବା ଯେ ସର୍ବପ୍ରଧାନ କର୍ତ୍ତବ୍ୟ, ଏହା କମଳସୁନ୍ଦରୀ ଉତ୍ତମରୂପେ ଉପଲବ୍‍ଧି କରିଥିଲେ । ସୁତରାଂ କୃଷ୍ଣଚନ୍ଦ୍ର ରାଣୀଙ୍କ ହାତରେ ସୂଚିକା ନ ଦେଇ ଶାଣିତ କୃପାଣ ଦେଇଥିଲେ–କେବଳ ଗୋବତ୍ସ-ପାଳନ ବା ହରିଣୀ-ଶାସନ ଶିକ୍ଷା ନ ଦେଇ ତାଙ୍କୁ ହସ୍ତିନୀ ଓ ଅଶ୍ଵିନୀକୁ ବଶୀଭୂତ କରିବାରବି ଶିଖାଇଥିଲେ ।

 

କମଳସୁନ୍ଦରୀଙ୍କର ବୟସ ଅଠତିରିଶବର୍ଷ । ପାରାବାର-ବକ୍ଷରେ ଯେପରି ସଲିଳ-ତରଙ୍ଗ ହଲି ଖେଳି ବୁଲି ଯାଏଁ, ସେପରି ତାଙ୍କ ଶରୀର ଉପରେ ପ୍ରତି ପାଦ ବିକ୍ଷେପରେ, ପ୍ରତ୍ୟେକ ଅବୟବ-ସଞ୍ଚାଳନରେ, କେତେ ପ୍ରକାର ରୂପ-ତରଙ୍ଗର ଆନ୍ଦୋଳନ, ଆଲୋଡ଼ନ ହେଉଅଛି ! ଜ୍ୟୋତ୍ସ୍ନାମୟୀ ରାତ୍ରିରେ ହିଲ୍ଲୋଳିତ ନଦୀବକ୍ଷରେ ଯେପରି କୋଟି କୋଟି ଚନ୍ଦ୍ର ଦୃଷ୍ଟ ହୁଏ, ତାଙ୍କର ସୌନ୍ଦର୍ଯ୍ୟ-ସାଗରରେ ସେପରି ଶତ ଶତ ଚନ୍ଦ୍ରମା ପ୍ରତି ମୁହୂର୍ତ୍ତ ବିଚ୍ଛୁରିତ ହେଉଅଛି । ସୂର୍ଯ୍ୟ-ରଶ୍ମି-ସ୍ପୃଷ୍ଟ, ତୁଷାର ବିମଣ୍ଡିତ ଶୈଳଶୃଙ୍ଗ ଯେପରି ନିଜ ଅଜ୍ଞାତସାରରେ ରୂପ ଓ ସୌନ୍ଦର୍ଯ୍ୟରେ ଜଗତ ଆକୃଷ୍ଟ କରେ, ସେପରି ଜ୍ୟୋତିର୍ମୟୀ, ପବିତ୍ରତା–ଭୂଷିତା କମଳସୁନ୍ଦରୀ ପୃଥିବୀ-ଦୁର୍ଲଭ ସୌନ୍ଦର୍ଯ୍ୟଛଟାରେ ଜନମନ ଆକର୍ଷଣ କରେ । ସେହି ରୂପ-ମାଧୁରୀ ଦେଖିଲେ ମନୋମଧ୍ୟରେ ଲାଳସାନଳ ଜାଳି ଉଠେ ନାହିଁ–ଭକ୍ତିର ଉଦ୍ରେକ ହୁଏ । ସେଇ ତେଜ ସମକ୍ଷରେ ମହା ଦାମ୍ଭିକ ପର୍ଯ୍ୟନ୍ତ ନିଷ୍ପ୍ରଭ, ସଂକୁଚିତ ହୋଇଯାଏ–ସେଇ ପବିତ୍ରତା ସମ୍ମୁଖରେ ଘୋର ପାପିଷ୍ଠବି ଭୀତ, ତ୍ରସ୍ତ ହୋଇପଡ଼େ ।

 

କମଳସୁନ୍ଦରୀ ପରଦା ଅନ୍ତରାଳରେ ରହନ୍ତି ନାହିଁ । ସେହି ସମୟରେ ଅବରୋଧ-ପ୍ରଥାର ପ୍ରଚଳନ ନଥିଲା କହିଲେ ଚଳେ । କମଳସୁନ୍ଦରୀ ବୀରକୁଳ-ଚୂଡ଼ାମଣି କୃଷ୍ଣଚନ୍ଦ୍ରଙ୍କର ଉପଯୁକ୍ତ ପତ୍ନୀ ଓ ଶିଷ୍ୟା । ସେଇ ଶକ୍ତି ଓ ସାହସ ତାଙ୍କର ଥିଲା ଯାହା ଅନେକ ପୁରୁଷଙ୍କରବି ନଥାଏ ।

 

ପ୍ରାଚୀନ ଉତ୍କଳର ଅନ୍ତଃପୁରବାସିନୀଗଣଙ୍କର ସେହି ଶିକ୍ଷା ଦୀକ୍ଷା, କର୍ତ୍ତବ୍ୟପରାୟଣତା, କର୍ମତତ୍ପରତା, ଚରିତ୍ରବଳ ଓ ସାହସ ଆଧୁନିକ ଓଡ଼ିଆ ସମାଜରେ ସ୍ୱପ୍ନ ସିନା ! ଆଜି କାଲି ପନ୍ଦରପଣ ଉତ୍କଳ କୁଳଲକ୍ଷ୍ମୀ ନିରକ୍ଷରା, ଶିକ୍ଷାକାତରା, କଳହ-ପସରା, ଅସୁଖ-ଜନନୀ ଓ ଅଶାନ୍ତି-ପ୍ରସବିନୀ । ଆଉ ଯେଉଁ ପଣକ ସଭ୍ୟତାଲୋକପ୍ରାପ୍ତା ଫ୍ୟାଷନେବଲ୍ ଓଡ଼ିଆ ନାରୀ ଦେଖାଯାନ୍ତି, ସେମାନଙ୍କ କଥା କହିଲେ ନ ସରେ ! ଯେଉଁ କେତୋଟି ଓଡ଼ିଆ-ଅନ୍ତଃପୁରରେ ତଥାକଥିତ ସଭ୍ୟତାର ହାଓୟା ପ୍ରବେଶ କରିଅଛି, ସେଠାରେ ସୁଗନ୍ଧି ସାବାନ ଏସେନ୍‍ସ ସୁବାସିତ ତୈଳର ଅବାଧ ଲୀଳା ଖେଳା, ଭୋଗବିଳାସର ବିଷମ ତାଣ୍ଡବ ! ଏଭଳି ମହିଳାମାନଙ୍କ ପକ୍ଷରେ ହାତୀ ଘୋଡ଼ା ଚଢ଼ି ଯୁଦ୍ଧ କରିବା ତ କାଠିକର ପାଠ, ଅତ୍ୟାଚାରୀ ନିକଟରେ ଆତ୍ମରକ୍ଷା, ଧର୍ମରକ୍ଷା କରିବା ଉଦ୍ଦେଶ୍ୟରେ ସାମାନ୍ୟ ଛୁରିକା ବ୍ୟବହାର କରିବାକୁବି ଏମାନଙ୍କର ଶକ୍ତି, ସାହସ ନାହିଁ–ଲଜ୍ଜାର କଥା ଅବଶ୍ୟ ! ହେଲା, ଏସବୁ କହି ଲାଭ ବା କ’ଣ ? ପାଠିକାମାନେ ହୁଏତ ରୋଷ-କଷାୟିତ ଆରକ୍ତ ଲୋଚନ ଦେଖାଇ କହିପାରନ୍ତି–‘‘ରେ ଦୁଃସାହସିକ ଲେଖକ ! ତୋର ଏ ପୁରୁଣାକାଳିଆ ଉପଦେଶକୁ ପଚାରେ କିଏ ? ସଭ୍ୟା ଓଡ଼ିଆଣୀର ଭ୍ରୂଭଙ୍ଗୀ ପ୍ରତି ତୋର କ’ଣ ଭୟ ନାହିଁ ? ଆମର କୋପ କଟାକ୍ଷରେ ପଡ଼ି ଅଚିରେ ଭସ୍ମୀଭୂତ ହେବୁ–ଆଉ ତୋ’ର ଦୁର୍ନୀତି–ପ୍ରଚାରି ଏଇ ଉପନ୍ୟାସ ମହିଳା–ମହଲରେ ଚିର ଦିନପାଇଁ ବୟକଟ୍ ହୋଇ ରହିବ ସାବଧାନ !’’

 

ଏହା ତ ଆଧୁନିକ ସ୍ତ୍ରୀ-ଶିକ୍ଷାର ନମୁନା । ସ୍ତ୍ରୀ-ଶିକ୍ଷା ବସ୍ତୁତଃ ମନ୍ଦ ନୁହେଁ–ବରଂ ସ୍ତ୍ରୀମାନଙ୍କୁ ଅଶିକ୍ଷିତ ରଖିବାଟା ଦୋଷର କଥା । ତେବେ ଶିକ୍ଷାର ଅର୍ଥ କେବଳ ପୁସ୍ତକ-ପଢ଼ା ନୁହେଁ-। ଖାଲି ବହି ପଢ଼ି ଶିକ୍ଷା ହୁଏ ନାହିଁ । ଶିଖାଇବାଭଳି ଶିକ୍ଷକ ଓ ଉପଯୁକ୍ତ ଶିକ୍ଷା-ପ୍ରଣାଳୀର ଅଭାବରେ ଶିକ୍ଷା ସେ କୁଶିକ୍ଷାରେ ପରିଣତ ହୋଇ ଗରଳ ଉତ୍ପାଦନ କରି ଓଡ଼ିଆର ସୁଖ-ସଂସାର ମାଟି କରି ପକାଉଛି, ସେଥିରୁ ରକ୍ଷା କରିବ କିଏ ? ଦୁଇଖଣ୍ଡି ପୁସ୍ତକ ପାଠ କରିବାଦ୍ୱାରା ଯଦି ଗୃହକର୍ମ ପ୍ରତି ଅନାସ୍ଥା ହୁଏ, ସେଇ ପଢ଼ାଠାରୁ ମୋତେ ନ ପଢ଼ାଇବା କ’ଣ ଭଲ ନୁହେଁ-?

 

ଶିକ୍ଷାରେ ଯଦି କର୍ତ୍ତବ୍ୟଜ୍ଞାନ ନ ବଢ଼ି କମି ଯାଏଁ, ସଂସାରରେ ଯଦି ଅଶାନ୍ତି ସୃଷ୍ଟି ହୁଏ, ତାହାହେଲେ ସେପରି ଶିକ୍ଷାକୁ ଧିକ୍ ! ଏହି ଅଭିନବ ବିଲାତୀ ସ୍ତ୍ରୀ ଶିକ୍ଷା–ଯାହାର ସାର୍ଥକତା କେବଳ ଉଲ୍ ବୁଣିବା, ନେକ୍‍ଟାଇ ବୁଣିବା କିମ୍ବା ବଡ଼ ହୋଇ ଦୁଇ ତିନି ଖଣ୍ଡ ଉପନ୍ୟାସ ପଢ଼ିବା–ବସ୍ତୁତଃ ତାହାର ମୂଲ୍ୟ ବା କ’ଣ ?

 

ଦେବାନ ଗୋପାଳଙ୍କର କୌଣସି ସନ୍ଧାନ ନ ପାଇ କୁମାର ବିଜୟଚନ୍ଦ୍ର ହତାଶ, ନିରୁପାୟ ହୋଇ ଜନନୀଙ୍କ ନିକଟରେ ସକଳ ବିଷୟ ନିବେଦନ କଲେ । ଏହା ଶୁଣି ରାଣୀ କିଛି ସମୟ ଭାବନାରେ ବୁଡ଼ି ରହିଲେ । ବିଜୟଚନ୍ଦ୍ର ବିନୟ ସହକାରେ କହିଲେ,–‘କ୍ଷମା କର ମା । ମୋ'ରି ଦୋଷ, ଅସାବଧାନତା ଯୋଗେହିଁ ଦେବାନ ବିପଦଗ୍ରସ୍ତ ହୋଇ ପଡ଼ିଛନ୍ତି । ଦେବାନ ପଳାୟନର ଦସ୍ୟୁଗଣଙ୍କ ପଶ୍ଚାଦାନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ସାହାଯ୍ୟାର୍ଥ ସୈନ୍ୟ ପଠାଇବା ମୋର ଉଚିତ ଥିଲା ।’

 

ରାଣୀ : ଅନୁତାପରେ କୌଣସି ଫଳ ନାହିଁ, ବିଜୟ !

 

ବିଜୟ : ଯାହାହେଉ ମା, ଅନୁଜ୍ଞା ଦିଅ–ସୁବାଦାରଙ୍କ ନିକଟରେ ଯାଇ ଗୋପାଳଙ୍କର ମୁକ୍ତି ଭିକ୍ଷା କରିବି । ବର୍ତ୍ତମାନ ତାଙ୍କ ଉଦ୍ଧାରର ଅନ୍ୟ ଉପାୟ ଦେଖୁ ନାହିଁ ।

 

ରାଣୀ : ଭାବିଛ ସୁବାଦାର ଓ ତକିଖାଁ ସ୍ୱତନ୍ତ୍ର ?

 

ବିଜୟ : ନିଶ୍ଚୟ । ତକିଖାଁ ଅତ୍ୟାଚାରୀ, ସୁବାଦାର ନ୍ୟାୟପରାୟଣ ।

 

ରାଣୀ : ଭୁଲ୍ ବୁଝିଛ ବିଜୟ । ଯେ ନ୍ୟାୟପରାୟଣ ସେ ଅତ୍ୟାଚାର ଦମନ କରେ–ପ୍ରଶ୍ରୟ ଦିଏ ନାହିଁ ।

 

ବିଜୟ : ସୁବାଦାର ଅତ୍ୟାଚାରୀ ହୋଇଥିଲେ, ଆମମାନଙ୍କର ସ୍ଥାନ ଆଜି କେଉଁଠାରେ ରହନ୍ତା ମା ? ତକିଖାଁ ସର୍ବସ୍ୱ ହରି ନେଇ ଆମମାନଙ୍କୁ ସଂହାର କରି ପକାନ୍ତା ।

 

ରାଣୀ : ବାଳକ ତୁମେ, ରାଜନୀତି ବୁଝିପାରୁ ନାହଁ । ଶୁଣିଥିବ ବୋଧହୁଏ, ସୁବାଦାର ତାଙ୍କ ପିତାଙ୍କୁ ବିଷ ଖୁଆଇ ମାରିଛନ୍ତି । ତାଙ୍କର ଆଶଙ୍କା, ତକିଖାଁ ଦିନେ କପଟରେ ତାଙ୍କୁ ବଧ କରିପାରେ ।

 

ଏଣୁ ସେ ରାଜ୍ୟ ମଧ୍ୟରେ ଦିଓଟି ପ୍ରବଳ ଦଳ ଗଠିତ କରି ଅଛନ୍ତି । ଏକ ଦଳର ନେତା ତୁମର ପିତୃଦେବ–ଅପର ଦଳର ସର୍ବମୟ କର୍ତ୍ତା ତକିଖାଁ । ରାଜା ନଥିଲେ ତକିଖାଁ ଦୁର୍ଦ୍ଦମନୀୟ ହୋଇ ଉଠନ୍ତା । ଦୁର୍ଦ୍ଦାନ୍ତ, ନିର୍ମମ ତକିଖାଁ ଇଚ୍ଛା କଲେ ବିପ୍ଳବ–ପତାକା ଉଡ଼ାଇ ସ୍ୱୟଂ ସୁବାଦାରଙ୍କର ଜୀବନ ନେଇପାରେ । ବିଦ୍ରୋହ-ନିବାରଣ ପାଇଁ, ନିଜର ସ୍ୱାର୍ଥସିଦ୍ଧି ପାଇଁ, ସୁବାଦାର ରାଜାଙ୍କୁ ଅମାତ୍ୟପଦରେ ବରଣ କରିଛନ୍ତି, ପ୍ରାୟ ନିଜର କରି ନେଇଛନ୍ତି–କିଛି କୃପାପରବଶ ହୋଇ ନୁହେଁ ।

 

ବିଜୟ : ଏ ପିତୃଘାତୀ ପଠାଣ–ପିଶାଚର ରାଜ୍ୟ କେବେ କ’ଣ ଧ୍ୱସ୍ତ ହେବ ନାହିଁ ମା ?

 

ରାଣୀ : ହେବ ବିଜୟ । ନିଶ୍ଚୟ ହେବ । ଧ୍ୱଂସହିଁ ସୃଷ୍ଟିର ପରିଣାମ । କେତେ ପୃଥିବୀ ଯାଇଛି–କେତେ ଜମ୍ବୁ, କୁଶ, ପ୍ଳକ୍ଷ ଦ୍ଵୀପ ଯାଇଛି–ସାମାନ୍ୟ ଗୋଟିଏ ଜାତି ଯିବ ନାହିଁ ଭାବୁଛ ?

 

ବିଜୟ : ପଠାଣର ଧ୍ୱଂସସାଧନ ପରେ ଦେଶର ରାଜା କିଏ ହେବ ?

 

ରାଣୀ : ଆମେମାନେ !

 

ବିଜୟଚନ୍ଦ୍ର ନିର୍ବାକ, ନିରୁତ୍ତର ! ସେ କଳ୍ପନା–ସ୍ରୋତରେ ଭାସି ଯାଇ ଦେଖିଲେ, ହିନ୍ଦୁଜାତି ଯେପରି ମିଳିତ ହୋଇ ଅତ୍ୟାଚାର ବିରୁଦ୍ଧରେ ଖଡ଼୍‍ଗହସ୍ତ ହୋଇ ଦଣ୍ଡାୟମାନ, ପଠାଣ ସୁବାଦାରଙ୍କ ଲଲାଟରୁ ଯେପରି ରାଜମୁକୁଟ ଭ୍ରଷ୍ଟ ହୋଇ ଭୂପୃଷ୍ଠରେ ଲୁଣ୍ଠିତ ।

 

ରାଣୀ : ଭାବୁଛ କ’ଣ ବିଜୟ ?

 

ବିଜୟ : ଭାବୁଛି, ପିତା ହୁଏତ ଦିନେ ଦେଶର ଶାସକ ହେବେ ।

 

କମଳସୁନ୍ଦରୀ ନୀରବଭାବରେ ମୃଦୁମନ୍ଦ ଗତିରେ ଅପସୃତ ହୋଇ ଗବାକ୍ଷ ସନ୍ନିଧାନରେ ଯାଇ ଠିଆ ହେଲେ । ଗବାକ୍ଷ ନିମ୍ନରେ ସୁବିସ୍ତୀର୍ଣ୍ଣ ଉପବନ । ସନ୍ଧ୍ୟା ସମୟ । ବାୟୁ ଧୀର ସ୍ଥିର ଭାବରେ ବହି ଆସି କମଳସୁନ୍ଦରୀଙ୍କ କର୍ଣ୍ଣରେ କେତେ ଆଶାର କଥା ଢାଳି ଦେଲା । ସେ ନିସ୍ପନ୍ଦ ହୃଦୟରେ ଶୁଣିଲେ, କିଏ ଯେପରି ଆକାଶର ପର ପାରରୁ କହୁ ଅଛି–‘ଓଡ଼ିଶାର ଦୁର୍ଗତି ଅଚିରେ ଦୂର ହେବ, ଦେଶରେ ସନାତନଧର୍ମ ପୁଣି ପ୍ରତିଷ୍ଠିତ ହେବ ।’ ତାଙ୍କ ଦେହ ପୁଲକିତ ହୋଇ ଉଠିଲା । ଏହି ସମୟରେ ପୃଷ୍ଠ ଭାଗରୁ ବିଜୟ ଡାକିଲେ–‘ମା ।’

 

ରାଣୀ : କ’ଣ ବତ୍ସ ?

 

ବିଜୟ : ଗୋପାଳଙ୍କୁ ଉଦ୍ଧାର କରିବି କିପରି ?

 

ରାଣୀ : ବାହୁବଳରେ, ଦ୍ଵିତୀୟ ଉପାୟ ନାହିଁ । ସୁବାଦାର ନିକଟକୁ ଯାଅ ନାହିଁ । ପର ଦ୍ୱାରରେ ଭିକ୍ଷା ମାଗ ନାହିଁ । ଆତ୍ମଶକ୍ତି ଉପରେ ନିର୍ଭର କରି ଦେବାନଙ୍କୁ ମୁକ୍ତ କର । କରି ନ ପାର ଯଦି, ପରେ ମୁଁ ବୁଝିବି ।

 

ବୀରାଙ୍ଗନାଗ୍ରଗଣ୍ୟା, ରାଜନୀତିନିପୁଣା ଜନନୀଙ୍କର ପଦଧୂଳି ମସ୍ତକରେ ଧରି କୁମାର ବିଜୟ ବିଦାୟ ହେଲେ ।

Image

 

ମନ୍ଦିର-ଧ୍ୱଂସ-ମନ୍ତ୍ରଣା

 

ରାତ୍ରି ଏକ ପ୍ରହାର ଅତୀତ ହୋଇଅଛି । ବିନୋଦବିହାରୀଙ୍କର ବିଳାସ-ମନ୍ଦିରରେ ନୃତ୍ୟଗୀତ ସେତେବେଳେବି ଚାଲିଅଛି । ବିଶାଳ ବକ୍ଷ ଗାନ-ତରଙ୍ଗରେ ଉଚ୍ଛ୍ୱସିତ, ଅଳଙ୍କାର-ଧ୍ୱନିରେ ପ୍ରତିଧ୍ୱନିତ, ଅସଂଖ୍ୟ ଦୀପାଲୋକରେ ଉଦ୍ଭାସିତ, ସୁମନ ସୌରଭରେ ଆମୋଦିତ । ତକିଖାଁ ପ୍ରଫୁଲ୍ଲ ମୁଖରେ ବିନୋଦଙ୍କ ପାର୍ଶ୍ୱରେ ଉପବିଷ୍ଟ ।

 

ନର୍ତ୍ତକୀଦଳ ଯଥାସମୟରେ ପ୍ରସ୍ଥାନ କରିବା ପରେ ବିନୋଦ ତକିଖାଁଙ୍କୁ ପ୍ରଶ୍ନ କଲେ,–‘କୃଷ୍ଣଚନ୍ଦ୍ରଙ୍କ ସମ୍ୱନ୍ଧରେ ଆଉ କି ମତଲବ ସ୍ଥିର କରିଛନ୍ତି ?’

 

ତକିଖାଁ : ସେ ବର୍ତ୍ତମାନ ଯେଉଁଠାରେ ଅଛି ସେଠାରେହିଁ ଥାଉ–ତାହାର ଆଉ ରକ୍ଷା ନାହିଁ । ମୃତ୍ତିକା ଭାଣ୍ଡ ପରି ତାକୁ ଚୂର୍ଣ୍ଣ କରିଦେବି, ଏହା ମୋର ଶକ୍ତ ପ୍ରତିଜ୍ଞା ।

 

ଠିକ୍ ଏହି ସମୟରେ ସେମାନଙ୍କର ଜଣେ ପରିଚିତ ଫକିର ଗୃହ ମଧ୍ୟରେ ପ୍ରବିଷ୍ଟ ହେବାମାତ୍ରକେ ତକିଖାଁ ଉଠି ଅଭିବାଦନ କଲେ । ସେହି ସମୟରେ ମୁସଲମାନମାନେ ଫକିରମାନଙ୍କୁ ଖୁବ୍ ଭକ୍ତି, ସମ୍ମାନ କରୁଥିଲେ । ଫକିର ପ୍ରତି ପଠାଣର ଦ୍ୱାର ଥିଲା ଅବାରିତ । ଏହି ଫକିରଙ୍କୁ ସେତେବେଳେ ଓଡ଼ିଶାର ସମସ୍ତେ ଜାଣିଥିଲେ ? ଫକିର ଯଥୋଚିତ ଆସନ ଗ୍ରହଣ କରିବା ପରେ ତକିଖାଁ ତାଙ୍କୁ ବିନୟ ସହକାରେ ପ୍ରଶ୍ନ କଲେ,–‘ମୁଁ କେବେ ସିଂହାସନରେ ବସିପାରିବି ତ ?’

 

ଫକିର : ବସିବ, ନିଶ୍ଚୟ ବସିବ । ଖୋଦା ଆପାତତଃ ତୁମପ୍ରତି ପ୍ରସନ୍ନ । ତେବେ କୃଷ୍ଣଚନ୍ଦ୍ର ନ ମରିବା ଯାଏଁ ତୁମର କଲ୍ୟାଣ ନାହିଁ ।

 

ତକିଖାଁ : ତାହା ମୁଁ ବୁଝିଛି ।

 

ଫକିର : ଖାଲି ବୁଝି ବା ଲାଭ କ’ଣ ? ତାହାର ଧ୍ୱଂସ କରିବାକୁ ହେବ ।

 

ତକିଖାଁ : ସ୍ଥିର କରିଛି, ତାହାକୁ ସାରା ଜୀବନ କାରାଗାରରେ ନିକ୍ଷିପ୍ତ କରିବି ।

 

ଫକିର : ବିନାପରାଧରେ ? ତାହାହେଲେ ଦେଶତମାମ ଅଗ୍ନି ଜଳି ଉଠିବ–ସମସ୍ତେ କୃଷ୍ଣଚନ୍ଦ୍ର ସଙ୍ଗେ ଯୋଗଦେଇ ତୁମ ରାଜ୍ୟ ଧ୍ୱସ୍ତ କରିଦେବେ, ତୁମର ପ୍ରାଣ ନେବେ ସାବଧାନ ! ଏପରି କାର୍ଯ୍ୟ କେବେ କର ନାହିଁ ।

 

ତକିଖାଁ : ତାହାହେଲେ କ’ଣ କରିବା ଦରକାର ?

 

ଫକିର : କୃଷ୍ଣଚନ୍ଦ୍ର ବର୍ତ୍ତମାନ ପୁରୀରେ । ସେଠାର ଜଗନ୍ନାଥ ମନ୍ଦିର ଭାରତବିଖ୍ୟାତ, ହିନ୍ଦୁ ଜାତିର ପ୍ରସିଦ୍ଧ ତୀର୍ଥସ୍ଥଳ । ଏହି ମନ୍ଦିର ଭାଙ୍ଗିବାର ଆୟୋଜନ କର । ଯେତେବେଳେ ତୁମ ସୈନିକଦଳ ମନ୍ଦିର ଭାଙ୍ଗି ଜଗନ୍ନାଥ-ପ୍ରତିମା ଚୂର୍ଣ୍ଣ କରିବେ, ସେତେବେଳେ ସେଠା ହିନ୍ଦୁମାନେ ଧର୍ମପଦରେ ମାଟି ଉଠିବେ । କୃଷ୍ଣଚନ୍ଦ୍ର ମଧ୍ୟ ନୀରବ, ନିଶ୍ଚେଷ୍ଟ ରହିବ ନାହିଁ–ମନ୍ଦିର ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କରିବଇ କରିବ । ତୁମ ସୈନ୍ୟ ବିରୁଦ୍ଧରେ ନିଶ୍ଚୟ ସେ ଅସ୍ତ୍ର ଧରିବ । ସେହି ସଂଘର୍ଷରେ କୃଷ୍ଣଚନ୍ଦ୍ରର ଯଦି ପ୍ରାଣରକ୍ଷା ହୁଏ, ତାହାହେଲେ ରାଜବିଦ୍ରୋହ ଅପରାଧରେ ସେ କାରାଦଣ୍ଡ ଭୋଗ କରିବ ।

 

ତକିଖାଁ : ଅତି ଉତ୍ତମ ପରାମର୍ଶ । ଆପଣଙ୍କ ଆଦେଶ ଅନୁସାରେ କାଲି ମନ୍ଦିର ଭାଙ୍ଗିବାକୁ ହୁକୁମ ପଠାଇବାର ଚେଷ୍ଟା କରିବି ।

 

ଫକିର ସେଠାରୁ ବିଦାୟ ହେବାପରେ ବିନୋଦ ପ୍ରସନ୍ନ ମୁଖରେ କହିଲେ,–‘‘ଫକିରଙ୍କର ଯୁକ୍ତି ଚମତ୍କାର, ପରାମର୍ଶ ସୁନ୍ଦର ! ତାଙ୍କ ଉପଦେଶାନୁଯାୟୀ କାର୍ଯ୍ୟ କଲେ କୃଷ୍ଣଚନ୍ଦ୍ରର ଶେଷ ହେବ । କିନ୍ତୁ–କିନ୍ତୁ–’’

 

ତକିଖାଁ : କିନ୍ତୁ ଫେରେ କ’ଣ ?

 

ବିନୋଦ : କୃଷ୍ଣଚନ୍ଦ୍ରର ଶେଷ ହେଲେ ମଧ୍ୟ, କମଳସୁନ୍ଦରୀ ତ ବାକି ରହିଯିବ । ସିଂହର ମରଣରେ ସିଂହୀ ଭୀମ ବେଗରେ ଦେଶବ୍ୟାପୀ ପ୍ରଖର ବିପ୍ଳବାନଳ ଜାଳିଦେବ ।

 

ତକିଖାଁ : ବୃଥାଶଙ୍କା ! ସିଂହ-ସଂହାର-କର୍ତ୍ତା କ’ଣ ସାମାନ୍ୟ ସିଂହୀଟାକୁ ମାରି ପାରିବ ନାହିଁ ? ଅନ୍ତତଃ ପିଞ୍ଜରାବଦ୍ଧ କରିପାରିବ ନାହିଁ ? ଛାଡ଼ ସେ କଥା । ତୁମପାଇଁ ମୁଁ ସବୁ କରିପାରେ-। କିନ୍ତୁ ତୁମେ ମୋତେ କିଛି ଅର୍ଥ ସାହାଯ୍ୟ କରିବ ।

 

ବିନୋଦ : ମୋ ଅର୍ଥ ତ ଆପଣଙ୍କର ।

 

ତକିଖାଁଙ୍କ ମୁଖମଣ୍ଡଳରେ ଆନନ୍ଦର ପ୍ରବାହ ଖେଳିଗଲା । କଠୋର ଅଧର ପ୍ରାନ୍ତରେ କୁଟିଳ ହାସ୍ୟରେଖା ଫୁଟାଇ ଦେଇ ସେ କହିଲେ,–‘ମୁଁ କୃତଘ୍ନ ନୁହେଁ–ମନ୍ତ୍ରୀ-ପଦ ତୁମପାଇଁ ରଖାଗଲା । କାଲି ସୈନ୍ୟ ଓ ପରଓୟାନା ନେଇ ପୁରୀ ଯାଅ । ମନ୍ଦିର ଭାଙ୍ଗି ସମତଳ କର, ସମବେତ ହିନ୍ଦୁ ସମ୍ମୁଖରେ ପ୍ରତିମା ଚୂର୍ଣ୍ଣ ବିଚୂର୍ଣ୍ଣ କରି ପକାଅ–ମଦାନ୍ଧ କୃଷ୍ଣଚନ୍ଦ୍ରକୁ ବନ୍ଦୀ ବା ସଂହାର କର । ତୁମେ ମୋର ବିଶ୍ୱସ୍ତ, ଅନ୍ତରଙ୍ଗ ବନ୍ଧୁ । ଆଶା କରେ, ତୁମେ ଏହି କାର୍ଯ୍ୟରେ ନିଶ୍ଚୟ ସହାୟ ହେବ ।

 

ବିନୋଦ : ନିଶ୍ଚୟ ହେବି । ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ।

 

ତକିଖାଁ : ପୁରୀର ଦୁର୍ଗାଧ୍ୟକ୍ଷଙ୍କୁ ହୁକୁମ ଦେବି । ସେ ତୁମକୁ ଅବଶ୍ୟ ସାହାଯ୍ୟ କରିବେ । କିଛି ଭୟ କର ନାହିଁ । ଆଉ ଗୋଟିଏ କଥା । ସଙ୍ଗେ ସଙ୍ଗେ ଭୁବନେଶ୍ୱର ମନ୍ଦିରବି ଭାଙ୍ଗି ପକାଇବା ଦରକାର ।

 

ପର ଦିନ ମନ୍ଦିର ଭାଙ୍ଗିବା ନିମନ୍ତେ ପୁରୀ ଓ ଭୁବନେଶ୍ୱରକୁ ସୈନ୍ୟ ପ୍ରେରଣା କରିବାର ସ୍ଥିର ହେଲା । ପରେ ଦୁହେଁ କକ୍ଷ ତ୍ୟାଗ କଲେ । ସେତେବେଳେ ପର୍ଯ୍ୟଙ୍କର ନିମ୍ନ ଭାଗରୁ ଜଣେ ବାଳକ ଲମ୍ଫ ଦେଇ ଉଠିଲା । ସେ ଯେ ଚଇତ, ଏହା କହିବା ଅନାବଶ୍ୟକ ।

Image

 

ରାଣୀଙ୍କର ସୈନ୍ୟସଂଗ୍ରହ

 

ରାତ୍ରି ଦ୍ଵିତୀୟ ପ୍ରହରରେ ପଦାର୍ପଣ କଲା । ସେ ସମୟରେ ଚଇତ ରାଜା କୃଷ୍ଣଚନ୍ଦ୍ରଙ୍କର ପ୍ରାସାଦ-ଦ୍ୱାରରେ ଯାଇ ଠିଆ ହେଲା । ଦ୍ୱାରରକ୍ଷକ ପରିଚୟ ଲୋଡ଼ିବାରୁ ଚଇତ ଆତ୍ମପରିଚୟ ଦେଲା ନାହିଁ; କିନ୍ତୁ ଦ୍ୱାରରକ୍ଷକ ହାତରେ ଖଣ୍ଡିଏ ପତ୍ର ଦେଇ କହିଲା,–‘ପତ୍ରଟି ରାଜାଙ୍କ ସମ୍ବନ୍ଧରେ ଲିଖିତ । ବିଳମ୍ବ ନ କରି ଏହା ନେଇ ରାଣୀଙ୍କୁ ଦିଅ ।’ ଏହା କହି ଚଇତ ସେଠାରୁ ଚାଲିଗଲା ।

 

ସୁନ୍ଦର, ସୁଶୋଭିତ, ସୁ-ଦୃଶ୍ୟ, ସୁ-ପ୍ରଶସ୍ତ ଏକ କକ୍ଷ । ନନ୍ଦନ ସୌନ୍ଦର୍ଯ୍ୟରେ ଦେବସଭା-ସମ୍ଭାରରେ ସଜ୍ଜିତ, ଭୂଷିତ, ମଣ୍ଡିତ । ସେହି ସୌନ୍ଦର୍ଯ୍ୟମୟ ଶୋଭାସମ୍ପଦମୟ କକ୍ଷ-ମଧ୍ୟସ୍ଥଳରେ ଗୋଟିଏ ରୋପ୍ୟ ପର୍ଯ୍ୟଙ୍କ । ପଲଙ୍କ ଅଙ୍ଗରେ ଜ୍ୟୋତିର୍ମୟ ରତ୍ନାବଳୀ । ତାହାର ବକ୍ଷରେ ରଜତବର୍ଣ୍ଣ କୁସୁମ-କୋମଳ ଏକ ଶଯ୍ୟା । ସେହି ଶଯ୍ୟା ଉପରେ ତ୍ରିଦିବେଶ୍ୱରୀ ତୁଲ୍ୟ ତ୍ରିଲୋକ-ଲଲାମଭୂତା ଦେବ-କଳ୍ପନା-ପରାଜିତା ରୂପାଧାରମୟୀ ରାଣୀ କମଳସୁନ୍ଦରୀ ଅର୍ଦ୍ଧଶାୟିତା-ରଜତ-ତଟନୀ ବକ୍ଷରେ ଯେପରି ରକ୍ତାରୁଣର ରକ୍ତିମ କିରଣଛଟା ପ୍ରକଟିତ, ଶୁଭ୍ର ବାରିମୟୀର କୋମଳ ବକ୍ଷରେ ଯେପରି ରକ୍ତ ଶତଦଳ ପ୍ରସ୍ଫୁଟିତ ।

 

ରାଣୀଙ୍କର ମୁଖ ଗମ୍ଭୀର, ନୟନ ସ୍ଥିର, ଅଙ୍ଗ ଅଚଳ । କିନ୍ତୁ ଅତି ମଧୁର, ସୁନ୍ଦର ସେ ମୂର୍ତ୍ତି–ଯେପରି ଜଗଜ୍ଜନନୀ ସନ୍ତାନ ମଙ୍ଗଳ କଳ୍ପେ ଗଭୀର ଚିନ୍ତାନ୍ୱିତା । ଏକ ପାର୍ଶ୍ୱରେ ଆହତ ବିଜୟଚନ୍ଦ୍ର ଶାୟିତ, ଅପର ପାର୍ଶ୍ୱରେ ବାସନ୍ତୀ ଉପବିଷ୍ଟା ।

 

ପାଠକ ପାଠିକାମାନେ ଜାଣନ୍ତି, ଦିନେ ଅର୍ଦ୍ଧରାତ୍ରିବେଳେ କୁମାର ବିଜୟ ହଠାତ ବିନୋଦବିହାରୀ ରାୟଙ୍କର ଗୃହ ଆକ୍ରମଣ କରି ଗୋପାଳ ବିଷୟୀଙ୍କର ଅନୁସନ୍ଧାନ କରି ଫେରିଥିଲେ । ସେହି ଉଦ୍ଦେଶ୍ୟରେ ଆଉ ଥରେ ସେ ସେଠାକୁ ସଦଳବଳ ଗଲେ । କିନ୍ତୁ ପୂର୍ବ ପରି ବିନୋଦଙ୍କ ଅନୁଚରବର୍ଗ ଅସତର୍କ ନଥିଲେ । ଦୁଇ ପକ୍ଷ ମଧ୍ୟରେ ସାମାନ୍ୟ ଲଢ଼ାଇ ଚଳିଲା । ଫଳତଃ ବିଜୟ ଆହତ ହୋଇ ପ୍ରତ୍ୟାବୃତ୍ତ ହେଲେ ।

 

ଦ୍ୱାରପାଳ ଚଇତ ଦତ୍ତ ପତ୍ର ଖଣ୍ଡିକ ଧରି ଧୀର ପଦକ୍ଷେପରେ ନିଃଶବ୍ଦଭାବରେ କକ୍ଷରେ ପ୍ରବେଶ କଲା । ତଥାପି ରାଣୀଙ୍କର ଦୃଷ୍ଟି ତା’ ଉପରେ ପଡ଼ିଲା ନାହିଁ–ତାଙ୍କ ଶରୀର ପୂର୍ବବତ୍ ଅଚଳ ଥିଲା । ଦ୍ୱାରରକ୍ଷକ ଭୟ-ବିହ୍ଵଳ କଣ୍ଠରେ ଡାକିଲା, ‘ମା’ । ବର୍ତ୍ତମାନ ଶତଦଳ-ଗର୍ଭସ୍ଥିତ କୃଷ୍ଣ ଭ୍ରମର ହଲିଲା, ରାଣୀଙ୍କର ଦୃଷ୍ଟି ଦ୍ୱାରପାଳ ଉପରେ ପତିତ ହେଲା । ତାହାର ହସ୍ତସ୍ଥିତ ପତ୍ର ଦର୍ଶନରେ କମଳସୁନ୍ଦରୀ ଉଦ୍‍ବିଗ୍ନ ସ୍ୱରରେ ପ୍ରଶ୍ନ କଲେ,–‘ସମ୍ବାଦ କ’ଣ ?’ ଦ୍ୱାରରକ୍ଷକ କିଛି ନ କହି ତାଙ୍କ ହାତରେ ପତ୍ର ଖଣ୍ଡିକ ଦେଲା । ରାଣୀ ପତ୍ର ଖୋଲି ପାଠ କଲେ–

 

‘‘କାଲି ମଧ୍ୟାହ୍ନବେଳେ ତକିଖାଁଙ୍କ ସୈନ୍ୟ ଆସି ଆପଣଙ୍କର ପ୍ରାସାଦ ଅବରୋଧ କରିବେ । ଅପରାହ୍ନରେ ସୈନ୍ୟ ସାମନ୍ତ ଧରି ଦୁରାତ୍ମା ବିନୋଦବିହାରୀ ମନ୍ଦିର ଭଗ୍ନ ଓ ରାଜାଙ୍କୁ ବନ୍ଦୀ ବା ହତ୍ୟା କରିବାକୁ ପୁରୀ ଯାତ୍ରା କରିବ । ଦେବାନ ଗୋପାଳ ବିଷୟୀ ବିନୋଦର ଉଦ୍ୟାନ ଗୃହରେ ଗହ୍ୱର ମଧ୍ୟରେ ଆବଦ୍ଧ ଅଛନ୍ତି । ଭୁବନେଶ୍ୱର ମନ୍ଦିର ଭାଙ୍ଗିବାପାଇଁ ମଧ୍ୟ କେତେକ ସିପାହି ପ୍ରେରିତ ହେବେ । ସତର୍କତା ଅବଲମ୍ବନ କରନ୍ତୁ ।’’

 

ରାଣୀ ଚିନ୍ତାକ୍ଷୁବ୍‍ଧ ହୃଦୟରେ କେତେକ ସମୟ ନୀରବ ଭାବରେ ବସି ରହିଲେ । ବିଜୟଚନ୍ଦ୍ର ପତ୍ରଟି ଦେଖି ବୁଝି ପାରିଲେ, ପ୍ରଥମ ପତ୍ରର ଲେଖକହିଁ ଏ ପତ୍ର ଲେଖିଛନ୍ତି । ଜନନୀଙ୍କୁ ଜଣାଇଲେ, ପତ୍ରଟି ପ୍ରତାରକଦ୍ଵାରା ଲିଖିତ ବା ପ୍ରେରିତ ନୁହେଁ ।

 

ରଜନୀ ଆହୁରି ପ୍ରଭାତ ହୋଇ ନାହିଁ । ପୂର୍ବାକାଶ ଆହୁରି ରକ୍ତିମାଭ ହୋଇନାହିଁ । ତେବେ ଅନ୍ଧକାରର ସେତେ ଗାଢ଼ତା ନାହିଁ–ତାରକାପୁଞ୍ଜର ପୂର୍ବ ଦୀପ୍ତିଛଟା ଆଉ ନାହିଁ । କିଛି ଭାବନା କରିବା ପରେ କମଳସୁନ୍ଦରୀ ଡାକିଲେ,–‘ମଦନ’ ।

 

ମଦନ ରାଜାଙ୍କର ଜଣେ ବୃଦ୍ଧ ସୈନିକ । ସେ ପ୍ରାୟ ୪୦ ବର୍ଷ ଧରି ରାଜାଙ୍କ ଆଶ୍ରୟରେ ସୈନିକ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ବୟସ ସେତେବେଳକୁ ଷାଠିଏବର୍ଷ ହେଲେହେଁ, ତାଙ୍କ ବାହୁରେ ଯେଉଁ ଶକ୍ତି ଥିଲା, ତାହା ଅନେକ ଯୁବକଙ୍କରବି ନ ଥିବାର କଥା ।

 

ରାଣୀଙ୍କ ଆହ୍ୱାନରେ ମଦନ ଆସି ତାଙ୍କ ନିକଟରେ ଠିଆ ହେଲେ । ରାଣୀ ତାହାଙ୍କୁ ଚଇତର ପତ୍ରଟି ପଢ଼ି ଶୁଣାଇବା ପରେ କହିଲେ,–‘ରାଜା ବିପଦଗ୍ରସ୍ତ । ଆଜି ମୁଁ ସାରଥୀ ଗଡ଼ ଯାଉଛି । ବାସନ୍ତୀ ଆଉ ୨୫ ଜଣ ସଶସ୍ତ୍ର ଯୋଦ୍ଧା ମୋ ସଙ୍ଗେ ଯିବେ । ଯେପରି ବିପଦ ଚତୁର୍ଦ୍ଦିଗରୁ ଘନୀଭୂତ ହୋଇ ଆସୁଛି, ବର୍ତ୍ତମାନ ଯଥେଷ୍ଟ ସୈନ୍ୟ ସଂଗ୍ରହ, ଶକ୍ତି ସଞ୍ଚୟ କରିବା ଆବଶ୍ୟକ । ମୁଁ ସାରଥୀ ଗଡ଼ରେ ରହି ରାଜାଙ୍କ ସାହାଯ୍ୟ ସକାଶେ ସୈନ୍ୟ ପଠାଇବି । ତୁମକୁ ଏଠାରେହିଁ ରହିବାକୁ ହେବ । ଆହତ କୁମାରଙ୍କର ଯତ୍ନ ନେବ । ପୁରୀ ଓ ଭୁବନେଶ୍ୱରକୁ ସେନା ପଠାଇବା ନିମନ୍ତେ ଖୋରଧା ରାଜାଙ୍କୁ ସମ୍ବାଦ ପ୍ରେରଣ କର । ଦେବାନଙ୍କୁ ଉଦ୍ଧାର କରିବା ତୁମର ସର୍ବପ୍ରଧାନ କାର୍ଯ୍ୟ ।’

 

ମଦନ ବିନୟ ସହ ରାଣୀଙ୍କ ଆଦେଶ ପାଳନ କରିବାକୁ ପ୍ରତିଶ୍ରୁତି ହୋଇ ସେଠାରୁ ପ୍ରସ୍ଥାନ କଲେ । ବିଜୟଚନ୍ଦ୍ର ଜନନୀଙ୍କୁ କହିଲେ–‘ମୋପାଇଁ ବ୍ୟସ୍ତ ହୁଅ ନାହିଁ ମା, ମୁଁ ଟିକିଏ ସୁସ୍ଥ ହେଲିଣି । ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ସଙ୍ଗେ ସଙ୍ଗେ ପୁରୀ ଯାତ୍ରା କରି ଯୁଦ୍ଧରେ ଯୋଗଦେବି-।’

 

ରାଣୀ : ତୁମର ପୁରୀ ଯିବା ଦରକାର ନାହିଁ–ଏଠାରେହିଁ ରହି ଦେବାନଙ୍କ ଉଦ୍ଧାର କାର୍ଯ୍ୟରେ ମଦନଙ୍କର ସହାୟ ହୁଅ । ଏତେବେଳେ ବିଷୟୀଙ୍କୁ ଫେରି ପାଇବା ନିତାନ୍ତ ଆବଶ୍ୟକ ।

 

ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବେ ରାଣୀ କମଳସୁନ୍ଦରୀ କନ୍ୟା ବାସନ୍ତୀଙ୍କୁ ସଙ୍ଗେ ଧରି ନୌକାରେ ଉଠିଲେ । ଅନ୍ୟ ଏକ ନୌକାରେ ୨୫ ଜଣ ଅସ୍ତ୍ରଧାରୀ ସୈନିକ ବସିଲେ । ସେମାନେ ମହାନଦୀରେ ଯାତ୍ରା ଆରମ୍ଭ କରିବାମାତ୍ରକେ ମଦନ ଅଟ୍ଟାଳିକାକୁ ବାହୁଡ଼ିଲେ । ଖୋରଧାର ରାମଚନ୍ଦ୍ରଦେବଙ୍କ ନିକଟକୁ ମନ୍ଦିରଭଙ୍ଗା ଷଡ଼ଯନ୍ତ୍ରର ଖବର ପଠାଇ, ଦେବାନ ଗୋପାଳଙ୍କ ଅନୁସନ୍ଧାନରେ ବାହାରି ପଡ଼ିଲେ ।

 

ସାରଥୀଗଡ଼ ରାଜା କୃଷ୍ଣଚନ୍ଦ୍ରଙ୍କର ଅଧିକାରରେ ଥିଲା । ସେଠା ପ୍ରଜାମାନେ ରାଜାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ । ସେ ଦିନ ସାରଥୀ ଗଡ଼ରେ ଉପନୀତ ହେବାବେଳକୁ ରାତ୍ରି ହୋଇଯାଇଥିଲା । ରାଣୀ ସେହି ରାତ୍ରି କୌଣସି କାର୍ଯ୍ୟ କରି ପାରିଲେ ନାହିଁ । ପରଦିନ ପ୍ରଭାତରେ ସେ ଗଡ଼ର ପ୍ରଧାନ କର୍ମଚାରୀଙ୍କୁ ଡକାଇ କହିଲେ,–‘ମୋର ବର୍ତ୍ତମାନ ପାଞ୍ଚ ହଜାର ସୈନ୍ୟ ଦରକାର ।’ କର୍ମଚାରୀ ବିନୀତ ଭାବରେ ଜଣାଇଲେ ଯେ, ଦିନକ ମଧ୍ୟରେ ପାଞ୍ଚ ସହସ୍ର ସୈନ୍ୟ ସଂଗ୍ରହ କରିବା ଅସମ୍ଭବ, ଅନ୍ତତଃ ଦଶ ଦିନ ଆବଶ୍ୟକ ।

 

ରାଣୀ : ଆଗାମୀ କାଲି ସନ୍ଧ୍ୟା ପୂର୍ବେ କେତେ ସୈନ୍ୟ ଯୋଗାଡ଼ କରାଯାଇପାରିବ ?

 

କର୍ମଚାରୀ : ସାତ ଶତ ।

 

ରାଣୀ : ଉତ୍ତମ । ଏହି ୭୦୦ ସିପାହିଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ କର । ଏହା ଛଡ଼ା ପାଞ୍ଚ ସାତ ହଜାର ଲାଠିସୈନ୍ୟ ସଂଗ୍ରହ କରିବାକୁ ହେବ ।

 

କର୍ମଚାରୀ : ଏ ସମସ୍ତ ଆୟୋଜନର ଉଦ୍ଦେଶ୍ୟ କ’ଣ ମା ?

 

ରାଣୀ ତାଙ୍କୁ ଉଦ୍ଦେଶ୍ୟ ବୁଝାଇ ଦେଇ କହିଲେ,–‘ବର୍ତ୍ତମାନ ପ୍ରଜାମାନେ ଏଠାରେ ସମବେତ ହୁଅନ୍ତୁ ।’

 

ଗଡ଼ର ପ୍ରଧାନ କର୍ମଚାରୀ ଜନୈକ ଶିକ୍ଷିତ ପ୍ରହରୀକୁ ଇଙ୍ଗିତ କରିବାମାତ୍ରେ ସେ ତାଙ୍କର ଆଦେଶ ପାଳନ କଲା । ଅନତି ବିଳମ୍ବେ ଗଡ଼ର ବାଳକ, ଯୁବକ, ପ୍ରୌଢ଼ ସମସ୍ତେ ଆସି ରାଣୀଙ୍କ ସମ୍ମୁଖରେ ଆଭୂମି ପ୍ରଣତ ହୋଇ ଠିଆ ହେଲେ । ଗମ୍ଭୀର କଣ୍ଠରେ ରାଣୀ କହିଲେ,–‘ହିତୈଷୀ ବନ୍ଧୁଗଣ ! ଆଜି ତୁମମାନଙ୍କୁ ନିମନ୍ତ୍ରଣ କରୁଅଛି ଦେଶ-ଶତ୍ରୁର ଶୋଣିତପାନ ନିମନ୍ତେ, ଆହ୍ୱାନ କରୁଅଛି ମାତୃପୂଜା ସକାଶେ । କହ ସମସ୍ତେ ଦୃଢ଼ ହୃଦୟରେ, ଦୃଢ଼ କଣ୍ଠରେ ଜନନୀଙ୍କୁ ଉଦ୍ଧାର କରିବାକୁ ତୁମେମାନେ ସ୍ଥିରପ୍ରତିଜ୍ଞ କି ନା ।’ ଗୁରୁଗମ୍ଭୀର ଭାବରେ ସମସ୍ଵରରେ ସମବେତ ପ୍ରଜାଗଣ କହିଲେ,–‘ସ୍ଥିରପ୍ରତିଜ୍ଞ ।’

 

ରାଣୀ : ଜନନୀ ଜନ୍ମଭୂମି ରକ୍ଷାରେ ପ୍ରାଣ ଦେବ ତ ?

 

ସମସ୍ତେ : ଦେବୁ ।

 

ରାଣୀ : ଜୀବିତ ଦେହରେ ରଣସ୍ଥଳ ତ୍ୟାଗ କରିବ ନାହିଁ ?

 

ସମସ୍ତେ : କଦାପି ନୁହେଁ ।

 

ରାଣୀ : ସର୍ବଜନ ସମକ୍ଷରେ ଜଗନ୍ନାଥ ଦେବଙ୍କ ନାମରେ ଶପଥ କର, ଜୀବନ ଥାଉ ଥାଉ ଅସ୍ତ୍ର ତ୍ୟାଗ କରିବ ନାହିଁ ।

 

ସମସ୍ତେ : ଶପଥ କରୁଛୁ ରାଣୀ !

 

ରାଣୀ : ବେଶ୍ । ତୁମମାନଙ୍କୁ ମାତୃସେବା, ଧର୍ମରକ୍ଷା କାର୍ଯ୍ୟରେ ନିଯୁକ୍ତ କରୁଅଛି । ଆଶୀର୍ବାଦ କରେ, ତୁମମାନଙ୍କର ଏହି ଅଟଳ ସଂକଳ୍ପର ସଂଘାତରେ ଚୂର୍ଣ୍ଣ ହେଉ ଶତ୍ରୁର ଦୁରାଶା, ଦଳିତ ହେଉ ପାଷଣ୍ଡ ତକିଖାଁର ଗର୍ବ । ବର୍ତ୍ତମାନ ଚାଲ ପୁରୀ ମନ୍ଦିରକୁ ।

 

ରାଣୀ ପୂର୍ବୋକ୍ତ ଶପଥ କରାଇ ସାରଥୀ ଗଡ଼ର ପ୍ରୌଢ଼, ଯୁବକ ଓ ବାଳକଗଣଙ୍କୁ ସୈନ୍ୟଶ୍ରେଣୀଭୁକ୍ତ କଲେ । ସେମାନଙ୍କର ଅପୂର୍ବ ଉତ୍ସାହ ଦେଖି କମଳସୁନ୍ଦରୀଙ୍କ ହୃଦୟ ଉଚ୍ଛ୍ୱସିତ ହୋଇ ଉଠିଲା । ସେ ଆସନରୁ ଉଠିବାକୁ ଉଦ୍ୟତ ହୋଇ ଅଛନ୍ତି, ଏହି ସମୟରେ ଅଶୀତି ବର୍ଷର ଜଣେ ବୃଦ୍ଧ କରଯଷ୍ଟି ସାହାଯ୍ୟରେ ସମସ୍ତ ଶକ୍ତି ବିନିଯୋଗ କରି ଦ୍ରୁତ ପଦରେ ରାଣୀଙ୍କର ସମ୍ମୁଖୀନ ହୋଇ କହିଲା,–‘ଏହି ବୃଦ୍ଧ ବ୍ରାହ୍ମଣଙ୍କୁ ଭୁଲି ଯାଅ ନାହିଁ ରାଣୀ । ଶିଥିଳ ଦୃଷ୍ଟି, ଶିଥିଳ ମୁଷ୍ଟି, ଶିଥିଳ ସକଳ ଗ୍ରନ୍ଥି । ଅଥଚ ତୁମର ଉତ୍ସାହ-ବାଣୀ ମୋ ଦେହରେ, ହୃଦୟରେ ଗୋଟିଏ ନବୀନ ଶକ୍ତି ଓ ସାହସର ସ୍ରୋତ ଖେଳାଇ ଦେଲା । ହେ ଜଗଜ୍ଜନନୀରୂପିଣୀ ରାଣୀ, ଯଦି ଏହି ବୃକ୍ଷର ଏହି ପକ୍ଵ କେତେ ଖଣ୍ଡ ଅସ୍ଥିରେ ଦେଶର କୌଣସି ମଙ୍ଗଳ କାର୍ଯ୍ୟ, କୌଣସି ପ୍ରୟୋଜନ ସାଧିତ ହୁଏ, ଅକାତର ଚିତ୍ତରେ ପ୍ରଫୁଲ୍ଲ ପ୍ରାଣରେ ତାହା ଅର୍ପଣ କରିବାକୁ ପ୍ରସ୍ତୁତ ଅଛି । ପୁରାକାଳରେ ବ୍ରାହ୍ମଣ ଦଧୀଚି ଦେବଗଣଙ୍କର ମଙ୍ଗଳ ନିମନ୍ତେ ନିଜ ଅସ୍ଥି ଦେଇଥିଲେ; ସେଥିରେ ନିର୍ମିତ ହୋଇଥିଲା ଦେବରାଜ ଇନ୍ଦ୍ରଙ୍କର ଶ୍ରେଷ୍ଠ ପ୍ରହରଣ, ବଜ୍ର ଏବଂ ସେଇ ବଜ୍ରରେ ହୋଇଥିଲା ତ୍ରିଭୁବନବିଜୟୀ ମହା ଦାନବ ନିହତ । ଦେବବନ୍ଦିତ ବ୍ରାହ୍ମଣ ନିକଟରେ ଦିନେ ଶମନ ମଧ୍ୟ ନତ କରିଥିଲା ତାହାର ଚିର ଗର୍ବୋନ୍ନତ ଶିର । ଏହି ବ୍ରାହ୍ମଣର ଆଦେଶରେ ଯମକୁବି ତାହାର କଠୋର, କଠିନ ବିଧି ପରିବର୍ତ୍ତିତ କରିବାକୁ ହୋଇଥିଲା । ଏହି ବ୍ରାହ୍ମଣର ଅଭିଶାପରେ ସ୍ୱର୍ଗାଧିପତି ଇନ୍ଦ୍ର ଆଜି ସହସ୍ରଲୋଚନ । ବ୍ରାହ୍ମଣର ପଦଚିହ୍ନ ସ୍ୱୟଂ ନାରାୟଣ ବକ୍ଷରେ ଧାରଣ କରିଥିଲେ । ବ୍ରାହ୍ମଣର ବାକ୍ୟରେ ଶତ ରାଜ୍ୟ ଧ୍ୱଂସ ହୋଇଅଛି, ଶତ ରାଜ୍ୟ ପୁଣି ଅପୂର୍ବ ସୌନ୍ଦର୍ଯ୍ୟରେ ଗଠିତ ହୋଇଅଛି-। ଏଇ କଳିଯୁଗରେ ମଧ୍ୟ ବ୍ରାହ୍ମଣ ଚାଣକ୍ୟଙ୍କ ଜ୍ୱଳନ୍ତ ପ୍ରତିହିଂସାରେ ଅଜେୟ ନନ୍ଦବଂଶ ଧ୍ୱଂସ ହୋଇଅଛି । ବ୍ରାହ୍ମଣର ରୋଷାଗ୍ନି ଭସ୍ମ କରି ଦେଇପାରେ ଶତ ଅତ୍ୟାଚାର, ଧ୍ୱଂସ କରି ଦେଇପାରେ ସହସ୍ର ସିଂହାସନ । ଆଜିକାଲି ଅବଶ୍ୟ ବ୍ରାହ୍ମଣର ଅସ୍ଥିରେ, ଚକ୍ଷୁରେ ସେଇ ଅନଳ, ସେଇ ଶକ୍ତି ନାହିଁ । ତଥାପି ଯଦି ମୋ ଅସ୍ଥିରେ ତୁମର ଅସ୍ତ୍ରହୀନ ସୈନ୍ୟର ଯଷ୍ଟି ହୋଇପାରେ, ତାହାହେଲେ କହ ରାଣୀ–ନିଜ ଇଚ୍ଛାରେ ଉତ୍‍ଫୁଲ୍ଲ ହୃଦୟରେ ମୁଁ ତାହା ମାତୃପାଦପଦ୍ମରେ ଅର୍ପଣ କରୁଛି ।’

 

ବୃଦ୍ଧ ବ୍ରାହ୍ମଣଙ୍କର ଅଗ୍ନିଗର୍ଭ ବାକ୍ୟରେ ରାଣୀଙ୍କ ହୃଦୟ ଏକ ନବ ଭାବାବେଶରେ, ନବୀନ ଆଶାର ଝଙ୍କାରରେ ଝଙ୍କୃତ, ସ୍ପନ୍ଦିତ ହୋଇ ଉଠିଲା । ଅଧୀରାବେଗରେ ରାଣୀ ନିଜ ଆସନରୁ ଉଠି ଉଚ୍ଛ୍ୱାସ ଉଦ୍‍ବେଳିତ କଣ୍ଠରେ କହିଲେ,–‘ହେ ମାନବପୂଜ୍ୟ ଦେବତାବନ୍ଦିତ ବ୍ରାହ୍ମଣ-! ଏହି ମହତ୍ ତ୍ୟାଗ ମହାନ୍ ବାକ୍ୟ ଗୋଟିଏ ନବ ପ୍ରେରଣାର ସୃଷ୍ଟି କରି ମୋର ଉତ୍ସାହ ବଢ଼ାଇଦେଲା, ମୋ ଚକ୍ଷୁରେ ନବୀନାଲୋକ ଜାଳିଦେଲା । ଆପଣଙ୍କର ପଦଧୂଳି ମୋର ଅସ୍ତ୍ର, ଆପଣଙ୍କର ଆଶୀର୍ବାଦହିଁ ମୋର ଶକ୍ତି ।’

 

ବୃଦ୍ଧ : ତାହାହେଲେ ହେ ରାଣୀ, ଓଡ଼ିଶାର ଆଦର୍ଶରମଣି, ହେ ବୀରାଙ୍ଗନା ! ଆଶୀର୍ବାଦ କରୁଛି–ଜୟ-ଶ୍ରୀ-ଟିକା ଅଙ୍କିତ ହେଉ ତୁମ ଲଲାଟରେ, ଶତଦଳ ପ୍ରସ୍ଫୁଟିତ ହେଉ ତୁମର ଚରଣସ୍ପର୍ଶରେ । ଧର୍ମର ଜୟ, ଅଧର୍ମର ପତନ ହେଉ ।

 

ପରେ ସୈନ୍ୟଶ୍ରେଣୀଭୁକ୍ତ ପ୍ରଜାଗଣ ପୁରୀ ଯାତ୍ରାପାଇଁ ପ୍ରସ୍ତୁତ ହେଲେ ।

Image

 

Unknown

ପୁରୀ-ମନ୍ଦିର-ଦୁର୍ଦ୍ଦଶା

 

ବିନୋଦବିହାରୀ ତିନି ଶତ ଅଶ୍ଵାରୋହୀ ସୈନ୍ୟ ନେଇ ଅପରାହ୍ନରେ ପୁରୀ ଯାତ୍ରା କଲେ । ଆଉ କେତେକ ସୈନ୍ୟ ଭୁବନେଶ୍ୱର ମନ୍ଦିର ଭାଙ୍ଗିବା ଅଭିପ୍ରାୟରେ ପ୍ରେରିତ ହେଲେ । ଏଣେ ଖୋରଧାର ରାଜା ଦ୍ଵିତୀୟ ରାମଚନ୍ଦ୍ରଦେବ ରାଜା କୃଷ୍ଣଚନ୍ଦ୍ରଙ୍କ ସାହାଯ୍ୟାର୍ଥ ପୁରୀକୁ ଆଗେ ସୈନ୍ୟ ପଠାଇଦେଇ, ନିଜେ ଅଳ୍ପ କେତେକ ଜଣ ଶସ୍ତ୍ରସଜ୍ଜିତ ଅନୁଚରଙ୍କ ସଙ୍ଗେ ପଛେ ପଛେ ପୁରୀ ଅଭିମୁଖରେ ଯାତ୍ରା କଲେ । ପୁରୀ ମନ୍ଦିର ଉପରେ ମୁସଲମାନର ଅତ୍ୟାଚାର ହେବାର ଶୁଣିବାମାତ୍ରକେ ଜଗନ୍ନାଥ ଭକ୍ତ, ଧର୍ମପରାୟଣ ରାମଚନ୍ଦ୍ରଦେବ କ୍ରୋଧ ଓ ଅପମାନରେ ଆତ୍ମବିସ୍ମୃତ ହୋଇଯାନ୍ତି । ବର୍ତ୍ତମାନ ଜଗନ୍ନାଥ ମନ୍ଦିରାକ୍ରମଣ ଭିନ୍ନ ରାଜାଙ୍କ ବିଦ୍ରୋହର ଅନ୍ୟ କାରଣ ଯେ ନଥିଲା, ଏହା ନୁହେଁ । ସେତେବେଳେ ମୋଗଲ ସାମ୍ରାଜ୍ୟର କ୍ରମିକ ପତନ ସଙ୍ଗେ ହାଇଦରାବାଦର ସ୍ୱାଧୀନ ରାଜଶକ୍ତି ପ୍ରତିଷ୍ଠିତ ହୋଇଥିଲା । ପ୍ରଭାବଶାଳୀ, ପ୍ରବଳପରାକ୍ରାନ୍ତ ହାଇଦରାବାଦ ନିଜାମ ରାମଚନ୍ଦ୍ରଦେବଙ୍କ ରାଜ୍ୟର ଦକ୍ଷିଣାଂଶ–ଟିକାଲି ରଘୁନାଥପୁର ଠାରୁ ଚିଲିକା ହ୍ରଦ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲା-ଅଧିକାର କରିନେଲେ । ଏହି ଅବସ୍ଥାରେ ଓଡ଼ିଶା-ସୁବାଦାର ଖୋରଧା ରାଜାଙ୍କୁ ଆଦୌ ସାହାଯ୍ୟ କଲେ ନାହିଁ । ତକିଖାଁଙ୍କର ପ୍ରବଳ ଅତ୍ୟାଚାର ଏବଂ ସୁବାଦାରଙ୍କର ଅସୁଖପ୍ରଦ ଉଦାସୀନତା ସହ୍ୟ କରି ନପାରି ରାଜା ସ୍ୱୟଂ, ତାଙ୍କର ସମସ୍ତ ପ୍ରଜା ଓ ସାମନ୍ତବର୍ଗ ଉପସ୍ଥିତ ବିଦ୍ରୋହରେ ଯୋଗ ଦେଲେ ।

 

ବିନୋଦ ସେ ଦିନ ପୁରୀରେ ଉପନୀତ ହୋଇପାରିଲେ ନାହିଁ–ମାର୍ଗ ମଧ୍ୟରେ ଗୋଟିଏ ଜଙ୍ଗଲାଚ୍ଛନ୍ନ ସ୍ଥାନରେ ଶିବିର ସଂସ୍ଥାପନ କରି ରାତ୍ରି ଅତିବାହିତ କଲେ । ପର ଦିନ ପ୍ରାତଃକାଳରେ ଶିବିର ଉଠାଇ ପୁଣି ଯାତ୍ରା କରିବାକୁ ସମୁଦ୍ୟତ ହୋଇଅଛନ୍ତି, ଏପରି ସମୟରେ ବିନୋଦ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ, କେତୋଟି ଅଶ୍ୱ ଏକାବେଳକେ ଅକର୍ମଣ୍ୟ, ଚଳତ୍ ଶକ୍ତିଶୂନ୍ୟ ହୋଇ ପଡ଼ିଛନ୍ତି । ଏହି ଅକର୍ମଣ୍ୟତା ସ୍ଵାଭାବିକରୂପେ ସଂଘଟିତ ହୋଇନାହିଁ । କେହି ରାତ୍ରିବେଳେ ଅନ୍ଧକାରର ସୁଯୋଗ ପାଇ ଗୁପ୍ତ ଭାବରେ ଅଶ୍ଵମାନଙ୍କର ପାଦ କାଟି ପକାଇଛି । ବିନୋଦ ପ୍ରମାଦ ଗଣିଲେ–ତାଙ୍କ ପ୍ରାଣରେ ଆଶଙ୍କା ଓ ଦୁଃଖର ଗୋଟିଏ ନିବିଡ଼ ଛାୟା ଯୁଗପତ୍ ଆସି ପଡ଼ିଗଲା ।

 

ଅଶ୍ୱସକଳ କାହାଦ୍ୱାରା ଏପରି ଆହତ, ଗତିଶୂନ୍ୟ ହୋଇ ପଡ଼ିଲେ, ତାହା ଜାଣିବାପାଇଁ ପାଠକପାଠିକାଗଣ କୌତୂହଳୀ ହୋଇପାରନ୍ତି, ହେବା ବିଚିତ୍ର ନୁହେଁ ମଧ୍ୟ । ବିନୋଦଙ୍କ ସୈନ୍ୟ ସଙ୍ଗେ ଚାତୁରୀ-କୁଶଳ ଚଇତବି ଯାଇଥିଲା ବୋଲି କହିଲେ ସେମାନଙ୍କର କୌତୁହଳ ବୋଧହୁଏ ସ୍ଵଭାବତଃ ଦୂର ହେବ । ଅଶ୍ଵମାନଙ୍କର ଅକର୍ମଣ୍ୟତା ଦେଖି ଚଇତ ମନେ ମନେ ହସିଲା, ଭାବିଲା,–‘ଆଜି ଘୋଡ଼ାମାନଙ୍କୁ ଆହତ କରିଅଛି; କାଲି ହୁଏତ ସୈନିକମାନଙ୍କୁବି ଏହି ଅବସ୍ଥାରେ ନେଇ ପକାଇବି । ଯେପରି ହେଉ ବିନୋଦକୁ ଦୁଇ ଦିନ ପଥରେ ଅଟକାଇ ରଖିପାରିଲେ ହେଲା । ଏହି ଅବସରରେ ରାଣୀ କମଳସୁନ୍ଦରୀ କ’ଣ ରାଜାଙ୍କୁ ସାହାଯ୍ୟ କରିପାରିବେ ନାହିଁ ? ନିଶ୍ଚୟ କରିପାରିବେ । ଦେଖାଯାଉ କ’ଣ ହେଉଛି ।’

 

ଚଇତ ମିଥ୍ୟା ଭୟର ଅଭିନୟ କରି ବିନୋଦବିହାରୀଙ୍କୁ କହିଲା ଯେ, ରାଜା କୃଷ୍ଣଚନ୍ଦ୍ର ନିକଟରେ ଲୁଚି ବୋଧହୁଏ ଏ କାଣ୍ଡ ଘଟାଇଛନ୍ତି । ରାଜାଙ୍କର ନାମ ଶୁଣି ବିନୋଦଙ୍କ ହୃଦୟ ଆତଙ୍କରେ ଥରହର ହୋଇଗଲା । ଚତୁର୍ଦ୍ଦିଗରେ ଚର ପଠାଇ ଅନୁସନ୍ଧାନ କଲେ; ରାଜାଙ୍କର କିନ୍ତୁ କୌଣସି ସନ୍ଧାନ, ସମ୍ବାଦ ମିଳିଲା ନାହିଁ । ଘୋଟକାଭାବରେ ସେ ଆଉ ଅଗ୍ରସର ହୋଇ ନ ପାରି କଟକକୁ ଲୋକ ପଠାଇଲେ । ଏହି ବିରକ୍ତଜନକ ସମ୍ବାଦ ପ୍ରାପ୍ତ ହୋଇ ତକିଖାଁ ବିବ୍ରତ, ବିଚଳିତ ହୋଇ ଉଠିଲେ । କିନ୍ତୁ ଉପାୟାନ୍ତର ନ ଦେଖି ଆଉ କେତେକ ଅଶ୍ୱ ପଠାଇଲେ । ଜନୈକ ସେନାପତିଙ୍କ ସଙ୍ଗେ ଏକ ଶତ ଅଶ୍ଵାରୋହୀ ପ୍ରେରଣ କରି ତାଙ୍କୁ ଉଗ୍ର ଭାବରେ କହିଲେ,–‘ଶୁଣା ଯାଉଛି, ଖୋରଧାର ରାମଚନ୍ଦ୍ର ଦେବ କୃଷ୍ଣଚନ୍ଦ୍ରଙ୍କ ସାହାଯ୍ୟାର୍ଥ ଯାଉଅଛି । ମାର୍ଗରେ ଯେପରି ହେଉ ତାହାକୁ ହଟାଇ, ବାନ୍ଧି ଏଠାକୁ ଗୁପ୍ତ ଭାବରେ ଧରି ଆଣ । ଏତେବେଳେ ତାହାକୁ ବନ୍ଦୀ ନ କଲେ ଆଉ ରକ୍ଷା ନାହିଁ–ଆମର ସକଳ ଚେଷ୍ଟା, ପରିଶ୍ରମ ବ୍ୟର୍ଥ ହେବ ।’

 

ସେନାପତି ତକିଖାଁଙ୍କର କଠୋର ଆଦେଶ ଶିରୋଧାର୍ଯ୍ୟ କରି ସସୈନ୍ୟ ପୁରୀ ପ୍ରତି ଅଗ୍ରସର ହେବାକୁ ଲାଗିଲେ । ସେମାନେ ବିନୋଦଙ୍କ ସଙ୍ଗେ ମିଳିତ ହେବାବେଳକୁ ସନ୍ଧ୍ୟା ହୋଇ ଯାଇଥିଲା । ସେଠାରେ ସଶସ୍ତ୍ର ଅନୁଚରବେଷ୍ଟିତ ରାମଚନ୍ଦ୍ର ଦେବଙ୍କ ସହିତ ପଠାଣସେନାର ଦେଖାହେଲା । ଦୁଇ ଦଳ ମଧ୍ୟରେ ଯୁଦ୍ଧ ଚାଲିଲା । ଆଗେ ଅନେକ ସୈନିକ ଚାଲି ଯାଇଛନ୍ତି, ରାମଚନ୍ଦ୍ରଙ୍କ ନିକଟରେ ଅଳ୍ପ ସଂଖ୍ୟକ ମାତ୍ର ଅନୁଚର ଅଛନ୍ତି–ପାରିଲେ ନାହିଁ । ସେନାପତି ରାମଚନ୍ଦ୍ର ଦେବଙ୍କୁ ଶୃଙ୍ଖଳାବଦ୍ଧ କରି କଟକକୁ ପ୍ରତ୍ୟାବୃତ୍ତ ହେଲେ । ଖୋରଧା ରାଜା ସୁବାଦାରଙ୍କ ଅଜ୍ଞାତସାରରେ କଟକ ଦୁର୍ଗରେ କାରାରୁଦ୍ଧ ହୋଇ ରହିଲେ । ଏ କଥାକୁ ନେଇ ଖୋରଧାରେ ମହା ହୁଲସ୍ତୁଲ ପଡ଼ିଗଲା–ହିନ୍ଦୁମାନେ ଅଧିକ ଉତ୍ତ୍ୟକ୍ତ, ଉତ୍ତେଜିତ ହୋଇ ଉଠିଲେ । ଦୁରାତ୍ମା ତକିଖାଁଙ୍କର ସୈନ୍ୟ ଭୁବନେଶ୍ୱର ଆକ୍ରମଣ କରି ଶିଶୁପାଳ ଗଡ଼ ଭାଙ୍ଗି ପକାଇଲେ । ଧଉଳୀଗଡ଼ ଓ ରଥୀପୁର ଆକ୍ରମଣ କରିବା ନିମନ୍ତେ ତକିଖାଁ ଆଉ କେତେକ ସୈନ୍ୟ ପ୍ରେରଣ କଲେ । ଖୋରଧା ନିକଟବର୍ତ୍ତୀ ଗଙ୍ଗପଡ଼ା ଠାରେ ପଠାଣ ସେନା ଓ ଖୋରଧାର ସାମନ୍ତ ରାଜାମାନଙ୍କ ମଧ୍ୟରେ ଭୀଷଣ ସଂଗ୍ରାମ ସଂଘଟିତ ହେଲା । ସାମନ୍ତବର୍ଗ କିନ୍ତୁ ପରାସ୍ତ ହେଲେ । ବିପଦରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ରାମଚନ୍ଦ୍ର ଦେବଙ୍କର ପରିବାର ଗଞ୍ଜାମର କୋଦଳାରେ ଯାଇ ଅବସ୍ଥାନ କଲେ । ରାଜା ବନ୍ଦୀ ହେବାରୁ ଏବଂ ତକିଖାଁଙ୍କର ଅତ୍ୟାଚାର ନିତାନ୍ତ ଅସହ୍ୟ ହୋଇ ଉଠିବାରୁ, ଖୋରଧାର ପ୍ରଜାମାନେ ରାଜସ୍ୱ ଦେବାର ବନ୍ଦ କରିଦେଲେ; ଫଳତଃ ସୁବାଦାରଙ୍କ ରାଜସ୍ୱର ବିସ୍ତର କ୍ଷତି ଘଟିଲା । ଖୋରଧାବାସୀଙ୍କୁ ଦମନ କରିବା ଉଦ୍ଦେଶ୍ୟରେ, ଖୋରଧାକୁ ୨୨ ଗୋଟି ଥାନାରେ ବିଭକ୍ତ କରି ପ୍ରତ୍ୟେକ ବିଭାଗରେ ଶୁଶିକ୍ଷିତ ମୁସଲମାନ ସୈନ୍ୟ ରଖାଇବା କାରଣ ତକିଖାଁ ସୁବାଦାରଙ୍କୁ କହିଲେ ।

 

ସମଗ୍ର ହିନ୍ଦୁ ଭାରତର ମହାଗୌରବସ୍ଥଳୀ, ସର୍ବପ୍ରଧାନ ତୀର୍ଥକ୍ଷେତ୍ର, ପୁରାଣ-ପ୍ରସିଦ୍ଧ ଇତିହାସ-ବିଶ୍ରୁତ ପବିତ୍ର ଦେବଭୂମି ପୁରୀର ଶ୍ରେଷ୍ଠତ୍ଵ ସମ୍ବନ୍ଧରେ ଓଡ଼ିଆ ଜାତିକୁ ନୂଆ କରି ବୁଝାଇବା ନିଷ୍ପ୍ରୟୋଜନ । ପୁରୀହିଁ ଓଡ଼ିଆଜାତିର ଧର୍ମ-ବିଭବ, ଉତ୍କଳର ଗର୍ବ ଓ ଗୌରବର ଜିନିଷ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆର୍ଯ୍ୟ-ସଭ୍ୟତାର ଆବିର୍ଭାବ, ଅଭ୍ୟୁତ୍‍ଥାନ ହେବା ଦିନୁ ସାରା ଭାରତରେ ଉତ୍କଳ ପବିତ୍ର ପ୍ରଦେଶରୂପେ ପ୍ରାଧାନ୍ୟ ଲାଭ କରିଅଛି–ପୁରାଣାଦିରେ ‘ପୁଣ୍ୟଦେଶ’ ନାମରେ ବିଖ୍ୟାତ ହୋଇଅଛି । ହିନ୍ଦୁଜାତିର ଦେବାଧିଦେବ ସ୍ୱୟଂ ଜଗନ୍ନାଥ ଉତ୍କଳକୁ ଜଗତ ଆଗରେ ବଡ଼ କରି ରଖିଛନ୍ତି, ଦେଶର ପୁଣ୍ୟଭୂମି କରି ରଖିଛନ୍ତି । ଚକ୍ରତୀର୍ଥ, ଶଙ୍ଖକ୍ଷେତ୍ର, କୋଣାର୍କ, ପଦ୍ମକ୍ଷେତ୍ର, ଗଦାକ୍ଷେତ୍ର, ଏକାମ୍ରକାନନ, ବିରଜା, ବୈତରଣୀ, ଚିତ୍ରୋତ୍ପଳା, ପ୍ରାଚୀ ପ୍ରଭୃତି ପବିତ୍ର କ୍ଷେତ୍ର ଓ ତୀର୍ଥ ଯୋଗେ ଉତ୍କଳ ଆବାହମାନକାଳରୁ ଭାରତର ଯେ ପୂଜା, ଆଦର ପାଇ ଆସୁଅଛି, ଏହା କହିବା ବାହୁଲ୍ୟ ମାତ୍ର ! ହିନ୍ଦୁ ଜାତିର ଚତୁର୍ଧାମ ମଧ୍ୟରେ ପୁରୀ ସର୍ବୋତ୍କୃଷ୍ଟ । ଉତ୍କଳର ଏହି ପବିତ୍ରତା, ପ୍ରାଧାନ୍ୟହିଁ ଭାରତର ପ୍ରଧାନ ପ୍ରଧାନ ଧର୍ମରଥୀମାନଙ୍କୁ ନିଜ କୋଳକୁ ଟାଣି ଆଣିଥିଲା–ବିଭିନ୍ନ ସମ୍ପ୍ରଦାୟର ଆଧ୍ୟାତ୍ମିକ ବୀର, ସାଧକ, ଭକ୍ତମାନଙ୍କୁ ନିଜର ପୂତ ବକ୍ଷରେ ଆଶ୍ରୟ ଦେଇଥିଲା । ପୁରୀରେ ଶ୍ରୀ ଶଙ୍କରାଚାର୍ଯ୍ୟ, ଶ୍ରୀ ରାମାନୁଜ, ଶ୍ରୀ ଜଗନ୍ନାଥ ଦାସ ପ୍ରଭୃତି ସିଦ୍ଧ ସାଧକମାନଙ୍କର ପୀଠସକଳ ଆଜିସୁଦ୍ଧା ପୂର୍ବ ଗୌରବର ମୂକସାକ୍ଷୀରୂପେ, ପ୍ରାଚୀନ ପୁଣ୍ୟବୈଭବର ସ୍ମାରକରୂପେ ବିରାଜିତ । ପୁରୀ ଥିଲା ଶ୍ରୀ ଚୈତନ୍ୟ, ହରନାଥ ପ୍ରମୁଖ ମହାତ୍ମାଙ୍କର ପ୍ରଧାନ ଆଶ୍ରୟଭୂମି, ଲୀଳାସ୍ଥଳୀ । ଏମାନଙ୍କ ଭିନ୍ନ ଉତ୍କଳ କେତେ ଯେ ସିଦ୍ଧତପା, ଯୋଗୀ, ଋଷିଙ୍କୁ ଆଶ୍ରୟ ଦେଇ ପରମ ପବିତ୍ର ହୋଇପାରିଅଛି, ତାହା କହି ବା ଲେଖି ଶେଷ କରାଯାଇପାରିବ ନାହିଁ-

 

ଉତ୍କଟ ଧନଲୋଭରେ ଅନ୍ଧ ହୋଇ, କୁତ୍ସିତ ହିନ୍ଦୁଦ୍ଵେଷରେ ମତ୍ତ ହୋଇ ଯବନଜାତି କିପରି ବାରମ୍ବାର ପୁରୀ ଆକ୍ରମଣ କରିଥିଲା, ମନ୍ଦିର-ଧ୍ୱଂସ-ପ୍ରୟାସ ଓ ଦେବପ୍ରତିମା–ଭଗ୍ନୋଦ୍ୟମ କରିଥିଲା ଏବଂ ତଦ୍ଦ୍ୱାରା ହିନ୍ଦୁ ଜଗତରେ କିପରି ଆତଙ୍କ ଉପସ୍ଥିତ ହୋଇଥିଲା, ହିନ୍ଦୁପ୍ରାଣରେ ବିଷମ ଆଘାତ ଲାଗିଥିଲା, ଏଠାରେ ତହିଁର ସଂକ୍ଷିପ୍ତ ଆଲୋଚନା କରାଯାଉଅଛି । ପ୍ରଧାନ ପ୍ରଧାନ ସ୍ଥାନ ଆକ୍ରମଣ ଓ ଅଧିକାର କରିବା ସେତେବେଳେ ଓଡ଼ିଶାର ପ୍ରାୟ ସକଳ ପଠାଣ ଶାସକଙ୍କର ପ୍ରଧାନ ଲକ୍ଷ୍ୟ ଥିଲା–ଆହୁରି ଲକ୍ଷ୍ୟ ଥିଲା, ହିନ୍ଦୁ ଦେବଦେବୀଙ୍କୁ ଅପମାନ ଦେବା, ହିନ୍ଦୁ ଦେବମନ୍ଦିର ଭାଙ୍ଗିବା, ଦେବତାଙ୍କର ପ୍ରଧାନତଃ ଜଗନ୍ନାଥଦେବଙ୍କର ଧନ ଲୁଣ୍ଠନ, ହରଣ କରିନେବା ଏବଂ ଏହି ଉପାୟରେ ଭାରତସମ୍ରାଟଙ୍କର ଅନୁଗ୍ରହ ଲାଭ କରିବା ।

 

‘‘ଅଇଲା କଳାପାହାଡ଼ ଭାଙ୍ଗିଲା ଲୁହାର ବାଡ଼’’ ଇତ୍ୟାଦି କଥା ଶୁଣିବାମାତ୍ରକେ ଆଜି ସୁଦ୍ଧା କେଉଁ ଓଡ଼ିଆ ଶିଶୁ ଭୟରେ କମ୍ପି ମାତୃବକ୍ଷ ଭିଡ଼ି ନ ଧରେ ? ବ୍ରାହ୍ମଣ-କୁଳ-ଧୂମକେତୁ କଳାପାହାଡ଼ର ଜଘନ୍ୟ ହିନ୍ଦୁ ବିଦ୍ୱେଷ, ଦୌରାତ୍ମ୍ୟ ଉତ୍କଳବାସୀଙ୍କ ପ୍ରାଣରେ ଯେଉଁ ଆତଙ୍କ ଜନ୍ମାଇଥିଲା, ତାହା ବର୍ଣ୍ଣନ କରିବାକୁ ଗଲେ ଲେଖନୀ ଥରେ, କ୍ଷୋଭରେ ହୃଦୟ ଭାଙ୍ଗି ପଡ଼େ । ପୁରୀର ପଣ୍ଡାମାନେ କଳାପାହାଡ଼ର ଦୁରନ୍ତ ଅଭିପ୍ରାୟ ଆଗରୁ ଜାଣିପାରି ଜଗନ୍ନାଥଦେବଙ୍କୁ ନେଇ ଚିଲିକା ମଧ୍ୟରେ ପାରିକୁଦରେ ଲୁଚାଇ ରଖିଥିଲେ । କଳାପାହାଡ଼ କୌଣସି ପ୍ରକାରେ ପ୍ରତିମା ହସ୍ତଗତ କରି ତାହା ଗଙ୍ଗାକୂଳରେ ନେଇ ପ୍ରଜ୍ୱଳିତ ଚିତାରେ ନିକ୍ଷିପ୍ତ କରିଦେଲା । କିନ୍ତୁ ପରମ ଭକ୍ତ ବିଶାର ମହାନ୍ତି, ପ୍ରତିମା ସମ୍ପୂର୍ଣ୍ଣ ଦଗ୍‍ଧ ନ ହେଉଣୁ, ଗୋପନରେ ଜଗନ୍ନାଥ-ବ୍ରହ୍ମଙ୍କୁ ଉଦ୍ଧାର କରି ପୁରୀକୁ ପ୍ରତ୍ୟାବର୍ତ୍ତନ କଲେ; ପରେ ନୂତନ କଳେବରରେ ଜଗନ୍ନାଥ ପୁଣି ମନ୍ଦିରରେ ପ୍ରତିଷ୍ଠିତ ହେଲେ । ଏହା ଆଜକୁ ପ୍ରାୟ ୩୬୦ ବର୍ଷ ପୂର୍ବର ଲୋମହର୍ଷଣ ଘଟନା ।

 

୧୫୭୫ରେ ପଠାଣମାନେ କୁତୁଲଖାଁଙ୍କ ନେତୃତ୍ୱରେ ପୁରୀ ଆକ୍ରମଣ କରିଥିଲେ । କିନ୍ତୁ ସେହି ସମୟରେ ତୋଦର ମଲ୍ଲ ଓ ମାନସିଂହ ଅପୂର୍ବ ଯତ୍ନ ସହକାରେ ମନ୍ଦିର ରକ୍ଷା କରିଥିଲେ । ଉଦାରମତି ଆକବରଙ୍କ ମୃତ୍ୟୁ ଏବଂ ତୋଦରମଲ୍ଲ ଓ ମାନସିଂହଙ୍କର ପତନ ସଙ୍ଗେ ସଙ୍ଗେ ଅତ୍ୟାଚାରୀ ମୋଗଲ ନାଏବ ସୁବାଦାରମାନଙ୍କର ଲୁଣ୍ଠନ ଓ ଆକ୍ରମଣରେ ନିଷ୍ପେଷିତ ହୋଇ ଓଡ଼ିଆମାନେ ଜଗନ୍ନାଥଦେବଙ୍କୁ ଗିରିକନ୍ଦର ଓ ଏକାନ୍ତରେ ବାରମ୍ବାର ଲୁଚାଇ ରଖିବାକୁ ବାଧ୍ୟ ହୋଇଥିଲେ । ଆକବରଙ୍କ ମୃତ୍ୟୁର ଅବ୍ୟବହିତ ପରେ କଟକ ସୁବାଦାର ମିର୍ଜା ଖୁରମ ପୁରୀ ଆକ୍ରମଣ କରିବାରୁ ତତ୍‍କାଳୀନ ଉତ୍କଳ-ରାଜା ଜଗନ୍ନାଥ-ପ୍ରତିମା ନେଇ ପୁରୀର ଆଠ ମାଇଲ ଦୂରବର୍ତ୍ତୀ କପିଳେଶ୍ୱରପୁରରେ ରଖି ମନ୍ଦିରର ମହତ୍ତ୍ୱ ରକ୍ଷା କରିଥିଲେ । ୧୬୧୫ ସାଲରେ ମନ୍ଦିରାକ୍ରମଣ ଆଶଙ୍କାରେ ଦେବତାପ୍ରାଣ ପଣ୍ଡାମାନେ ଜଗନ୍ନାଥଙ୍କୁ ନେଇ ଚିଲିକାର ମହୀଷାନସୀ ପାହାଡ଼ରେ ରଖିଥିଲେ । ୧୬୧୭ରେ ଯେତେବେଳେ ପୁରୀ ପଠାଣ ସେନାପତି ମକରଖାଁ କର୍ତ୍ତୃକ ଆକ୍ରାନ୍ତ ହେଲା, ସେତେବେଳେ ଜଗନ୍ନାଥ ପୁନର୍ବାର ବାଣପୁର ସୀମାସ୍ଥ ଗଜପଦାକୁ ସ୍ଥାନାନ୍ତରିତ ହୋଇଥିଲେ । ମୋଗଲସମ୍ରାଟପୁତ୍ର ସାଜାହାନ ପିତୃ ବିରୁଦ୍ଧରେ ଖଡ଼୍‍ଗହସ୍ତ ହୋଇ ଓଡ଼ିଶାରେ ଆଶ୍ରୟ ନେବା ସମୟରେ ଖୋରଧାରାଜା ମନ୍ଦିର ପ୍ରତି ଅତ୍ୟାଚାର ହୋଇପାରେ ଏହି ଆଶଙ୍କାରେ ଜଗନ୍ନାଥ ପ୍ରଭୃତି ପ୍ରତିମା ନେଇ ରାଜଧାନୀର ସାକ୍ଷୀଗୋପାଳଙ୍କ ମନ୍ଦିର ମଧ୍ୟରେ ରଖିଥିଲେ । ଭୋଇବଂଶ ରାଜା ଦିବ୍ୟସିଂହ ଦେବଙ୍କ ଶାସନକାଳରେ ପୁରୀ ମନ୍ଦିର ଆଉ ଥରେ ବିପଦଗ୍ରସ୍ତ ହୋଇ ପଡ଼ିଥିଲା । କଟକର ଅର୍ଥଲୋଲୁପ, ହିନ୍ଦୁବିଦ୍ୱେଷୀ ନାଏବ ଏକରାମଖାଁଙ୍କ ଦ୍ୱାରା ପୁରୀ ଦେବାଳୟ ଅବରୁଦ୍ଧ ହେବାରୁ ସତର୍କ ପଣ୍ଡାଦଳ ଜଗନ୍ନାଥ ଦେବଙ୍କର ଦାରୁବ୍ରହ୍ମ ବାହାର କରିନେଇ ବିମଳାମନ୍ଦିର ପୃଷ୍ଠଭାଗରେ ଗୁପ୍ତ କରି ରଖିଥିଲେ ।

 

ବିନୋଦବିହାରୀ ସସୈନ୍ୟ ପୁରୀରେ ପହଞ୍ଚିବାର ପ୍ରାୟ ଦୁଇ ଘଣ୍ଟା ଆଗରୁ ପଣ୍ଡାମାନେ ଭୀତ, ତ୍ରସ୍ତ ହୋଇ ପଡ଼ିଲେ । ହିନ୍ଦୁ ନିକଟରେ ପ୍ରାଣ ଅପେକ୍ଷା ମାନ ମହତ୍ତ୍ୱ, ଧର୍ମ ଓ ଦେବତା ଅଧିକ ମୂଲ୍ୟବାନ୍ । ବିଶେଷତଃ ଓଡ଼ିଆ ଜାତି ଅତିଶୟ ଈଶ୍ୱରପରାୟଣ, ଧର୍ମଭୀରୁ । ପଣ୍ଡାମାନେ ଅତି ଗୋପନରେ ମନ୍ଦିର ମଧ୍ୟରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏତିନି ମୂର୍ତ୍ତିଙ୍କୁ ଅତ୍ୟନ୍ତ ସାବଧାନତା ସହ ବାହାର କରିନେଲେ ଏବଂ ଗଞ୍ଜାମ ଆଠଗଡ଼ର ଗୋଟିଏ ଦେବାଳୟରେ ଅସ୍ଥାୟୀ ଭାବରେ ସ୍ଥାପନ କଲେ । ଆଠଗଡ଼ର ସେହି ମନ୍ଦିର ଅଦ୍ୟାପି ଅଛି ଏବଂ ଏହି ଘଟନାର ସ୍ମାରକସ୍ୱରୂପ ସେହି ମନ୍ଦିର ମଧ୍ୟରେ ତ୍ରିମୂର୍ତ୍ତିଙ୍କର ତିନିଗୋଟି ଶୂନ୍ୟ ଆସନ (ଚକ) ଆଜ ସୁଦ୍ଧା ଦେଖାଯାଏ ।

 

ପୁରୀରେ ସେହି ସମୟରେ ଅଧିକ ସଂଖ୍ୟକ ଓଡ଼ିଆ ବାସ କରୁଥିଲେ । ମୁସଲମାନ ସଂଖ୍ୟାବି କମ୍ ନଥିଲା । ନଗରର ସ୍ଥାନେ ସ୍ଥାନେ ମସ୍‍ଜିଦ ନିର୍ମିତ ହୋଇଥିଲା । ହିନ୍ଦୁ ବା ପଠାଣ କେହି କାହାର ହିଂସା କରନ୍ତି ନାହିଁ–ସମସ୍ତେ ମିଳିମିଶି ପ୍ରଫୁଲ୍ଲ ଅନ୍ତରରେ ଦିନଯାପନ କରନ୍ତି । ବିନୋଦବିହାରୀ ସୈନ୍ୟ ସହିତ ପୁରୀରେ ଉପନୀତ ହେବାକ୍ଷଣି କି ହିନ୍ଦୁ କି ମୁସଲମାନ ସମସ୍ତେ ବିସ୍ମିତ ହୋଇ ବିପଦାଶଙ୍କା କରିବାକୁ ଲାଗିଲେ ।

Image

 

ନାଦୀର ଖାଁ

 

ପୁରୀର ଏକ ପ୍ରାନ୍ତରେ, ସାଗରତୀରରେ ସୁବାଦାରଙ୍କର ଗୋଟିଏ ସୁଦୃଢ଼ ଦୁର୍ଗ ଥିଲା । ଦୁର୍ଗେଶ୍ୱର ନାଦୀର ଖାଁ । ମନୁଷ୍ୟ କୁଳର ଭୂଷଣ । ବାହୁବଳ ଓ ହୃଦୟବଳରେ ସେ ଥିଲେ ପଠାଣଜାତିର ଗୌରବ-ସ୍ଥଳ । ହିନ୍ଦୁ ମୁସଲମାନ ସମସ୍ତେ ତାହାଙ୍କୁ ଭକ୍ତି ଶ୍ରଦ୍ଧା କରୁଥିଲେ । ହୃଦୟବାନ ବ୍ୟକ୍ତିର ଚରଣତଳେ ଶ୍ରଦ୍ଧାଞ୍ଜଳି, ଭକ୍ତି-ପୁଷ୍ପାଞ୍ଜଳି ଅର୍ପଣ ନ କରେ କିଏ ? ଲୋକପ୍ରିୟ, ଉଦାରହୃଦୟ ନାଦୀର ଖାଁ ହିନ୍ଦୁ ପଠାଣଙ୍କୁ ସମାନ ଦୃଷ୍ଟିରେ ଦେଖୁଥାନ୍ତି–ଧର୍ମରେବି ସେ ପକ୍ଷପାତହୀନ । ଖ୍ରୀଷ୍ଟ ବା କୃଷ୍ଣ, ମହମ୍ମଦ ବା ବୁଦ୍ଧ ମଧ୍ୟରେ ପ୍ରଭେଦ ମାନନ୍ତି ନାହିଁ । ତାଙ୍କ ଚକ୍ଷୁରେ ଜଗନ୍ନାଥ, ଆଲ୍ଲା ସମରୂପେ ଆରାଧ୍ୟ । ନାଦୀରଖାଁଙ୍କ ପ୍ରତି ରାଜା କୃଷ୍ଣଚନ୍ଦ୍ରଙ୍କର ସାତିଶୟ ସ୍ନେହ, ସମ୍ମାନ ।

 

ବିଶ୍ରାମାନ୍ତେ ବିନୋଦବିହାରୀ ଦୁର୍ଗରକ୍ଷକ ନାଦୀରଖାଁଙ୍କ ସହିତ ସାକ୍ଷାତ କଲେ । ପରସ୍ପର ମଧ୍ୟରେ ଅଭିବାଦନ-ବିନିମୟ ହେବାପରେ ବିନୋଦ ଗମ୍ଭୀର ଭାବରେ ଖାଁଙ୍କୁ କହିଲେ,–‘ଓଡ଼ିଶାରେ ସୁବାଦାର ସୁଜାଉଦ୍ଦିନ ମହମ୍ମଦ ଆପଣଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି-। ପଠାଣରାଜ୍ୟ ନିଷ୍କଣ୍ଟକ କରିବାର ଭାର ଆପଣଙ୍କୁ ଦେଇ ଅଛନ୍ତି ।’

 

ନାଦୀର ଖାଁ : ସୁବାଦାରଙ୍କର ଆଦେଶ ପାଳନ କରିବାକୁ ତାଙ୍କର ଚିରାନୁଗତ ଭୃତ୍ୟ ସକଳ ସମୟରେ ପ୍ରସ୍ତୁତ ।

 

ବିନୋଦ : ସୁବାଦାରଙ୍କ ବିବେଚନାରେ ରାଜା କୃଷ୍ଣଚନ୍ଦ୍ର ତାଙ୍କ ରାଜ୍ୟର ପ୍ରଧାନ କଣ୍ଟକ ।

 

ନାଦୀର : ମୋ ବିବେଚନାରେ କିନ୍ତୁ ସେ ରାଜ୍ୟର ଦୃଢ଼ ସ୍ତମ୍ଭ, ପ୍ରଧାନ ସହାୟ ।

 

ବିନୋଦ : ଆପଣଙ୍କ ବିବେଚନାରେ କୌଣସି ମୂଲ୍ୟ ନାହିଁ–ଆପଣ ସୁବାଦାରଙ୍କର ଜଣେ ଚାକର ମାତ୍ର ।

 

ନାଦୀର : ସ୍ୱାଧୀନ ମତ ଦେବାର ଅଧିକାର ଭୃତ୍ୟରବି ଅଛି । ସେ ଯାହାହେଉ ଆପଣଙ୍କ ସହିତ ଯୁକ୍ତିତର୍କ କରିବାର ଇଚ୍ଛା ନାହିଁ । ଯାହା କହିବାର ଅଛି କହି ଯା'ନ୍ତୁ ।

 

ବିନୋଦ : କୃଷ୍ଣଚନ୍ଦ୍ର ନ ମରିବାଯାଏଁ ପଠାଣରାଜ୍ୟର ମଙ୍ଗଳ ନାହିଁ । ଅତଏବ ଗୁପ୍ତଘାତକଦ୍ୱାରା ତାହାକୁ ହତ୍ୟା କରି କଣ୍ଟକୋଦ୍ଧାର କରିବାକୁ ହେବ ।

 

ନାଦୀର ଖାଁ ଅତି ଚଞ୍ଚଳ ଆସନ ତ୍ୟାଗ କରି ଠିଆ ହେଲେ । ଅତୀବ ଘୃଣା ଓ କ୍ରୋଧରେ ତାଙ୍କର ବଳିଷ୍ଠ ଦୀର୍ଘାୟତ ଶରୀର କମ୍ପିତ ହେଲା–ସିଂହ-କେଶରସଦୃଶ ଆବକ୍ଷଲମ୍ବିତ ଶ୍ମଶ୍ରୁ ସ୍ଫୀତ ହୋଇ ଉଠିଲା । ସେ ଗର୍ଜନ କରି କହିଲେ,–‘ବିନୋଦବାବୁ, ଆପଣ ସୁବାଦାରଙ୍କର ପ୍ରତିନିଧିସ୍ୱରୂପ ଆସିଛନ୍ତି; ନତୁବା ନାଦୀର ଖାଁ ନିକଟରେ ଏଭଳି ଜଘନ୍ୟ ପ୍ରସ୍ତାବ କରି ଜୀବିତାବସ୍ଥାରେ ଫେରି ନ ଥାନ୍ତେ ।’

 

ବିନୋଦ : ଅକାରଣ କ୍ରୋଧ ପ୍ରକାଶ କରି ଫଳ କ’ଣ ? ଆପଣଙ୍କ ସୁବାଦାରଙ୍କର ଆଦେଶ ପାଳନ କରିବାକୁ ହେବ ।

 

ନାଦୀର : ତାଙ୍କର କୌଣସି ଆଦେଶ ମୁଁ ପାଇ ନାହିଁ ।

 

ବିନୋଦ କମ୍ପିତ ହସ୍ତରେ ଆଦେଶ-ପତ୍ର ବାହାର କରି ଖାଁଙ୍କ ହାତରେ ଦେବାକ୍ଷଣି, ନାଦୀର ତାହା ଖଣ୍ଡ ଖଣ୍ଡ କରି ଚିରି ଫୋପାଡ଼ି ଦେଲେ ଏବଂ ରୁକ୍ଷ ସ୍ୱରରେ କହିଲେ–‘ଆଦେଶପତ୍ର ଜାଲ । ଏହା ମୁଁ ଗ୍ରହଣ କରିବି ନାହିଁ । ଆପଣ ଇଚ୍ଛାମତ କାର୍ଯ୍ୟ କରନ୍ତୁ ।’

 

ବିନୋଦ : ସାବଧାନ ! ଆପଣ ଶୀଘ୍ର ପଦଚ୍ୟୁତ ହେବେ ।

 

ନାଦୀର : ସୁବାଦାରଙ୍କ ଜୀବିତାବସ୍ଥାରେ ନୁହେଁ ଅବଶ୍ୟ । ରାଜା କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବାକୁ ସୁବାଦାର ନାଦୀର ଖାଁକୁ କେବେ ହୁକୁମ ଦେବେ ନାହିଁ, ଏହା ମୋର ଦୃଢ଼ ବିଶ୍ୱାସ ।

 

ବିନୋଦ : ହେଲା, ଏ କଥା ସୁବାଦାରଙ୍କୁ ଜଣାଇବି । ସୁବାଦାରଙ୍କର ଦ୍ଵିତୀୟ ଆଦେଶ–ଜଗନ୍ନାଥ ମନ୍ଦିର ଭାଙ୍ଗିବା କାର୍ଯ୍ୟରେ ଆପଣ ମୋତେ ସାହାଯ୍ୟ କରିବେ ।

 

ଧର୍ମପ୍ରାଣ ନାଦୀରଙ୍କ ପ୍ରାଣରେ ଶତ ବୃଶ୍ଚିକ-ଦଂଶନ-ଜ୍ୱାଳା ଅନୁଭୂତ ହେଲା, ତାଙ୍କ ମୁଖମଣ୍ଡଳ ଆରକ୍ତ ହୋଇଗଲା । କର୍ଣ୍ଣରେ ଅଙ୍ଗୁଳି ଦେଇ ସେ ଚିତ୍କାର କରି କହିଲେ,–‘ତୋବା ! ତୋବା !! ଏ କଦର୍ଯ୍ୟ କଥା ଶୁଣାଇ ମୋ କର୍ଣ୍ଣ ଆଉ କଳୁଷିତ କରନ୍ତୁ ନାହିଁ, ବିନୋଦବାବୁ !’

 

ନାଦୀର ଖାଁ ଚିତ୍କାର କରି ଡାକିଲେ–ଆମୀର ! ଆମୀର !’ ଯୁବକ ଆମୀର ଖାଁ ପ୍ରୌଢ଼ ନାଦୀରଖାଁଙ୍କର ସହକାରୀ । ବୀରତ୍ୱ ଓ ସାହସ, ବୁଦ୍ଧି ଓ ଶକ୍ତି ତାଙ୍କର ଯଥେଷ୍ଟ ଥିଲା । ତକିଖାଁଙ୍କର ଚିତ୍ତରଞ୍ଜନ, ପ୍ରୀତିସଂପାଦନ କରି ସେ ବର୍ତ୍ତମାନ ଉଚ୍ଚ ପଦକୁ ଉନ୍ନୀତ ହୋଇଅଛନ୍ତି । କୌଣସି ଧର୍ମରେ ତାଙ୍କର ଆସ୍ଥା, ଅନୁରାଗ ନାହିଁ; ଅଥଚ ‘ହିନ୍ଦୁ’ ନାମ ଉଚ୍ଚାରିତ ହେବାମାତ୍ରକେ ସେ କ୍ରୋଧରେ ଗର୍ଜନ କରି ଉଠନ୍ତି ।

 

ଆମୀର ଆସି ନାଦୀରଙ୍କ ସମ୍ମୁଖରେ ବିନୀତ ଭାବରେ ଠିଆ ହେଲେ । ନାଦୀର ସହକାରୀଙ୍କ ହାତକୁ ନିଜ ତରବାରି ବଢ଼ାଇ ଦେଇ ବିଷଣ୍ଣ ମୁଖରେ କହିଲେ,–‘ତରବାରି ଗ୍ରହଣ କର ଆମୀର–ମୁଁ ତୁମର ବନ୍ଦୀ ।’

 

ଆମୀର ଖାଁ ଚକିତ, ସ୍ତମ୍ଭିତ ! କହିଲେ,–‘ଆପଣ ବନ୍ଦୀ ! ଏହା ମୁଁ ବୁଝିପାରୁ ନାହିଁ ।’

 

ନାଦୀର : ବିନୋଦବିହାରୀଙ୍କୁ ପଚାରି ବୁଝି ପାରିବ, ମୁଁ ସୁବାଦାରଙ୍କ ଆଦେଶ ଅମାନ୍ୟ କରିଅଛି; ଏଣୁ ମୁଁ ତୁମର ବନ୍ଦୀ ।

 

ଆମୀର ଖାଁ ବିନୋଦଙ୍କ ଆଡ଼କୁ ଅନାଇ ରହିଲେ । ନାଦୀର ଖାଁ ଧୀର ଅଥଚ ଗୁରୁଗମ୍ଭୀର କଣ୍ଠରେ ବିନୋଦଙ୍କୁ କହିଲେ,–‘ଆମୀର ବର୍ତ୍ତମାନ ପୁରୀଦୁର୍ଗାଧିପତି । ଆପଣଙ୍କ ପରି ହିନ୍ଦୁ-ଦେବ-ଦ୍ଵେଷୀ, ନରହନ୍ତା ସହିତ ମୋର କୌଣସି ସମ୍ବନ୍ଧ ନାହିଁ । କ’ଣ କହିବି–ଯେ ହିନ୍ଦୁ ହୋଇ ହିନ୍ଦୁ ମନ୍ଦିର ଭାଙ୍ଗିବାକୁ ଆସିଛନ୍ତି, ତାଙ୍କ ମସ୍ତକ ଆଜି ପଦାଘାତରେ ଚୂର୍ଣ୍ଣ କରି ଦେଇଥାନ୍ତି । ସୁବାଦାରଙ୍କ ଦ୍ୱାରା ପ୍ରେରିତ ହୋଇ ଆସିଥିବାରୁ ଆପଣ ଆଜି ରକ୍ଷା ପାଇଲେ ।’

 

ଅତିରିକ୍ତ କ୍ରୋଧରେ ତାଙ୍କର କଣ୍ଠରୋଧ ହୋଇଗଲା–ସେ ଆଉ କିଛି କହି ନ ପାରି ଦ୍ରୁତ ଗତିରେ କକ୍ଷ ତ୍ୟାଗ କଲେ । ଆମୀର ଖାଁ ନୀରବ ! ବିନୋଦବାବୁ ନିରୁତ୍ତର !!

Image

 

ଭୀଷଣ ପ୍ରତିଜ୍ଞା

 

ପୁରୀରେ ରାଜା କୃଷ୍ଣଚନ୍ଦ୍ରଙ୍କର ଗୋଟିଏ ସୁରମ୍ୟ ସୁଦୃଢ଼ ଅଟ୍ଟାଳିକା ଥିଲା । ସେଠାରେ ସେ ବର୍ତ୍ତମାନ ଅବସ୍ଥାନ କରୁଥିଲେ । କେବେ କେବେ ଦୁର୍ଗ-ରକ୍ଷକଙ୍କ ସହିତ ଆଳାପ କରିବା ନିମନ୍ତେ ସେ ଦୁର୍ଗକୁ ଯା'ନ୍ତି । ପୁରୀରେ ସର୍ବଦା ରହିବା ତାଙ୍କର କୌଣସି ପ୍ରୟୋଜନ ନଥିଲା । ସେଠାରେ ଅବସ୍ଥାନ କରିବା ସମୟରେ ସେ ନାଦୀର ଖାଁଙ୍କ ବ୍ୟତୀତ ଅନ୍ୟ କାହା ସଙ୍ଗେ ପ୍ରାୟ ଆଳାପାଦି କରନ୍ତି ନାହିଁ । ସେ ନାଦୀର ଖାଁଙ୍କୁ ହୃଦୟ ସହିତ ଭଲପାଉଥିଲେ । ଉଭୟେ ଉଭୟଙ୍କୁ ସହୋଦର ଜ୍ଞାନରେ ସ୍ନେହ କରନ୍ତି ।

 

ରାଜା ସୁବାଦାରଙ୍କ ଆଦେଶରେ ପୁରୀରେ ରହି ପୁତ୍ର କନ୍ୟାଙ୍କ ସକାଶେ ଅତ୍ୟନ୍ତ ଉଦ୍‌ବିଗ୍ନ ଥିଲେ, କାଳେ ତକିଖାଁ ଅତ୍ୟାଚାର କରିପାରନ୍ତି ଏହି ଆଶଙ୍କାରେ । ରାଣୀ କମଳସୁନ୍ଦରୀ ପ୍ରତି ନିୟତ ରାଜାଙ୍କୁ ଗୃହର ସମ୍ବାଦ ଦିଅନ୍ତି–ସମ୍ବାଦ ପ୍ରୀତିପ୍ରଦ ନ ହେଲେହେଁ ସେତେ ଭୀତି ଜନକ ନୁହେଁ । ଯାହାହେଉ ରାଜା ଭଗବାନ୍‍ଙ୍କ ଚରଣରେ ସକଳ ଭାର ଅର୍ପଣ କରି ଦୁର୍ଗେଶ୍ୱରଙ୍କ ସହିତ ଆମୋଦ ଆଳାପରେ କାଳାତିପାତ କରିବାକୁ ଲାଗିଲେ ।

 

ଦିନେ ପ୍ରାତଃକାଳରେ ରାଜା ପ୍ରାସାଦ-ସଂଲଗ୍ନ ଉପବନ ମଧ୍ୟରେ ଏକାକୀ ପରିଭ୍ରମଣ କରିବାବେଳେ କମଳସୁନ୍ଦରୀଙ୍କ ଲିଖିତ ଖଣ୍ଡିଏ ପତ୍ର ପାଇ ପାଠ କଲେ :

 

‘‘ମୁଁ ବାସନ୍ତୀଙ୍କୁ ନେଇ ସାରଥୀଗଡ଼ ଆସିଅଛି ! ଆପଣଙ୍କର ନୟନାନନ୍ଦ କୁମାର ବିଜୟଚନ୍ଦ୍ର ଆହତ, ଦେବାନ କୂପ ମଧ୍ୟରେ ନିକ୍ଷିପ୍ତ । ଆପଣଙ୍କର ପ୍ରାସାଦ ସୁବାଦାର-ସୈନ୍ୟକର୍ତ୍ତୃକ ଆକ୍ରାନ୍ତ । ଆପଣଙ୍କ ଜୀବନ ସଙ୍କଟାପନ୍ନ । ପାଷଣ୍ଡ ବିନୋଦବିହାରୀ ପୁରୀ ଯାଇଅଛି ଜଗନ୍ନାଥ ମନ୍ଦିର ଭାଙ୍ଗିବାକୁ, ଆପଣଙ୍କୁ ନିହତ କରିବାକୁ । ମୁଁ ଶୀଘ୍ର ପୁରୀ ଯାଉଛି । ମନ୍ଦିର ଯେପରି ବିଧ୍ୱସ୍ତ, କଳଙ୍କିତ ନ ହୁଏ ତାହାର ବ୍ୟବସ୍ଥା କରିବେ । ସତର୍କ ରହିବେ ।

 

ଦାସୀ,

କମଳସୁନ୍ଦରୀ’’

 

ପତ୍ରପାଠ କରୁ କରୁ ରାଜା ଅତିଶୟ ରାଗରେ ଅଗ୍ନିଶର୍ମା ହୋଇ ଉଠିଲେ । ଦଶନରେ ଦଶନ ସ୍ଥାପିତ କରି ମନେ ମନେ କହିଲେ,–‘ମନେ କରିଛୁ ତକିଖାଁ କେବେ ଏ ଅପମାନ ଭୁଲିଯିବି-? ଏତେ ଅତ୍ୟାଚାରରେବି ସନ୍ତୁଷ୍ଟ ନୋହୁ ? ଜଗନ୍ନାଥ ମନ୍ଦିର ଧ୍ୱଂସ କରିବାକୁ ଚାହୁଁ-? ଏଥର ନିଶ୍ଚୟ ଅସ୍ତ୍ର ଧରିବି ଆତ୍ମରକ୍ଷାର୍ଥ, ହିନ୍ଦୁ ଧର୍ମରକ୍ଷାର୍ଥ, ଓଡ଼ିଆର ମାନରକ୍ଷାର୍ଥ ।’

 

ଏହି ସମୟରେ ଜଣେ ଭୃତ୍ୟ ଆସି ସମ୍ବାଦ ଦେଲା, ଫକିର ଷା ଆଲମ୍‌ ଦ୍ୱାରରେ ଦଣ୍ଡାୟମାନ ରାଜାଙ୍କ ସଙ୍ଗେ ସାକ୍ଷାତ କରିବା ଅଭିଳାଷରେ । ରାଜା କିଞ୍ଚିତ୍‌ ବିରକ୍ତିସୂଚକ ସ୍ୱରରେ ତାଙ୍କୁ ଉଦ୍ୟାନକୁ ଆଣିବାପାଇଁ ଆଦେଶ କଲେ । ଅବିଳମ୍ବେ ଫକିର ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ ।

 

ରାଜା : ତୁମ ଆଗମନର ଉଦ୍ଦେଶ୍ୟ ଫକିର ସାହେବ ?

 

ଫକିର : ପଠାଣମାନେ ମନ୍ଦିର ଭାଙ୍ଗିବାକୁ ଆସିଥିବା କଥା ଜଣାଇବା ପାଇଁ ।

 

ରାଜା : ନା ମୃତ୍ୟୁ ମୁଖକୁ ମୋତେ ଆହ୍ୱାନ କରିବାପାଇଁ ? ଯାହାହେଉ କୃଷ୍ଣଚନ୍ଦ୍ର ଏ ସମ୍ବାଦରେ ଭୀତ, ବିଚଳିତ ହେବାର ପାତ୍ର ନୁହେଁ ।

ଫକିର : ସାଧୁ କୃଷ୍ଣଚନ୍ଦ୍ର, ସାଧୁ ! ତୁମକୁ ମୁଁ ସର୍ବଦା ମନୁଷ୍ୟକୁଳର ଅଳଙ୍କାର ଜ୍ଞାନ କରେ ।

ରାଜା : ନା ମୁସଲମାନକୁଳର କଣ୍ଟକ ? ଦେଖ ଫକିର ସାହେବ, ମୁଁ ଆଜି ଯାଏଁ ଅସ୍ତ୍ର ଧରି ନଥିଲି–ସୁବାଦାରଙ୍କ ଜୀବଦ୍ଦଶାରେ ଅସ୍ତ୍ର ଧରିବାର ବାସନା ନଥିଲା । କିନ୍ତୁ ତୁମ ଲାଗି ଆଜି ଅସ୍ତ୍ର ଧରିବାକୁ ବାଧ୍ୟ ହେଉଅଛି । ଏ ନର ରୁଧିରପାତ–ଅପରାଧ ତୁମର ।

ଫକିର : ମୋର ? ମୁଁ କଲି କ’ଣ ? ଯୁଦ୍ଧବିଗ୍ରହରେ ମୋତେ ଲିପ୍ତ କରୁଛ କାହିଁକି ?

ରାଜା : ମୁଁ ବାଳକ ନୁହେଁ ଫକିର ! ବୁଝିଛି, ମୋ ଚତୁର୍ଦ୍ଦିଗରେ କିଏ ଏ ଷଡ଼ଯନ୍ତ୍ର-ଜାଲ ବିସ୍ତାର କରିଅଛି–ଭଲ କରି ବୁଝିଛି । ତେବେ ମୁଁ ହସି ହସି ଜୀବନ ଦେବାର ବେଶ୍‌ ଜାଣେ; କିନ୍ତୁ ମନ୍ଦିର ଭାଙ୍ଗିବାକୁ ସୁଯୋଗ, ଅବସର ଦେବାର ଜାଣେ ନାହିଁ । କହ ସାହେବ, ମୋତେ ପାଇଲେ ତୁମେମାନେ କ’ଣ ଏଥିରୁ ନିରସ୍ତ ହେବ ?

ଫକିର : ଏହାର ଉତ୍ତର ମୁଁ କିପରି ଦେବି ? ବିନୋଦବିହାରୀ ଦେଇ ପାରିବେ ।

ରାଜା : ତୁମେବି ଦେଇପାର ଫକିର । ତୁମେ ଯେପରି ଉପଦେଶ ଦେବ, ବିନୋଦ ସେପରି କରିବ । ଯାହାହେଉ ମନ୍ଦିର ସମ୍ମୁଖରେ ଏ କଥା ତୁମମାନଙ୍କୁ ପୁଣି ପଚାରିବି–ବର୍ତ୍ତମାନ ଯାଅ ।

ମହାମାନ୍ୟ ଫକିର ସାହେବ ଏପରି କେବେ କାହାଦ୍ୱାରା ଅଭ୍ୟର୍ଥିତ ହୋଇ ନଥିଲେ । ସେ ହୁଏତ ଭାବିଲେ, ରାଜାଙ୍କ ନିକଟକୁ ଆସି ଭଲ କରି ନାହାନ୍ତି । ଅପ୍ରତିଭ ହୋଇ ଚିନ୍ତାକୁଳ ହୃଦୟରେ ନୀରବ ଭାବରେ ସେ ପ୍ରସ୍ଥାନ କଲେ । ରାଜା ଉଦ୍ୟାନ ତ୍ୟାଗ କରି ଅଟ୍ଟାଳିକାରେ ପ୍ରବିଷ୍ଟ ହେଲେ ।

Image

 

ଆମୀର ଆଖିରେ ଧୂଳି

 

ଆମୀର ଖାଁଙ୍କ କକ୍ଷରେ ଆମୀର ଖାଁ ଓ ବିନୋଦବିହାରୀ ଉପବିଷ୍ଟ । କକ୍ଷଟି ଆମୀରଙ୍କର ସଜ୍ଜାଗୃହ–ଭିତ୍ତିଗାତ୍ରରେ ନାନାବିଧ ଅସ୍ତ୍ର ଝୁଲୁଥିଲା । ଟାଙ୍ଗୀ, ତରବାରି, ଛୁରି, ଢାଲ, ବର୍ମ, ବର୍ଚ୍ଛା ଇତ୍ୟାଦି ଚତୁର୍ଦ୍ଦିଗରେ ସଜ୍ଜିତ । ବିନୋଦ ଖାଁଙ୍କୁ କହିଲେ,–‘ସେନାପତି ସାହେବ ! ବର୍ତ୍ତମାନ ମନ୍ଦିର ଭାଙ୍ଗିବ କିଏ ?’

 

ଆମୀର : ଏହାର ଉତ୍ତର ଆପଣ ନିଜେ ଜାଣନ୍ତି । ମୋର କର୍ତ୍ତବ୍ୟ କେବଳ ଯୁଦ୍ଧ କରିବା ।

 

ବିନୋଦ : ସୈନିକମାନେ ତ ମନ୍ଦିର ଭାଙ୍ଗିବେ ନାହିଁ, ମଜୁରି ଦେଲେବି ହିନ୍ଦୁମାନେ କଦାପି ମନ୍ଦିର ଭାଙ୍ଗିବେ ନାହିଁ ।

 

ଆମୀର : ଭାଙ୍ଗିବେ ନାହିଁ କାହିଁକି ? ଆପଣଙ୍କ ଭଳି ହିନ୍ଦୁ ତ ଅଛନ୍ତି !

 

ବିନୋଦବାବୁଙ୍କର ମୁଖ କ୍ଷୋଭ ଓ କ୍ରୋଧରେ ଲାଲ ହୋଇଗଲା । କିନ୍ତୁ ସେ ମନୋଭାବ ଗୋପନ ରଖି ମୃଦୁହାସ୍ୟଯୁକ୍ତ ମୁଖରେ କହିଲେ–‘ମୋ ପରି ରାଜଭକ୍ତ କେତେ ଜଣ ଅଛନ୍ତି ଖାଁ । ସାହେବ ?’ ଆମୀର ଖାଁ ସଲାମ ଦେଇ କହିଲେ,–‘ଠିକ୍‌ କଥା ।’

 

ବିନୋଦ : ବର୍ତ୍ତମାନ ସାତ ଶତ ସୈନିକ ଆପଣଙ୍କ ଅଧୀନ । ମୋ ସଙ୍ଗେ ଦୁଇ ଶତ ଆସିଛନ୍ତି । ଏହି ନ’ ଶତ ସୈନ୍ୟ ସାହାଯ୍ୟରେ ଆପଣ କେତେ ଜଣଙ୍କୁ ହଟାଇ ପାରିବେ ?

 

ଆମୀର : ନ’ ସହସ୍ର ।

 

ବିନୋଦ : ବେଶ୍‌ । ମନେ ରଖନ୍ତୁ, କୃଷ୍ଣଚନ୍ଦ୍ରକୁ ବନ୍ଦୀ କରିବା ମୁଖ୍ୟ ଲକ୍ଷ୍ୟ ।

 

ଆମୀର : ନିଶ୍ଚୟ । ଏ ବିଷୟରେ ନିଶ୍ଚିନ୍ତ ରହନ୍ତୁ । ମନ୍ଦିର ଭାଙ୍ଗିବାପାଇଁ ଲୋକ ସଂଗ୍ରହରବି ଆୟୋଜନ କରୁଅଛନ୍ତି ?

 

ବିନୋଦ : ମୁଁ ଏବେ ନଗରରେ ଡେଙ୍ଗୁରା ପିଟି ଲୋକ ଖୋଜି ବୁଲିବି । ସେଥିରେ ଦୁଇ କାର୍ଯ୍ୟ ସିଦ୍ଧ ହେବ; ମନ୍ଦିର ଭାଙ୍ଗିବାପାଇଁ ଲୋକେ ମିଳିବେ ଆଉ କୃଷ୍ଣଚନ୍ଦ୍ର ପ୍ରମୁଖ ହିନ୍ଦୁମାନେ ସମ୍ବାଦ ପାଇବେ ଯେ, ଆମେମାନେ ମନ୍ଦିର ଭାଙ୍ଗିବାକୁ ଯାଉଅଛୁ ।

 

ଏପରି ସମୟରେ ନୀଳ-ବସ୍ତ୍ର-ପରିହିତ ନାଦୀର ଖାଁ ଧୀର ପଦବିକ୍ଷେପରେ ଗମ୍ଭୀର ଜଳଦଖଣ୍ଡ ତୁଲ୍ୟ କକ୍ଷ ମଧ୍ୟରେ ପ୍ରବେଶ କଲେ । ଚଇତ ମଧ୍ୟ ତାଙ୍କ ପଛେ ପଛେ ଆସିଲା । ଆମୀର ଖାଁ ସମମ୍ଭ୍ରମ ଉଠି ଠିଆ ହେଲେ । ନାଦୀର ଖାଁଙ୍କ ଉପସ୍ଥିତିରେ ବିରକ୍ତ ହୋଇ, ତାଙ୍କର ସଂସର୍ଗ ପସନ୍ଦ ନ କରି ବିନୋଦବିହାରୀ ସେହି ମୁହୂର୍ତ୍ତରେ କକ୍ଷ ତ୍ୟାଗ କଲେ । ନାଦୀରଙ୍କ ହସ୍ତରେ ତରବାରି ନାହିଁ–ମସ୍ତକରେ ସେନାପତିଙ୍କର ‘ତାଜ’ (Tej Cap) । ନାଦୀର ଖାଁ ସ୍ଥିର, ଗମ୍ଭୀର କଣ୍ଠରେ କହିଲେ,–‘ଆମୀର ସାହେବ, ସ୍ଥିର କରିଛି, ସୁବାଦାରଙ୍କ ଅନୁଜ୍ଞା ନେଇ ମକ୍କା ଯିବି-। ମୁଁ ବର୍ତ୍ତମାନ ବନ୍ଦୀ–ତୁମର ବିନାନୁମତିରେ ପୁରୀ ତ୍ୟାଗ କରିପାରିବି ନାହିଁ । ଅନୁମତି ଦିଅ, ସୁବାଦାରଙ୍କ ସହିତ ସାକ୍ଷାତ୍ କରିବାକୁ ଯିବି ।’

 

ଆମୀର : ଆପଣ ଇଚ୍ଛାନୁସାରେ ଯେ କୌଣସି ସ୍ଥାନକୁ ଯାଇ ପାରନ୍ତି, କେହି ବାଧା ଦେବ ନାହିଁ ।

 

ନାଦୀର : ତେବେ ଏ ସ୍ଥାନ ଛାଡ଼ି ଯିବା ଆଗରୁ ତୁମକୁ ଗୋଟିଏ ଉପଦେଶ ଦେବାକୁ ଇଚ୍ଛା କରିଛି । ଶୁଣିବ ତ ଆମୀର ସାହେବ ?

 

ଆମୀର : ନିଶ୍ଚୟ । ବର୍ତ୍ତମାନ ଅବସ୍ଥାରେ ଆପଣଙ୍କର ଉପଦେଶ ଅବଶ୍ୟ ଶିରୋଧାର୍ଯ୍ୟ, ପାଳନୀୟ ।

 

ନାଦୀର : ଦୁଃଖର କଥା, ତୁମେମାନେ ମୁସଲମାନ-ସାମ୍ରାଜ୍ୟ ମୂଳରେ ଖଡ଼୍‌ଗାଘାତ କରିବାକୁ ଯାଉଅଛ । ପଠାଣ ରାଜ୍ୟର ସର୍ବନାଶ କର ନାହିଁ–ଏତିକିମାତ୍ର ମୋର ଅନୁରୋଧ, ଉପଦେଶ ।

 

ଆମୀର : ଆମେମାନେ ପଠାଣରାଜ୍ୟ ଧ୍ୱଂସ କରିବାକୁ ଯାଉ ନାହୁଁ, କିନ୍ତୁ ରକ୍ଷା କରିବାକୁ ।

 

ନାଦୀର : ତୁମେ କ’ଣ ମନେ କରିଛ, ଏହି ଧର୍ମମନ୍ଦିର ଭାଙ୍ଗି ପକାଇଲେ, ହିନ୍ଦୁ କେତେ ଜଣଙ୍କୁ ମାରିଦେଲେ ପଠାଣରାଜ୍ୟ ରକ୍ଷା ପାଇବ ? ରାଜ୍ୟ-ଧ୍ୱଂସର ଆଶଙ୍କା ଦୂର ହେବ ?

 

ଆମୀର : ହେବ ନିଶ୍ଚୟ । ବିଦ୍ରୋହୀ–ନିଧନରେ ସେଇ ଆଶଙ୍କା ଦୂର ହେବଇ ହେବ ।

 

ନାଦୀର : ଦେଶର ସମସ୍ତେ ବିଦ୍ରୋହୀ ହୋଇ ଉଠିଲେ ତୁମେ କ’ଣ ସମସ୍ତଙ୍କର ନିପାତ କରିପାରିବ ?

 

ଆମୀର : କରିପାରିବି ।

 

ନାଦୀର : ସେତେବେଳେ ତାହାହେଲେ କାହାକୁ ନେଇ ରାଜ୍ୟ କରିବ ?

 

ଆମୀର : ଏ କଥା ଶାସକଙ୍କର ବିବେଚ୍ୟ । ଉଦ୍ୟାନର ଗଛ ଶୁଖିଗଲେ ତାହା କ’ଣ ଉପାଡ଼ି ଫୋପାଡ଼ି ଦେବୁ ନାହିଁ ?

 

ନାଦୀର : ଯେପରି ଶୁଖି ନଯାଏଁ ତାହାର ଚେଷ୍ଟା କରୁନାହଁ କିଆଁ ? ଗଛମୂଳେ ପାଣି ନ ଢାଳି ନିଆଁ ଜାଳୁଛ କାହିଁକି ? ଯେ ତୁମର ମୁଖାପେକ୍ଷୀ, ତାହାକୁ ସ୍ନେହ ନକରି ଦଗ୍‌ଧ କରୁଛ କାହିଁକି ? ଓଡ଼ିଶାର ମନ୍ଦିର, ଦେବପ୍ରତିମା, ଶାଳଗ୍ରାମ ଭାଙ୍ଗି ଆଜ ସୁଦ୍ଧା କିଛି ଫଳ ପାଇଛ ? ପକ୍ଷାନ୍ତରେ ନିଜର ଶଯ୍ୟା କଣ୍ଟକରେ ପୂର୍ଣ୍ଣ କରିଅଛ, ଲେଶମାତ୍ର ସୁଖଶାନ୍ତି ପାଇନାହଁ । ତୁମେମାନେ ଯେତିକି ଅତ୍ୟାଚାର କରିବ, ଓଡ଼ିଶାର ଘରେ ଘରେ ସେତିକି ଅଗ୍ନି ଜଳି ଉଠିବ, ସେତିକି ତୁମେମାନେ ଅଶାନ୍ତି ଭୋଗ କରିବ–ତୁମ ଉଦ୍ୟାନର ବୃକ୍ଷ ଶୁଷ୍କ ହୋଇ ତୁମର ଜଞ୍ଜାଳ, ଅସୁଖ ସେତିକି ବଢ଼ାଇବ । ଏଣୁ କହେ, ବେଳ ଥାଉ ଥାଉ ସତର୍କ ହୁଅ, ନିରସ୍ତ ହୁଅ । ହିନ୍ଦୁକୁ ମିତ୍ର ଭାବରେ ଗ୍ରହଣ କରିବାର ଶିଖ ।

 

ଆମୀର : ହିନ୍ଦୁ ଆମର ମିତ୍ର ! ସେ ଯେ ଅହୋରାତ୍ର ଆମମାନଙ୍କର ସର୍ବନାଶ କାମନା କରେ ।

 

ନାଦୀର : କଦାପି ନୁହେଁ ସେନାପତି ! ଭୁଲ୍ ବୁଝିଛ । ହିନ୍ଦୁଜାତି ପଠାଣ ରାଜାର ପ୍ରଜା । ପ୍ରଜାଙ୍କ ସନ୍ତୋଷରେ ରାଜାର ଶକ୍ତି, ପ୍ରଜାଙ୍କ ଅସନ୍ତୋଷରେ ରାଜାର ଦୁର୍ବଳତା ନିହିତ । ରାଜା କୃଷ୍ଣଚନ୍ଦ୍ରଙ୍କୁ ଉତ୍ତ୍ୟକ୍ତ କର ନାହିଁ–ତଦ୍ଦ୍ୱାରା ସମଗ୍ର ଓଡ଼ିଆ ଜାତିକୁ ଉତ୍ତେଜିତ କର ନାହିଁ ।

 

ଆମୀର : ମୁଁ ଭଲ କରି ଜାଣେ, କୃଷ୍ଣଚନ୍ଦ୍ର ମୁସଲମାନ ରାଜ୍ୟର ପ୍ରବଳ ଶତ୍ରୁ । ଆଜି ସେ ଓଡ଼ିଆ ପ୍ରାଣରେ ଉନ୍ମାଦନା, ଜାଗରଣ ଆଣିଛି, ଓଡ଼ିଆକୁ ଅସ୍ତ୍ରରେ ସଜ୍ଜିତ କରି ଉଠାଇଛି–ପଠାଣ ରାଜ୍ୟର ଉଚ୍ଛେଦ ସାଧନ କରି ହିନ୍ଦୁ ରାଜ୍ୟ-ପ୍ରତିଷ୍ଠାରେ ପ୍ରୟାସୀ ହୋଇଅଛି । ପଠାଣର ଏହି ଶତ୍ରୁ ଚଞ୍ଚଳ ଦୂର କରିବା ଦରକାର ।

 

ନାଦୀର : ତୁମେମାନେ ରାଜା କୃଷ୍ଣଚନ୍ଦ୍ରଙ୍କୁ ଉତ୍ତମରୂପେ ଚିହ୍ନି ନାହଁ । ତାଙ୍କର କ୍ଷମତା ଅଛି, ଢେର୍ ଆତ୍ମସଂଯମବି ଅଛି । ସେ ଚାହାନ୍ତି କେବଳ ଶାନ୍ତି, ବିପ୍ଳବ ନୁହେଁ–ନରକଙ୍କାଳ ଉପରେ ରାଜ୍ୟ ଗଢ଼ିବା ତାଙ୍କର ଅଭିପ୍ରେତ ନୁହେଁ । ତାଙ୍କୁ ଦୂରରେ ରଖ, ତାଙ୍କ ଉପରେ ଅତ୍ୟାଚାର କର–ଦେଖିବ, ସେ ଅସ୍ତ୍ର ଧରି ଉଗ୍ର ମୂର୍ତ୍ତିରେ ଠିଆହେବେ । ତାଙ୍କ ସଙ୍ଗେ ସଦ୍‌ବ୍ୟବହାର କର, ସକଳ ଭାର ତାଙ୍କ ଉପରେ ନ୍ୟସ୍ତ କର–ପ୍ରଭୁପାଇଁ ସେ ପ୍ରାଣ ଦେବେ ।

 

ଏହା କହି ନାଦୀର ଖାଁ ସେଠାରୁ ପ୍ରସ୍ଥାନ କଲେ । ଆମୀର ଖାଁ ମଧ୍ୟ କକ୍ଷ ତ୍ୟାଗକଲେ-। ଚଇତ ତାଙ୍କ ସଙ୍ଗେ ସେଠାରୁ ଚାଲିଗଲା । କକ୍ଷ ବାହାରେ ତାହାକୁ ଦେଖି ଆମୀର ଠିଆ ହେଲେ, ପଚାରିଲେ–‘କିଏ ତୁ ?’

 

ଚଇତ : ସର୍ଦ୍ଦାର ବିନୋଦବିହାରୀ ରାୟଙ୍କର ଅନୁଚର ।

 

ଆମୀର : କ’ଣ ଦରକାର ?

 

ଚଇତ : ମନ୍ଦିର ଆକ୍ରମଣ ପାଇଁ ସର୍ଦ୍ଦାର ସାହେବଙ୍କର ଦୁଇ ଗାଡ଼ି ବର୍ଚ୍ଛା ପ୍ରୟୋଜନ । ଏ କଥାଟା ଆପଣଙ୍କୁ କହିବାକୁ ସେ ବୋଧହୁଏ ଭୁଲି ଯାଇଛନ୍ତି ।

 

ଆମୀର ବିଶ୍ୱାସ ନ କରିବାରୁ ଚଇତ ତାହାଙ୍କୁ ଗୋଟିଏ ମୁଦ୍ରିକା ଦେଖାଇ କହିଲା,–‘ଦେଖନ୍ତୁ ସର୍ଦ୍ଦାରଙ୍କ ହାତର ମୁଦ୍ରିକା । ଆଶା କରେ, ବର୍ତ୍ତମାନ ଆପଣଙ୍କର ବିଶ୍ୱାସ ହେବ-।’

 

ମୁଦ୍ରିକାରେ ବିନୋଦଙ୍କ ନାମ ଉର୍ଦ୍ଦୁ ଅକ୍ଷରରେ ଅଙ୍କିତ ହୋଇଥିଲା । ଆମୀର ଖାଁ ତାହା ଦେଖି କହିଲେ,–‘ଆଉ ଅବିଶ୍ୱାସ ନାହିଁ । ତେବେ ମୋର ଲୋକ ସଙ୍ଗେ ବର୍ଚ୍ଛା ପଠାଇବି ।’

 

ଚଇତ ଦୁର୍ଗରୁ ନିଷ୍କ୍ରାନ୍ତ ହେଲା ।

Image

 

ବାଳକର ପ୍ରକୃତ ପରିଚୟ

 

ଫକିରଙ୍କ ପ୍ରସ୍ଥାନ ପରେ ରାଜା କୃଷ୍ଣଚନ୍ଦ୍ର ଉଦ୍ୟାନରୁ ଗୃହକୁ ପ୍ରତ୍ୟାଗମନ କରି ବର୍ମ ଓ ଅସ୍ତ୍ର ଗ୍ରହଣ କଲେ ଏବଂ ଅନୁଚରବର୍ଗଙ୍କୁ ଶୀଘ୍ର ଅସ୍ତ୍ର-ଶସ୍ତ୍ର-ସଜ୍ଜିତ ହେବାକୁ ଆଦେଶ କଲେ । ସେତେବେଳେ ପଚାଶ ଜଣ ମାତ୍ର ଶରୀରରକ୍ଷୀ ତାଙ୍କ ନିକଟରେ ଥିଲେ । ଏମାନଙ୍କୁ ସଙ୍ଗେ ନେଇ ରାଜା ପ୍ରାୟ ସହସ୍ର ସଂଖ୍ୟକ ପଠାଣସୈନ୍ୟର ସମ୍ମୁଖୀନ ହେବାକୁ ଭୀମ ବେଗରେ ଅଗ୍ରସର ହେଲେ ।

 

ପୁରୀର ରାଜପଥରେ ଯାଇ ରାଜା ଦେଖିଲେ, ଜଣେ ହିନ୍ଦୁ ବାଳକ ଅଶ୍ୱପୃଷ୍ଠରେ ବୁଲି ପ୍ରତ୍ୟେକ ଗୃହଦ୍ୱାରରେ ଚିତ୍କାର କରି କହୁଅଛି,–‘କିଏ କେଉଁଠି ହିନ୍ଦୁ ଅଛ, ଧାଇଁ ଆସ । ପଠାଣ ତୁମମାନଙ୍କର ଦେବମନ୍ଦିର ଓ ପ୍ରତିମା ଭାଙ୍ଗି ଦେଉଛି ।’

 

ସେହି ଡାକ ଶୁଣି ପୁରୀବାସୀ ଦେବପ୍ରାଣ ହିନ୍ଦୁମାନେ ରାଜପଥରେ ଆସି ରୁଣ୍ଡ ହେଉଛନ୍ତି । ରାଜମାର୍ଗ ଲୋକାରଣ୍ୟ । ବାଳକ ତାହାର ସୁନ୍ଦର ହସ୍ତ ଉତ୍ତୋଳନ କରି ସମବେତ ଲୋକଙ୍କୁ ଜଗନ୍ନାଥ ମନ୍ଦିରର ପଥ ଦେଖାଇ କହୁଅଛି–‘ଯାଅ, ଏକ ମନ ଏକ ପ୍ରାଣରେ ମନ୍ଦିରକୁ ଧାଇଁ ଯାଅ । ଦେଶର ନାମରେ, ଧର୍ମର ନାମରେ ତୁମମାନଙ୍କୁ ଆହ୍ୱାନ କରୁଅଛି ।’

 

ରାଜା ନିକଟକୁ ଯାଇ କହିଲେ,–‘କିଏ ତୁମେ ବାଳକ ? ରାଜପଥରେ ଅନଳକଣା ବିଞ୍ଛି ବୁଲୁଛ !’

 

ବାଳକ ମୁଖ ଫେରାଇ ଦେଖିଲା–ଦେଖିବାମାତ୍ରକେ ରାଜାଙ୍କୁ ଚିହ୍ନିଲା । ସେ ଅଶ୍ୱପୃଷ୍ଠରୁ ତଳକୁ ଡେଇଁ ଅଶ୍ୱପୃଷ୍ଠାସୀନ ରାଜାଙ୍କ ପାଦରେ ମସ୍ତକ ରଖି ଅତ୍ୟନ୍ତ ବିନୟନମ୍ର ସ୍ୱରରେ କହିଲା–‘ପିତା ! ଆପଣଙ୍କ ନିକଟକୁ ଯାଉଥିଲି । ଭାଗ୍ୟର ବିଷୟ ଏଠାରେ ଦର୍ଶନ ପାଇଅଛି ।’

 

ରାଜା ସାତିଶୟ ବିସ୍ମୟ ସହକାରେ ପ୍ରଶ୍ନ କଲେ–‘ମୋଠାକୁ ଯାଉଥିଲ କାହିଁକି ? କିଏ ତୁମେ ?’

 

ନିର୍ଜନ ସ୍ଥାନରେ ପରିଚୟ ଦେବ ବୋଲି କହି ବାଳକ ରାଜାଙ୍କୁ ଅନତିଦୂରସ୍ଥ ବୃକ୍ଷାନ୍ତରାଳକୁ ଯିବାକୁ ଅନୁରୋଧ କଲା । ରାଜା ତାହାର ଅନୁରୋଧ ରକ୍ଷା କଲେ । ବାଳକ କହିଲା–‘ମୋତେ ଚିହ୍ନିପାରୁ ନାହାନ୍ତି ପିତା ?’

 

ରାଜା ବାଳକର ମୁଖରୁ ପାଦଯାଏଁ ନିରୀକ୍ଷଣ କରି, କିଛି ସମୟ ଚିନ୍ତାକରି ସହାସ୍ୟ ମୁଖରେ କହିଲେ,–‘ବର୍ତ୍ତମାନ ଚିହ୍ନିଲି, ତୁମେ ଚପଳା । କିନ୍ତୁ ଏ ବେଶରେ ଏଠାରେ କାହିଁକି ଅଛ ?’

 

ଚପଳା : କ୍ଷମା କରିବେ । ସେ ସବୁ କହିବା ସମୟ ଏ ନୁହେଁ ।

 

ରାଜା : ତେବେ ମୋଠାକୁ ଯାଉଥିଲ କାହିଁକି ?

 

ଚପଳା : ଆପଣଙ୍କୁ ସତର୍କ କରାଇବାକୁ । ପଠାଣ ଆପଣଙ୍କୁ ଧରିବାପାଇଁ ଚାରିଆଡ଼େ ଜାଲ ବିସ୍ତାର କରିଛି । ପଳାୟନ କଲେ କ’ଣ ହେବ ନାହିଁ ପିତା ?

 

ରାଜା : ଦିନେ ଯେ ତକିଖାଁର ଆକ୍ରମଣରୁ ଆତ୍ମରକ୍ଷା କରିଥିଲା, ସେହି ବାଳିକା ମୁଖରେ ଏହି ପ୍ରସ୍ତାବ ଶୋଭାପାଏ ନାହିଁ ।

 

ଚପଳା : ଆପଣଙ୍କ ପାଖରେ ଏ ପ୍ରସ୍ତାବ କରିବାକୁ ଆସି ନାହିଁ । ସେଇ ଉଦ୍ଦେଶ୍ୟ ଥିଲେ, ଆପଣଙ୍କ ସାହାଯ୍ୟପାଇଁ, ମନ୍ଦିର-ରକ୍ଷାର୍ଥ ଲୋକସଂଗ୍ରହ କରି ବୁଲନ୍ତି ନାହିଁ । ମୁଁ ଜାଣେ, ଆପଣ ମନ୍ଦିର ରକ୍ଷା କରି ଜଗତକୁ ଦେଖାଇବେ–ହିନ୍ଦୁ ଧର୍ମପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ।

 

ରାଜା : ବେଶ୍‌ ଜାଣିଛ ଚପଳା । ତେବେ ଲୋକସଂଗ୍ରହ କରି ହେବ କ’ଣ ? ଆମ୍ଭମାନଙ୍କର ଯେ ଅସ୍ତ୍ର ଶସ୍ତ୍ର ନାହିଁ ।

 

ଚପଳା : ଅସ୍ତ୍ରବି ସଂଗ୍ରହ କରିଅଛି ପିତା । କିଛି ଦୂରକୁ ଯାଇ ଦେଖିବେ, ଦୁଇ ଗୋଟି ଅସ୍ତ୍ରପୂର୍ଣ୍ଣ ଶକଟ ମନ୍ଦିର ଆଡ଼କୁ ଚାଲୁଅଛି । ସଙ୍ଗେ ଦୁଇ ଚାରି ଜଣ ପଠାଣ ଯାଉଛନ୍ତି । ସେମାନଙ୍କୁ ନିହତ କରି ଅସ୍ତ୍ର ହସ୍ତଗତ କରନ୍ତୁ, ନିରସ୍ତ୍ର ଓଡ଼ିଆଙ୍କୁ ଅସ୍ତ୍ର-ସଜ୍ଜିତ କରାନ୍ତୁ । ଆଉ ଗୋଟିଏ କଥା । ଶୁଣି ଆଶ୍ଚର୍ଯ୍ୟ ହେବେ, ଆପଣଙ୍କ ଭ୍ରାତୃଦେବ ଖୋରଧାରାଜା ଆପଣଙ୍କ ସାହାଯ୍ୟାର୍ଥ ଆସିବାବେଳେ ମାର୍ଗରେ ଯୁଦ୍ଧ ହେଲା–ନିକଟରେ ବେଶି ସୈନ୍ୟ ନ ଥିବାରୁ ସେ ପରାସ୍ତ ହୋଇ ବର୍ତ୍ତମାନ କଟକରେ ବନ୍ଦୀ ହୋଇଅଛନ୍ତି । କିନ୍ତୁ ଏ ଘଟନା ଆଗରୁ ତାଙ୍କ ସୈନ୍ୟ ଏଠାରେ ପହଞ୍ଚିଅଛନ୍ତି । ଭୁବନେଶ୍ୱର ମନ୍ଦିରରକ୍ଷା ଲାଗି ମଧ୍ୟ ରାମଚନ୍ଦ୍ରଦେବ କେତେକ ସୈନ୍ୟ ପଠାଇଅଛନ୍ତି ।

 

ରାଜା ଚିନ୍ତାମଗ୍ନ ହୋଇ ରହିଲେ, କିଛି ସମୟ ତାଙ୍କର ବାକ୍‍ସ୍ଫୁର୍ତ୍ତି ହୋଇପାରିଲା ନାହିଁ ।

 

ଚପଳା : ଚିନ୍ତା କରିବାର ସମୟ ଏ ନୁହେଁ ପିତା । ବର୍ତ୍ତମାନ ଉତ୍ତେଜନା, ଉନ୍ମାଦନାର ସମୟ-ମ୍ଳେଚ୍ଛନିଧନ କରି ମନ୍ଦିରରକ୍ଷା କରିବାର ସମୟ । ଯଥେଷ୍ଟ ଅସ୍ତ୍ର ଅଛି–ସୈନ୍ୟବଳ ଢେର୍‍ ଅଛି । ନିଶ୍ଚିନ୍ତ ମନରେ ମନ୍ଦିରକୁ ଧାଇଁଯାନ୍ତୁ । ଜଗନ୍ନାଥ ନିଶ୍ଚୟ ଆମର ସହାୟ ହେବେ–ଆମର କାର୍ଯ୍ୟ ସିଦ୍ଧି ସୁନିଶ୍ଚିତ । ବର୍ତ୍ତମାନ ଯାଉଛି ।

 

ଚପଳା ମନ୍ଦିର ପ୍ରତି ଧାବିତ ହେଲା । ରାଜାଙ୍କ ହୃଦୟରେ ଉତ୍ତେଜନା ଓ ଭଗବତ ପ୍ରେରଣାର ଗୋଟିଏ ତଡ଼ିତ୍‌–ସ୍ରୋତ ବହିଗଲା ।

Image

 

ମନ୍ଦିର ନିକଟରେ ସୈନ୍ୟ ସମାବେଶ

 

ଜଗନ୍ନାଥ ମନ୍ଦିର ନିକଟରେ ବିନୋଦବିହାରୀ ସୈନ୍ୟ ଧରି ପ୍ରସ୍ତୁତ ଅଛନ୍ତି । ସେମାନେ ମନ୍ଦିର ବେଷ୍ଟନ କରି ନାହାନ୍ତି–ସମ୍ମୁଖଭାଗ ଉନ୍ମୁକ୍ତ ରହିଅଛି । ରାଜା କୃଷ୍ଣଚନ୍ଦ୍ର ନ ଆସିବା ପର୍ଯ୍ୟନ୍ତ ମନ୍ଦିରର ସମ୍ମୁଖ ଭାଗ ଉନ୍ମୁକ୍ତ ରଖିବା ବିନୋଦଙ୍କର ଅଭିପ୍ରେତ । ସେତେବେଳେ ମନ୍ଦିର ସିଂହଦ୍ୱାର ଆଗରେ ବର୍ତ୍ତମାନ ପରି ବଜାର, ସାହି ବା ଗଳି କିଛି ନଥିଲା–ଗୋଟିଏ ବିସ୍ତୃତ ଶୂନ୍ୟ ସ୍ଥାନ ଥିଲା । ପଠାଣ ଫୌଜଦ୍ୱାରା ମନ୍ଦିର ଆକ୍ରାନ୍ତ ହେବାବେଳେ ସେହି ସ୍ଥାନରେ ଦୁଇ ଚାରି ଜଣ କୌତୂହଳ-ପରବଶ ନାଗରିକ ବ୍ୟତୀତ ଆଉ କେହି ନଥିଲେ ।

 

ବିନୋଦ ବୁଝିଥିଲେ, ସୁଦୃଢ଼ ସୁଗଠିତ ମନ୍ଦିର ଓ ମନ୍ଦିର-ଦ୍ୱାର ଭାଙ୍ଗିବା ଅତି କଠିନ । ଜଗନ୍ନାଥଦେବଙ୍କର ପଣ୍ଡାମାନେ ଭୀତ ହୋଇ ଭିତର ଦିଗରୁ ଭୀମକାୟ କପାଟ ବନ୍ଦ କରି ରଖିଥିଲେ । ପଠାଣମାନଙ୍କର ବିପୁଳ ପ୍ରୟାସ ସତ୍ତ୍ୱେ ଦ୍ୱାର ଉନ୍ମୁକ୍ତ ହୋଇ ପାରିଲା ନାହିଁ । ଭିତରେ ରହି ପଣ୍ଡାମାନେ ମହା ଆତଙ୍କରେ, କାତର ହୃଦୟରେ ଚିର ଉଡ଼୍‌ଡ଼ୀୟମାନ ନୀଳଚକ୍ରକୁ ଲକ୍ଷ୍ୟ କରି ଚିତ୍କାର କରିବାକୁ ଲାଗିଲେ–‘ରଖ ଜଗନ୍ନାଥ, ରକ୍ଷାକର ବଡ଼ ଠାକୁର ! ତୁମେ ସହାୟ ନ ହେଲେ ଏ ବିପଦରେ ଆମେମାନେ କରିପାରିବୁ କ’ଣ ?’

 

ସେତେବେଳେ ସ୍ୱର୍ଗଦ୍ୱାର ଦିଗରୁ ସମୀର-ପ୍ରବାହ ଆସି ସେମାନଙ୍କ କାନରେ ଯେପରି ମନ୍ତ୍ର ଦେଇଗଲା–‘ସବୁ କରିପାରିବ । କିଛି ନ ହେଲେ ମନ୍ଦିର-ଦ୍ୱାରରେ ପ୍ରାଣ ତ ଦେଇ ପାରିବ !’

 

ସେମାନେ ଭଗବାନ୍‍ଙ୍କ ଚରଣରେ ସକଳ ଭାର ଅର୍ପଣ କଲେ, ଭୟ ଓ ନୈରାଶ୍ୟ ପ୍ରତି ପଦାଘାତ କରିବାକୁ ସାହସୀ ହେଲେ । ସେହି ସମୟରେ ମନ୍ଦିରର ପଶ୍ଚିମ ଭାଗଟି ଘନବିନ୍ୟସ୍ତ ବୃକ୍ଷଶ୍ରେଣୀରେ ଆଚ୍ଛନ୍ନ ଥିଲା । ସେହି ବୃକ୍ଷଶ୍ରେଣୀ ଅନ୍ତରାଳରେ ବିନୋଦ ତାଙ୍କର ଅଧିକାଂଶ ସୈନ୍ୟ ଲୁଚାଇ ରଖିଲେ, କେତେକ ଜଣ ପଠାଣ ମନ୍ଦିରର ଦକ୍ଷିଣ ଓ ଉତ୍ତର ଭାଗରେ ବୁଲିବାକୁ ଲାଗିଲେ । ବିନୋଦ ଅରୁଣସ୍ତମ୍ଭ ନିକଟରେ ପାଦଚାରଣା କରି କ’ଣ ଗୁଡ଼ାଏ ଭାବୁଅଛନ୍ତି, ଏତିକିବେଳେ ଅନତିଦୂରରେ ଅଶ୍ୱ-ପଦ-ଧ୍ୱନି ଶ୍ରୁତ ହେଲା । ସେ ମୁଖ ବୁଲାଇ ଦେଖିଲେ, ଚଇତ ଚଞ୍ଚଳ ଗତିରେ ତାଙ୍କ ପ୍ରତି ଧାବିତ । ନିକଟସ୍ଥ ହେବାରୁ ପଚାରିଲେ–‘ଏତେ ବେଳ ଯାଏଁ କେଉଁଠି ଥିଲ ଚଇତ ?’

 

ଚଇତ : ନଗର ତମାମ୍ ବୁଲି ହିନ୍ଦୁମାନଙ୍କୁ ଏ ସମ୍ବାଦ ଦେଉଥିଲି ।

 

ବିନୋଦ : କୃଷ୍ଣଚନ୍ଦ୍ରର ସମ୍ବାଦ ପାଇଛ ତ ?

 

ଠିକ୍ ସେତିକିବେଳେ ଫକିର ହଠାତ ସେଠାରେ ଉପସ୍ଥିତ ହୋଇ ବ୍ୟଗ୍ର କଣ୍ଠରେ କହିଲେ–‘କୃଷ୍ଣଚନ୍ଦ୍ରକୁ ମୁଁ ସମ୍ବାଦ ଦେଇଛି । ସମ୍ମୁଖରେ ଦେଖ, ହିନ୍ଦୁମାନେ ଏ ଆଡ଼କୁ ଧାଇଁ ଆସୁଛନ୍ତି । ସତର୍କ ରହ । ପଠାଣ ଅଧିବାସୀଙ୍କୁ ସମ୍ବାଦ ଦେବାକୁ ଯାଉଛି ।’

 

ବିନୋଦ : ସମ୍ବାଦ ଦେବା ଆବଶ୍ୟକ ନାହିଁ ଫକିର ସାହେବ । ଆମର ନ’ ଶତ ସୈନ୍ୟଦ୍ୱାରା ନ’ ହଜାର ହିନ୍ଦୁ ଅନାୟାସରେ ପରାସ୍ତ ହେବେ ।

 

ଫକିର : କୃଷ୍ଣଚନ୍ଦ୍ରକୁ ବିଶ୍ୱାସ କର ନାହିଁ । ସେ ଚେଷ୍ଟା କଲେ କୋଡ଼ିଏ ହଜାର ଓଡ଼ିଆ ସୈନ୍ୟ ସଙ୍ଗେ ନେଇ ଆସି ପାରେ, ନିମିଷ ମଧ୍ୟରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିପାରେ ।

 

ଫକିର ସେଠାରୁ ତୁରିତ ପଦରେ ଚାଲିଗଲେ । ଚଇତ ବିନୋଦଙ୍କୁ କହିଲା–‘ଆପଣ ମୋତେ ଯେଉଁ ମୁଦ୍ରିକାଟି ଉପହାର ଦେଇଥିଲେ, ଆମୀର ଖାଁଙ୍କୁ ତାହା ଦେଖାଇ ଦୁଇ ଗାଡ଼ି ଅସ୍ତ୍ର ମାଗି ଅଛି, ତାଙ୍କ ଅନୁଚରମାନେ ଗାଡ଼ି ଟାଣି ଆଣୁଛନ୍ତି ।’

 

ବିନୋଦ ଅଳ୍ପ ଚିନ୍ତା କରି ସହାସ୍ୟ ମୁଖରେ କହିଲେ,–‘ଚଇତ, ତୁମର ତୀକ୍ଷ୍ଣ ବୁଦ୍ଧିକୁ ଅଶେଷ ଧନ୍ୟବାଦ । କହ ଭଲା, ହିନ୍ଦୁ ହୋଇ ତୁମେ ହିନ୍ଦୁର ସର୍ବନାଶ କରିବାକୁ କାହିଁକି ଉଦ୍ୟତ ?’

 

ଚଇତ : ଆପଣ ହିନ୍ଦୁ ହୋଇ ହିନ୍ଦୁ ବିରୁଦ୍ଧରେ ଠିଆ ହୋଇଥିବାରୁ ।

 

ବିନୋଦ : ଧର୍ମ ଦୁର୍ବଳ ହୃଦୟର ଗୋଟିଏ କଳ୍ପନା ଛଡ଼ା ଆଉ କିଛି ନୁହେଁ । ବିନୋଦବିହାରୀ ରାୟ ଜଗତର କୌଣସି ଧର୍ମ ମାନେ ନାହିଁ । ସ୍ୱାର୍ଥହିଁ ତାହାର ଧର୍ମ । ସେ ସେଇ ଦିଗରେ, ଯେଉଁ ଦିଗରେ ତାହାର ସ୍ୱାର୍ଥ ନିହିତ ।

 

ଦେଖୁ ଦେଖୁ ଅସଂଖ୍ୟ ଓଡ଼ିଆ ଆସି ମନ୍ଦିର ସମ୍ମୁଖସ୍ଥ ଶୂନ୍ୟ ସ୍ଥାନରେ ରୁଣ୍ଡ ହୋଇଗଲେ । ସେମାନଙ୍କ ମଧ୍ୟରେ ଅଶ୍ୱାରୋହୀ ବୀର କୃଷ୍ଣଚନ୍ଦ୍ର । ଏହି ଭୟାବହ ଦୃଶ୍ୟ ବିନୋଦ ଓ ଚଇତଙ୍କୁ କଥୋପକଥନ ପାଇଁ ଆଉ ଅବକାଶ ଦେଲା ନାହିଁ–ଦୁହେଁ ଧର୍ମଚର୍ଚ୍ଚାରୁ ବିରତ ହୋଇ ନିଜ ନିଜର ସମୟୋଚିତ କର୍ତ୍ତବ୍ୟ ସ୍ଥିର କଲେ ।

Image

 

ମନ୍ଦିର ଦ୍ୱାରରେ ରାଜା

 

ରାଜା କୃଷ୍ଣଚନ୍ଦ୍ର ମନ୍ଦିର ସମ୍ମୁଖସ୍ଥ ପ୍ରାୟ ଛଅ ସହସ୍ର ଓଡ଼ିଆ ସୈନ୍ୟ ମଧ୍ୟରେ ଦଣ୍ଡାୟମାନ । ସୈନିକମାନଙ୍କ ହସ୍ତରେ ବର୍ଚ୍ଛା । ଏହା ଦେଖି ବିନୋଦବିହାରୀ ଏକାବେଳକେ ସ୍ତମ୍ଭିତ ! କୃଷ୍ଣଚନ୍ଦ୍ର ଅଗ୍ରସର ନ ହୋଇ କାହିଁକି ଯେ ଠିଆ ହୋଇ ରହିଲେ, ତାହା ବୁଝି ପାରି ବିନୋଦ ମନ୍ଦିର ଭାଙ୍ଗିବାର ଆୟୋଜନରେ ପ୍ରବୃତ୍ତ ହେଲେ । ସେହିକ୍ଷଣି ଦୁର୍ଗମଧ୍ୟରୁ ମନ୍ଦିର ଭାଙ୍ଗିବାପାଇଁ ନାନାପ୍ରକାର ଯନ୍ତ୍ର ଆନୀତ ହେଲା । ରାଜା ଅରୁଣସ୍ତମ୍ଭ ପ୍ରତି ଅଗ୍ରସର ହୋଇ ଚିତ୍କାର କରି କହିଲେ,–‘ବିନୋଦବାବୁ, ଦେଖୁଛି ତୁମେ ମନ୍ଦିର ଭାଙ୍ଗିବାକୁ ଉଦ୍ୟତ । ମନେ ରଖ, ମନ୍ଦିର ହିନ୍ଦୁର ସମ୍ପତ୍ତି, ତୁମର ବା ପଠାଣର ନୁହେଁ ।

 

ବିନୋଦ : ମନ୍ଦିରର ମାଲିକ କିଏ ତାହା ବୁଝିବାକୁ ଏଠାକୁ ଆସିନାହିଁ, ଆସିଛି ତାହାର ଧ୍ୱଂସ କରିବାକୁ ସୁବାଦାରଙ୍କ ଆଦେଶରେ ।

 

ରାଜା : ମୋର ବିଶ୍ୱାସ, ଏହି କୁତ୍ସିତ କାଣ୍ଡପାଇଁ ସୁବାଦାର ଆଦେଶ ଦେଇ ନାହାନ୍ତି । ଦେଇଛନ୍ତି ଯଦି, ତାଙ୍କର ସ୍ୱାକ୍ଷର ଦେଖାଅ ।

 

ବିନୋଦ : ସୁବାଦାର ସ୍ୱୟଂ ଦେଇ ନାହାନ୍ତି, ତାଙ୍କ ପ୍ରତିନିଧି ଦେଇ ଅଛନ୍ତି ।

 

ରାଜା : ତୁମେ କ’ଣ ହିନ୍ଦୁ ନୁହ ବିନୋଦ ?

 

ବିନୋଦ : ହିନ୍ଦୁ; ତେବେ ସୁବାଦାରଙ୍କର ଭୃତ୍ୟ ।

 

ରାଜା ପ୍ରତିଜ୍ଞା କରି କହିଲେ, ସେ ଦୁଇ ଦିନ ମଧ୍ୟରେ ମନ୍ଦିର ନ ଭାଙ୍ଗିବାପାଇଁ ସୁବାଦାରଙ୍କର ସ୍ୱାକ୍ଷରିତ ଆଦେଶ ଆଣି ଦେଖାଇବେ । ଦୁଇ ଦିନ ମାତ୍ର ଅପେକ୍ଷା କରିବା ନିମନ୍ତେ ସେ ବିନୋଦଙ୍କୁ ଅନୁରୋଧ କଲେ । ବିନୋଦ କିନ୍ତୁ ତାହା ଅଗ୍ରାହ୍ୟ କଲେ । ରାଜା ନିରୁତ୍ତର । ଦେଖିଲେ, ପଠାଣସୈନ୍ୟ ଆସି ବିନୋଦଙ୍କର ପଶ୍ଚାଦ୍‌ଭାଗରେ ଠିଆ ହୋଇଛନ୍ତି । ରାଜା ଗମ୍ଭୀର ଭାବରେ କହିଲେ,–‘ବିନୋଦବାବୁ ! ମୁଁ ଉତ୍ତମରୂପେ ଜାଣେ, ତୁମେ ମନ୍ଦିର ଭାଙ୍ଗିବାକୁ ଆସିନାହଁ, ମୋତେ ଧରିବାକୁ ଆସିଅଛ । ମୁଁ ଧରା ଦେଉଛି–ମୋତେ କାରାଗାରକୁ ନିଅ ଅଥବା ଏଠାରେ ନିହତ କର, ତୁମମାନଙ୍କର ଚକ୍ରାନ୍ତ ଫଳପ୍ରଦ ହେଉ । କିନ୍ତୁ ଏହି ପୈଶାଚିକ, ରାକ୍ଷସୋଚିତ କାର୍ଯ୍ୟରୁ ନିରସ୍ତ ହୁଅ ।’

 

ବିନୋଦ କିଛି ଉତ୍ତର ଦେଇ ପାରିଲେ ନାହିଁ, କିଂକର୍ତ୍ତବ୍ୟବିମୂଢ଼ ହୋଇ ଚତୁର୍ଦ୍ଦିଗରେ ଦୃଷ୍ଟିପାତ କଲେ । ଦୃଷ୍ଟିପାତର ଉଦ୍ଦେଶ୍ୟ ପରାମର୍ଶ-ଗ୍ରହଣ । ପରାମର୍ଶ କିନ୍ତୁ ଦେଉଛି କିଏ ? ଫକିର ସେଠାରେ ଅନୁପସ୍ଥିତ–ସୈନିକସକଳ ନୀରବ । ସୈନ୍ୟଶ୍ରେଣୀ ଅନ୍ତରାଳରେ ଚଇତ ଠିଆ ହୋଇଥିଲା । ସେ ମନେ ମନେ କହିଲା,–‘ଜଗନ୍ନାଥ ମନ୍ଦିର ରସାତଳକୁ ଯାଉ, ଦେଶରେ ଯେତେ ଦେବାଳୟ ଅଛି ସବୁ ବିଧ୍ୱସ୍ତ ହେଉ, କ୍ଷତି ନାହିଁ–ରାଜାଙ୍କୁ କିନ୍ତୁ ରକ୍ଷା କରିବାକୁ ହେବ । ତକିଖାଁର ବନ୍ଦୀ ହେଲେ ରାଜାଙ୍କର ଆଉ ରକ୍ଷା ନାହିଁ ।’

 

ନିମେଷ ମଧ୍ୟରେ ସକଳ କଥା ଚିନ୍ତାକରି ସେ ଦର୍ପଜଡ଼ିତ କଣ୍ଠରେ କହି ଉଠିଲା,–‘ଆମେମାନେ ମନ୍ଦିର ଭାଙ୍ଗିବାକୁ ଆସିଅଛୁ, ମନ୍ଦିର ଭାଙ୍ଗିବୁ ।’

 

ଚଇତ ଜୀବନରେ ପଣ କରିଥିଲା ଯେ, ସେ ବିପଦରେ ଯେ କୌଣସି ଉପାୟରେ ରାଜା କୃଷ୍ଣଚନ୍ଦ୍ରଙ୍କର ସହାୟ ହେବ, ତଦ୍ଦ୍ୱାରା ଋଣ ପରିଶୋଧ କରିବ ଏବଂ ତକିଖାଁ ଓ ବିନୋଦବିହାରୀଙ୍କର ଧ୍ୱଂସସାଧନ କରିବ । ଦେଶର ମଙ୍ଗଳାମଙ୍ଗଳ ପ୍ରତି ତାହାର ଭ୍ରୂକ୍ଷେପ ନାହିଁ । ସେ କୃତଜ୍ଞ–କୃଷ୍ଣଚନ୍ଦ୍ରଙ୍କର ଉଦ୍ଧାର ଚାହେଁ । ସେ ଉଗ୍ର ପ୍ରତିହିଂସାପରାୟଣ–ବିନୋଦ ଓ ତକିଖାଁଙ୍କର ସର୍ବନାଶ କାମନା କରେ । ହିନ୍ଦୁ ଦେଶର ପୂଜା କରେ, ସେ କିନ୍ତୁ କରେ ନାହିଁ–ସେ ପୂଜା କରେ ପ୍ରତିହିଂସାର ।

 

ଚଇତର କଥାରେ ବିନୋଦ ଉତ୍ତେଜିତ ହୋଇ ଉଠିଲେ । ଚଇତ ଯାହା କହିଲା, ତାହାର ପ୍ରତିଧ୍ୱନି ଉଠାଇ ହୁଙ୍କାର କରି କହିଲେ,–‘ଆମେମାନେ ମନ୍ଦିର ଭାଙ୍ଗିବାକୁ ଆସିଛୁ, ମନ୍ଦିର ଭାଙ୍ଗିବୁ ।’

 

ରାଜା : ମୋ ଜୀବନ ବିନିମୟରେବି କ୍ଷାନ୍ତ ହେବ ନାହିଁ ?

 

ବିନୋଦ : ନା ।

 

ରାଜା : ତାହାହେଲେ ଅଗ୍ରସର ହୁଅ । କୃଷ୍ଣଚନ୍ଦ୍ର ଏ ଅତ୍ୟାଚାର ସହ୍ୟ କରିପାରିବ ନାହିଁ-

 

ଏହା କହି ଅଶ୍ୱାରୋହୀ ରାଜା ତରବାରି ଘୂର୍ଣ୍ଣନ କରି ମନ୍ଦିର–ସିଂହଦ୍ୱାର ଆଡ଼କୁ ଅଗ୍ରସର ହେଲେ । ଓଡ଼ିଆ ସୈନ୍ୟ ପଛେ ପଛେ ଆସିଲେ । ବିନୋଦଙ୍କୁ ଅଗତ୍ୟା ପଛଘୁଞ୍ଚା ଦେବାକୁ ହେଲା । ଦୁଇ ଶତ ମାତ୍ର ସୈନ୍ୟ ସାହାଯ୍ୟରେ ଛଅ ହଜାର ସଶସ୍ତ୍ର ଓଡ଼ିଆକୁ ଆକ୍ରମଣ କରିବାକୁ ସାହସୀ ହେଲେ ନାହିଁ–ଆମୀରଖାଁଙ୍କ ଆଗମନ ପଥକୁ ଚାହିଁ ରହିଲେ ।

Image

 

ପଲ୍ଲି-ଆକ୍ରମଣ

 

ଅସଂଖ୍ୟ ସଶସ୍ତ୍ର ଓଡ଼ିଆ ସୈନିକଙ୍କୁ ରାଜା କୃଷ୍ଣଚନ୍ଦ୍ର ସଙ୍ଗେ ମନ୍ଦିର ରକ୍ଷା କରିବାକୁ ଧାବିତ ହେବାର ଦେଖି ଫକିରଙ୍କ ମନରେ ଆଶଙ୍କା ଜାତ ହେଲା । ସେ ଭାବିଲେ, କୃଷ୍ଣଚନ୍ଦ୍ର ଆଜି ଯଦି ମୁସଲମାନ ସଂହାର କରି ଜୟୀ ହୁଅନ୍ତି, ତାହାହେଲେ ମୁସଲମାନ–ନାମ କଳଙ୍କିତ ହେବ । ଅତଏବ ରାଜାଙ୍କୁ ଏକାକୀ ରଖି ଓଡ଼ିଆ ସୈନ୍ୟକୁ ମନ୍ଦିର ନିକଟକୁ ଅପସାରିତ କରିବାକୁ ଫକିର ବଦ୍ଧପରିକର ହେଲେ । ସେ ପୁରୀ ନଗର ତ୍ୟାଗ କରି ପ୍ରତି ପଲ୍ଲିରେ ବୁଲି ଧର୍ମନାମରେ ପଠାଣମାନଙ୍କୁ ଆହ୍ୱାନ ଓ ଉତ୍ତେଜିତ କରିବାକୁ ବାହାରିଲେ । ଦେଶପ୍ରସିଦ୍ଧ ଫକିର ଷା ଆଲମ୍‍ଙ୍କ ନାମ ନ ଶୁଣିଛି ଏପରି ପଠାଣ ଅଛି କିଏ ? ତାଙ୍କୁ ଦେଖି, ତାଙ୍କର ଅନଳମୟୀ ବାଣୀରେ ଅନୁପ୍ରାଣିତ ହୋଇ ପଲ୍ଲୀବାସୀ ମୁସଲମାନଗଣ ଦୌଡ଼ି ଆସିଲେ । ଫକିର ଜନତା ମଧ୍ୟରେ ଠିଆ ହୋଇ ବଜ୍ରକଠୋର କଣ୍ଠରେ କହିବାକୁ ଲାଗିଲେ–‘ଯଦି ବେହେସ୍ତ ଚାହଁ, ଜଗତରେ ଇସ୍‍ଲାମ ଧର୍ମ ପ୍ରଚାର କରିବାର ବାସନା ଥାଏ, ତାହାହେଲେ କାଫେର ମାର, ସେମାନଙ୍କ ଗୃହ ଲୁଣ୍ଠନ କର, ପୌତ୍ତଳିକ ଧର୍ମର ଉଚ୍ଛେଦ ସାଧନ କର ।’

 

ଏହା ଶୁଣି ଚଞ୍ଚଳମତି, ଧର୍ମୋନ୍ମତ୍ତ ପଠାଣଦଳ ‘ମାର ମାର, ହିନ୍ଦୁକୁ ମାର’ ବୋଲି ଚିତ୍କାର କରି ଓଡ଼ିଆ ପଲ୍ଲୀ ଅଭିମୁଖରେ ପ୍ରଖର ଗତିରେ ଧାବମାନ ହେଲେ ।

 

ଅସ୍ତ୍ରଧାରଣକ୍ଷମ ଅଧିକାଂଶ ଓଡ଼ିଆ ମନ୍ଦିର ସମୀପରେ ସମବେତ ହୋଇଥିଲେ । ଯେଉଁମାନେ ଘରେ ଥିଲେ, ସେମାନେ ଅସତର୍କ । ହିନ୍ଦୁ ମୁସଲମାନ ମଧ୍ୟରେ ଏଥିପୂର୍ବେ କୌଣସି କଳହ ବିବାଦ, ମନୋମାଳିନ୍ୟ ନଥିଲା । କିଏ ଜାଣିଥିଲା, ସହସା ଅଗ୍ନି ଜଳି ଉଠି ସକଳ ସ୍ନେହ-ବନ୍ଧନ ଉନ୍ମୂଳିତ କରିବ । ଯେଉଁମାନଙ୍କ ସଙ୍ଗେ ‘ଭାଇ’, ‘କକା’ ସମ୍ବୋଧନରେ ସର୍ବଦା ସମ୍ଭାଷଣ କରାଯାଏ, କିଏ ଭାବିଥିଲା ସେମାନେ ବିନାକାରଣରେ ଅସ୍ତ୍ରଧାରଣ କରି ଉଠିବେ ?

ପଲ୍ଲୀବାସୀ ଓଡ଼ିଆମାନଙ୍କ ଗୃହ ଅରକ୍ଷିତ ଥିଲା, ଲୋକେ ନିଶ୍ଚିନ୍ତ ଥିଲେ । ବିଦ୍ରୋହୀ ପଠାଣଦଳ ଯେତେବେଳେ ‘ମାର ମାର’ ରବରେ ଚିତ୍କାର କରି ସେମାନଙ୍କ ଗୃହ ଆକ୍ରମଣ କଲେ, ସେତେବେଳେ ହିନ୍ଦୁ ପ୍ରଜାମାନେ କ’ଣ କରିବେ କିଛି ସ୍ଥିର କରି ନ ପାରି ଭୀତ ତ୍ରସ୍ତ ହୋଇ ରହିଲେ-। ଅନେକ ଗୃହ ପୁରୁଷଶୂନ୍ୟ–ମନ୍ଦିରରକ୍ଷାର୍ଥ ଯାଇଥିଲେ । ଏପରି ସକଳ ଗୃହ ମୁହୂର୍ତ୍ତ ମଧ୍ୟରେ ଆକ୍ରାନ୍ତ, ଲୁଣ୍ଠିତ ହେଲା । ସ୍ତ୍ରୀମାନେ ନିଷ୍କୃତି ପାଇଲେ ନାହିଁ–ମୁସଲମାନ ହାତରେ ଅଶେଷ ଲାଞ୍ଛନା, ନିର୍ଯାତନା ସହ୍ୟ କଲେ । କେହି ପତିଅଙ୍କରୁ ବିଚ୍ଛିନ୍ନ ହୋଇ ଧର୍ମ ହରାଇଲା, କେହି ବା ପ୍ରହୃତ ପିତାର ଶିଥିଳ ବାହୁପାଶରୁ ଅପହୃତ ହୋଇ ଜାତି–ଚ୍ୟୁତ, ଧର୍ମଭ୍ରଷ୍ଟ ହୋଇ ପଡ଼ିଲା । ମୂଲ୍ୟବାନ୍‌ ଗୃହ-ସାମଗ୍ରୀ ସକଳ ଅପହୃତ ହେଲା । ଗୃହସ୍ୱାମୀ ଜୀବନବ୍ୟାପୀ ପରିଶ୍ରମଫଳରେ ଯାହା କିଛି ସଞ୍ଚୟ କରିଥିଲା ତାହା ନିମେଷ ମଧ୍ୟରେ ଲୁଣ୍ଠିତ ବା ନଷ୍ଟ ହୋଇଗଲା । ପଠାଣମାନେ ଯାହା ବୋହି ନେଇ ପାରିଲେ ନାହିଁ, ତାହା ଅଗ୍ନିସାତ୍‌ କରି ଦେଲେ । ଦେବପ୍ରତିମା, ଶାଳଗ୍ରାମ ଶିଳାର ଦୁର୍ଗତିର ଆଉ ସୀମା ରହିଲା ନାହିଁ । ଖ୍ରୀଷ୍ଟିଆନ୍‌ ବା ମୁସଲମାନ ଚକ୍ଷୁରେ ଶାଳଗ୍ରାମର ମୂଲ୍ୟ ନାହିଁ–ହିନ୍ଦୁ ଦୃଷ୍ଟିରେ କିନ୍ତୁ ତାହା ଅମୂଲ୍ୟ । ସେହି ଅମୂଲ୍ୟ, ଆରାଧ୍ୟ ଶିଳାଖଣ୍ଡ ପଠାଣ ପଦତଳେ ବିମର୍ଦ୍ଦିତ, ଚୂର୍ଣ୍ଣୀକୃତ ହୋଇ ପଡ଼ିଲା । ଓଡ଼ିଆମାନଙ୍କ ଗୃହରେ ହାହାକାର ଉଠିଲା ।

ସେହି ସମୟରେ ପଲ୍ଲୀଦୃଶ୍ୟ ଅତୀବ ବୀଭତ୍ସ, ବିଭୀଷିକାମୟ, ହୃଦୟବିଦାରକ । କେଉଁ ଗୃହରୁ ନିବିଡ଼ ଧୂମରାଶି ଉଦ୍‌ଗତ, କେଉଁ ଗୃହରୁ ବା କରୁଣ ରୋଦନ-ରୋଳ ଉତ୍‌ଥିତ । କେଉଁ ଗୃହର ଦ୍ୱାରଗବାକ୍ଷାଦି ଭଗ୍ନ, କେଉଁ ଗୃହ ସମ୍ମୁଖରେ ବା ଆହତ ମୁମୂର୍ଷୁ ଗୃହସ୍ଥ ଶୟାନ । କେଉଁ ସ୍ଥାନରୁ କୁଳକାମିନୀର କାତର ଚିତ୍କାର ଉଠୁଅଛି, କେଉଁଠାରେ ଅବା ନିରୀହ ଶିଶୁର ଘନଘନ କ୍ରନ୍ଦନରେ କର୍ଣ୍ଣ ବଧିର, ଗଗନ ବିଦୀର୍ଣ୍ଣ ହେଉଅଛି । ଚତୁର୍ଦ୍ଦିଗରେ ଭୟଙ୍କର କୋଳାହଳ, ରୋମହର୍ଷଣ ବ୍ୟାପାର, ଘୋର ଅଶାନ୍ତି, ପଲ୍ଲୀ ତମାମ୍ ରକ୍ତପାତ ! ଆବାଳବୃଦ୍ଧବନିତା ସମସ୍ତଙ୍କର ମର୍ମଭେଦୀ ଯନ୍ତ୍ରଣା ଆଉ ବର୍ଣ୍ଣନ କରି ହେବ ନାହିଁ !!

କେତେକ ହିନ୍ଦୁ ପିତୃସ୍ଥାନୀୟ ପରମ ଭକ୍ତିଭାଜନ ନାଦୀର ଖାଁଙ୍କୁ ସମ୍ବାଦ ଦେବାକୁ ଧାଇଁଗଲେ, କେହି କେହି ବା ଓଡ଼ିଆର ଶିରୋଭୂଷଣ ରାଜା କୃଷ୍ଣଚନ୍ଦ୍ରଙ୍କ ନିକଟକୁ ଧାଇଁ ଗଲେ । କୃଷ୍ଣଚନ୍ଦ୍ର ସେତେବେଳେ ମନ୍ଦିରଦ୍ୱାରରେ ନଗ୍ନ କୃପାଣହସ୍ତରେ ଦଣ୍ଡାୟମାନ । ପଲ୍ଲୀବାସୀଙ୍କର ବିପଦ ଦେଖି ସେ ଅତ୍ୟନ୍ତ ବିବ୍ରତ, ବିଚଳିତ ହୋଇ ଉଠିଲେ । ସେ କିନ୍ତୁ ମନ୍ଦିର ଛାଡ଼ି ଯାଉଛନ୍ତି କିପରି ? ସମବେତ ଓଡ଼ିଆ ସୈନ୍ୟକୁ କହିଲେ–‘ତୁମେମାନେ ଫେରିଯାଅ, ଗୃହରକ୍ଷା କର–ଓଡ଼ିଆର ମାନ ରକ୍ଷା କର । ଆତ୍ମରକ୍ଷା କରିବାକୁ ଯାହା ପ୍ରୟୋଜନ ହୁଏ କର । ଧନ, ଧର୍ମ, ନାରୀ ଓ ଗୃହରକ୍ଷା କରିବାପାଇଁ ଦରକାର ହେଲେ ପଠାଣକୁ ନିଃଶଙ୍କ ଚିତ୍ତରେ ମାର । ସାବଧାନ, ଯେଉଁ ହିନ୍ଦୁ ସଂତ୍ରସ୍ଥ ଶୃଗାଳ ପରି ପଳାୟନ କରିବ, ମୋ ହାତରେ ତାହାର ନିସ୍ତାର ନାହିଁ । ଦୁଇ ଶତ ସୈନ୍ୟ ମାତ୍ର ଏଠାରେ ରହନ୍ତୁ, ଅବଶିଷ୍ଟ ଫେରିଯାନ୍ତୁ ।’

ଓଡ଼ିଆ ସୈନ୍ୟ ପଲ୍ଲୀ ଅଭିମୁଖରେ ଧାବିତ ହେଲେ । ଯେଉଁମାନେ ନାଦୀର ଖାଁଙ୍କ ଅନ୍ୱେଷଣରେ ବାହାରିଥିଲେ, ସେମାନେ ନଗରପ୍ରାନ୍ତରେ ତାଙ୍କର ସାକ୍ଷାତ ପାଇ ଆଶ୍ୱସ୍ତ ହେଲେ । ସେ ଦୁର୍ଗରୁ ବାହାରି ସେତେବେଳେ ନଗର ପ୍ରତି ଅଶ୍ୱ ଚଳାଉଥିଲେ । ବିପନ୍ନ ପଲ୍ଲୀବାସୀମାନେ ତାଙ୍କୁ ବିକଳ ପ୍ରାଣରେ କାତର ସ୍ୱରରେ କହିଲେ–‘ଆପଣ ଆମମାନଙ୍କର ପିତା, ଶାସନକର୍ତ୍ତା, ସବୁ-। ଏ ବିପଦରେ ଆପଣ ରକ୍ଷା ନ କଲେ ପଲ୍ଲୀସବୁ ଜନଶୂନ୍ୟ ହୋଇ ପଡ଼ିବ ।’

ନାଦୀର : ମୁଁ କ’ଣ କରିପାରିବି ? ବର୍ତ୍ତମାନ ମୁଁ ଯେ ଏଠାରେ କିଛି ନୁହେଁ । ମୁଁ ଆଉ ଶାସକ ନୁହେଁ–ସାମାନ୍ୟ ଜଣେ ପ୍ରଜା ମାତ୍ର ।

 

ପଲ୍ଲୀବାସୀଗଣ : ନିରାଶ କରନ୍ତୁ ନାହିଁ ପିତା !

 

ନାଦୀର : ଚାଲ ତେବେ । ପ୍ରାଣ ଦେଇ ତୁମମାନଙ୍କୁ ରକ୍ଷା କରିପାରିଲେ କୃତାର୍ଥ ହେବି-। କିଛି ଭୟ ନାହିଁ-

 

ଅଶ୍ୱ ଗତି ଫେରାଇ ନାଦୀର ଖାଁ ପଲ୍ଲୀ ମଧ୍ୟରେ ପ୍ରବିଷ୍ଟ ହେଲେ । ସେଠାରେ ସେତେବେଳେ ବିଷମ ବିଭ୍ରାଟ ! ଉନ୍ମତ୍ତ ପଠାଣମାନେ ମାର ମାର ଶବ୍ଦରେ ଇତସ୍ତତଃ ଧାବିତ । କାହା ହାତରେ ବାଉଁଶ, କାହା ହାତରେ ବା ଲଗୁଡ଼; କେହି କେହି ଲୁଣ୍ଠିତ ଦ୍ରବ୍ୟ ବୋହି ନିଜ ନିଜ ଗୃହାଭିମୁଖରେ ଧାଉଁଛନ୍ତି, କେହି କେହି ବା ନିରୁପାୟା ସ୍ତ୍ରୀମାନଙ୍କୁ ଟାଣି ନେଉଛନ୍ତି । ନାଦୀର ଖାଁ ଦୁର୍ବୃତ୍ତ ପଠାଣଦଳକୁ କହିଲେ–‘ମୁସଲମାନଗଣ ! ଅଳ୍ପ କିଛିକ୍ଷଣ ପୂର୍ବେ ଯେଉଁମାନଙ୍କୁ ‘ଭଉଣୀ’ ମା’ ବୋଲି ସମ୍ବୋଧନ କରୁଥିଲ, ସେମାନଙ୍କ ଉପରେ କାହିଁକି ଏ ଅତ୍ୟାଚାର କରୁଛ ? ଇସ୍‍ଲାମ ଧର୍ମ ଭୁଲି ଯାଉଛ କାହିଁକି ?’

 

ପଠାଣମାନେ ଲଜ୍ଜିତ ହୋଇ ଅତ୍ୟାଚାରରୁ ନିବୃତ୍ତ ହେଲେ ଏବଂ ସେଠାରୁ ପ୍ରସ୍ଥାନ କରିବାକୁ ଉଦ୍ୟମ କଲେ । ଠିକ୍ ସେତିକିବେଳେ କିଛି ଦୂରରୁ ସିନ୍ଧୁ ଗର୍ଜନସଦୃଶ ଗମ୍ଭୀର କଣ୍ଠରେ ଜଣେ କହିଲା,–‘ମୁସଲମାନଗଣ ! ଯଦି ବେହେସ୍ତ ଚାହଁ, ତାହାହେଲେ କାଫେର ସଂହାର କର ।’ ବକ୍ତା ସ୍ୱୟଂ ଫକିର ସାହେବ । ଅତ୍ୟାଚାର–ବିରତ, ନୀରବ ପଠାଣଦଳ ମଧ୍ୟରେ ଠିଆ ହୋଇ ଦେଶପୂଜ୍ୟ ନାଦୀର ଖାଁ ଫକିରଙ୍କୁ ଅଭିବାଦନ କରି କହିଲେ–‘ଫକିର ସାହେବ ! କାଫେର ସଂହାରରେ କ’ଣ ବେହେସ୍ତ ଲାଭ ହୁଏ ?’

 

ଫକିର : ନିଶ୍ଚୟ । ଯେଉଁମାନେ ପ୍ରତିମା ପୂଜା କରି ଜଗତରେ ନାସ୍ତିକତା ପ୍ରଚାର କରୁଛନ୍ତି, ସେମାନଙ୍କୁ ବଧ କଲେ ବେହେସ୍ତ ଲାଭ ହେବଇ ହେବ ।

 

ନାଦୀର : ଧୃଷ୍ଟତା କ୍ଷମା କରିବେ ଫକିର ସାହେବ ! ଏକ ଖୋଦା କ’ଣ ହିନ୍ଦୁ, ପଠାଣ ଉଭୟଙ୍କୁ ସୃଷ୍ଟି କରି ନାହାନ୍ତି ? ସେମାନେ କ’ଣ ପରସ୍ପର ଭାଇ ନୁହନ୍ତି ? ହିନ୍ଦୁଧର୍ମ ଓ ଇସ୍‍ଲାମ ଧର୍ମ ଏକ ଜିନିଷ ନୁହେଁ ।

 

ଫକିର : କଦାପି ନୁହେଁ । ଖୋଦା ଭକ୍ଷକ ଓ ଭକ୍ଷ୍ୟ ସୃଷ୍ଟି କରି ଅଛନ୍ତି । ତାଙ୍କ ସୃଷ୍ଟିର ନିୟମ–ଭକ୍ଷକ ଭକ୍ଷ୍ୟ ନିଧନ କରିବ । ଏ ଦୁହିଁଙ୍କର ଧର୍ମ କଦାପି ଏକ ହୋଇ ନ ପାରେ ।

 

ଏପରି ସମୟରେ ନଗର ମଧ୍ୟରେ ଭୟଙ୍କର କଳରବ ଉତ୍‌ଥିତ ହେଲା । ଫକିର ଓ ନାଦୀର ଖାଁ ପୁରୀ ଆଡ଼କୁ ଧାଇଁଗଲେ । କିଛି ଦୂର ଅଗ୍ରସର ହୋଇ ଦେଖିଲେ, ଅସଂଖ୍ୟ ଓଡ଼ିଆ ଜଳପ୍ରପାତ ତୁଲ୍ୟ ନଗର ମଧ୍ୟରେ ପ୍ରବେଶ କରି ପଠାଣମାନଙ୍କୁ ଛିନ୍ନ ପଲ୍ଲବ ପରି ସ୍ରୋତମୁଖରେ ଭସାଇ ନେଇ ଚାଲିଛନ୍ତି । ଓଡ଼ିଆ ହାତରେ ବର୍ଚ୍ଛା, ପଠାଣ ହାତରେ ଛୋଟ କୁଠାର । ଓଡ଼ିଆମାନଙ୍କ ଆକ୍ରମଣରେ ପଠାଣମାନେ ନିସ୍ତେଜ ହୋଇଗଲେ–କିଏ କେଉଁ ଦିଗରେ ସୁବିଧା ଦେଖି ପଳାୟନ କଲେ ।

Image

 

ଯୁଦ୍ଧାରମ୍ଭ

 

ବିନୋଦବିହାରୀ ସାହସ ସହକାରେ ଅଗ୍ରସର ହୋଇ ରାଜା କୃଷ୍ଣଚନ୍ଦ୍ରଙ୍କୁ କହିଲେ,–‘ତୁମେ ପ୍ରଭୁ ବିରୁଦ୍ଧରେ ହସ୍ତୋତ୍ତୋଳନ କରିଅଛ–ତୁମେ ବିଶ୍ୱାସଘାତକ, ଧର୍ଧଦ୍ରୋହୀ । ଆଜି ଏହାର ଉପଯୁକ୍ତ ଶାସ୍ତି ଦେବି ।’

 

ରାଜା : ପ୍ରଭୁ ବିରୁଦ୍ଧରେ ତରବାରି ଧରି ନାହିଁ–ଧରିଛି ପାପାତ୍ମା ତକିଖାଁ ବିରୁଦ୍ଧରେ ।

 

ବିନୋଦ : ଆଜି ମୋ ତରବାରି ଉତ୍ତମରୂପେ ବୁଝାଇଦେବ ଯେ, ତକିଖାଁବି ତୁମର ପ୍ରଭୁ, ଭାଗ୍ୟବିଧାତା ।

 

ବିନୋଦ ଇଙ୍ଗିତ କରିବାମାତ୍ରକେ ତାଙ୍କ ସୈନ୍ୟ ଓଡ଼ିଆମାନଙ୍କୁ ଭୀମ ବେଗରେ ଆକ୍ରମଣ କଲେ । ରାଜା କୃଷ୍ଣଚନ୍ଦ୍ର ମନ୍ଦିର ଦ୍ୱାରରେ ଅର୍ଦ୍ଧଚନ୍ଦ୍ରାକୃତି ବ୍ୟୂହ ରଚନା କରି ଯୁଦ୍ଧପାଇଁ ପ୍ରସ୍ତୁତ ଥିଲେ । ଆକ୍ରମଣର ଧକା ତାଙ୍କରି ଉପରେ ଯାଇ ପଡ଼ିଲା । ସେ କିନ୍ତୁ ପଶ୍ଚାତ୍‌ପଦ ହେଲେ ନାହିଁ, ଉତ୍ତେଜିତ ପଠାଣମାନଙ୍କର ଭୀଷଣ ଆକ୍ରମଣ ଅବଲୀଳାକ୍ରମେ ପ୍ରତିହତ କଲେ । କ୍ଷଣ କାଳ ଯୁଦ୍ଧ ପରେ, ମୁସଲମାନ ସେନା ହତାଶ ହୋଇଗଲେ ।

 

ଏହି ସମୟରେ ଆମୀର ଖାଁ ଅଶ୍ୱାରୋହଣ କରି ସାତ ଶତ ପଠାଣ ପଦାତିଙ୍କୁ ସଙ୍ଗେ ଧରି ମନ୍ଦିର ନିକଟରେ ଉପସ୍ଥିତ ହେଲେ । ଏତେ ସୈନ୍ୟଙ୍କ ପାଇଁ ସେଠାରେ ସ୍ଥାନାଭାବ । ରାଜା ପୂର୍ବରୁ ଦ୍ୱାର ଦେଶଟି ଦଖଲ କରି ବ୍ୟୂହ ରଚନା କରିଥିଲେ । ରଣନିପୁଣ ଆମୀର ଖାଁ ସମ୍ମୁଖଭାଗସ୍ଥିତ ରାଜାଙ୍କ ପାର୍ଶ୍ୱଦ୍ୱୟ ଆକ୍ରମଣ କଲେ । ରାଜା ବୁଝିଲେ, ବର୍ତ୍ତମାନ ବିଚକ୍ଷଣ ସେନାପତି ସହିତ ଲଢ଼ାଇ କରିବାକୁ ହେବ । ସେତେବେଳେ ସେ ଅର୍ଦ୍ଧଚନ୍ଦ୍ରାକୃତି ବ୍ୟୂହ ଭଙ୍ଗ କରି ତ୍ରିକୋଣାକାରରେ ବ୍ୟୂହ ରଚନା କଲେ । ଯେଉଁ ସମସ୍ତ ପ୍ରକାଣ୍ଡାକାର ଯନ୍ତ୍ର ମନ୍ଦିର ଦ୍ୱାର ଭାଙ୍ଗିବା ସକାଶେ ଆନୀତ ହୋଇଥିଲା, ରାଜା ସେ ସକଳ ଯନ୍ତ୍ର ଉଠାଇ ନେଇ ତ୍ରିକୋଣଭୁଜର ଏକ ପାର୍ଶ୍ୱରେ ସ୍ଥାପନ କଲେ । କୃଷ୍ଣଚନ୍ଦ୍ରଙ୍କ ସଙ୍ଗେ ଯେଉଁ ପଚାଶ ଜଣ ଅନୁଚର କଟକରୁ ଆସିଥିଲେ, ସେମାନେ ଶିକ୍ଷିତ ଓ ଅସ୍ତ୍ରକୁଶଳ । ଉପସ୍ଥିତ ସଙ୍କଟରେ ସେମାନେହିଁ ରାଜାଙ୍କର ପ୍ରଧାନ ସହାୟ, ସମ୍ବଳ । ରାଜା ସେମାନଙ୍କୁ ବ୍ୟୂହର ଉପଯୁକ୍ତ ସ୍ଥାନରେ ସନ୍ନିବେଶିତ କଲେ ।

 

ମୁସଲମାନ ସେନାପତି ଆଜି ଦୃଢ଼ପ୍ରତିଜ୍ଞ, କୃଷ୍ଣଚନ୍ଦ୍ରଙ୍କୁ ନିହତ କରି ପଠାଣରାଜର କଣ୍ଟକୋଦ୍ଧାର କରିବେ । ଏହି କାର୍ଯ୍ୟରେ ତାଙ୍କର ସ୍ୱାର୍ଥବି ଥିଲା । ସେ ଜାଣନ୍ତି, ରାଜାଙ୍କୁ ମାରି ପାରିଲେ ଭାଗ୍ୟ ଓ ଯଶ ତାଙ୍କୁ ବରଣ କରି ନେବ । ତାଙ୍କର ଦମ୍ଭ, ନ’ଶତ ଶିକ୍ଷିତ, ଦୁର୍ଦ୍ଧର୍ଷ ମୁସଲମାନ ଯୋଦ୍ଧା ଦୁଇ ଶତ ମାତ୍ର ଅଶିକ୍ଷିତ ଓଡ଼ିଆ ସୈନ୍ୟକୁ ଅତ୍ୟଳ୍ପ ସମୟରେ ଛିନ୍ନଭିନ୍ନ କରିପାରିବେ ।

 

ଯେତେବେଳେ ସୂର୍ଯ୍ୟଦେବ ଗଗନମଣ୍ଡଳ ତ୍ୟାଗ କରି ଅସ୍ତାଚଳଗମନୋନ୍‌ମୁଖ ହେଲେ, ସେତେବେଳେ ରାଜା କୃଷ୍ଣଚନ୍ଦ୍ରଙ୍କର ବ୍ୟୂହ ହଠାତ ଭାଙ୍ଗିଗଲା । ଏଣେ ଓଡ଼ିଆ ସୈନ୍ୟ କ୍ଳାନ୍ତ, ଅବସନ୍ନ । ସେମାନଙ୍କ ମଧ୍ୟରୁ ଏକ ଶତ ସୈନିକ ଅସୀମ ବୀରତ୍ୱ ସହ ଯୁଦ୍ଧ କରି ପ୍ରାଣ ହରାଇଲେ । ଅବଶିଷ୍ଟ ସୈନ୍ୟ ପଠାଣ ଆକ୍ରମଣ ଆଉ ସହ୍ୟ କରି ପାରିଲେ ନାହିଁ । ପଠାଣ ସୈନ୍ୟ ‘ଆଲ୍ଲା ଆଲ୍ଲା’ ରବରେ ଦିଗନ୍ତ ପ୍ରକମ୍ପିତ କରି ମନ୍ଦିର ଦ୍ୱାରରୁ ଯନ୍ତ୍ରସକଳ ଟାଣି ଓଟାରି ନେଲେ, ରାଜାଙ୍କୁ ତିନି ଦିଗରୁ ଆକ୍ରମଣ କରି ଉଠିଲେ । ରାଜା ମନେ ମନେ ଜଗନ୍ନାଥଙ୍କ ଚରଣରେ ଶକ୍ତିଭିକ୍ଷା କରି ଶେଷ ମୁହୂର୍ତ୍ତପାଇଁ ପ୍ରସ୍ତୁତ ହେଲେ । ଅସିହସ୍ତ ଆମୀର ଖାଁ ତାଙ୍କୁ ଆକ୍ରମଣ କଲେ । ରାଜା କିନ୍ତୁ ସେହି ଆଘାତ କୌଶଳକ୍ରମେ ପ୍ରତିହତ କରି କହିଲେ,–‘ସେନାପତି ସାହେବ ! ମୁଁ ଆତ୍ମସମର୍ପଣ କଲେ ତୁମେମାନେ ଏ ଯୁଦ୍ଧରୁ କ୍ଷାନ୍ତ ହେବ ?’

 

ଆମୀର : ଜୀବନ ପ୍ରତି ଏତେ ମମତା, ରାଜା ସାହେବ ?

 

ରାଜା : ଜୀବନ ପ୍ରତି ଲୋଭ, ମମତା ଥିଲେ ମହା ଅତ୍ୟାଚାରୀ ହିନ୍ଦୁବିଦ୍ୱେଷୀ ତକିଖାଁ ନିକଟରେ ଆତ୍ମସମର୍ପଣ ପ୍ରସ୍ତାବ କରନ୍ତି ନାହିଁ ।

 

ଆମୀର : ସୁବାଦାର-ପୁତ୍ରଙ୍କର ନିନ୍ଦା ! ମୁସଲମାନର ନିନ୍ଦା ! ସାବଧାନ ନରାଧମ କାଫେର । ତୁମ ନାମ, ହିନ୍ଦୁର ନାମ ଆଜି ଧରଣୀ ବକ୍ଷରୁ ଲୁପ୍ତ କରିବି ।

 

ରାଜା : କୋଟି ଆମୀର ଖାଁ ଏକତ୍ର ହେଲେ ମଧ୍ୟ ଏହା କରିପାରିବେ ନାହିଁ । ମନେରଖ ଖାଁ ସାହେବ, ହିନ୍ଦୁ ଦେଶରେ ହିନ୍ଦୁର ନାମ ଲୋପ ପାଇବା ଏକାନ୍ତ ଅସମ୍ଭବ । କେତେ ଘୋରୀ, କେତେ ଖିଲିଜି ଚାଲି ଯାଇଛନ୍ତି, କେତେ ଯୁଗ ଚାଲିଯାଇଛି; ତଥାପି ହିନ୍ଦୁଜାତି ପୃଥିବୀବ୍ୟାପୀ ଜ୍ଞାନାଲୋକ ବିକୀର୍ଣ୍ଣ କରି ଆସୁଅଛି । ସେଇ ମହିମାମୟ, ଶକ୍ତିଶାଳୀ ହିନ୍ଦୁ ଆଜି ଖଦ୍ୟୋତ-ଜାତ ଅଗ୍ନିରେ ଭସ୍ମୀଭୂତ ହୋଇପାରିବ ନାହିଁ ।

 

ଆମୀର : ଆମେମାନେ ଖଦ୍ୟୋତ ? ଏତେ ଆସ୍ପର୍ଦ୍ଧା !

 

ରାଜା : ଆସ୍ପର୍ଦ୍ଧା ନୁହେଁ ମୁସଲମାନ ! ହିନ୍ଦୁ-ଗୌରବ-ରବି ତୁଳନାରେ ତୁମେମାନେ ବାସ୍ତବିକ ଖଦ୍ୟୋତ । ତୁମେମାନେ ଶତ ଶତ ବର୍ଷ ଧରି ଅତ୍ୟାଚାର ଓ ପୀଡ଼ନରେ ହିନ୍ଦୁଜାତିକୁ ନିର୍ମୂଳ କରିବାକୁ ପ୍ରୟାସୀ ହେଲେ ମଧ୍ୟ, ହିନ୍ଦୁ ଆଜି ଯେପରି ଅଛି ସେପରିହିଁ ରହିବ । କେତେ ମଶକ, କେତେ ପିପୀଲିକା ଦେଶ ଦେଶାନ୍ତରରୁ ଆସନ୍ତି ଯା’ନ୍ତି; ମାତଙ୍ଗ କିନ୍ତୁ ତାହା ଗ୍ରାହ୍ୟ କରେ ନାହିଁ । ମଶକ, ପିପୀଲିକା ଦିନେ ଦୁଇଦିନ ମାତ୍ର ଦଂଶନ ଜ୍ୱାଳା ଦିଅନ୍ତି ।

 

ଆମୀର : ଯେଉଁ ଜାତି ବହୁ କାଳରୁ ପରପଦ ଲେହନ କରି ଆସୁଅଛି, ସେମାନେ ମାତଙ୍ଗ ? ଆଉ ଯେଉଁ ଜାତି ହିନ୍ଦୁର ମସ୍ତକ ପଦଦଳିତ କରୁଅଛି, ସେଇ ଜାତି ମଶକ ! ଦେଖୁଛି, ମୃତ୍ୟୁର ପୂର୍ବ ମୁହୂର୍ତ୍ତରେ କୃଷ୍ଣଚନ୍ଦ୍ରଙ୍କର ମତିଭ୍ରମ ଘଟିଅଛି ।

 

ରାଜା : ମତିଭ୍ରମ ହୋଇନାହିଁ ଆମୀର । ବୀର-ପ୍ରସବିନୀ ହିନ୍ଦୁସ୍ଥାନରେ ହିନ୍ଦୁମାନେ ବାସ୍ତବିକ ମାତଙ୍ଗ ! ଛ’ଶତ ବର୍ଷ ହେଲା କେତେ ଭିନ୍ନଭିନ୍ନ ଜାତି ଭାରତ ଆକ୍ରମଣ କରିଅଛନ୍ତି–କେତେ ବିଭିନ୍ନ ଧର୍ମ ହିନ୍ଦୁ ଧର୍ମ ଉପରେ କେତେ ଅତ୍ୟାଚାର କରି ଯାଇଅଛି । କିନ୍ତୁ ହିନ୍ଦୁଧର୍ମର, ହିନ୍ଦୁଜାତିର କୌଣସି କ୍ଷତି ହୋଇ ନାହିଁ । ଅଚଳ ଅଟଳ ହିମାଚଳ ଭଳି ହିନ୍ଦୁମାନେ ନୀରବରେ ସହ୍ୟ କରି ଅଛନ୍ତି ।

 

ଆମୀର : ଶକ୍ତିଶୂନ୍ୟ ହିନ୍ଦୁ ସହ୍ୟ ନ କରି ଆଉ କରିବ କ’ଣ ?

 

ରାଜା : ଶକ୍ତି ଅଛି ସେନାପତି । ତେବେ ସେଇ ଶକ୍ତି ସହଜରେ ଉଦ୍ଦୀପ୍ତ ହେବାର ନୁହେଁ-। ତୁମେ ହିନ୍ଦୁର ସ୍ତ୍ରୀ କନ୍ୟା ଅପହରଣ କର, ହିନ୍ଦୁ ଦେବାଳୟ ଚୂର୍ଣ୍ଣ କର ଦେଖିବ–ନଗରେ ନଗରେ ଗ୍ରାମେ ଗ୍ରାମେ ଏହି ଜାତି ଭୁଜରେ ହସ୍ତି-ଶକ୍ତି ଧରି ତୁମମାନଙ୍କ ବିରୁଦ୍ଧରେ ଅସ୍ତ୍ର ଧରି ଠିଆ ହେବ, ତୁମମାନଙ୍କୁ ଦେଶରୁ ବିତାଡ଼ିତ କରିଦେବ ।

 

ଆମୀର : ଆମମାନଙ୍କୁ ଆଜି ଯେପରି ବିତାଡ଼ିତ କରୁଅଛି ।

 

ରାଜା : ପରିହାସ ନୁହେଁ ଆମୀର । ଦେଖୁଛ, ଦୁଇ ଶତ ଅଶିକ୍ଷିତ ଓଡ଼ିଆ କେବଳ ବର୍ଚ୍ଛା ସାହାଯ୍ୟରେ ନ’ଶତ ସଶସ୍ତ୍ର ସୁଶିକ୍ଷିତ ପଠାଣ ବୀରଙ୍କୁ ହଟାଇ ରଖିଛନ୍ତି । ଏମାନେ ଇଚ୍ଛା କଲେ ତୁମମାନଙ୍କୁ ଓଡ଼ିଶାରୁ ତଡ଼ି ଦେଇ ପାରିବେ ।

 

ଆମୀର : ତାହାହେଲେ ଦୟା କରି ତଡ଼ି ଦେଉ ନାହଁ କାହିଁକି ?

 

ରାଜା : ହିନ୍ଦୁ ରାଜ୍ୟାଭିଳାଷୀ ନୁହେଁ, ସେ ଶାନ୍ତିପ୍ରୟାସୀ, ଧର୍ମାକାଂକ୍ଷୀ । ଯଦି ରାଜ୍ୟଲାଭ ବା ସାମ୍ରାଜ୍ୟଗଠନ କରିବାର ବାସନା ଓଡ଼ିଆର ଥା’ନ୍ତା, ତାହାହେଲେ ତକିଖାଁ ବା ଆମୀର ଖାଁ ଓଡ଼ିଶାରେ ପଦାର୍ପଣ କରି ପାରି ନ ଥା’ନ୍ତେ ।

 

ଆମୀର : କିନ୍ତୁ ପଦାର୍ପଣ କରିଅଛୁ, ଏଣୁ ଓଡ଼ିଆର, ହିନ୍ଦୁର ଆଉ ନିସ୍ତାର ନାହିଁ । ଓଡ଼ିଶାର ଘରେ ଘରେ ଅଗ୍ନି ସଂଯୋଗ କରିବୁ, ତୁମମାନଙ୍କର ସ୍ତ୍ରୀ କନ୍ୟାଙ୍କୁ ଧରି ଆଣି ଦାସୀ କରି ରଖିବୁ । ମନ୍ଦିର ଭାଙ୍ଗି ଧୂଳିସାତ୍‌ କରିବୁ, ଶାଳଗ୍ରାମ ଚୂର୍ଣ୍ଣ କରି ମସ୍‌ଜିଦର ମସଲା ପ୍ରସ୍ତୁତ କରିବୁ । ସାଧ୍ୟ ଥିଲେ ରକ୍ଷା କର ।

ରାଜାଙ୍କର ଚକ୍ଷୁ ଜଳି ଉଠିଲା । ସେ ଚିତ୍କାର କରି କହିଲେ,–‘ରକ୍ଷା କରିବି–ଆସନ୍ତୁ ଶତ ଶତ ତକିଖାଁ, ସହସ୍ର ସହସ୍ର ଆମୀର ଖାଁ, କୃଷ୍ଣଚନ୍ଦ୍ରର ଭୟ, ଭ୍ରୂକ୍ଷେପ ନାହିଁ । ଜୀବିତ କୃଷ୍ଣଚନ୍ଦ୍ର ହିନ୍ଦୁ ଦେବଦେବୀଙ୍କର ଅପମାନ, ହିନ୍ଦୁନାରୀର ଲାଞ୍ଛନା ସହ୍ୟ କରି ପାରିବ ନାହିଁ । ଏହି ମନ୍ଦିର ଦ୍ୱାରରେ ପ୍ରତିଜ୍ଞା କରୁଛି, ଆଜି ନ ମାରି ମୁଁ ମରିବି ନାହିଁ ।’

ଉଭୟଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ହେଲା । ଆମୀର ଖାଁ ବୁଝିଲେ, କୃଷ୍ଣଚନ୍ଦ୍ର ସାମାନ୍ୟ ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି । ତାଙ୍କୁ ଆକ୍ରମଣ କରିବାର ସୁଯୋଗ ପାଇବା ତେଣେ ଥାଉ, ଆତ୍ମରକ୍ଷା କରିବାରେ ଆମୀର ଖାଁଙ୍କର ସମସ୍ତ ଶକ୍ତି, କୌଶଳ ବ୍ୟର୍ଥ ହେଲା । କ୍ଷଣ କାଳ ମଧ୍ୟରେ ଆମୀରଙ୍କର ତରବାରି ହସ୍ତବିଚ୍ୟୁତ ହୋଇ ପଡ଼ିଲା ।

ପଠାଣମାନେ ସେମାନଙ୍କ ସେନାପତିଙ୍କୁ ବିପଦଗ୍ରସ୍ତ ଦେଖି ତୁରିତ ଗତିରେ ଅଗ୍ରସର ହୋଇ ରାଜା କୃଷ୍ଣଚନ୍ଦ୍ରଙ୍କୁ ଆକ୍ରମଣ କଲେ । ଇତ୍ୟବସରରେ ଆମୀର ଖାଁ ଦ୍ୱିତୀୟ ଖଡ଼୍‌ଗ ଗ୍ରହଣ କରି ସେହି ଆକ୍ରମଣରେ ଯୋଗ ଦେଲେ । ରାଜାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଓଡ଼ିଆମାନେ ଚତୁର୍ଦ୍ଦିଗରୁ ଧାଇଁ ଆସିଲେ । ସେମାନେ କିନ୍ତୁ ଶ୍ରାନ୍ତ କ୍ଳାନ୍ତ ଅବସନ୍ନ; ତଥାପି ସେମାନେ ମନ୍ଦିର ଦ୍ୱାରରେ ରାଜାଙ୍କ ନିକଟରେ ଠିଆ ହୋଇ ଲଢ଼ି ଜଣକ ପରେ ଜଣେ ଜୀବନ ଦେବାକୁ ଲାଗିଲେ । ଚତୁର୍ଦ୍ଦିଗରେ ଶବସ୍ତୂପ, ମଧ୍ୟରେ ଅଶ୍ୱପୃଷ୍ଠରେ ରାଜା । ତାଙ୍କର କବଚ ଛିନ୍ନ, ଅଙ୍ଗ ରକ୍ତାକ୍ତ, ଅସିମୁଷ୍ଟି ଶିଥିଳ, ପଦଦ୍ୱୟ କମ୍ପିତ । ସେ କ୍ଷୁବ୍‌ଧ ହୃଦୟରେ ଥରେ ଚାରିଆଡ଼େ ଦୃଷ୍ଟିପାତ କଲେ । ଦେଖିଲେ, ସେତେବେଳେ ସୁଦ୍ଧା ପଚାଶ ଷାଠିଏ ଜଣ ଓଡ଼ିଆ ସାଧ୍ୟାନୁଯାୟୀ ଉଗ୍ର ଯୁଦ୍ଧରେ ବ୍ୟାପୃତ । ରାଜା ପ୍ରତିଜ୍ଞା ରକ୍ଷା କରିବାପାଇଁ ବ୍ୟଗ୍ର ହୋଇ ଉଠିଲେ, ଆମୀରଙ୍କୁ ଯୁଦ୍ଧକୁ ଆହ୍ୱାନ କଲେ । ପଠାଣ ସେନାପତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅଶ୍ୱପୃଷ୍ଠରେ ପୁଣି ଅଗ୍ରସର ହେଲେ ।

ଦେଖୁ ଦେଖୁ ରାଜାଙ୍କର ଅସ୍ତ୍ର-ଚାଳନା-ଶକ୍ତି ଲୁପ୍ତ ହେଲା, ତାଙ୍କର ଆଘାତପ୍ରାପ୍ତ ହସ୍ତରୁ ତରବାରି ଖସି ପଡ଼ିଲା । ରାଜା ବୁଝିଲେ, ମୃତ୍ୟୁ ସନ୍ନିକଟ । ମୃତ୍ୟୁ ପୂର୍ବ ପ୍ରତିଜ୍ଞା ପାଳନ କରି ନ ପାରି ସେ ହୃଦୟରେ ମର୍ମସ୍ପୃକ୍‌ ଯାତନା ଅନୁଭବ କଲେ । ଆମୀର ଖାଁ ମହୋଲ୍ଲାସରେ ଭୀଷଣ ଗର୍ଜନ କରି ରାଜାଙ୍କର ଲଲାଟକୁ ଲକ୍ଷ୍ୟ କରି ଶୂଳ ଉତ୍ତୋଳନ କଲେ । କିନ୍ତୁ ଶୂଳଟି ନିକ୍ଷିପ୍ତ ନ ହେଉଣୁ ନାଦୀର ଖାଁ ଦ୍ରୁତପଦରେ ଧାଇଁ ଆସି ରାଜା ଓ ଆମୀରଙ୍କ ମଧ୍ୟରେ ଠିଆ ହୋଇଗଲେ ଏବଂ ସ୍ୱୀୟ ଦୀର୍ଘାକାର ଶରୀରଦ୍ୱାରା ରାଜାଙ୍କ ଶରୀର ଆବୃତ କରି ରହିଲେ । ଆମୀର ଖାଁ ଦେଖିଲେ, ନାଦୀର ଖାଁଙ୍କୁ ବଧ ନ କରି ରାଜାଙ୍କୁ ମାରିବା ଅସମ୍ଭବ । ସେ ଧୀରେ ଧୀରେ ଶୂଳ ତଳକୁ ଓହ୍ଲାଇଲେ । କିଛି ସମୟ ଯୁଦ୍ଧ ସ୍ଥଗିତ ହେଲା । ରାଜା ସେହି ଅବସରରେ ତରବାରି ଉଠାଇ ନେଲେ, ଛିନ୍ନ ବର୍ମ ଧାରଣ କଲେ ।

ନାଦୀର ଖାଁଙ୍କୁ ଦେଖି ହିନ୍ଦୁମାନେ ଜୟଧ୍ୱନି କଲେ; କିନ୍ତୁ ପଠାଣମାନେ ମୌନାବଲମ୍ବନ କଲେ । ନାଦୀର ଖାଁ ପଦତ୍ୟାଗ କରିଛନ୍ତି, ପ୍ରଧାନତଃ ହିନ୍ଦୁପକ୍ଷ ଅବଲମ୍ବନ କରିଅଛନ୍ତି । ଏଣୁ ପଠାଣମାନେ ତାଙ୍କୁ ଶତ୍ରୁଜ୍ଞାନରେ ସମ୍ମାନ ପ୍ରଦର୍ଶନ କଲେ ନାହିଁ । ଆମୀର ନାଦୀରଙ୍କୁ କହିଲେ,–‘ଖାଁ ସାହେବ, ଯେ ବନ୍ଦୀ, ତାହାର ଏଠାକୁ ଆସିବା ଅନୁଚିତ, ଅସୁନ୍ଦର ।’

ନାଦୀର : ଉଚିତାନୁଚିତ ନ ଭାବି ଏଠାକୁ ଆସିଛି ତୁମମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ । ଓଡ଼ିଆମାନେ ଅତ୍ୟନ୍ତ ଉତ୍ତ୍ୟକ୍ତ, ଉତ୍ତେଜିତ ହୋଇ ଉଠିଛନ୍ତି । ଏଥର ପଠାଣର ଆଉ ରକ୍ଷା ନାହିଁ–

ଆମୀର : ଆମର ଏତେ ସୈନ୍ୟ ଅଛନ୍ତି–ଦୁର୍ବଳ ଅଶିକ୍ଷିତ ଓଡ଼ିଆକୁ ପଦଦଳିତ କରି ପାରିବେ ନାହିଁ ? ଜଣେ ପଠାଣ କ’ଣ ଦଶ ଜଣ ହିନ୍ଦୁଙ୍କ ସମକକ୍ଷ ନୁହେଁ ?

ନାଦୀର : କଦାପି ନୁହେଁ, ତୁମେ ଯେ ଅତ୍ୟାଚାର, ପୀଡ଼ନ କରି ତୁମ ଶକ୍ତିର ଅପଚୟ କରିଅଛ, ଓଡ଼ିଆର ବାହୁରେ ଶକ୍ତିସଂଯୋଗ କରିଅଛ । ମାନବ ଶକ୍ତି ଅତି କ୍ଷୀଣ, ଅତି ଦୁର୍ବଳ । ଅତ୍ୟାଚାରୀର ବାହୁରେ ବଳ, ହୃଦୟରେ ଶକ୍ତି ରହେ ନାହିଁ ।

ଆମୀର : କଥାଟା ବୁଝି ପାରିଲି ନାହିଁ ।

ନାଦୀର : ବୁଝି ପାରିବ ନାହିଁ–ତୁମେ ଯେ ମୋହାନ୍ଧ !

ଆମୀର : ଆପଣ ସୁବାଦାରଙ୍କର ପ୍ରିୟପାତ୍ର, ନତୁବା–

ନାଦୀର : ମୋ ପ୍ରତି ଦୟା ଦେଖାଇବାର କୌଣସି ପ୍ରୟୋଜନ ନାହିଁ ସେନାପତି ସାହେବ ! ଯାହା ଇଚ୍ଛା କର । ତେବେ ଦୁଇ ଦିନ ମାତ୍ର ଅପେକ୍ଷା କର । ସୁବାଦାରଙ୍କୁ ବୁଝାଇ ଦେଖିବି । ସେ ଯଦି ଆଦେଶ ପ୍ରତ୍ୟାହାର ନ କରନ୍ତି, ତାହାହେଲେ ତୁମ କାର୍ଯ୍ୟରେ ଆଉ ବାଧା ଦେବି ନାହିଁ ।

ଆମୀର : ମୁଁ ଆଉ ଅପେକ୍ଷା କରିପାରିବି ନାହିଁ । ଆପଣ ଟିକିଏ ଘୁଞ୍ଚି ଯାନ୍ତୁ–ମୋର କର୍ତ୍ତବ୍ୟ ସମ୍ପନ୍ନ କରିବି ।

ନାଦୀର : ମୁଁ ଘୁଞ୍ଚିବି ନାହିଁ, ତୁମର କର୍ତ୍ତବ୍ୟ କରି ଯାଅ ।

ଆମୀର : ଦେଖୁଛି ଆପଣ ବିଦ୍ରୋହୀ ।

ନାଦୀର : ମୁଁ ବିଦ୍ରୋହୀ ? ଖୋଦା ଜାଣନ୍ତି ମୋ ଅପେକ୍ଷା ପଠାଣ ରାଜ୍ୟର ଅଧିକ ମଙ୍ଗଳଚିନ୍ତକ ଆଉ କିଏ ଅଛି କି ନା । ମୁଁ ମରିବାକୁ ଆସି ନାହିଁ ଆମୀର–ଆସିଛି ପ୍ରାଣ ଦେବାକୁ ।

ଆମୀର : ତାହାହେଲେ ମୋର ଆଉ ଦୋଷ ନାହିଁ । ଆଲ୍ଲା ! କ୍ଷମା କର, ପଠାଣ ହୋଇ ଆଜି ପଠାଣର ପ୍ରାଣ ନେବାକୁ ହେଉଅଛି ।

ଏହା କହି ଆମୀର ଖାଁ ଶୂଳ ଉଠାଇବାକ୍ଷଣି ନାଦୀର ଖାଁ ନିଜର ପ୍ରଶସ୍ତ ବକ୍ଷ ଉପରେ ବାହୁଦ୍ୱୟ ବିନ୍ୟସ୍ତ କରି ପ୍ରଶାନ୍ତ ବଦନରେ ଧୀର ଗମ୍ଭୀର କଣ୍ଠରେ କହିଲେ,–‘ମାର ସେନାପତି–ପଠାଣରାଜ୍ୟର ଧ୍ୱଂସ ମୁଁ ସ୍ୱଚକ୍ଷୁରେ ଦେଖିପାରିବି ନାହିଁ । ମୁଁ ପଠାଣରାଜ୍ୟ ରକ୍ଷା-ପ୍ରୟାସରେ ପ୍ରାଣ ଦେବାକୁ ବାହାରିଛି । ମୋ ଜୀବନ ନେଇ ତୃପ୍ତ ହୁଅ–ରାଜା କୃଷ୍ଣଚନ୍ଦ୍ରଙ୍କୁ ଆଉ ମାର ନାହିଁ । କୃଷ୍ଣଚନ୍ଦ୍ର ମଲେ ପଠାଣରାଜ୍ୟ ଆଉ ତିଷ୍ଠି ପାରିବ ନାହିଁ । ଆଉ କିଛି କହିବାକୁ ଯାଉ ନାହିଁ–ଯାହା କହିବାର ଥିଲା କହିସାରିଛି । ବର୍ତ୍ତମାନ ଶୂଳ ଉଠାଅ–ମୁଁ ନିରସ୍ତ୍ର, ଅନାବୃତ ବକ୍ଷରେ ତୁମ ସମ୍ମୁଖରେ ଠିଆ ହୋଇଛନ୍ତି, ମୋର ଶେଷ କରି ଦିଅ । ମୁଁ ମରିଗଲେ ମୋ ହୃତପିଣ୍ଡ ଛିଣ୍ଡାଇ ଦେଖିବ ପ୍ରତି ଶିରାରେ ଆଲ୍ଲାଙ୍କର ପବିତ୍ର ନାମ, ପଠାଣର ନାମ ଝଙ୍କୃତ ହେଉଅଛି କି ନା ।’

ଆମୀର ଖାଁ ନାଦୀରଙ୍କ ବକ୍ଷ ଲକ୍ଷ୍ୟକରି ଶୂଳ ଉଠାଇଲେ । କିନ୍ତୁ ଶୂଳ ନିକ୍ଷିପ୍ତ ହେବା ପୂର୍ବରୁ କୃଷ୍ଣଚନ୍ଦ୍ର ନିମେଷ ମଧ୍ୟରେ ସ୍ଥୂଳ, ଦୀର୍ଘାକାର ନାଦୀର ଖାଁଙ୍କୁ ତୃଣ ତୁଲ୍ୟ ଭୂମିରୁ ଉଠାଇ ନେଇ ଓଡ଼ିଆ ସୈନ୍ୟ ମଧ୍ୟରେ ନିକ୍ଷିପ୍ତ କଲେ ଏବଂ ତରବାରି ଧରି ଯାଇ ଆମୀର ଖାଁ ଉପରେ ବିଦ୍ୟୁତ୍‌ବେଗରେ ପଡ଼ିଲେ । ପଠାଣର ଶୂଳ ନିକ୍ଷିପ୍ତ ହେଲା, ରାଜା କିନ୍ତୁ କ୍ଷିପ୍ର ପଦରେ ଶୂଳ ମୁଖରୁ ଅପସୃତ ହୋଇ ବାମହସ୍ତରେ ତାହା ଧାରଣ କଲେ ଏବଂ ଦକ୍ଷିଣ ହସ୍ତରେ ଖଡ଼୍‌ଗ ଉଠାଇଲେ । ସେତେବେଳେ ସେନାପତିଙ୍କୁ ରକ୍ଷା କରିବା ନିମନ୍ତେ ପଠାଣ ସୈନିକମାନେ ଧାଇଁ ଆସିଲେ । ରାଜା ହିନ୍ଦୁଦଳରୁ ବିଚ୍ଛିନ୍ନ ହୋଇପଡ଼ିଲେ । ପଠାଣମାନେ ମହୋଲ୍ଲାସରେ ତାଙ୍କୁ ଆକ୍ରମଣ କଲେ । ଏହି ସମୟରେ ଏକ ପ୍ରତିକୂଳ କାଣ୍ଡ ସଂଘଟିତ ହେଲା । ଆମୀର ଖାଁ ଓ ତାଙ୍କର ଦଳ ଦେଖିଲେ, କୌଣସି ଦିଗରୁ ସହସ୍ର ସହସ୍ର ଶର ଆସି ମୁସଲମାନ ସୈନ୍ୟ ମଧ୍ୟରେ ବାୟୁ ବେଗରେ ପଡ଼ୁଅଛି । ସେମାନଙ୍କ ମଧ୍ୟରେ ମହା କୋଳାହଳ ଉଠିଲା ।

Image

 

Unknown

ରାଜାଙ୍କର ମୂର୍ଛା

 

ଯେଉଁମାନେ ଶର ମାରୁଥିଲେ ସେମାନେ ସାରଥୀଗଡ଼ର ସେନାରାଣୀ କମଳସୁନ୍ଦରୀଙ୍କ ଦ୍ୱାରା ପରିଚାଳିତ । ମନ୍ଦିର ପୃଷ୍ଠଭାଗସ୍ଥ ବୃକ୍ଷଶ୍ରେଣୀ ମଧ୍ୟରେ ପ୍ରବେଶ କରି ରାଣୀ ହସ୍ତି-ପୃଷ୍ଠରୁ ଅବତରଣ କଲେ ଏବଂ ତୀରଧାରୀ ସୈନ୍ୟକୁ ପୁରୋଭାଗରେ ସ୍ଥାପନ କରି ସେନା ରଚନା କଲେ-। ଯୁଦ୍ଧବ୍ୟାପୃତ ହିନ୍ଦୁ ମୁସଲମାନଗଣ ଏହା ଦେଖିପାରିଲେ ନାହିଁ–ଚଇତ ମାତ୍ର ଦେଖିଲା । ସେ ହଠାତ ସେଠାରେ ଉପସ୍ଥିତ ହୋଇ ରାଣୀଙ୍କ ଚରଣରେ ପ୍ରଣାମ କଲା ଏବଂ ଜଣାଇଲା ଯେ, ରାଜା ଅପାର ଉତ୍ସାହରେ ଯୁଦ୍ଧ ଚଳାଉଅଛନ୍ତି, ମନ୍ଦିରର କିଛି ଅନିଷ୍ଟ ଘଟିନାହିଁ । ଗର୍ବ ଓ ଆଶାଜଡ଼ିତ ଉଲ୍ଲାସରେ ରାଣୀଙ୍କ ହୃଦୟ ଭରିଗଲା ।

 

ରାଣୀଙ୍କ ଇଙ୍ଗିତରେ ଧନୁର୍ଦ୍ଧାରୀ ଓଡ଼ିଆ ଯୋଦ୍ଧାମାନେ ଧନୁରେ ଶର ଯୋଜନା କରି ମୁସଲମାନ ସେନା ବିଧ୍ୱସ୍ତ କରିବାକୁ ଲାଗିଲେ । ରାଣୀ ପୁଣି ଗଜାରୋହଣ କରି ବୃକ୍ଷପୁଞ୍ଜ ବାହାରେ ମୁକ୍ତ ସ୍ଥାନରେ ଲଗୁଡ଼ସୈନ୍ୟଦ୍ୱାରା ପରିବୃତ ହୋଇ ସମବେତ ପ୍ରଜାଗଣଙ୍କୁ ସମ୍ବୋଧନ କରି ଉଚ୍ଚ କଣ୍ଠରେ କହିଲେ,–‘ପୁତ୍ରଗଣ ! ସମ୍ମୁଖରେ ଦେଖ ଓଡ଼ିଶାର ପୁଣ୍ୟମୟ ତୀର୍ଥସ୍ଥାନ । ଏପରି ପବିତ୍ର ଧାମ ଓଡ଼ିଶାରେ ଆଉ କେଉଁଠାରେ ଅଛି ? ଯେଉଁ ସ୍ଥାନରେ ଓଡ଼ିଆ ଧର୍ମପାଇଁ ବକ୍ଷରକ୍ତ ଢାଳି ଦେଉଛି, ସେହି ସ୍ଥାନ ଏକା ଓଡ଼ିଶାର ତୀର୍ଥଧାମ । ସୁବାଦାରଙ୍କର ସୈନ୍ୟ ମନ୍ଦିର ଭାଙ୍ଗିବାକୁ ଆସିଛନ୍ତି, କେତେକ ଜଣ ନିରସ୍ତ୍ର ଓଡ଼ିଆ ମନ୍ଦିର ରକ୍ଷା କରିବାକୁ ପଠାଣର ପଥରୋଧ କରି ଠିଆ ହୋଇଛନ୍ତି । ହିନ୍ଦୁମାନେ ସମସ୍ତେ ମରିଛନ୍ତି, କେତେକ ଜଣ ମାତ୍ର ରକ୍ତାପ୍ଲୁତ ଶରୀରରେ ଶବସ୍ତୂପ ଉପରେ ଠିଆ ହୋଇଛନ୍ତି । ଦେଖ, ତୁମମାନଙ୍କର ରାଜା ଅସଂଖ୍ୟ ମୁସଲମାନଙ୍କ ସଙ୍ଗେ ଏକାକୀ ଲଢ଼ୁଛନ୍ତି । ଏହା ଦେଖି ତୁମେମାନେ ନିଶ୍ଚଳ, ନିଶ୍ଚେଷ୍ଟ ଭାବରେ ଠିଆ ହୋଇପାରିବ ? ପ୍ରାଣଭୟରେ ପଳାୟନ କରିବ ? ମୋର ବିଶ୍ୱାସ, ଓଡ଼ିଆର ମାନ ଧର୍ମ ରକ୍ଷା କରିବାକୁ ତୁମେମାନେ ବଦ୍ଧପରିକର । ମୋ ସହିତ ଅଗ୍ରସର ହୁଅ ।’

 

ସମସ୍ତେ ବୀର ଦର୍ପରେ ଅଗ୍ରସର ହେଲେ । ରାଣୀ ହସ୍ତି ପୃଷ୍ଠରେ ଅଗ୍ରସର ହେବାକୁ ଲାଗିଲେ । ଦୂରରୁ ଓଡ଼ିଆ ସୈନିକମାନେ ଦେଖିଲେ, ଯେପରି କୌଣସି ସର୍ବଶୋଭାମୟୀ ଜୀବନ୍ତ ଦେବୀ-ପ୍ରତିମା ହିନ୍ଦୁମାନଙ୍କର ପରିତ୍ରାଣ ପାଇଁ ମାତଙ୍ଗପୃଷ୍ଠରେ ଆସିଛନ୍ତି । ସେମାନେ ତାଙ୍କୁ ଦୂରରୁ ପ୍ରଣାମ କଲେ, ପଠାଣମାନେ ବିସ୍ମୟବିହ୍ୱଳ ନେତ୍ରରେ ସେହି ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟିପାତ କରି ରହିଲେ । କେତେକ ସମୟ ଯୁଦ୍ଧ ସ୍ଥଗିତ ରହିଲା । ଗଜପୃଷ୍ଠରେହିଁ ରହି ରାଣୀ ନତମସ୍ତକରେ ଜଗନ୍ନାଥଦେବଙ୍କ ଉଦ୍ଦେଶ୍ୟରେ ଏବଂ ରାଜାଙ୍କୁ ପ୍ରଣାମ କଲେ । ତେଜ ଓ ନିର୍ଭୀକତା ତାଙ୍କର ନୟନକୋଣରେ ବ୍ୟକ୍ତ ହେଉଥିଲା । କିଛି ଦୂରରେ ରହି ରାଣୀ ରାଜାଙ୍କୁ କହିଲେ,–‘ରାଜା, ଆପଣଙ୍କ ପ୍ରଜା ଓ ଅନୁଚରବର୍ଗଙ୍କୁ ଆପଣଙ୍କ ନିକଟରେ ପହଞ୍ଚାଇ ଦେବାକୁ ଆସିଛି । ବର୍ତ୍ତମାନ ମୋର କାର୍ଯ୍ୟ ଶେଷ ହେଲା–ବିଦାୟ ନେଉଛି ।’

 

ଗର୍ବୋତ୍‌ଫୁଲ୍ଲ ମୁଖରେ ହର୍ଷୋତଫୁଲ୍ଲ ସ୍ୱରରେ ରାଜା କହିଲେ,–‘ଯେ ତୁମ ଭଳି ସହାୟ ଓ ସହଧର୍ମିଣୀ ପାଇଛି, ବିପଦ କରିବ କ’ଣ ରାଣୀ ?’

 

ରାଣୀ ଧୀରେ ଧୀରେ ଯୁଦ୍ଧ-ପ୍ରାଙ୍ଗଣରୁ ଅପସୃତ ହେଲେ । ପ୍ରଜା ଓ ଅନୁଚରବୃନ୍ଦ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଦଳ ବାନ୍ଧି ଠିଆ ହୋଇଗଲେ । ଓଡ଼ିଆ ସୈନ୍ୟକୁ ମନ୍ଦିର ନିକଟରେ ରୁଣ୍ଡ ହେବାର ଦେଖି ନାଦୀର ଖାଁ ରଣକ୍ଷେତ୍ର ତ୍ୟାଗ କରି ନିଜ ଗନ୍ତବ୍ୟ ପଥରେ ଚାଲିଲେ । ଏଣେ ରାଜା କୃଷ୍ଣଚନ୍ଦ୍ର ଆମୀର ଖାଁଙ୍କ ସମ୍ମୁଖୀନ ହୋଇ ବଜ୍ରଗମ୍ଭୀର ସ୍ୱରରେ କହିଲେ,–‘ପଠାଣ ସେନାପତି ! ମୁଁ ନରହତ୍ୟା ବାସନା କରେ ନାହିଁ–କେବଳ ମନ୍ଦିର-ରକ୍ଷା କରିବା ମୋର ଏକାନ୍ତ ଅଭିପ୍ରେତ । ପଥ ଛାଡ଼ି ଦେଉଛି, ପ୍ରାଣ ଦାନ କରୁଛି–ପଳାଇ ଆତ୍ମରକ୍ଷା କର ।’

 

ଆମୀର ଖାଁ ଗର୍ଜନ କରି କହିଲେ ଯେ, ଏହି ଯୁଦ୍ଧରେ ସେ ଯଦି ରକ୍ଷା ପା’ନ୍ତି, ତାହାହେଲେ ପର ଦିନ ସହସ୍ର ସହସ୍ର ଫୌଜ ଆଣି ମନ୍ଦିର ସମତଳ କରିଦେବେ ।

 

ସେତେବେଳକୁ ପଠାଣ ସୈନ୍ୟର ସଂଖ୍ୟା ଆଠ ଶତ । ଆମୀର ଖାଁଙ୍କର ଦମ୍ଭ, ସେ ଏହି ଆଠ ଶତ ସୈନ୍ୟ ସାହାଯ୍ୟରେ ଆଠ ସହସ୍ର ହିନ୍ଦୁ ବିତାଡ଼ିତ କରି ପାରିବେ । କିନ୍ତୁ ଓଡ଼ିଆ ସୈନ୍ୟର ଉତ୍ସାହ ଦେଖି, ରାଜାଙ୍କର ଅଗ୍ନିମୟୀ ବାଣୀ ଶୁଣି ବିନୋଦବାବୁଙ୍କର ପ୍ରାଣ ଶୁଖିଗଲା । ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବା କାରଣ ସେ ଆମୀର ଖାଁଙ୍କୁ ବାରମ୍ବାର ଅନୁରୋଧ କଲେ; ଆମୀର କିନ୍ତୁ ମାନିଲେ ନାହିଁ । ବିନୋଦ ତାଙ୍କର ଫୌଜ ସଂଗ୍ରହ କରି ପଳାୟନର ଉଦ୍‌ଯୋଗ କରୁଛନ୍ତି, ଏହି ସମୟରେ ହିନ୍ଦୁମାନେ ତାଙ୍କ ପଥରୋଧ କରି ଠିଆ ହୋଇଗଲେ । ଭୀତ ତ୍ରସ୍ତ ହୃଦୟରେ ବିନୋଦ ଚଇତର ସାହାଯ୍ୟ ପ୍ରାର୍ଥନା କଲେ । ଚଇତ ସାହାଯ୍ୟ କଲା; ‘ଜୟ ରାଜା କୃଷ୍ଣଚନ୍ଦ୍ରଙ୍କର ଜୟ’ ବୋଲି ଚିତ୍କାର କରି ଚାଲିଲା । ଏହା ଶୁଣିବାକ୍ଷଣି ଓଡ଼ିଆମାନେ ବାଟ ଛାଡ଼ିଦେଲେ । ଏହି ଅବସରରେ ବିନୋଦ ଚଇତ ସଙ୍ଗେ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ତାଙ୍କର ସୈନିକମାନେ ଯାଇପାରିଲେ ନାହିଁ ।

 

ଏଣେ ଆମୀର ଖାଁ ଅତ୍ୟନ୍ତ ବିବ୍ରତ ହୋଇ ପଡ଼ିଲେ । ଦେଖିଲେ, ଚତୁର୍ଦ୍ଦିଗରେ ହିନ୍ଦୁ । ସେ ଅଦ୍ଭୁତ କୌଶଳରେ ଚକ୍ରାକାରରେ ବ୍ୟୂହ ରଚନା କରି ଓଡ଼ିଆଙ୍କ ଆକ୍ରମଣ ପ୍ରତିରୋଧ କରିବାକୁ ଚେଷ୍ଟାକଲେ । ମାତ୍ର ଠେଙ୍ଗା ବାଡ଼ି ପାଖରେ ତରବାରି କରିବ କ’ଣ ? ଦେଖୁ ଦେଖୁ ବଡ଼ ବଡ଼ ଲଗୁଡ଼ ଆଘାତରେ ପଠାଣ ହାତରୁ ଖଡ଼୍‌ଗ ଖସି ପଡ଼ିଲା । ଅଥଚ ଆମରୀ ହତାଶ ନ ହୋଇ କୌଶଳକ୍ରମେ ହଠାତ ରାଜାଙ୍କ ଉପରେ ଯାଇ ପଡ଼ିଲେ । ରାଜାଙ୍କ ସଙ୍ଗେ ଅଳ୍ପ କେତେ ଜଣ ମାତ୍ର ଅନୁଚର ଥିଲେ । ପଠାଣମାନେ ସଂଖ୍ୟାରେ ଅଧିକ ଥିଲେ ସୁଦ୍ଧା ରାଜାଙ୍କୁ ସହଜରେ ଅତିକ୍ରମ କରି ଯାଇପାରିଲେ ନାହିଁ । ଆମୀର ଖାଁ ଦେଖିଲେ, ଓଡ଼ିଆମାନେ ଜଙ୍ଗଲର ସାନ୍ନିଧ୍ୟ ଛାଡ଼ି ରାଜାଙ୍କ ପୃଷ୍ଠଭାଗରେ ଆସି ମିଳିତ ହୋଇଛନ୍ତି । ବୁଝିଲେ, ମୁହୂର୍ତ୍ତ ମାତ୍ର ବିଳମ୍ବ ହେଲେ ଜଣେ ସୁଦ୍ଧା ମୁସଲମାନ ଆଉ ରକ୍ଷା ପାଇବ ନାହିଁ । ସେତେବେଳେ ସେ କ୍ଷିପ୍ରହସ୍ତରେ ଶୂଳ ଉଠାଇ କୃଷ୍ଣଚନ୍ଦ୍ରଙ୍କୁ ଆକ୍ରମଣ କଲେ । ତାଙ୍କର ପାର୍ଶ୍ୱସ୍ଥିତ ଦୁଇ ଜଣ ପଠାଣ ରାଜାଙ୍କୁ ଲକ୍ଷ୍ୟ କରି ଶୂଳୋତ୍ତଳନ କଲେ । ତିନୋଟିଯାକ ଶୂଳ ଏକ ସମୟରେ ନିକ୍ଷିପ୍ତ ହେଲା । ରାଜା ଦିଓଟି ଶୂଳ ନିବାରଣ କଲେ; କିନ୍ତୁ ତୃତୀୟ ଶୂଳଟି ତାଙ୍କର ବାମ ଊରୁ ବିଦ୍ଧ କରି ଅଶ୍ୱପୃଷ୍ଠ ବିଦୀର୍ଣ୍ଣ କରି ଦେଲା । ରାଜା ଚୈତନ୍ୟ ହରାଇ ଘୋଟକ ସହିତ ଭୂପୃଷ୍ଠରେ ପତିତ ହେଲେ ।

 

ଆମୀର ଖାଁ ତତ୍‌କ୍ଷଣାତ ଅଶ୍ୱପୃଷ୍ଠରୁ ଡେଇଁ ପଡ଼ିଲେ ଏବଂ କୃଷ୍ଣଚନ୍ଦ୍ରଙ୍କ ସଂଜ୍ଞାଶୂନ୍ୟ ଶରୀର ବାହୁ ମଧ୍ୟରେ ଧାରଣ କରି ଏକ ଲମ୍ଫରେ ପୁଣି ଅଶ୍ୱାରୋହଣ କଲେ । ପରେ ସେ ରାଜାଙ୍କୁ ଧରି ଦୁର୍ଗାଭିମୁଖରେ ପ୍ରଭଞ୍ଜନ ବେଗରେ ଅଶ୍ୱ ଚଳାଇଲେ । ଓଡ଼ିଆ ସୈନ୍ୟ ସେତେବେଳେ କାଣ୍ଡଜ୍ଞାନଶୂନ୍ୟ ହୋଇ, ଜୀବନର ଆଶା ମମତା ଏକାବେଳକେ ତ୍ୟାଗ କରି ସଶସ୍ତ୍ର ଓ ନିରସ୍ତ୍ର ପଠାଣମାନଙ୍କୁ ପ୍ରଚଣ୍ଡ ଭାବରେ ଆକ୍ରମଣ କଲେ । ଫଳରେ ପ୍ରାୟ ସକଳ ମୁସଲମାନ ଜୀବନ ହରାଇଲେ । ଯେଉଁ ଦୁଇ ଚାରି ଜଣ ଅଶ୍ୱାରୋହୀ ଅବଶିଷ୍ଟ ଥିଲେ, ସେମାନେ ପ୍ରାଣନାଶ ଆଶଙ୍କାରେ କୌଶଳ ସହ ପୁରୀରୁ ପଳାୟନ କଲେ ।

Image

 

ସୁବାଦାର ସୁଜାଉଦ୍ଦିନ ମହମ୍ମଦ

 

ମୋଗଲ ସମ୍ରାଟ ଅଉରଂଜୀବ୍‌ଙ୍କ ମୃତ୍ୟୁର ପ୍ରାୟ ତିନିବର୍ଷ ପୂର୍ବେ ମୁର୍ଷିଦ କୁଲିଖାଁ ବଙ୍ଗ-ବିହାରର ସୁବାଦାର ନିଯୁକ୍ତ ହୋଇଥିଲେ । ପୂର୍ବେ ବିବୃତ ହୋଇଅଛି ଯେ, ସେ ତାଙ୍କର ଜାମାତା ସୁଜାଉଦ୍ଦିନଙ୍କୁ ଓଡ଼ିଶାର ସୁବାଦାର କରି ପଠାଇଥିଲେ । ପ୍ରାୟ କୋଡ଼ିଏବର୍ଷ ଶାସନ କରିବା ପରେ ମୁର୍ଷିଦ କୁଲିଖାଁ ଇହଧାମ ତ୍ୟାଗ କଲେ ଏବଂ ସ୍ଥିର ହେଲା, ସୁଜାଉଦ୍ଦିନ ମହମ୍ମଦ ଯାଇ ବଙ୍ଗ-ବିହାର-ସୁବାଦାର-ପଦରେ ଅଭିଷିକ୍ତ ହେବେ । ଅତଏବ ସୁଜାଉଦ୍ଦିନ ମହମ୍ମଦ ତକିଖାଁଙ୍କୁ ନିଜର ଉତ୍ତରାଧିକାରୀ କରି ଓଡ଼ିଶା ଛାଡ଼ିଯିବାକୁ ପ୍ରସ୍ତୁତ ହେଲେ ।

 

‘ଉତ୍କଳର ପୂର୍ବ-କୀର୍ତ୍ତି-ସ୍ମୃତି-ପୂତ’, ‘ବୀରରକ୍ତପିଣ୍ଡେ’ ପୁଷ୍ଟ, ଇତିହାସ-ପ୍ରସିଦ୍ଧ ବାରବାଟୀ ଦୁର୍ଗର ସୁରମ୍ୟ, ସୁଗଠିତ ଓ ସୁବିଶାଳ ନବତଳ ପ୍ରାସାଦ ଥିଲା ସୁବାଦାରଙ୍କର ବାସସ୍ଥାନ, ବିଳାସଭବନ ଓ ନିତ୍ୟ-ଲୀଳା-ନିକେତନ । ଯେଉଁ ବାରବାଟୀ ଲାଗି ଦିନେ ସମଗ୍ର ଓଡ଼ିଶାର ଓଡ଼ିଆତ୍ୱ ବିକଶି ଉଠିଥିଲା, ଦିନେ ଯାହା ଓଡ଼ିଶା ଗଜପତିମାନଙ୍କର ପବିତ୍ର ଶାନ୍ତି-ଭବନ ହୋଇଥିଲା, ପରେ ପଠାଣଶାସନ କାଳରେ ବହୁ ଅନ୍ତର୍ବିବାଦ, ଅନେକ ରୋମାଞ୍ଚକର ହତ୍ୟାକାଣ୍ଡ ପରିଦର୍ଶନ କରିଥିଲା, ଓଡ଼ିଶାର ସପ୍ତଶତାଧିକ ବର୍ଷର ସମ୍ବଳ, ଅସଂଖ୍ୟ ପ୍ରାଚୀନ ଦୁର୍ଗର ମସ୍ତକମଣି ସେଇ ବାରବାଟୀ ବର୍ତ୍ତମାନ ଆଉ ଦୃଷ୍ଟିଗୋଚର ହୁଏନାହିଁ ! ଯେଉଁ ନବତଳ ପ୍ରାସାଦର ନିର୍ମାଣ-କୌଶଳ ଓ ଗଠନ-ସୌନ୍ଦର୍ଯ୍ୟ ଦିନେ ସାରା ଜଗତକୁ ମୁଗ୍ଧ, ଚକିତ କରିଥିଲା, ସେଇ ପ୍ରାସାଦବି ଏବେ ଆଉ ଦେଖା ଯାଏଁ ନାହିଁ । ଦେଖାଯାଏ କିନ୍ତୁ ପୂର୍ବ ଗୌରବର ମୂକସାକ୍ଷୀସ୍ୱରୂପ ତାହାର ଜୀର୍ଣ୍ଣଶୀର୍ଣ୍ଣ ପାଷାଣ ପୁରଦ୍ୱାର, ପରିଖା, ଗୋଟିଏ ପୁଷ୍କରିଣୀ ଓ ଗୋଟିଏ ବୃହତ୍‌ ସ୍ତୂପ–କେତୋଟି ଐତିହାସିକ କୌତୂହଳ–ସମ୍ପାଦକ ଭଗ୍ନାବଶେଷ ମାତ୍ର । ବର୍ତ୍ତମାନ ତାହା ଏକ ସ୍ୱପ୍ନ–ସବୁ ଯେପରି ସ୍ୱପ୍ନ-ଗଠିତ, ସ୍ୱପ୍ନ-ଚିତ୍ରିତ । ତଟିନୀ ଶୁଖି ଯାଇଛି–ଅଛି ତା’ର ରେଖାଟି । ପୁଷ୍ପ ଝଡ଼ିପଡ଼ିଛି–ଅଛି ତା’ର ବୃନ୍ତଟି । ଚନ୍ଦ୍ର ବୁଡ଼ି ଯାଇଛି–ଅଛି ତା’ର କିରଣଛଟାଟି । ବଡ଼ କରୁଣ, ବଡ଼ ନିର୍ମମ ଏ ସ୍ମୃତି ! ଏହି ବିଷାଦମୟ ସ୍ମୃତିର ସତେଜ ପୀଡ଼ନ ଆଜି ଓଡ଼ିଆ ହୃଦୟକୁ ନିଷ୍ଠୁର ଭାବରେ କ୍ଷତବିକ୍ଷତ କରି ପକାଏ । ବାରବାଟୀର ହୃଦୟସ୍ପର୍ଶୀ ଇତିହାସ ଗୌରବାବହ ଜୀବନଚରିତ ଏବଂ ମହିମାମୟ ଯୌବନ ମନେ ପଡ଼ିଲେ ମନ ପ୍ରାଣ ଗର୍ବୋତ୍‌ଫୁଲ୍ଲ ହୋଇ ନିମେଷ ମଧ୍ୟରେ ପୁଣି ଅବସାଦରେ ସଂକୁଚିତ ହୋଇ ପଡ଼େ ! ହେଲା । ଛାଡ଼ ସେ କଥା ।

 

ବିସ୍ତୃତ, ସୁଧା-ଧବଳିତ ଓ ନୟନାଭିରାମ ରାଜପ୍ରାସାଦର ଦ୍ୱିତଳୋପରି ଦୀପମାଳା-ଉଦ୍ଭାସିତ, ସୁମନ-ସୌରଭ-ପ୍ରଫୁଲ୍ଲ ବୃହଦାୟତନ କକ୍ଷ ମଧ୍ୟରେ ସୁବର୍ଣ୍ଣନିର୍ମିତ ଆସନରେ ସୁବାଦାର ସୁଜାଉଦ୍ଦିନ ଉପବେଶନ କରିଅଛନ୍ତି, ଏହି ସମୟରେ ପ୍ରହରୀ ଆସି ଜଣାଇଲା ଯେ, ନାଦୀର ଖାଁ ସୁବାଦାରଙ୍କ ସାକ୍ଷାଦାଭିଳାଷୀ ହୋଇ ଦ୍ୱାରଦେଶରେ ଦଣ୍ଡାୟମାନ । ସୁବାଦାରଙ୍କ ଆଦେଶରେ ନାଦୀର ଖାଁ ସେହି କକ୍ଷରେ ପ୍ରବେଶ କରି ସୁବାଦାରଙ୍କୁ ପ୍ରଣାମ କଲେ । ସୁବାଦାର ତାଙ୍କୁ ଉପଯୁକ୍ତ ଆସନ ଦେବା ପରେ ବିସ୍ମୟ-ସ୍ଫୁରିତ ସ୍ୱରରେ ପଚାରିଲେ,–‘ଏ କ’ଣ ନାଦୀର ଖାଁ ! ତୁମର ତରବାରି କାହିଁ ?’

 

ନାଦୀର : ସୁବାଦାର, ମୁଁ ବର୍ତ୍ତମାନ ବନ୍ଦୀ ।

 

ସୁବାଦାର : ବନ୍ଦୀ ! ମୋର ଜୀବିତାବସ୍ଥାରେ ତୁମେ ବନ୍ଦୀ !! କିଏ ତୁମକୁ ବନ୍ଦୀ କରିବାକୁ ସାହସୀ ହୋଇଅଛି ?

 

ନାଦୀର : କେହି କରି ନାହିଁ, ମୁଁ ସ୍ୱେଚ୍ଛାରେ ତରବାରି ତ୍ୟାଗ କରି ବନ୍ଦୀ ହୋଇଅଛି । ମୁଁ ଆପଣଙ୍କ ଆଦେଶ ଅମାନ୍ୟ କରିଅଛି ।

 

ସୁବାଦାର : ବିଶ୍ୱାସ ହେଉ ନାହିଁ ନାଦୀର ଖାଁ–ତୁମଭଳି ପ୍ରଭୁଭକ୍ତ କର୍ତ୍ତବ୍ୟନିଷ୍ଠ ଭୃତ୍ୟ କେବେ ଆଦେଶ ଅମାନ୍ୟ କରି ନ ପାରେ ।

 

ନାଦୀର : ଆପଣଙ୍କର ଦିଓଟି ଆଦେଶ ଥିଲା–ରାଜା କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବାକୁ, ଜଗନ୍ନାଥ ମନ୍ଦିର ଧ୍ୱଂସ କରି ଦେବପ୍ରତିମା ଚୂର୍ଣ୍ଣ କରିବାକୁ ।

 

ସୁବାଦାର : କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବାକୁ ? ମନ୍ଦିର ଭାଙ୍ଗିବାକୁ ? ଏପରି ଆଦେଶ ମୁଁ କେବେ ତ ଦେଇ ନାହିଁ । ଆଉ ଶୁଣିବାକୁ ଚାହେଁ ନାହିଁ ନାଦୀର । ଦେଖୁଛି, ପଠାଣ ରାଜ୍ୟର ଆଉ ମଙ୍ଗଳ ନାହିଁ, ନିସ୍ତାର ନାହିଁ !

 

ନାଦୀର : ଶୁଣୁଛି, ଫକିର ଷା ଆଲମ୍ ଏଥି ସମ୍ବନ୍ଧରେ ସୁବାଦାରପୁତ୍ରଙ୍କର ପରାମର୍ଶଦାତା, ପଥ-ପ୍ରଦର୍ଶକ ।

 

ସୁବାଦାର : ଫକିର ସାହେବ ରାଜନୀତି ବୁଝନ୍ତି ନାହିଁ, କେବଳ ଜାଣନ୍ତି ଧର୍ମ । ତାଙ୍କର ଅନ୍ଧବିଶ୍ୱାସ, କାଫେର ମାରି ପାରିଲେ ଅକ୍ଷୟ ପୁଣ୍ୟ ସଞ୍ଚୟ ହେବ ।

 

ନାଦୀର : ଅନ୍ଧବିଶ୍ୱାସହିଁ ଭକ୍ତି ସୁବାଦାର ।

 

ସୁବାଦାର : ଏହି ଭକ୍ତିରେ କିନ୍ତୁ ରାଜ୍ୟରକ୍ଷା ହୋଇ ନ ପାରେ ନାଦୀର ଖାଁ ।

 

ନାଦୀର ଖାଁ ତୁଷ୍ଣୀମ୍ଭାବ ଅବଲମ୍ବନ କରି ରହିଲେ । ସୁବାଦାର କିଛି ଚିନ୍ତା କରି ବିଷଣ୍ଣ ବଦନରେ କହିଲେ–‘ବର୍ତ୍ତମାନ ବୁଝି ପାରୁଛି ନାଦୀର, ଏ ସିଂହାସନର ମୁଁ ଯୋଗ୍ୟ ନୁହେଁ ।’

 

ନାଦୀର : ଦୁଃଖର କଥା, ଆପଣ ଅନର୍ଥକ ଆତ୍ମଗ୍ଳାନି କରୁ ଅଛନ୍ତି । ଆପଣଙ୍କ ପରି ନ୍ୟାୟପରାୟଣ ଶାସକ କେତେ ଜଣ ଅଛନ୍ତି ?

 

ସୁବାଦାର : ମୁଁ ନ୍ୟାୟପରାୟଣ ! ମିଥ୍ୟା କଥା । ମୁଁ ନ୍ୟାୟପରାୟଣ ହୋଇଥିଲେ ରାଜ୍ୟ ମଧ୍ୟରେ ଆଜି ଅଶାନ୍ତି-ବହ୍ନି ପ୍ରଜ୍ୱଳିତ ହୋଇ ନ ଥା’ନ୍ତା, ପଠାଣସିଂହାସନ ଟଳମଳ ହେଉ ନ ଥା’ନ୍ତା । ନ୍ୟାୟ, ଧର୍ମ ଉପରେ ପ୍ରତିଷ୍ଠିତ ଯେଉଁ ରାଜ୍ୟ, ତାହା କେବେ ଶିଥିଳ, ଲୁପ୍ତ ହୁଏ ନାହିଁ ।

 

ନାଦୀର : ଆପଣଙ୍କର ତ କୌଣସି ତ୍ରୁଟି ନାହିଁ ।

 

ସୁବାଦାର : ଅନେକ ଅଛି ନାଦୀର । ମୁଁ ସ୍ୱେଚ୍ଛାପୂର୍ବକ ତକିଖାଁଙ୍କର ବହୁ ଅତ୍ୟାଚାରର ପ୍ରଶ୍ରୟ ଦେଇଅଛି । ଏହା କହି ସୁବାଦାର ପୁନର୍ବାର ମୌନାୟତ୍ତ ହୋଇ ରହିଲେ ।

 

ନାଦୀର : ସୁବାଦାର ! ମୁଁ ବିଦାୟ ନେବାକୁ ଆସିଛି । ମକ୍କା ଯିବା ମୋର ଅଭିପ୍ରେତ ।

 

ସୁବାଦାର : ଏ ବିପଦବେଳେ ତୁମେ ମୋତେ ତ୍ୟାଗ କରିଯିବ ?

 

ନାଦୀର : ନ୍ୟାୟନିଷ୍ଠ ସୁବାଦାରଙ୍କୁ ମୁଁ ତ୍ୟାଗ କରୁ ନାହିଁ–ତ୍ୟାଗ କରୁଛି ବ୍ୟଭିଚାରୀ ତକିଖାଁଙ୍କୁ ।

 

ସୁବାଦାର : ସେ ଯାହାହେଉ, ପଠାଣ ରାଜ୍ୟର ସଙ୍କଟରେ ରାଜ୍ୟର ସ୍ତମ୍ଭକୁ ବିଦାୟ ଦେଇ ପାରିବ ନାହିଁ ନାଦୀର ଖାଁ ।

 

ସୁବାଦାର ତାଙ୍କର ନିକଟାତ୍ମୀୟ, ହିତୈଷୀ ବନ୍ଧୁ ପ୍ରଧାନ ସେନାପତି ସବ୍‌ଦର୍‌ ଆଲିଙ୍କୁ ଡକାଇ ପଠାଇଲେ । କିଛି ସମୟ ପରେ ସବ୍‌ଦର୍‌ ଆଲି କକ୍ଷ ମଧ୍ୟରେ ପ୍ରବିଷ୍ଟ ହେବାମାତ୍ରକେ ନାଦୀର ଖାଁ ସସମ୍ମାନ ଉଠି ଠିଆ ହେଲେ । ସୁବାଦାର ଆସନ ଗ୍ରହଣ କରିବା କାରଣ ଉଭୟଙ୍କୁ ଇଙ୍ଗିତ କରିବାରୁ ଦୁହେଁ ଉପବେଶନ କଲେ । ସୁବାଦାରଙ୍କ ଆସନ ନିକଟରେ ଖଣ୍ଡିଏ ମଣିମୁକ୍ତା-ଖଚିତ ବହୁମୂଲ୍ୟ ତରବାରି ପଡ଼ିଥିଲା । ସେ ତାହା ଉଠାଇ ନେଇ ନାଦୀର ଖାଁଙ୍କ ହସ୍ତରେ ଅର୍ପଣ କରି କହିଲେ,–‘ପଠାଣରାଜ୍ୟ ସଂରକ୍ଷଣରେ ଏହି ତରବାରି ନିୟୋଜିତ କରିବ ନାଦୀର ଖାଁ । ମୋର ଦୃଢ଼ ବିଶ୍ୱାସ, ତୁମ ହସ୍ତରେ ଏହି ଖଡ଼୍‍ଗ କେବେ କଳଙ୍କିତ ହେବ ନାହିଁ ।’

 

ନାଦୀର ଖାଁ ଆସନ ତ୍ୟାଗକରି ହର୍ମ୍ୟୋପରି ଜାନୁପାତ କରି ବସିଲେ, ବିନୀତଭାବରେ କହିଲେ–‘ସୁବାଦାରଙ୍କ ଆଦେଶ ଲଙ୍ଘନ କରିବାକୁ ଏ ଦାସର ସାହସ, ସାମର୍ଥ୍ୟ ନାହିଁ । ମୋର ଜୀବନ ଓ ଶରୀର ସୁବାଦାରଙ୍କର । ଏହି ଜୀବନ ଓ ଦେହ ସୁବାଦାରଙ୍କ ଆଦେଶ ପ୍ରତିପାଳନରେ ନିୟୋଜିତ କରିବି ।’

 

ସୁବାଦାରଙ୍କର ଅଭିପ୍ରୟାନୁସାରେ ନାଦୀର ଖାଁ ଉଠି ପୁଣି ଆସନ ଗ୍ରହଣ କଲେ । ସେତେବେଳେ ସୁବାଦାର ପ୍ରଧାନ ସେନାପତିଙ୍କୁ ସମ୍ବୋଧନ କରି କହିଲେ–‘ଏହି ବିଶାଳ ମୁସଲମାନ ରାଜ୍ୟରେ ନାଦୀର ଖାଁଙ୍କ ତୁଲ୍ୟ ବିଶ୍ୱାସୀ ସୁଦକ୍ଷ କର୍ମଚାରୀ କେହି ଅଛି କି ନା ଜାଣେ ନାହିଁ । ଯୋଗ୍ୟ ବ୍ୟକ୍ତିର ଯୋଗ୍ୟ ପୁରସ୍କାର ପ୍ରୟୋଜନ–ମୁଁ ନାଦୀର ଖାଁଙ୍କୁ ସହକାରୀ ସେନାପତି ପଦରେ ନିଯୁକ୍ତ କରୁଅଛି । ତକିଖାଁଙ୍କ ଅଜ୍ଞାତସାରରେ ବହୁ ଅର୍ଥ ସଞ୍ଚୟ କରି ରଖିଅଛି । ତୁମେମାନେ ସେହି ଧନରେ ନୂତନ ସୈନ୍ୟଦଳ ଗଠନ କରି ପଠାଣରାଜ୍ୟ ରକ୍ଷା କର ।’

 

ପରେ ସୁବାଦାର ଫୌଜଦାରଙ୍କୁ ଡକାଇ ପଠାଇଲେ । ଫୌଜଦାର ଆସିବାକ୍ଷଣି ରାଜା କୃଷ୍ଣଚନ୍ଦ୍ରଙ୍କୁ ଅତି ଶୀଘ୍ର କଟକକୁ ଡାକି ଆଣିବା ସକାଶେ ସୁବାଦାର ତାଙ୍କୁ ଆଦେଶ କଲେ ଏବଂ କହିଲେ ଯେ, କୃଷ୍ଣଚନ୍ଦ୍ରଙ୍କୁ ସେ ଉଜିର ପଦରେ ପ୍ରତିଷ୍ଠିତ କରିବେ । ଫୌଜଦାର ବିନୀତ କଣ୍ଠରେ ଜଣାଇଲେ, କୃଷ୍ଣଚନ୍ଦ୍ର ମୁସଲମାନର ପ୍ରଧାନ ଶତ୍ରୁ, ସୁତରାଂ ତାଙ୍କୁ ଉଜିର ପଦରେ ନିଯୁକ୍ତ କରିବା ଅନୁଚିତ, ଆପଜ୍ଜନକ–ଶତ୍ରୁକୁ ସମ୍ମାନିତ ନ କରି ବଧ କରିଦେଲେ ସମସ୍ତ ଗୋଳମାଳ ଶାନ୍ତ ହେବ-

 

ସୁବାଦାର : ଦୁଃଖର ବିଷୟ, କୃଷ୍ଣଚନ୍ଦ୍ରଙ୍କୁ ଆହୁରି ଉତ୍ତମରୂପେ ଚିହ୍ନି ନାହିଁ । ରାଜା ଧାର୍ମିକ, ରାଜଭକ୍ତ–ପ୍ରଭୁଦ୍ରୋହୀ ନୁହନ୍ତି । ଆଗେ ମୁଁ ମଧ୍ୟ ତାଙ୍କୁ ଠିକ୍ ଚିହ୍ନିପାରି ନଥିଲି । କୃଷ୍ଣଚନ୍ଦ୍ରଙ୍କୁ ପ୍ରେମ ଆଦର କର, ସେ ଆଜୀବନ ତୁମର ଗୋଲାମ ହୋଇ ରହିବେ । ତାଙ୍କୁ ପୀଡ଼ନ କର, ସେ ଅସ୍ତ୍ର ଧାରଣ କରି ରୁଦ୍ର ମୂର୍ତ୍ତିରେ ଠିଆ ହେବେ । ତାଙ୍କୁ ସଂହାର କଲେ ଗୋଳମାଳ ବନ୍ଦ ହେବ ନାହିଁ, ବୃଦ୍ଧି ପାଇବ । ଜଣେ କୃଷ୍ଣଚନ୍ଦ୍ରଙ୍କୁ ଯେଉଁଠାରେ ହନନ କରିବ, ଶତ ଶତ କୃଷ୍ଣଚନ୍ଦ୍ର ସେଠାରେ ଉଗ୍ର ହୁଙ୍କାର କରି ଉଠିବେ । ଅତ୍ୟାଚାର ଓ ପୀଡ଼ନରେ ବିଜିତ ଜାତିକୁ କେବେ ବଶୀଭୂତ କରି ରଖିପାରିବ ନାହିଁ । ତୁମେମାନେ ଯେତେ ବଳବାନ୍ ହୁଅ ପଛକେ, ବିଜିତ ଜାତି ଯେତେବେଳେ ଉତ୍ପୀଡ଼ିତ ହୋଇ ଧୈର୍ଯ୍ୟଚ୍ୟୁତ ହେବ, ସେତେବେଳେ ସେ ତୁମମାନଙ୍କ ଅପେକ୍ଷା ଶତଗୁଣ ଶକ୍ତିଶାଳୀ ହୋଇ ଉଠିବ, ସନ୍ଦେହ ନାହିଁ । ଜଣେ ଜୀବନ ନେବାକୁ ଯାଉଅଛି, ଅନ୍ୟ ପକ୍ଷ ଆତ୍ମରକ୍ଷା କରୁଅଛି–ଜଣେ ଧର୍ମ-ହରଣରେ ସମୁଦ୍ୟତ, ଅପର ପକ୍ଷ ଧର୍ମ-ରକ୍ଷାରେ ବଦ୍ଧପରିକର । ଉଭୟଙ୍କ ମଧ୍ୟରେ ପ୍ରକୃତ ବଳବାନ୍ କିଏ ? ତୁମେମାନେ ବର୍ତ୍ତମାନ ଯାଅ, ଆଦେଶ ପାଳନ କର ।

 

ଅଭିବାଦନ ପରେ ନାଦୀର ଖାଁ, ସବ୍‌ଦର୍‌ ଆଲି ଓ ଫୌଜଦାର ବିଦାୟ ହେଲେ । ଫୌଜଦାରଙ୍କ ହୃଦୟ ଚିନ୍ତା-ଭାରାକ୍ରାନ୍ତ, ନୈରାଶ୍ୟ-ପୀଡ଼ିତ ହୋଇଗଲା ।

Image

 

ଷଡ଼ଯନ୍ତ୍ର

 

ପୂର୍ବେ କୁହାଯାଇଛି, ବିନୋଦ ଓ ଚଇତ କୌଶଳକ୍ରମେ ପୁରୀ ଯୁଦ୍ଧକ୍ଷେତ୍ର ତ୍ୟାଗକରି କଟକ ଦିଗରେ ପ୍ରତ୍ୟାବୃତ୍ତ ହେଲେ । ବାହୁଡ଼ିବାବେଳେ ମାର୍ଗରେ ଦୁହେଁ କ୍ଳାନ୍ତ ହୋଇ ଗୋଟିଏ ବୃକ୍ଷ ନିକଟରେ ବିଶ୍ରାମ ନେଲେ । ସେତେବେଳେ ଚଇତ ଜଣାଇଲା ଯେ, ଯୁଦ୍ଧର ଫଳାଫଳ ସମ୍ବନ୍ଧରେ ଗୋଟିଏ ସଠିକ୍ ସମ୍ବାଦ ନେଇ ଫେରିବାର ଉଚିତ ଥିଲା ଏବଂ ତକିଖାଁଙ୍କୁ ପ୍ରୀତ କରିବାକୁ ଯୁଦ୍ଧ ଖବର ଆଣିବା ଉଦ୍ଦେଶ୍ୟରେ ପୁନର୍ବାର ପୁରୀ ଯିବା କାରଣ ବିନୋଦଙ୍କୁ ଅନୁରୋଧ କଲା । କିନ୍ତୁ ‘ପୁରୀ’ ଶବ୍ଦ ଉଚ୍ଚାରଣରେ, ଯୁଦ୍ଧ ବିଷୟର ସ୍ମରଣରେ ବିନୋଦଙ୍କର ହୃଦୟ ଥରିଗଲା ।

 

କଥୋପକଥନ ଚାଲିଥିବାବେଳେ ଉଭୟେ ଦେଖିଲେ, ଜଣେ ମୁସଲମାନ ଅଶ୍ୱାରୋହୀ ସୈନିକ ନକ୍ଷତ୍ରଗତିରେ ସେମାନଙ୍କ ଆଡ଼କୁ ଧାଇଁ ଆସୁଅଛି । ରାଜା କୃଷ୍ଣଚନ୍ଦ୍ର ମୂର୍ଛିତ ହେବାପରେ ଯେଉଁ ଦୁଇ ଚାରିଜଣ ପଠାଣ ସୈନିକ ଜୀବନ ଭୟରେ ଯୁଦ୍ଧଭୂମିରୁ ପଳାୟନ କରିଥିଲେ, ସେମାନଙ୍କ ମଧ୍ୟରେ ଏହି ଅଶ୍ୱାରୋହୀ ଅନ୍ୟତମ ! ବିନୋଦ ଓ ଚଇତ ତାହାଠାରୁ ଶୁଣିଲେ ଯେ, ଯୁଦ୍ଧରେ ପଠାଣସୈନ୍ୟର ସମ୍ପୂର୍ଣ୍ଣ ପରାଭବ ସତ୍ତ୍ୱେ ରାଜା କୃଷ୍ଣଚନ୍ଦ୍ର ପୁରୀ ଦୁର୍ଗରେ ଆବଦ୍ଧ ହୋଇ ଅଛନ୍ତି । ଏହି ସମ୍ବାଦରେ ଚଇତର ପ୍ରାଣ ବ୍ୟଥିତ ହୋଇପଡ଼ିଲା; ତେବେ ମନୋଭାବ ଗୋପନ ରଖି, କିଛି ସମୟ ଚିନ୍ତାକରି ମନେ ମନେ ଆଶ୍ୱସ୍ତ ହେଲା, ସହସ୍ର ସହସ୍ର ହିନ୍ଦୁ ଓ ରାଣୀ ପୁରୀରେ ଅଛନ୍ତି ଏବଂ ରାଣୀ ନିଶ୍ଚୟ ରାଜାଙ୍କର ଉଦ୍ଧାର-ପ୍ରୟାସ କରିବେ । ପରେ ଦୁହେଁ କଟକକୁ ପ୍ରତ୍ୟାବୃତ୍ତ ହେଲେ । ପଳାତକ ସୈନିକଟି ରାଜଧାନୀକୁ ବାହୁଡ଼ି ନିଜ କାର୍ଯ୍ୟରେ ଇସ୍ତଫା ଦେଇ ନିଶ୍ଚିନ୍ତ ରହିଲା ।

 

କଟକରେ ଉପନୀତ ହେବାମାତ୍ରକେ ବିନୋଦ ଏକାକୀ ରାଜପ୍ରାସାଦାଭିମୁଖରେ ଧାବିତ ହେଲେ ଏବଂ ତକିଖାଁଙ୍କ ନିଭୃତ କକ୍ଷରେ ଯାଇ ପ୍ରବେଶ କଲେ । ତାଙ୍କୁ ଦେଖି ସୁବାଦାର-ପୁତ୍ର ବ୍ୟସ୍ତ ହୋଇ ପ୍ରଶ୍ନ କଲେ,–‘ସମ୍ବାଦ କ’ଣ ସର୍ଦ୍ଦାର ସାହେବ ?’

 

ବିନୋଦ ଭୟବିହ୍ୱଳ ପ୍ରାଣରେ ଭଗ୍ନ ସ୍ୱରରେ ଉତ୍ତର କଲେ,–‘ଆମେମାନେ ଯୁଦ୍ଧରେ ପରାସ୍ତ ହୋଇଅଛୁ–ମନ୍ଦିର ଭାଙ୍ଗି ପାରି ନାହୁଁ । ତେବେ କୃଷ୍ଣଚନ୍ଦ୍ର ବନ୍ଦୀ ।’

 

ପଠାଣସୈନ୍ୟର ପରାଜୟ କଥା ଶୁଣି ତକିଖାଁ ଅତିଶୟ କୋପ, ଘୃଣା ଓ ବିରକ୍ତିରେ ଫୁଲି ଉଠୁଥିଲେ; କିନ୍ତୁ ରାଜା ବନ୍ଦୀ ହେବା ସମ୍ବାଦ କାନରେ ପଡ଼ିବାମାତ୍ରକେ ସେ କିଞ୍ଚିତ୍ ଆଶ୍ୱାସନା ପାଇ କୁତ୍ସିତ ହାସ୍ୟସହ କହିଲେ,–‘କୃଷ୍ଣଚନ୍ଦ୍ର ବନ୍ଦୀ ! ସୋଭାନ ଆଲ୍ଲା !!’

 

ବିନୋଦ : ତାଙ୍କୁ କିନ୍ତୁ ବନ୍ଦୀ କରି ରଖିବା ସହଜ ନୁହେ–ଅସଂଖ୍ୟ ଲଗୁଡ଼ଧାରୀ ଓଡ଼ିଆ ସୈନ୍ୟ ଦୁର୍ଗ ଘେରି ରହିଛନ୍ତି ।

 

ତକିଖାଁ : ଏଇକ୍ଷଣି ଦୁଇ ହଜାର ସୈନ୍ୟ ପଠାଉଛି–ବିଦ୍ରୋହୀ ହିନ୍ଦୁମାନଙ୍କର ଗୃହଦ୍ୱାର ପୋଡ଼ି ନାରଖାର କରିବେ, ସେମାନଙ୍କୁ ସବଂଶ ସଂହାର କରିବେ । ତୁମକୁ ଗୋଟିଏ ସମ୍ବାଦ ଦେବି-। ବଙ୍ଗ-ସୁବାଦାର ପ୍ରାଣତ୍ୟାଗ କରିବାରୁ ଆମ ସୁବାଦାର ସେଠାକୁ ସିଂହାସନାରୋହଣ କରିବାକୁ ଯାଉଛନ୍ତି–ଏ ଚାରି ପାଞ୍ଚ ଦିନ ମଧ୍ୟରେ ସେ ଓଡ଼ିଶା ତ୍ୟାଗ କରିବେ । ବର୍ତ୍ତମାନ ସେ କୃଷ୍ଣଚନ୍ଦ୍ରକୁ ଡକାଇ ପଠାଇଛନ୍ତି–ଉଦ୍ଦେଶ୍ୟ ତାହାକୁ ଉଜିରପଦରେ ନିଯୁକ୍ତ କରିବା । ଯେଉଁମାନେ ଗତ ରାତ୍ରି କୃଷ୍ଣଚନ୍ଦ୍ରକୁ ଆଣିବାକୁ ଯାଉଥିଲେ ସେମାନଙ୍କୁ ମୁଁ ମନା କରି ରଖିଅଛି । କୃଷ୍ଣଚନ୍ଦ୍ରର ଛିନ୍ନମସ୍ତକ ପିତୃ ସମ୍ମୁଖରେ ସ୍ଥାପନ କରିବି ।

 

ବିନୋଦ : ଭଲ କାର୍ଯ୍ୟ କରିଛନ୍ତି ।

 

ଅଳ୍ପ ନୀରବ ରହି ବିନୋଦ କହିଲେ,–‘ଏ ଦାସର ବିଳାସଭବନରେ ଚରଣ-ଧୂଳି ପଡ଼ିବ କି ?’

 

ତକିଖାଁ : ଆଜି ଯାଇ ପାରୁ ନାହିଁ, କାର୍ଯ୍ୟରେ ବ୍ୟସ୍ତ ଅଛି ।

 

ବିନୋଦବାବୁ ଅଭିବାଦନାନ୍ତେ ବିଦାୟ ଗ୍ରହଣ କଲେ ।

Image

 

ଆତ୍ମସମର୍ପଣ

 

ରାଜା କୃଷ୍ଣଚନ୍ଦ୍ର ଚୈତନ୍ୟ ଲାଭ କରି ଦେଖିଲେ, ସୁସଜ୍ଜିତ ବୃହତ୍ କକ୍ଷ ମଧ୍ୟରେ ଦୁଗ୍ଧଫେନନିଭ ଶଯ୍ୟାଉପରେ ସେ ଶୟାନ ରହି ଅଛନ୍ତି । ପାର୍ଶ୍ୱରେ ଆମୀର ଖାଁ ଉପବିଷ୍ଟ, ହାକିମ ରାଜାଙ୍କ ଦେହର କ୍ଷତ ସ୍ଥାନରେ ଔଷଧ ଲେପନରେ ନିଯୁକ୍ତ ! ରାଜା ଆମୀରଙ୍କୁ ପଚାରି ବୁଝିନେଲେ ଯେ, ସେ ପୁରୀ ଦୁର୍ଗ ମଧ୍ୟରେ ଆବଦ୍ଧ, ସେତେବେଳେ ସୁଦ୍ଧା ପୁରୀ ମନ୍ଦିର ଅକ୍ଷତ ଏବଂ ମୁସଲମାନ ସୈନ୍ୟ ପରାସ୍ତ, ବିନଷ୍ଟ । ରାଜାଙ୍କ ହୃଦୟରେ ଆଶ୍ୱାସନା-ତରଙ୍ଗ ଖେଳିଗଲା ।

 

ଏହି ସମୟରେ ଦୁର୍ଗ ବାହାରେ ହଠାତ କୋଳାହଳ ଧ୍ୱନି ଶୁଣାଗଲା । ରାଜା ଏହି କୋଳାହଳର କାରଣ ପଚାରିବାରୁ ଆମୀର ଖାଁ ସହାସ୍ୟ ମୁଖରେ ଉତ୍ତର କଲେ–‘ଭୀରୁ ହିନ୍ଦୁଦଳ ଦୁର୍ଗାବରୋଧ କରି ଅଛନ୍ତି ।’

 

ରାଜା : ତୁମ କଥା ଶୁଣି ହାସ୍ୟ ସମ୍ବରଣ କରି ହେଉ ନାହିଁ ଖାଁ ସାହେବ । ଅଳ୍ପକ୍ଷଣ ପୂର୍ବେ ଯେଉଁ ହିନ୍ଦୁ ସୈନ୍ୟଦ୍ୱାରା ପଠାଣମାନେ ପରାସ୍ତ ହୋଇ, ପଳାୟନ କରି ପ୍ରାଣ ରକ୍ଷା କରିଛନ୍ତି, ସେମାନେ ଯେ କିପରି ଭୀରୁ, ତାହା ବୁଝିପାରୁ ନାହିଁ ।

 

ଆମୀର : ଆହତ ବନ୍ଦୀ ମୁଖରେ ଏ କଥା ଶୋଭା ପାଏ ନାହିଁ ।

 

ରାଜା : ମୁଁ ରକ୍ତ ଢାଳିଅଛି, ବନ୍ଦୀ ହୋଇଅଛି–ଅଥଚ ସ୍ୱେଚ୍ଛାପୂର୍ବକ ଯୁଦ୍ଧକ୍ଷେତ୍ର ତ୍ୟାଗ କରି ନାହିଁ ।

 

ଆମୀର ଖାଁ ନିରୁତ୍ତର ହୋଇ ବିରକ୍ତ ଚିତ୍ତରେ କକ୍ଷରୁ ପ୍ରସ୍ଥାନ କଲେ । ସନ୍ଧ୍ୟା ସମୟରେ ଦୁର୍ଗରକ୍ଷକଙ୍କର ଆଦେଶାନୁଯାୟୀ ରାଜା କାରାଗାରରେ ପ୍ରବେଶ କଲେ, ଶୃଙ୍ଖଳାବଦ୍ଧ କିନ୍ତୁ ହେଲେ ନାହିଁ । ରାତ୍ରି ପ୍ରାୟ ଦ୍ୱିପ୍ରହର । ଦୁର୍ଗ ମଧ୍ୟରେ ପ୍ରାୟ ଏକଶତ ସଂଖ୍ୟକ ମୁସଲମାନ ଦିବସର ଅବିଶ୍ରାନ୍ତ ପରିଶ୍ରମ ପରେ ଅବସନ୍ନ ଶରୀରରେ ନିଦ୍ରାଦେବୀଙ୍କର ଆଶ୍ରୟ ନେଇ ଅଛନ୍ତି, ଦୁଇ ଚାରିଜଣ ମାତ୍ର ପ୍ରହରୀ ଜାଗ୍ରତ ଅଛନ୍ତି ଏବଂ ନିଦ୍ରା-ସୁଖ-ବଞ୍ଚିତ ରାଜା କୃଷ୍ଣଚନ୍ଦ୍ର କାରା-କକ୍ଷ ମଧ୍ୟରେ ପଦଚାଳନ କରୁଅଛନ୍ତି, ଏହି ସମୟରେ ସହସ୍ରାଧିକ-ଓଡ଼ିଆସୈନ୍ୟ-ପରିବେଷ୍ଟିତା ରାଣୀ କମଳସୁନ୍ଦରୀ ହଠାତ ଦୁର୍ଗ ମଧ୍ୟରେ ପ୍ରବେଶ କଲେ । ଆମୀର ଖାଁ ଦୁର୍ଗରକ୍ଷା-ଆଶା ଏକାବେଳକେ ତ୍ୟାଗ କରି ସ୍ୱଳ୍ପସଂଖ୍ୟକ ଅନୁଚରଗଣଙ୍କ ସହିତ କଟକ ଯାତ୍ରା କଲେ । କକ୍ଷ ମଧ୍ୟରେ ରାଣୀଙ୍କୁ ଦେଖି ରାଜା ବିସ୍ମୟାଙ୍କିତ ମୁଖରେ ପ୍ରଶ୍ନ କଲେ–‘ଏ ଦୁଃସାହସିକ କାର୍ଯ୍ୟର ଉଦ୍ଦେଶ୍ୟ ରାଣୀ ?’

 

ରାଣୀ : ଆପଣଙ୍କ ତରବାରି ଆପଣଙ୍କ ହାତରେ ଦେବପାଇଁ ଏବଂ ସମୟ ନଷ୍ଟ ନ କରି ଦୁର୍ଗ ଜୟ କରିବା କାରଣ ଆପଣଙ୍କୁ ଅନୁରୋଧ କରିବା ସକାଶେ ଆପଣଙ୍କର ଶିଷ୍ୟା, ଦାସୀ ଏ କାମ କରଅଛି ।

 

ରାଜା : ଦୁର୍ଗଜୟ ଆଉ ଆବଶ୍ୟକ ନାହିଁ ରାଣୀ ! ଆତ୍ମରକ୍ଷା କରିବା ସକାଶେ ଯାହା କିଛି ଶକ୍ତିନିୟୋଗ ପ୍ରୟୋଜନ, ସେତିକି ମାତ୍ର କରିବା ଉଚିତ । ଦୁର୍ଗାକ୍ରମଣ ତେବେ ଆତ୍ମରକ୍ଷା ନୁହେ । ଦୁର୍ଗାକ୍ରମଣର ଅର୍ଥ ଅନର୍ଥକ ବିଦ୍ରୋହବହ୍ନି ଜାଳି ବିପଦ ବରଣ କରିବା, ନିରୀହ ଓ ନିରପରାଧ ପ୍ରଜାଙ୍କର ସର୍ବନାଶ କରିବା ।

 

ରାଣୀଦ : ଦେଖୁଛି ତାହାହେଲେ, ଆପଣ ଚାହାଁନ୍ତି ଦେଶର ସ୍ୱାଧୀନତା ଲୋପ !

 

ରାଜା : ସ୍ୱାଧୀନତା-ଲାଭ ସହଜ ନୁହେ ପ୍ରିୟେ ! ରକ୍ତପାତ ଭିନ୍ନ ସ୍ୱାଧୀନତାପ୍ରାପ୍ତି ନିତାନ୍ତ ଅସମ୍ଭବ । ଓଡ଼ିଆର ରକ୍ତ ଦେଖିଲେ ମୋର ରକ୍ତ ଶୁଖି ଯାଏଁ, ପ୍ରାଣ ଫାଟି ଯାଏଁ । ତକିଖାଁର ଅତ୍ୟାଚାର, ବ୍ୟଭିଚାର ଅଶ୍ରୁପୂର୍ଣ୍ଣ ନୟନରେ ଦେଖୁଅଛି; ଅଥଚ ଶାସକ ବିରୁଦ୍ଧରେ ଠିଆ ହେବାକୁ ଇଚ୍ଛା ହେଉ ନାହିଁ ଦେଶରେ ବିପ୍ଳବାନଳ ପ୍ରଜ୍ୱଳିତ ହୋଇ ଉଠିବ ଏହି ଭୟରେ ।

 

ରାଣୀ : ଜଳି ଉଠୁ, କ୍ଷତି କ’ଣ ? ନିଜ ଧର୍ମ ବିନିମୟରେ ନିଜର ବନିତା ଦୁହିତା ଯବନ ହସ୍ତରେ ଅର୍ପଣ କରିବା, ମୁସଲମାନର ପଦଲେହନ କରିବା, ପଶୁ-ଜୀବନ, ଦାସ-ଜୀବନ ଧାରଣ କରିବା ଅପେକ୍ଷା, ଯୁଦ୍ଧରେ ମରଣଲାଭ ଅଧିକ ସମ୍ମାନାସ୍ପଦ, ଗୌରବାବହ । ଧାର୍ମିକ ସେ, ଯେ ଆତ୍ମରକ୍ଷା ଓ ପରୋପକାର ପାଇଁ ଯୁଦ୍ଧ କରେ–ଅଧର୍ମାଚାରୀ ସେ, ଯେ ଏହା କରିବାକୁ ପଛଘୁଞ୍ଚା ଦିଏ ।

 

ରାଜା : ଧର୍ମାଧର୍ମ ମୁଁ ଜାଣେ ନାହିଁ ସୁନ୍ଦରୀ ! ଜାଣେ ଦେଶର କଲ୍ୟାଣ । ଦେଶର ମଙ୍ଗଳସାଧନହିଁ ମୋର ଧର୍ମ, ଏକମାତ୍ର ବାସନା । ଓଡ଼ିଶାର ଚିର ଶସ୍ୟଭୂଷଣ ବକ୍ଷରେ ଚିତାନଳ ଜାଳିବାକୁ, ତାହାର ହାସ୍ୟୋତ୍‌ଫୁଲ୍ଲ ନେତ୍ରରୁ ରୁଧିରାଶ୍ରୁ ବୁହାଇବାକୁ ମୁଁ ଅନିଚ୍ଛୁକ ।’ ଅଳ୍ପ ନୀରବ ରହି କହିଲେ–‘ରାଣୀ, ସକାଳେ କଟକ ଯିବି ସୁବାଦାରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ । ପ୍ରଜା ଓ ସୈନ୍ୟ ନେଇ ତୁମେ ସାରଥୀଗଡ଼କୁ ପ୍ରତ୍ୟାବୃତ୍ତ ହୁଅ ।’

 

ରାଜାଙ୍କର ଆଦେଶ ଲଙ୍ଘନ ନ କରି ରାଣୀ ପ୍ରଜା ଓ ସୈନ୍ୟ ସହିତ ସାରଥୀଗଡ଼କୁ ବାହୁଡ଼ିଲେ । ରାଜା ଏକ ଶତ ମାତ୍ର ଅଶ୍ୱାରୋହୀ ଦେହରକ୍ଷୀ ସୈନ୍ୟ ନେଇ ଅଶ୍ୱପୃଷ୍ଠରେ କଟକ ଅଭିମୁଖରେ ଯାତ୍ରା କଲେ । ସେତେବେଳକୁ ପକ୍ଷୀକୁଳ ସୁମଧୁର କୂଜନରେ ଦିଗଦିଗନ୍ତରେ ଘୋଷଣା କରୁଥିଲେ–‘ଅନ୍ଧକାର ଚାଲିଯାଇଛି, ଆଲୋକ ଆସିଅଛି ।’

 

ମଧ୍ୟାହ୍ନବେଳେ ସଦଳ ରାଜା ଯେତେବେଳେ ରାଜଧାନୀର ସନ୍ନିକଟସ୍ଥ ହେଲେ, ସେତେବେଳେ ଦେଖିଲେ ଯେ, ସେନାନାୟକ ଦାଉଦ ଖାଁ ଅସଂଖ୍ୟ ଫୌଜ ସଙ୍ଗେ ନେଇ ପୁରୀ ପ୍ରତି ଅଗ୍ରସର ହେଉଅଛନ୍ତି । ରାଜା ଦ୍ରୁତ ବେଗରେ ଅଶ୍ୱ ଚଳାଇ ଦାଉଦ ଖାଁଙ୍କର ସମୀପସ୍ଥ ହେବାମାତ୍ରକେ, ସେନାନାୟକ ହାସ୍ୟଯୁକ୍ତ ମୁଖରେ ରାଜାଙ୍କ ଆଡ଼କୁ ଅଗ୍ରସର ହୋଇ କହିଲେ,–‘ଆପଣଙ୍କ ନିକଟକୁ ଯାଉଥିଲୁ । ବର୍ତ୍ତମାନ ଆମମାନଙ୍କ ସଙ୍ଗେ ନଗରକୁ ଆସିବାକୁ ସମ୍ଭବତଃ ଆପଣଙ୍କର କୌଣସି ଆପତ୍ତି ନାହିଁ ।’

 

ରାଜା : ଲେଶମାତ୍ର ନାହିଁ ।

 

ଦାଉଦ ଖାଁ ରାଜାଙ୍କୁ ସଙ୍ଗେ ନେଇ ନଗରାଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ । ରାଜାଙ୍କୁ ଘନଶୃଙ୍ଖଳାବଦ୍ଧ କରି ନେବା ନିମନ୍ତେ ତକିଖାଁଙ୍କର ଆଦେଶ ଥିଲା । କିନ୍ତୁ ବୁଦ୍ଧିମାନ୍, ଚତୁର ଦାଉଦ ଜାଣନ୍ତି, ରାଜାଙ୍କୁ ବାନ୍ଧି ନେଲେ ଗୋଳମାଳ ସୁନିଶ୍ଚିତ । ସୁତରାଂ ବର୍ତ୍ତମାନ ଅବସ୍ଥାରେ ତାହା ନିଷ୍ପ୍ରୟୋଜନ ବିବେଚନା କରି, ସେ ରାଜାଙ୍କୁ ସମ୍ମାନ କଲେ–ତାଙ୍କ ଦେହରକ୍ଷୀ ଦଳଙ୍କୁବି କେହି ଅସମ୍ମାନ ବା ଆକ୍ରମଣ କଲେ ନାହିଁ । ନଗରରେ ପ୍ରବେଶ କରି ସେନାନାୟକ ସୈନିକଗଣଙ୍କୁ ବିଦାୟ ଦେଲେ ଏବଂ କୃଷ୍ଣଚନ୍ଦ୍ରଙ୍କର ଶରୀରରକ୍ଷୀବର୍ଗଙ୍କୁ ଅନ୍ୟ ମାର୍ଗରେ ଯିବା କାରଣ ଆଦେଶ କଲେ । ପରେ ରାଜାଙ୍କୁ ଜଣାଇଲେ ଯେ, ତାଙ୍କୁ ଚୌଦ୍ୱାର ଦୁର୍ଗରେ ଆବଦ୍ଧ କରି ରଖିବା ସକାଶେ ସୁବାଦାର-ପୁତ୍ରଙ୍କର ଆଦେଶ ।

 

ରାଜା : ଭଲ କଥା । ଆପଣ ଆଦେଶ ପାଳନ କରନ୍ତୁ । ନିଜ ଇଚ୍ଛାରେ ମୁଁ ଧରା ଦେଉଛି । ତେବେ ଗୋଟିଏ ଅନୁରୋଧ ସେନାପତି ସାହେବ ! ଚୌଦ୍ୱାର ଦୁର୍ଗରେ ପ୍ରବେଶ କରିବା ଆଗରୁ ମୁଁ ସୁବାଦାରଙ୍କ ସହିତ ଥରେ ସାକ୍ଷାତ କରିବାକୁ ଇଚ୍ଛୁକ ।

 

ଦାଉଦ : ନା, ତାହା ହୋଇପାରିବ ନାହିଁ ।

 

ରାଜା ଆଉ କିଛି କହିଲେ ନାହିଁ । ଦାଉଦ ଖାଁ ଓ ରାଜା କୃଷ୍ଣଚନ୍ଦ୍ର ଅତି ଶୀଘ୍ର ଚୌଦ୍ୱାର ଦୁର୍ଗର ଦ୍ୱାରଦେଶରେ ଯାଇ ଉପନୀତ ହେଲେ । ସେଠାରେ ସେନାନାୟକ କହିଲେ–‘ରାଜା ସାହେବ ! ଏଠାରେ ବନ୍ଦୀକୁ ଅସ୍ତ୍ରଶୂନ୍ୟ କରିବାର ପ୍ରଥା ଅଛି ।’

 

ରାଜା : ଆମ ବଂଶର ପ୍ରଥା ଅନୁସାରେ ସେନାପତି ସାହେବ, ହାତରୁ ତରବାରି ଖସି ନ ପଡ଼ିଲେ ନିଜ ଇଚ୍ଛାରେ ତାହା ଦେଇପାରିବି ନାହିଁ ।

 

ଗୋଳମାଳ ଆଶଙ୍କାରେ ଦାଉଦ ଖାଁ ଆଉ ବାକ୍ୟବ୍ୟୟ ନ କରି ରାଜାଙ୍କୁ ଧରି ଦୁର୍ଗ ମଧ୍ୟରେ ପ୍ରବେଶ କଲେ । ତାଙ୍କ ଆଦେଶରେ କୃଷ୍ଣଚନ୍ଦ୍ର ଦୁର୍ଗମଧ୍ୟସ୍ଥ ‘ନିଭୃତ ନିଳୟ’ ନାମକ ପ୍ରାସାଦର ଗୋଟିଏ ଅନ୍ଧକାରମୟ କକ୍ଷ ମଧ୍ୟରେ ଆବଦ୍ଧ ରହିଲେ ।

 

ବିଡ଼ାନସୀ, ଚୌଦ୍ୱାର ଓ ସାରଙ୍ଗଗଡ଼ଦ୍ୱାରା ବାରବାଟୀ ଦୁର୍ଗ ବେଷ୍ଟିତ, ସୁରକ୍ଷିତ ଓ ବହିଃଶତ୍ରୁ-ଆକ୍ରମଣାଶଙ୍କା-ରହିତ ଥିଲା । ଚୌଦ୍ୱାର ଥିଲା ଗୋଟିଏ ଦୁର୍ଭେଦ୍ୟ ଦୁର୍ଗ । ଏହି ଦୁର୍ଗ ମଧ୍ୟରେ ଦିଓଟି ସୁଗଠିତ, ସୁନ୍ଦର ପ୍ରାସାଦ–‘ନିଭୃତ ନିଳୟ’ ଓ ‘ପ୍ରମୋଦ ଭବନ’ । ବିଡ଼ାନସୀ ଓ ସାରଙ୍ଗଗଡ଼ରେ ସୁବାଦାରଙ୍କ ସୈନ୍ୟ ବାସ କରୁଥିଲେ । ଚୌଦ୍ୱାର ଥିଲା ଖାସ୍‌ ସୁବାଦାର-ପୁତ୍ରଙ୍କର ଅଧୀନ । ସେଠାରେ ତାଙ୍କର ଗୁପ୍ତ, ବିଶ୍ୱସ୍ତ ସୈନିକଦଳ ଏବଂ ଅନୁଚରବର୍ଗ ରହନ୍ତି । ତକିଖାଁଙ୍କର ଅତ୍ୟନ୍ତ ବିଶ୍ୱାସଯୋଗ୍ୟ, ଗୁପ୍ତପରାମର୍ଶଦାତା ବନ୍ଧୁଙ୍କ ବ୍ୟତୀତ, ସେହି ଦୁର୍ଗରେ ଅନ୍ୟ କାହାର ପ୍ରବେଶାଧିକାର ନଥିଲା । ଏହି ଦୁର୍ଗର ଦୁଇ ପ୍ରାସାଦରେ ତକିଖାଁ, ଦାଉଦ ଖାଁ ଓ ବିନୋଦବିହାରୀ କେବେ କେବେ ମିଳିତ ହୋଇ ନାନା ଅତ୍ୟାଚାର, ବ୍ୟଭିଚାର ସଂକ୍ରାନ୍ତ ମନ୍ତ୍ରଣା କରନ୍ତି ।

 

ଖୋରଧାରାଜା ରାମଚନ୍ଦ୍ର ଦେବ ପ୍ରମୋଦଭବନରେ ଆଗରୁ ବନ୍ଦୀ ହୋଇଥିଲେ । ପ୍ରମୋଦଭବନ ତାଙ୍କ ପକ୍ଷରେ ମହା ଶ୍ମଶାନ ତୁଲ୍ୟ ବୋଧ ହେଉଥିଲା । ଯେଉଁ ଚୌଦ୍ୱାର ଦୁର୍ଗରେ ଦିନେ ଓଡ଼ିଶାର ସ୍ୱନାମଧନ୍ୟ ପ୍ରବଳପରାକ୍ରାନ୍ତ ରାଜା ଅନଙ୍ଗ ଭୀମଦେବ ପରିବାର, ସୈନ୍ୟ ସାମନ୍ତ, ଦାସ ଦାସୀଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ବାସ କରୁଥିଲେ, ସେହି ଦୁର୍ଗ ଆଜି ରାଜା କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ରଙ୍କ ପକ୍ଷରେ ଶ୍ୱାପଦସଂକୁଳ ଘୋର ଅରଣ୍ୟ ପରି ବୋଧ ହେଲା । କାଳର ଗତି ବାସ୍ତବରେ କୁଟିଳ !

Image

 

ରାମଚନ୍ଦ୍ର ଓ କୃଷ୍ଣଚନ୍ଦ୍ର ବନ୍ଦୀ

 

ମଦନଙ୍କର ବିଶେଷ ସେବା ଶୁଶ୍ରୂଷାରେ କୁମାର ବିଜୟଚନ୍ଦ୍ର ପୂର୍ବ ସ୍ୱାସ୍ଥ୍ୟ ଫେରି ପାଇଲେ । ମଦନ କେବଳ କୁମାରଙ୍କର ଯତ୍ନ ନେଇ ନିଶ୍ଚିନ୍ତ ରହିଲେ ନାହିଁ–ଚଇତ ପୁରୀରୁ ପ୍ରତ୍ୟାବୃତ୍ତ ହେବାକ୍ଷଣି ତାହାକୁ ସଙ୍ଗେ ନେଇ ସେ ଗୋପାଳ ବିଷୟୀଙ୍କୁ ଗହ୍ୱର ମଧ୍ୟରୁ ଉଦ୍ଧାର କଲେ । ଗୋପାଳ ଅନେକ ଦିନ ପୃଥିବୀର ନିମ୍ନଭାଗ ପରିଦର୍ଶନ କରିଥିଲେ, ବର୍ତ୍ତମାନ ପୃଥିବୀର ଉପରିଭାଗରେ କ’ଣ ଘଟୁଅଛି ତାହା କୌଶଳ ଓ ଯତ୍ନ ସହକାରେ ତନ୍ନତନ୍ନ ପରୀକ୍ଷା କରିବାକୁ ଲାଗିଲେ । ସେ ନିଶ୍ଚେଷ୍ଟ, ନିସ୍ପନ୍ଦ ରହିବାର ବ୍ୟକ୍ତି ନୁହନ୍ତି–କ୍ରମଶଃ ରାଜା, ରାଣୀ, ସୁବାଦାର, ତକିଖାଁ ପ୍ରଭୃତିଙ୍କ ସଠିକ୍‌ ସମ୍ବାଦ ସଂଗ୍ରହ କଲେ । ସେ ଯେତେବେଳେ ଯେଉଁ ଖବର ପା’ନ୍ତି ସବୁ ବିଜୟଚନ୍ଦ୍ର, ମଦନ ଓ ଚଇତଙ୍କୁ ଶୁଣାନ୍ତି ଏବଂ ସମସ୍ତେ ମିଶି କାର୍ଯ୍ୟକ୍ରମ ସ୍ଥିର କରି ତଦନୁସାରେ କାର୍ଯ୍ୟ କରିବାକୁ ବ୍ୟଗ୍ର, ବଦ୍ଧପରିକର ହୋଇ ଉଠନ୍ତି । ଦେବାନଙ୍କ ମୁଖରୁ ବିଜୟଚନ୍ଦ୍ର ଶୁଣିଲେ ଯେ, ରାଣୀ ଯୁଦ୍ଧକ୍ଷେତ୍ରରୁ ବାହୁଡ଼ି ବାସନ୍ତୀଙ୍କ ସହିତ ସାରଥୀଗଡ଼ରେ ଅବସ୍ଥାନ କରୁ ଅଛନ୍ତି, ରାଜା କୃଷ୍ଣଚନ୍ଦ୍ର ଓ ଖୋରଧାରାଜା ସୁବାଦାରଙ୍କ ଅଜ୍ଞାତସାରରେ ଚୌଦ୍ୱାର ଦୁର୍ଗରେ କାରାରୁଦ୍ଧ ହୋଇଅଛନ୍ତି, ସୁବାଦାର ସୁଜାଉଦ୍ଦିନ ମହମ୍ମଦ ପର ଦିନ ବଙ୍ଗ-ସୁବାଦାରସ୍ୱରୂପ ଓଡ଼ିଶାରୁ ଚାଲିଯିବେ ଏବଂ ତାଙ୍କ ପରିବର୍ତ୍ତେ ତକିଖାଁ ସୁବାଦାର-ସିଂହାସନରେ ଅଭିଷିକ୍ତ ହେବେ ।

କୁମାରଙ୍କର ଭୟ ହେଲା, ନରାଧମ ତକିଖାଁଙ୍କ ଶାସନରେ ଓଡ଼ିଶାର ଘୋର ଅନିଷ୍ଟ ଘଟିବ । ବୀର, ସମରପ୍ରିୟ ସ୍ୱଦେଶବତ୍ସଳ ଗୋପାଳ ବିଷୟୀ ତାଙ୍କୁ ଆଶ୍ୱାସନା ଦେଇ କହିଲେ–‘ଏହା ଅବଶ୍ୟ ଶୁଭ ସମ୍ୱାଦ କୁମାର ! ତକିଖାଁ ସିଂହାସନରେ ବସୁ, କିଛି ଭୟ ନାହିଁ–ବହୁ କାଳର ଅବସାଦ, ନିଶ୍ଚେଷ୍ଟତା ପରେ ବର୍ତ୍ତମାନ ଓଡ଼ିଆ ଜାତି ଆତ୍ମରକ୍ଷାର୍ଥ ଅସ୍ତ୍ର ଧରିବ ।’

ବିଜୟଙ୍କର ଦ୍ୱିତୀୟ, ଗୁରୁତର ଆଶଙ୍କା–ନରରାକ୍ଷସ ତକିଖାଁ କର୍ତ୍ତୃକ ରାମଚନ୍ଦ୍ର ଦେବ ଓ କୃଷ୍ଣଚନ୍ଦ୍ର କାରାଗୃହରେ ନିଷ୍ଠୁର ଭାବରେ ନିହତ ହେବେ । ଏ ଆଶଙ୍କା ଖାଲି ତାଙ୍କର ନୁହେ–ଗୋପାଳ, ମଦନ ଓ ଚଇତଙ୍କ ହୃଦୟରେ ମଧ୍ୟ ଯୁଗପତ୍‌ ସ୍ଥାନ ଗ୍ରହଣ କଲା । ସମସ୍ତେ ପ୍ରମାଦ ଗଣିଲେ । ତେବେ ନିଶ୍ଚିନ୍ତ ରହିଲେ ନାହିଁ–ରାଜା ଓ ତାଙ୍କ ଭାଇଙ୍କୁ ଯେ କୌଣସି କୌଶଳରେ କାରାମୁକ୍ତ କରିବାକୁ ଅଣ୍ଟା ଭିଡ଼ି ବାହାରିଲେ । ସ୍ଥିର କଲେ, ଦୁହିଁଙ୍କର ଉଦ୍ଧାର-ପ୍ରୟାସ କରିବା ପୂର୍ବେ ଚଇତ ଗୁପ୍ତଚରରୂପେ ଯାଇ ଭ୍ରାତାଦ୍ୱୟଙ୍କର ପ୍ରକୃତ ସମ୍ୱାଦ ଆଣିବ ।

ରାତ୍ରି ଏକ ପ୍ରହର । ଚତୁର୍ଦ୍ଦିଗ ଅନ୍ଧକାରାବୃତ । ଆକାଶରେ ନକ୍ଷତ୍ରପୁଞ୍ଜ ଦେଦୀପ୍ୟମାନ, ଚନ୍ଦ୍ରାଲୋକର ଏକାନ୍ତ ଅଭାବ । ଦାଉଦ ଖାଁ ପ୍ରାୟ ଏକ ଶତ ଅନୁଚର ସମଭିବ୍ୟାହାରରେ ଚୌଦ୍ୱାର ଦୁର୍ଗରେ ପ୍ରବେଶ କଲେ । ସେତେବେଳେ ଚତୁର ଚଇତ କୃଷ୍ଣବସନାଚ୍ଛାଦିତ ଶରୀରରେ ଚୌଦ୍ୱାରଗଡ଼ର କିୟତ୍‍ ଦୂରରେ ଭ୍ରମଣ କରି ଦେଖୁଥିଲା ଦାଉଦ ଓ ତାଙ୍କ ଅନୁଚରଗଣଙ୍କର ଦୁର୍ଗ-ପ୍ରବେଶ ବ୍ୟାପାର । ବିପଦାଶଙ୍କାରେ ତାହାର ପ୍ରାଣ ଚମକି ଉଠିଲା । ଦୁର୍ଗମଧ୍ୟକୁ ଯିବାକୁ ସେ ବିସ୍ତର ଚେଷ୍ଟା କଲା, ପାରିଲା ନାହିଁ । ଶେଷରେ ଅଧୈର୍ଯ୍ୟ ହୃଦୟରେ, ଲୋତକପୂର୍ଣ୍ଣ ଚକ୍ଷୁରେ ଆକାଶ ଆଡ଼କୁ ଅନାଇ ରହିଲା ଏବଂ ଈଶ୍ୱରୋଦ୍ଦେଶ୍ୟରେ କହିଲା–‘ଭଗବାନ୍‌, ଉପସ୍ଥିତ ଆପଦରେ ମୋତେ ଶକ୍ତି, ସାହସ ଦିଅ ।’

ପରଦିନ ପ୍ରାତଃକାଳରେ ସୁଜାଉଦ୍ଦିନଙ୍କର ଓଡ଼ିଶାରୁ ବିଦାୟ ନେବାର କଥା । ସେହି ରାତ୍ରି ସୁବାଦାର ସମସ୍ତ ରାଜକର୍ମଚାରୀଙ୍କ ସହିତ ଆଳାପାଦି କରିବାକୁ ଅଭିଳାଷୀ ହେଲେ । ତାଙ୍କ ଆଦେଶରେ ନାଦୀର ଖାଁ ସମସ୍ତଙ୍କୁ ଆହ୍ୱାନ କରିବା ନିମନ୍ତେ ଅଶ୍ୱପୃଷ୍ଠରେ ବାହାରିଲେ । ସମସ୍ତଙ୍କୁ ସୁବାଦାରଙ୍କର ବାସନା ଜଣାଇଦେଲେ । ଜଣକ ବ୍ୟତୀତ ସକଳ କର୍ମଚାରୀ ସୁବାଦାରଙ୍କ ସମ୍ମୁଖକୁ ଧାଇଁଗଲେ–ତକିଖାଁଙ୍କ ଷଡ଼ଯନ୍ତ୍ର-ସହାୟ ଦାଉଦ ଖାଁ ମାତ୍ର ନ ଯାଇ ଲୁଚି ରହିଲେ । ତାଙ୍କୁ ଡାକି ନେବା ଉଦ୍ଦେଶ୍ୟରେ ନାଦୀର ଖାଁ ଚୌଦ୍ୱାର ଦୁର୍ଗକୁ ଧାବମାନ ହେଲେ । ସେ ଦୁର୍ଗଦ୍ୱାରରେ ଅକସ୍ମାତ୍‌ ଦାଉଦ ଖାଁଙ୍କୁ ଦେଖି ତାଙ୍କୁ ସୁବାଦାରଙ୍କର ଆଦେଶ ଜ୍ଞାପନ କଲେ । ଅନିଚ୍ଛା ସତ୍ତ୍ୱେ ଦାଉଦ ବିନା ବାକ୍ୟବ୍ୟୟରେ ରାଜପ୍ରାସାଦ ଅଭିମୁଖରେ ଧାବିତ ହେଲେ ।

ନାଦୀର ଖାଁ ସେଠାରୁ ପ୍ରତ୍ୟାବୃତ୍ତ ହେବାବେଳେ ଦୁର୍ଗର କିଛି ଦୂରରେ ଜଣେ ବାଳକକୁ ଦେଖି ପ୍ରଶ୍ନ କଲେ–‘କିଏ ତୁ ?’

 

ଚଇତ : ମନୁଷ୍ୟ ।

 

ନାଦୀର : ହାସ୍ୟର ଏ ସମୟ ନୁହେ ବାଳକ । ତୋର ନାମ କ’ଣ ?

 

ଚଇତ : ନାମ କହିବାର, ପରିଚୟ ଦେବାର ଏ ସମୟ ନୁହେ ।

 

ନାଦୀର : ଏଠାରେ ଚୋର ଭଳି ବୁଲୁଛୁ କିଆଁ ? ସତ୍ୟ କହ, ନଚେତ ବିପଦ !

 

ଚଇତ : ମୋର ପ୍ରାର୍ଥନା ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତ ହେଲେ ସତ୍ୟ କହିବି ।

 

ନାଦୀର : ତୋତେ ଦେଖି, ତୋର କୋମଳ ମଧୁମୟ କଣ୍ଠସ୍ୱର ଶୁଣି ମୋ ହୃଦୟରେ ଦୟାର ଉଦ୍ରେକ ହୋଇଅଛି । ପ୍ରତିଜ୍ଞା କରୁଛି, ତୋ ପ୍ରାର୍ଥନା ନ୍ୟାୟସଙ୍ଗତ ହୋଇଥିଲେ ନିଶ୍ଚୟ ପୂରଣ କରିବାକୁ ଚେଷ୍ଟିତ ହେବି ।

 

ଚଇତ : ମୁଁ ମହାମତି ବୀରାବତାର ନାଦୀର ଖାଁଙ୍କର ଦର୍ଶନାଭିଳାଷୀ–ତାଙ୍କ ନିକଟକୁ ମୋତେ ନେଇ ପାରିବ ?

 

ନାଦୀର : ବର୍ତ୍ତମାନ ତୁ ଯାହାକୁ ସମ୍ମୁଖରେ ଦେଖି ପ୍ରଶ୍ନ କରୁଅଛୁ, ସେ ଲୋକହିଁ ନାଦୀର ଖାଁ । କ’ଣ ଦରକାର ?

 

ନିର୍ଭୀକ ଚଇତ ଖାଁଙ୍କର ନିକଟସ୍ଥ ହୋଇ ତାଙ୍କ ତାଳୁରୁ ତଳିପା ଯାଏଁ ଉତ୍ତମରୂପେ ନିରୀକ୍ଷଣ କରି ଆଶା-ଦୀପ୍ତ, ସନ୍ତୋଷ–ଜଡ଼ିତ ସ୍ୱରରେ କହିଲା–‘ଠିକ୍‌, ଆପଣ ସେଇ ଦେବତା ।’ ପରେ ସେ ନାଦୀରଙ୍କ ଚରଣ ତଳେ ନତଜାନୁ ହୋଇ ବସି ଯୁକ୍ତହସ୍ତରେ ନିବେଦନ କଲା,–‘ଦେବତା ! ତକିଖାଁ ରାଜା କୃଷ୍ଣଚନ୍ଦ୍ର ଓ ଖୋରଧା ରାଜା ରାମଚନ୍ଦ୍ର ଦେବଙ୍କୁ ସୁବାଦାରଙ୍କ ଅଜଣାରେ ଏହି ଦୁର୍ଗ ମଧ୍ୟରେ ଆବଦ୍ଧ କରି ରଖିଛନ୍ତି । ଦୁଇ ଭାଇଙ୍କୁ ବିପଦରୁ ରକ୍ଷା କରନ୍ତୁ ।’

 

ନାଦୀର ଖାଁ ସ୍ତମ୍ଭିତ । ସେ ଆବେଗରୁଦ୍ଧ ବେଦନାବିଦ୍ଧ କଣ୍ଠରେ କହିଲେ–‘ମହା ବିପଦ-! ସୁବାଦାର ବା ତକିଖାଁଙ୍କ ଆଦେଶ ବ୍ୟତୀତ ସେମାନେ ତ ମୁକ୍ତ ହୋଇ ପାରିବେ ନାହିଁ-!’

 

ଚଇତ : ଆଜି ଦୁହିଁଙ୍କି ମୁକ୍ତ କରି ନ ପାରିଲେ, ସେମାନଙ୍କ ଜୀବନର ଆଉ ଆଶା ନାହିଁ-। ଦାଉଦ ଖାଁ ଏକ ଶତ ଲୋକଙ୍କ ସଙ୍ଗେ ସେମାନଙ୍କୁ ହତ୍ୟା କରିବାକୁ ଆସିଛନ୍ତି-

 

ଦାଉଦ ଖାଁ ସୁବାଦାରଙ୍କ ନିକଟକୁ ଯିବାକୁ କାହିଁକି ଯେ ପଶ୍ଚାଦ୍‌ପଦ ହେଉଥିଲେ, ନାଦୀର ଖାଁ ବର୍ତ୍ତମାନ ତାହା ସ୍ପଷ୍ଟରୂପେ ବୁଝି ପାରିଲେ । ସେ ଚିନ୍ତାମଗ୍ନ ହୋଇ ଠିଆ ହେଲେ । ଚଇତ ତାଙ୍କ ଭାବନାରେ ହଠାତ ବାଧାଦେଇ କହିଲା–‘ଚିନ୍ତାର ଆଉ ସମୟ ନାହିଁ ଖାଁ ସାହେବ ! ରାମଚନ୍ଦ୍ର ଓ କୃଷ୍ଣଚନ୍ଦ୍ରଙ୍କୁ ଏହି ମୁହୂର୍ତ୍ତରେହିଁ ରକ୍ଷା କରନ୍ତୁ ।’

 

ନଦୀର : କିଏ ତୁମେ ବାଳକ ?

 

ଚଇତ : ମୁଁ ବାଳକ ନୁହେ, ବାଳିକା । ଏହା ଭିନ୍ନ ଏହିକ୍ଷଣି ମୋର ଅଧିକ ପରିଚୟ ଦେଇ ପାରୁ ନାହିଁ, କ୍ଷମା କରିବେ ।

 

ନାଦୀର : ବାଳିକା ! ଓଡ଼ିଆ ଘରେ ଯେତେବେଳେ ତୁମ ଭଳି ତେଜସ୍ୱିନୀ କିଶୋରୀ ଜନ୍ମ ଗ୍ରହଣ କରିଅଛି, ହିନ୍ଦୁର ପୁନରୁତ୍‌ଥାନର ଆଉ ବିଳମ୍ୱ ନାହିଁ । ମୋର ଦୃଢ଼ ପ୍ରତିଜ୍ଞା, ଯେପରି ହେଉ ସେମାନଙ୍କୁ ମୁକ୍ତ କରିବି । ବର୍ତ୍ତମାନ ଯାଅ ।

 

ନାଦୀର ଖାଁ ଚୌଦ୍ୱାର ଦୁର୍ଗଦ୍ୱାରକୁ ଯାଇ ପ୍ରହରୀକୁ ପ୍ରଶ୍ନ କଲେ–‘ରାଜା କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ର ଦେବ କାରାରୁଦ୍ଧ ହୋଇ ଅଛନ୍ତି ?’

 

ପ୍ରହରୀ : ଆଜ୍ଞା ହଁ । ରାଜପ୍ରତିନିଧି ସାଜାଦା ତକିଖାଁଙ୍କ ଆଦେଶରେ ।

 

ନାଦୀର : ମୁଁ ସେମାନଙ୍କର ମୁକ୍ତି-ଆଦେଶ ଆଣିବା ସକାଶେ ସୁବାଦାରଙ୍କଠାକୁ ଯାଉଅଛି ।

 

ସେ ଦୁର୍ଗରେ ପ୍ରବେଶ କରି ଦାଉଦ ଖାଁଙ୍କ ଗୁପ୍ତ ଅନୁଚରଦଳକୁ ଡାକି ଆଣି ଦୁର୍ଗ ବାହାରେ ପ୍ରହରୀ କାର୍ଯ୍ୟରେ ନିଯୁକ୍ତ କଲେ ଏବଂ ସେମାନଙ୍କୁ ରୁକ୍ଷ ସ୍ୱରରେ କହିଲେ–‘ସାବଧାନ, ମୁଁ ନ ଫେରିବା ଯାଏଁ ଦୁର୍ଗମଧ୍ୟରେ କେହି ଯେପରି ପ୍ରବେଶ ନ କରେ ।’

 

ପରେ ସେ ରାଜଭବନ ଦିଗରେ ବାୟୁବେଗରେ ଅଶ୍ୱ ଚଳାଇଲେ ।

Image

 

ତକିଖାଁଙ୍କର ସିଂହାସନାରୋହଣ

 

ରାତ୍ରି ପ୍ରାୟ ଦ୍ୱିପ୍ରହର । ରାଜଭବନ ଜନାକୀର୍ଣ୍ଣ । ଦ୍ୱାରରେ, ପ୍ରାଙ୍ଗଣରେ, କକ୍ଷରେ ଶତ ଶତ ପ୍ରହରୀ ଶତ ଶତ କର୍ମଚାରୀ ଦଣ୍ଡାୟମାନ । ବିସ୍ତୀର୍ଣ୍ଣ କକ୍ଷମଧ୍ୟରେ ମଣିମୁକ୍ତାଖଚିତ ଆସନରେ ସୁବାଦାର ସୁଜାଉଦ୍ଦିନ ମହମ୍ମଦ ଆସୀନ । ସୁବାଦାର-ପୁତ୍ର ନିକଟରେ ବସି ମାର୍ଜାର ତୁଲ୍ୟ ଚତୁର୍ଦ୍ଦଗରେ ଦୃଷ୍ଟିନିକ୍ଷେପ କରୁ ଅଛନ୍ତି । ଆମୀର, ଓମରାହ, ଉଜିର, ସେନାପତି ପ୍ରଭୃତି ପଦସ୍ଥ କର୍ମଚାରୀ ହର୍ମ୍ୟତଳେ ଦଣ୍ଡାୟମାନ । ସମସ୍ତଙ୍କ ବଦନମଣ୍ଡଳ ବିଷାଦଯୁକ୍ତ, ମଳିନ । ବ୍ୟକ୍ତିଗତ ଭାବରେ ସୁଜାଉଦ୍ଦିନଙ୍କ ପ୍ରତି କି ହିନ୍ଦୁ, କି ମୁସଲମାନ ସମସ୍ତେ ଅନୁରକ୍ତ ଥିଲେ । ସେ ଓଡ଼ିଶା ତ୍ୟାଗ କରି ଯାଉଛନ୍ତି, ଅତଏବ ସମସ୍ତେ ଦୁଃଖିତ । ରାଜା କୃଷ୍ଣଚନ୍ଦ୍ରଙ୍କ ଆଗମନ ସମ୍ୱନ୍ଧରେ ସୁବାଦାର ସବ୍‌ଦର୍‌ ଆଲିଙ୍କୁ ପ୍ରଶ୍ନ କରିବାରୁ, ସବ୍‌ଦର୍‌ ଆଲି ଅଭିବାଦନ କରି ଜଣାଇଲେ ଯେ, ସେ ରାଜାଙ୍କ ସନ୍ଧାନରେ ଚତୁର୍ଦ୍ଦିଗରେ ଲୋକ ପଠାଇଅଛନ୍ତି, ଅଥଚ କୌଣସି ସମ୍ୱାଦ ପାଇ ନାହାନ୍ତି ।

 

ସୁବାଦାର : ତକିଖାଁ ! ରାଜା କେଉଁଠାରେ ଅଛନ୍ତି ?

 

ତକିଖାଁ : କୃଷ୍ଣଚନ୍ଦ୍ରଙ୍କ ଅନୁସନ୍ଧାନରେ ମୁଁ ଦାଉଦ ଖାଁଙ୍କୁ ପଠାଇଛି । ଆଶା କରେ, ଏଇକ୍ଷଣି ଖବର ଆସିବ ।

 

ଦାଉଦ ଖାଁ ସେଠାରେ ଅନୁପସ୍ଥିତ ଥିଲେ । ନାଦୀର ଖାଁଙ୍କ ଆଦେଶରେ, ସେ ସୁବାଦାରଙ୍କ ନିକଟକୁ ଯିବେ ବୋଲି କହି ଚୌଦ୍ୱାର ଦୁର୍ଗରୁ ନିଷ୍କ୍ରାନ୍ତ ହେଲେ ସତ; କିନ୍ତୁ ମାର୍ଗରେ କେଉଁଠାରେ ଲୁଚି ରହିଲେ–ଉଦ୍ଦେଶ୍ୟ, ପରେ ଚୌଦ୍ୱାରକୁ ବାହୁଡ଼ି ଗୁପ୍ତ, ନିର୍ମମ କାଣ୍ଡସଂଘଟନ କରିବା ।

 

ଠିକ୍ ଏହି ସମୟରେ ନାଦୀର ଖାଁ କକ୍ଷରେ ପଦାର୍ପଣ କଲେ । ସୁବାଦାର ତାଙ୍କୁ ପଚାରିଲେ–‘ରାଜା କାହାନ୍ତି ?’

 

ନାଦୀର : ବର୍ତ୍ତମାନ ସେ ଚୌଦ୍ୱାର ଦୁର୍ଗମଧ୍ୟରେ ବନ୍ଦୀ । ଖୋରଧାରାଜା ରାମଚନ୍ଦ୍ରଦେବ ମଧ୍ୟ ସେଠାରେ କାରାରୁଦ୍ଧ ।

 

କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ର ତକିଖାଁଙ୍କ ଦ୍ୱାରା ଯେ କାରାରୁଦ୍ଧ ହୋଇ ଅଛନ୍ତି, ଏହା ବୁଝିବାକୁ ସୁବାଦାରଙ୍କର ଆଉ କିଛି ବାକି ରହିଲା ନାହିଁ । ସେ ବିରକ୍ତିବ୍ୟଞ୍ଜକ ବ୍ୟଥାଜର୍ଜରିତ ସ୍ୱରରେ କହିଲେ–‘ତକି ! ନିଜ ସିଂହାସନ ପ୍ରତି ପଦାଘାତ କରୁଛ କାହିଁକି ?’

 

ତକିଖାଁ ଗର୍ଜନ କରି ଉଠିଲେ, ନାଦୀର ଖାଁ ପ୍ରତି ତୀବ୍ର ଦୃଷ୍ଟି ନିକ୍ଷେପ କରି କହିଲେ–‘ବିଦ୍ରୋହୀକୁ ଶାସ୍ତି ଦେଇ ଦେଶରେ ଶାନ୍ତିରକ୍ଷା କରିବି ନାହିଁ ?’

 

ସୁବାଦାର : ତୁମେହିଁ ଶାନ୍ତିଭଙ୍ଗ କରୁଅଛ । କୃଷ୍ଣଚନ୍ଦ୍ରଙ୍କୁ ଅକାରଣ ଦୋଷୀ କର ନାହିଁ । ଓଡ଼ିଶାର ସଜୀବତାର ପ୍ରାଣ, ଗୌରବର ଗାନ, ମହିମାର ତାନ, ଓଡ଼ିଆର ଶତ ସାଧନାର ଧନ ପୁରୀ ମନ୍ଦିର ଭାଙ୍ଗିବାକୁ ଚେଷ୍ଟା କରି ନଥିଲେ, କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ର ଦେବ କେବେ ଅସ୍ତ୍ରଧାରଣ କରି ନ ଥା’ନ୍ତେ–ଖୋରଧାବାସୀମାନେ କେବେ ରାଜସ୍ୱଦାନ ବନ୍ଦ କରି ନ ଥା’ନ୍ତେ ।

 

ତକିଖାଁ ବିସ୍ମିତ ହୋଇ ଗଲେ । ଭାବିଲେ, ନାଦୀର ଖାଁ ନିଶ୍ଚୟ ସୁବାଦାରଙ୍କୁ ଏହି ସମ୍ୱାଦ ଦେଇ ଅଛନ୍ତି । ମନେ ମନେ ସ୍ଥିର କଲେ, ସିଂହାସନରେ ବସିବା ପରେ ସେ ନଦୀରଙ୍କୁ ସମୁଚିତ ଦଣ୍ଡ ନ ଦେଇ ଛାଡ଼ିବେ ନାହିଁ । ପରେ ସୁବାଦାର ରାଜା କୃଷ୍ଣଚନ୍ଦ୍ର ଓ ତାଙ୍କ ଭାଇଙ୍କୁ ଅତି ଶୀଘ୍ର ମୁକ୍ତ କରି ଆଣିବା କାରଣ ସବ୍‌ଦର୍ ଆଲି ଓ ନାଦୀର ଖାଁଙ୍କୁ ଆଦେଶ କଲେ । ଉଭୟ ସେନାପତି ସେହିକ୍ଷଣି କକ୍ଷ ତ୍ୟାଗ କଲେ । ତକିଖାଁ ମଧ୍ୟ ସେଠାରୁ ଚାଲିଯିବାକୁ ଉଦ୍ୟମ କଲେ; ତେବେ ସୁବାଦାରଙ୍କ ବାସନାନୁଯାୟୀ ତାଙ୍କୁ ସେଠାରେ ବସି ରହିବାକୁ ହେଲା । ସୁବାଦାର ଉପସ୍ଥିତ ଓମରାହଗଣଙ୍କୁ କହିଲେ ଯେ, ହିନ୍ଦୁ ମୁସଲମାନ ମଧ୍ୟରେ ସଂପ୍ରୀତି ସ୍ଥାପନ କରିବା ଉଦ୍ଦେଶ୍ୟରେ ସେ ରାଜା କୃଷ୍ଣଚନ୍ଦ୍ରଙ୍କୁ ଉଜିରପଦରେ ନିଯୁକ୍ତ କରିବାକୁ ଇଚ୍ଛୁକ । ସୁବାଦାରଙ୍କ ଉଦ୍ଦେଶ୍ୟରେ ପ୍ରୀତ ହୋଇ ଓମରାହଗଣ କୌଣସି ଆପତ୍ତି ଉତ୍‌ଥାପନ କଲେ ନାହିଁ ।

 

ସେନାପତିଦ୍ୱୟ, ରାମଚନ୍ଦ୍ର ଦେବ ଓ ରାଜା କୃଷ୍ଣଚନ୍ଦ୍ର ସୁବାଦାରଙ୍କ କକ୍ଷରେ ଉପସ୍ଥିତ ହେଲେ । ସମବେତ କର୍ମଚାରୀଦଳ ଚମକ-ଚକିତ ନେତ୍ରରେ ରାଜାଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ । ତାଙ୍କୁ ଦେଖିବାପାଇଁ ସମସ୍ତେ ଉତ୍କଣ୍ଠିତ ହୋଇ ଥିଲେ । ବୀରଶ୍ରେଷ୍ଠ, ହିନ୍ଦୁ ଶ୍ରେଷ୍ଠ, ଅମିତବିକ୍ରମ କୃଷ୍ଣଚନ୍ଦ୍ରଙ୍କୁ ଓମରାହଗଣ ଶ୍ରଦ୍ଧା, ଭକ୍ତି କରନ୍ତି । ତାଙ୍କୁ ସମସ୍ତେ ସସମ୍ମାନ ପଥ ଛାଡ଼ି ଦେଲେ । ରାମଚନ୍ଦ୍ର ଓ କୃଷ୍ଣଚନ୍ଦ୍ର ଅଗ୍ରସର ହୋଇ ସୁବାଦାରଙ୍କୁ ଅଭିବାଦନ କଲେ, ପରେ ଓମରାହଗଣଙ୍କୁ ସଲାମ କଲେ ।

 

ସୁବାଦାର : ରାଜା ଶୁଣିଥିବ, ମୁଁ ବଙ୍ଗ-ସୁବାଦାର ହୋଇ କାଲି ଓଡ଼ିଶାରୁ ଚାଲି ଯାଉଛି । ସ୍ଥିର କରିଛି, ତକିଖାଁଙ୍କୁ ଓଡ଼ିଶାର ସୁବାଦାର-ସିଂହାସନ ପ୍ରଦାନ କରିବି । ତୁମର ଆପତ୍ତି ଅଛି ?

 

ରାଜା : ମୁଁ ସାମାନ୍ୟ ଜଣେ ପ୍ରଜା ମାତ୍ର । ମୋ ମତର ମୂଲ୍ୟ ନାହିଁ, ଆପତ୍ତିର ଅର୍ଥ ନାହିଁ ।

 

ସୁବାଦାର : ପ୍ରଜାଦ୍ୱାରାହିଁ ରାଜା ନିର୍ବାଚିତ ହୋଇଥାଏ ।

 

ରାଜା : ମୋର ଯଦି ସେହି ଅଧିକାର ଥା’ନ୍ତା, ତାହାହେଲେ ମୁଁ ଓମରାହଗଣଙ୍କ ମଧ୍ୟରୁ ଜଣକୁ ନିର୍ବାଚନ କରିଥାନ୍ତି ।

 

ରାଜାଙ୍କର ଏହି ନିର୍ଭୀକ, ସତେଜ ଉତ୍ତରରେ ସମସ୍ତେ ବିସ୍ମିତ, ସ୍ତମ୍ଭିତ ହୋଇଗଲେ । ଓମରାହମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ଦେଖାଗଲା । ତକିଖାଁ ଅତିଶୟ କ୍ରୋଧରେ ଅଧୀର ହୋଇ ଉଠିଲେ । ସୁବାଦାର କିଞ୍ଚିତ୍‌ କ୍ରୁଦ୍ଧ, ଅପ୍ରତିଭ ହେଲେ । କେତେକ ସମୟ ସମସ୍ତେ ନୀରବ, ନିସ୍ତବ୍ଧ ରହିଲେ–ସେହି ବିଶାଳ କକ୍ଷ ମଧ୍ୟରେ ନିଃଶ୍ୱାସ-ପ୍ରଶ୍ୱାସ ଶବ୍ଦ ଭିନ୍ନ ଆଉ କିଛି ଶୁଣାଗଲା ନାହିଁ । ପରେ ସୁବାଦାର କହିଲେ–‘ସୁବାଦାର-ପୁତ୍ରହିଁ ସୁବାଦାର ହେବେ–ଅନ୍ୟ କେହି ହୋଇ ପାରିବେ ନାହିଁ । ପ୍ରତିଜ୍ଞା କର ରାଜା, ତକିଖାଁ ବିରୁଦ୍ଧରେ କେବେ ଅସ୍ତ୍ର ଧରିବ ନାହିଁ ।

 

ରାଜା : ପ୍ରତିଜ୍ଞା କରୁଛି, ତକିଖାଁ ନିରପରାଧ ହିନ୍ଦୁ ଉପରେ, ହିନ୍ଦୁ ରମଣୀ ଉପରେ ଅତ୍ୟାଚାର ନ କଲେ, ମୁଁ ତାଙ୍କ ବିପକ୍ଷରେ କେବେ ଅସ୍ତ୍ର ଧରିବି ନାହିଁ ।

 

ସୁବାଦାର : ରାଜା ! ତୁମେ ଉଜିର-ପଦ ଗ୍ରହଣ କର ।

 

ରାଜା : ମୁଁ ? କ୍ଷମା କରନ୍ତୁ–ଗ୍ରହଣ କରିବାକୁ ଇଚ୍ଛୁକ ନୁହେଁ ।

 

ସୁବାଦାର : ନାସ୍ତିକର ନାହିଁ ! ତୁମକୁ ଗ୍ରହଣ କରିବାକୁ ହେବ ।

 

କିଛି ସମୟ ଚିନ୍ତା କରି ରାଜା କହିଲେ–‘ଆପଣଙ୍କ ଅଭିପ୍ରାୟାନୁସାରେ ମୁଁ ଉଜିର-ପଦ ଗ୍ରହଣ କରୁଅଛି ।’

ତକିଖାଁ ମନେ ମନେ କହିବେ–‘କୃଷ୍ଣଚନ୍ଦ୍ର, ତୋର ଉଜିରପଦ ସ୍ୱଳ୍ପକାଳ ସ୍ଥାୟୀ ମାତ୍ର !’ ସୁବାଦାର ରାମଚନ୍ଦ୍ର ଦେବଙ୍କୁ ସମ୍ୱୋଧନ କରି କହିଲେ–‘ସଂଘଟିତ ଅପ୍ରୀତିକର ଘଟନା ସବୁ ଭୁଲି ଯିବ ବୋଲି ମୋର ବିଶ୍ୱାସ । ଆଶା କରେ, ତୁମେ କେବେ ସୁବାଦାର ବିରୁଦ୍ଧରେ ବିଦ୍ରୋହୀ ହୋଇ ଉଠିବ ନାହିଁ–ଖୋରଧାବାସୀଙ୍କୁ ଶାନ୍ତ କରିବ ।’

 

ରାମଚନ୍ଦ୍ର ଦେବ : ଆପଣଙ୍କ ଆଶା ସଫଳ ହେବ ସେତେବେଳେ, ଯେତେବେଳେ ଆପଣଙ୍କ ଉତ୍ତରାଧିକାରୀ ହିନ୍ଦୁ ଧର୍ମ, ମହାର୍ଘ ମହାନ୍‌ ଓଡ଼ିଶାର ଶ୍ରେଷ୍ଠ ଉପାଦାନ ଏବଂ ଓଡ଼ିଆର ଗୌରବ-ଗରିମା-ଲିପ୍ତ ମହା ଅବଦାନ ପୁରୀ ମନ୍ଦିର ପ୍ରତି, ହିନ୍ଦୁ ଦେବ ଦେବୀ ପ୍ରତି ଆଉ ଅତ୍ୟାଚାର କରିବେ ନାହିଁ । ତାଙ୍କର ଉତ୍ପାତ ଓ ଦୌରାତ୍ମ୍ୟରେ ଓଡ଼ିଶାରେ ବିଦ୍ରୋହାଗ୍ନି ଜଳି ଉଠିବଇ ଉଠିବ ।

 

ସୁବାଦାର : ଶପଥ କର ତକିଖାଁ, ହିନ୍ଦୁଧର୍ମ, ହିନ୍ଦୁନାରୀ ପ୍ରତି କଦାପି ଅତ୍ୟାଚାର କରିବ ନାହିଁ ।

 

ତକିଖାଁ : ଶପଥ କରୁଛି ।

 

ସୁବାଦାର : ପ୍ରତିଜ୍ଞା କର, ରାଜା କୃଷ୍ଣଚନ୍ଦ୍ର ଓ ଖୋରଧା ରାଜାଙ୍କୁ କେବେ ଅସମ୍ମାନ କରିବ ନାହିଁ ।

 

ତକିଖାଁ : ପ୍ରତିଜ୍ଞା କରୁଛି ।

 

ସୁବାଦାର : ଓମରାହଗଣ, ଆପଣମାନେ ପ୍ରତିଜ୍ଞାବଦ୍ଧ ହୁଅନ୍ତୁ, କେବେ ତକିଖାଁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବେ ନାହିଁ ।

 

ଜନୈକ ବୃଦ୍ଧ ଓମରାହ ଉଠି ଦୃଢ଼ସ୍ୱରରେ କହିଲେ–‘ଆମମାନଙ୍କୁ ସମ୍ମାନିତ କଲେ, ତାଙ୍କ ପ୍ରତି ବରାବର ସମ୍ମାନ ଦେଖାଇବୁ, ସନ୍ଦେହ ନାହିଁ ।’

 

ସୁବାଦାର : ସେନାପତି ! ମୁସଲମାନ-ସିଂହାସନ ରକ୍ଷା କରିବ ?

 

ସବ୍‌ଦର୍‌ ଆଲି : ଶେଷ ରକ୍ତ ବିନ୍ଦୁ ଦେଇ ପଠାଣରାଜ୍ୟ ରକ୍ଷା କରିବି ।

 

ସୁବାଦାର : ନାଦୀର ଖାଁ, ତୁମକୁ କୌଣସି ଆଦେଶ ବା ଉପଦେଶ ଦେଉ ନାହିଁ–ନିଜ କର୍ତ୍ତବ୍ୟ ତୁମେ ସୁନ୍ଦର ଜାଣିଛ, ମୁସଲମାନ-ଗୌରବ ରକ୍ଷା କରିବାର ଭଲ ବୁଝିଛ ।

 

ଶେଷରେ ସୁଜାଉଦ୍ଦିନଙ୍କ ବାସନାନୁସାରେ ସମସ୍ତେ କକ୍ଷତ୍ୟାଗ କଲେ । ପର ଦିନ ପ୍ରାତଃକାଳରେ ସୁଜାଉଦ୍ଦିନ ମହମ୍ମଦ ବଙ୍ଗ-ବିହାର-ସୁବାଦାରସ୍ୱରୂପ ଓଡ଼ିଶା ତ୍ୟାଗ କଲେ ଏବଂ ତକିଖାଁ ସିଂହାସନାରୋହଣ କଲେ । ରାମଚନ୍ଦ୍ର ଦେବ ରାଜା କୃଷ୍ଣଚନ୍ଦ୍ରଙ୍କ ବାସଭବନରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅବସ୍ଥାନ କଲେ । ଆହାର ପରେ ଦୁଇ ଭାଇଙ୍କ ମଧ୍ୟରେ କେତେକ ସମୟ ପ୍ରେମ-ସମ୍ଭାଷଣ, ଭାବୀ ଓଡ଼ିଶାର ଅବସ୍ଥା ସଂକ୍ରାନ୍ତ ଆଲୋଚନାଦି ହେଲା । ମଧ୍ୟାହ୍ନ ସମୟରେ ରାମଚନ୍ଦ୍ର ଦେବ କୃଷ୍ଣଚନ୍ଦ୍ରଙ୍କୁ ସ୍ନେହାଲିଙ୍ଗନ କରି କଟକ ଛାଡ଼ିଲେ । ରାଜାଙ୍କ ଅଭିପ୍ରାୟାନୁସାରେ, ବିଜୟଚନ୍ଦ୍ର ଓ ଗୋପାଳ କେତେକ ଅନୁଚରଙ୍କୁ ସଙ୍ଗେ ଧରି ରାମଚନ୍ଦ୍ରଙ୍କ ସହିତ ଖୋରଧା ଗଲେ ।

Image

 

ଦେଶୋଦ୍ଧାର-କଳ୍ପନା

 

ପ୍ରାତଃକାଳ । ମେଘମୁକ୍ତ ନିର୍ମଳ ଆକାଶରେ ନବୋଦିତ ଭାସ୍କର । ସୂର୍ଯ୍ୟାଲୋକରେ ପୃଥିବୀ ପ୍ଳାବିତ । ପକ୍ଷିଗାନରେ ଦିଗଦିଗନ୍ତ ମୁଖରିତ । ଶୟନକକ୍ଷ ମଧ୍ୟରେ ରାଜା କୃଷ୍ଣଚନ୍ଦ୍ର ଓ ରାଣୀ କମଳସୁନ୍ଦରୀ ବାତାୟନ ସନ୍ନିଧାନରେ ଉପବିଷ୍ଟ । ସର୍ବସୌନ୍ଦର୍ଯ୍ୟମୟୀ ରାଣୀଙ୍କର ସୁବର୍ଣ୍ଣାଳଙ୍କାର ଓ ଉଷାସନ୍ନିଭ ଲଲାଟ ବାଳ-ତପନ-କିରଣରେ ବିଚ୍ଛୁରିତ । ଆଲୋକ ତାଙ୍କର ମାଧୁରୀମୟ ଶରୀରକୁ ଆଶ୍ରୟ କରି ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୋଇ ପଡ଼ିଅଛି । ସେହି ଆଲୋକରାଶିକୁ ନିସ୍ତେଜ କରି ରାଣୀଙ୍କ ତେଜୋଦ୍ଦୀପ୍ତ ଶରୀର ଯେପରି ଜଳୁ ଅଛି । ତାଙ୍କ ଓଷ୍ଠ-ପ୍ରାନ୍ତରେ ଅତୁଳ ଉତ୍ସାହ, ସ୍ଫୀତ ନାସା-ରନ୍ଧ୍ରରେ ସମୀର-ଗର୍ଜନ, ନୟନରେ ଅଗ୍ନିକଣା, ଲଲାଟରେ ଅପୂର୍ବ ତେଜ । ରାଜା କୃଷ୍ଣଚନ୍ଦ୍ର ଚମକ-ଚକିତ ଚକ୍ଷୁରେ ରାଣୀଙ୍କର ଆନ୍ଦୋଳିତ ଦେହ ପ୍ରତି ଅନାଇ ରହିଛନ୍ତି । ଏପରି ସମୟରେ ରାଣୀ ପୁଲକ-ସ୍ପନ୍ଦିତ ପ୍ରାଣରେ ଜଳଦ ସ୍ୱରରେ କହିଲେ–‘ଆଉ କେତେ ଦିନ ଦାସତ୍ୱ କରିବେ ରାଜା ? ଦାସତ୍ୱଶୃଙ୍ଖଳ ଭାଙ୍ଗି ପକାନ୍ତୁ, ଲଲାଟରୁ କଳଙ୍କ-ରେଖା ଅପନୟନ କରନ୍ତୁ । ଘୁଞ୍ଚି ଯାଉ ଏ ଘନ ଘୋର କୃଷ୍ଣ ମେଘ, ଭାଙ୍ଗି ପଡ଼ୁ କାଳିମାର ଏ ପର୍ବତ-ଚୂଡ଼ା-।’

 

ରାଜା: ବ୍ୟସ୍ତ ହୁଅ ନାହିଁ ସୁନ୍ଦରୀ ! ଆଉ କିଛିଦିନ ପରେ ଓଡ଼ିଶା ଶୃଙ୍ଖଳମୁକ୍ତ ହେବ ।

 

ରାଣୀ: ଯାହାଙ୍କର ପାଦରେ ଶୃଙ୍ଖଳ, କଣ୍ଠରେ ପାଦୁକାମାଳା, କପାଳରେ କାଳିମା-ରେଖା, ସେ କିପରି ଯେ ଦେଶକୁ ଶୃଙ୍ଖଳମୁକ୍ତ କରିବେ, ତାହା ମୁଁ ବୁଝି ପାରୁ ନାହିଁ ।

 

ରାଜା: କ’ଣ କରିବି ? ସୁଜାଉଦ୍ଦିନ ମହମ୍ମଦଙ୍କ ନିକରେ ମୁଁ ପ୍ରତିଜ୍ଞାବଦ୍ଧ !

 

ରାଜା: ଓଡ଼ିଶାକୁ, ଓଡ଼ିଆ ଜାତିକୁ ରକ୍ଷା କରିବାକୁ ଆପଣ କ’ଣ ପ୍ରତିଜ୍ଞା କରିନାହାନ୍ତି ? ପ୍ରତିଜ୍ଞା ଏତେ ଶୀଘ୍ର ଭୁଲି ଗଲେ ? କେତେ କୁଳବାଳା ପାପିଷ୍ଠ ପଠାଣ ଭୟରେ ଗିରିକନ୍ଦରରେ ଆଶ୍ରୟ ନେଇଛନ୍ତି ! କେତେ ଅନାଥା ପ୍ରତିଦନ କାଠଯୋଡ଼ି, ମହାନଦୀ ଗର୍ଭରେ ଦେହ ବିସର୍ଜନ କରୁଛନ୍ତି ! କେତେ ଉତ୍ପୀଡ଼ିତଙ୍କ ଆର୍ତ୍ତନାଦରେ ଆକାଶ ନିୟତ ପ୍ରତିଧ୍ୱନିତ ହେଉଅଛି, ଓଡ଼ିଶାର କୂଜନ-କୁହରତ ବକ୍ଷ କମ୍ପି ଉଠୁଛି ! ଆଜି ମ୍ଳେଚ୍ଛମାନଙ୍କର କଠୋର କଠିନ ଅତ୍ୟାଚାରାଗ୍ନି–ଶିଖାରେ ସମଗ୍ର ଓଡ଼ିଶାର ବାୟୁମଣ୍ଡଳ ପ୍ରତପ୍ତ ହୋଇ ଉଠିଛୁ । ତକିଖାଁର ଗୋଟିଏ ଗୋଟିଏ ଅତ୍ୟାଚାର ଆଘାତ ଓଡ଼ିଆର, ହିନ୍ଦୁର ସକଳ ପ୍ରବୃତ୍ତିକୁ ଆଲୋଡ଼ିତ କରି ପକାଉଛି । ସେ କେବଳ ଆମ ପ୍ରତି ଅନାଚାର କରୁ ନାହିଁ । କ୍ଷମତାକ୍ଷିପ୍ତ ସୁବାଦାର-ପୁତ୍ର ଓଡ଼ିଆର ପତ୍ନୀ, ଭଗିନୀ, ଜନନୀଙ୍କ ଲଜ୍ଜାଶୀଳତା କ୍ଷତ କରିବାରେ କିଛି ଦ୍ୱିଧା ବୋଧ କରୁ ନାହିଁ । ନାରୀର ଅପମାନ ନିସ୍ତେଜ ନିର୍ବୀର୍ଯ୍ୟ ପରି ନିର୍ମିମେଷ ଚକ୍ଷୁରେ କିଏ ଦେଖି ପାରିବ ନାହିଁ । ଅଥଚ ଆପଣ କହୁଛନ୍ତି, ସୁବାଦାର ନିକଟରେ ପ୍ରତିଜ୍ଞାବଦ୍ଧ । ଛି ଛି ଲଜ୍ଜାର କଥା ! ଏ ମୋହ-ନିଦ୍ରା, ଅସାର ଦୁର୍ବଳତା ତ୍ୟାଗ କରି ଜଗତକୁ ଦେଖା’ନ୍ତୁ ରାଜା, କୃଷ୍ଣଚନ୍ଦ୍ର, ଜୀବନର ବ୍ରତ ଭୁଲି ଯାଇ ନାହାନ୍ତି ।

 

ରାଜା: ଆଉ ତିରସ୍କାର କର ନାହିଁ–ମୁଁ ଶୀଘ୍ର ପଦତ୍ୟାଗ କରୁଛି ।

 

ଏହି ସମୟରେ ଜଣେ ଭୃତ୍ୟ ଆସି ଜଣାଇଲା, ସେନାପତି ନାଦୀର ଖାଁ ରାଜାଙ୍କ ସାକ୍ଷାଦାଭିଳାଷୀ ହୋଇ ଦ୍ୱାରରେ ଦଣ୍ଡାୟମାନ । ଖାଁଙ୍କୁ ସମ୍ମାନ ସହିତ କକ୍ଷ ମଧ୍ୟକୁ ଆଣିବା କାରଣ ରାଜା ଚାକରକୁ ଆଦେଶ କଲେ । ରାଣୀ କକ୍ଷତ୍ୟାଗ କଲେ । ସ୍ୱଳ୍ପ କାଳ ମଧ୍ୟରେ ନାଦୀର ଖାଁ କକ୍ଷରେ ପ୍ରବେଶ କରିବାକ୍ଷଣି ରାଜା ଆସନରୁ ଉଠି ତାଙ୍କୁ ସାଦର ଅଭ୍ୟର୍ଥନା କଲେ ଏବଂ କିଛି ଦୂରରେ ଯାଇ ଠିଆ ହେଲେ ।

 

ନାଦୀର: ମୋ ପରି ନଗଣ୍ୟ ପ୍ରଜା ପ୍ରତି ଗୌରବ, ଆଦର ଦେଖାଇ ଆପଣ ନିଜ ଉଦାରତା ଓ ମହତ୍ ହୃଦୟର ପରିଚୟ ଦେଇ ଅଛନ୍ତି । ଯାହାଙ୍କ ଶୟନକକ୍ଷରେ ହିନ୍ଦୁ ରାଜାମାନେବି ପ୍ରବେଶ କରିପାରନ୍ତି ନାହିଁ, ମୁଁ ପଠାଣ ହେଲେହେଁ ସେଠାରେ ପ୍ରବେଶାଧିକାର ପାଇଅଛି ।

 

ରାଜା: ଆପଣ ମୁସଲମାନ ନୁହନ୍ତି ସେନାପତି, ଆପଣ ମୋର ମିତ୍ର, ଆତ୍ମୀୟ । ଆପଣଙ୍କୁ ମୋର ଯଥାର୍ବସ୍ୱ, ଅମୂଲ୍ୟ ସଂପଦ ଦେଖାଇବାକୁ ଏ ସ୍ଥାନରୁ ଆହ୍ୱାନ କରିଅଛି ।

 

ନାଦୀର: ଉଜିର ସାହେବ, କୃତାର୍ଥ ହେଲି ।

 

ରାଜା ଚଞ୍ଚଳ ଗତିରେ କକ୍ଷତ୍ୟାଗ କରି, ଅଳ୍ପ ସମୟ ପରେ ରାଣୀଙ୍କୁ ସଙ୍ଗେ ନେଇ ପ୍ରତ୍ୟାବର୍ତ୍ତନ କଲେ । ସେହି ସକଳ-ଜଳଦମୟୀ ମହିମୋଜ୍ୱଳା, ଶତଦଳ-ଗଠିତା ପବିତ୍ରତା-ମଣ୍ଡିତା ତେଜସ୍ୱିନୀ ରମଣୀରତ୍ନର ଅପୂର୍ବ ଅପାର୍ଥିବ ସ୍ଵର୍ଗ-ସୁଷମା-ସିଞ୍ଚିତ ସୌନ୍ଦର୍ଯ୍ୟ ଦେଖି ନାଦୀର ଖାଁ ଏକାବେଳକେ ମୁଗ୍ଧ, ସ୍ତମ୍ଭିତ ହୋଇଗଲେ–ତାଙ୍କ ହୃଦୟରେ ରାଣୀଙ୍କ ପ୍ରତି ଅନାବିଳ ଭକ୍ତି ଉଦ୍ରିକ୍ତ ହେଲା । ଖାଁ ଉଠି ନତମସ୍ତକ ହୋଇ ଭୂମି ସ୍ପର୍ଶ କରି ବାରମ୍ବାର ସଲାମ କରି କରି କହିଲେ–‘ଆଜି ବାସ୍ତବରେ ମୁଁ ଧନ୍ୟ ହେଲି ।’

 

ରାଜା: ଯେ ମାନବକୁଳର ଗୌରବ, ସେ ଆଜି ମୋ ଗୃହର ଅତିଥି ।

 

ଏଣୁ ମୁଁ ଧନ୍ୟ ହେଲି ।

 

ରାଣୀ: ସେନାପତି ସାହେବ ! ଆପଣ ମୋ ପତିଦେବଙ୍କର ଅନ୍ତରଙ୍ଗ ବନ୍ଧୁ, ସୁତରାଂ ମୋର ପୂଜ୍ୟ । ଆସନ ଗ୍ରହଣ କରନ୍ତୁ ।

 

ନାଦୀର: ପୂଜନୀୟା ରାଣୀ ! ମୁଁ ସୁବାଦାର ଓ ବାଦ୍‌ସାହଙ୍କ ସମ୍ମୁଖରେ ଆସନ ଗ୍ରହଣ କରିଅଛି । ତଥାପି ଓଡ଼ିଶାର ଗୌରବ କାହାଣୀର ଉପାଦାନ ଓ ଓଡ଼ିଆ ବୀରାବତାର ନର-କୁଳ-ଭୂଷଣ ସମ୍ମୁଖରେ ଆସନ ଗ୍ରହଣ କରିବାକୁ ମୁଁ ସଂକୁଚିତ । କ୍ଷମା କରିବେ ।

 

ରାଣୀ କୌଣସି ଉତ୍ତର ନ ଦେଇ ଗବାକ୍ଷ ନିକଟରେ ଯାଇ ଠିଆ ହେଲେ । ଆକାଶ ପ୍ରତି ତନ୍ମୟ ପ୍ରାଣରେ ଦୃଷ୍ଟିପାତ କରି ଉଷାକାଳୀନ ମନୋମୁଗ୍ଧକର ବିହଙ୍ଗ-କୂଜନ ଶୁଣିବାକୁ ଲାଗିଲେ । ସେତେବେଳେ ତାଙ୍କର ମହିମା-ପ୍ରୋଜ୍ଜ୍ୱଳ ରିକ୍ତମ-ରାଗ-ରଞ୍ଜିତ ନୟନଯୁଗଳ ସୁ-ଉଜ୍ଜ୍ୱଳ, ସୁ-ପ୍ରଶସ୍ତ ହୋଇ ଉଠିଲା–ଅମଳ କମଳ ବଦନମଣ୍ଡଳରେ ଅଗ୍ନିଛଟା ପ୍ରକଟିତ ହେଲା ।

 

ନାଦୀର: ଉଜିର ସାହେବ ! ଆପଣଙ୍କ ଅଜ୍ଞାତସାରରେ ସୁବାଦାର ତକିଖାଁ ମୋ ସ୍ଥାନରେ ଆମୀର ଖାଁଙ୍କୁ ନିଯୁକ୍ତ କରି ଅଛନ୍ତି । ବିତାଡ଼ିତ ହେବା ପୂର୍ବେ ଅନ୍ତର ହୋଇଯିବା ଶ୍ରେୟସ୍କର । ସୁବାଦାରଙ୍କ ସହିତ ସାକ୍ଷାତ କରିବାର ବାସନା ନାହିଁ ।

 

ଏଣୁ ଉଜିରଙ୍କ ନିକଟରେ ଇସ୍ତଫା ଦେବାକୁ ଆସିଅଛୁ । ଅନୁମତି ଦିଅନ୍ତୁ–ମକ୍କା ଯାଉଛି-

 

ରାଜା ଏକାବେଳକେ ବିସ୍ମିତ । କହିଲେ–‘ସେନାପତି, ମୁଁ ମଧ୍ୟ ଇସ୍ତଫା ଦେବି ମନେ କରୁଛି ।’

 

ନାଦୀର: ଆପଣଙ୍କୁ ଇସ୍ତଫା ଦେବାକୁ ହେବ ନାହିଁ–ଦୁଇ ତିନି ଦିନ ମଧ୍ୟରେ ଆପଣ ପଦଚ୍ୟୁତ ହେବେ । ସେନାପତି ସବ୍‌ଦର୍ ଆଲିଙ୍କ ପଦରେ ଦାଉଦ ଖାଁ ନିଯୁକ୍ତ ହୋଇଅଛନ୍ତି ।

 

ସେ କିଛିକ୍ଷଣ ନୀରବ ରହି ପୁଣି କହିଲେ,–‘ରାଜା ସାହେବ ! ଦେଖୁଛି, ଓଡ଼ିଶାର ଆକାଶରେ ଅଚିରେ ଝଟିକା ଉଠିବ ।’

 

ରାଜା: ତକିଖାଁ ସିଂହାସନରେ ବସିବା ଦିନୁ ବୁଝିଛି ଖାଁ ସାହେବ, ଓଡ଼ିଶାର ଅଦୃଷ୍ଟାକାଶ ନିବିଡ଼ ଜଳଜାଳରେ ଆଚ୍ଛନ୍ନ । ଜଣାଯାଉ ନାହିଁ, କେବେ ଏହା ମେଘମୁକ୍ତ ହେବ !

 

ରାଣୀ: ମେଘମୁକ୍ତ ହୋଇଅଛି ରାଜା !

 

ରାଜା ଓ ନାଦୀର ଚମକି ପଡ଼ିଲେ । ଚମକ-ସ୍ପନ୍ଦିତ ନୟନରେ ଦେଖିଲେ, ସାଧନାର ଜାଗ୍ରତ ଦେବୀ ଓଡ଼ିଶାର ପାଞ୍ଚଜନ୍ୟ ଶଙ୍ଖ କମଳସୁନ୍ଦରୀ ବାତାୟନ ସମୀପରେ ଠିଆ ହୋଇ ଅଙ୍ଗୁଳି ସଙ୍କେତରେ ଆକାଶ ଦେଖାଇ ଉଜ୍ଜ୍ୱଳ-ଅନଳାଭା-ଅଙ୍କିତ ଅନଳୋଚ୍ଛ୍ୱସିତ କଣ୍ଠରେ କହୁଛନ୍ତି, ‘ମେଘମୁକ୍ତ ହୋଇଅଛି ରାଜା ! ଦେଖନ୍ତୁ, ଓଡ଼ିଶାର ଆକାଶରେ ନବୀନ ତପନ ସମୁଦିତ, ନୀଳ ଗଗନ ତଳେ ନୂତନ ରାଜ୍ୟ ପ୍ରତିଷ୍ଠିତ । ରାଜା ! ରାଜା ! ମୁଁ ମନଶ୍ଚକ୍ଷୁରେ ଦେଖୁଛି, ଉଦ୍‌ବେଳିତ ଚିତ୍ରୋତ୍ପଳା-ଗର୍ଭରେ ଯେପରି ମୁସଲମାନ-ସିଂହାସନ ବୁଡ଼ି ଯାଉଛି !”

 

ଏହା କହି ମୃଦୁଗମନା, ଦୀପ୍ତସୌନ୍ଦର୍ଯ୍ୟମୟୀ ରାଣୀ ଧୀରେ ଧୀରେ ସେଠାରୁ ଅପସୃତ ହେଲେ । ରାଜା ନିର୍ବାକ ! ନାଦୀର ଖାଁ ନିସ୍ତବ୍ଧ !! କ୍ଷଣିକ ପରେ ପ୍ରକୃତିସ୍ଥ ହୋଇ ନାଦୀର କହିଲେ–‘ରାଜା ! ମକ୍କା ଯିବା ବାସନା ବର୍ତ୍ତମାନ ତ୍ୟାଗ କରୁଛି । ପଠାଣରାଜ୍ୟର ବିପଦବେଳେ ଦେଶ ଛାଡ଼ି ଯାଇପାରୁ ନାହିଁ । ରାଣୀଙ୍କ କଥାରୁ ବୁଝିପାରୁଛୁ ରାଜା, ଦେଶର ବିପଦକାଳ ଆସନ୍ନ ।’

 

ରାଜା ଗର୍ବୋତ୍‌ଫୁଲ୍ଲ ଓ ଉଲ୍ଲାସାଙ୍କିତ ସ୍ୱରରେ କହିଲେ,–‘ମୋରବି ଇଚ୍ଛା, ଆପଣ ଏଠାରେ ରହନ୍ତୁ । ଆପଣଙ୍କ ପରି ଯୋଦ୍ଧା, ଆପଣଙ୍କ ପରି ଶତ୍ରୁ ନ ପାଇଲେ ଜୟରେ ସୁଖଲାଭ ହେବ ନାହିଁ ।’

 

ନାଦୀର: କର୍ମକ୍ଷେତ୍ରରେ ପୁଣି ଦେଖାହେବ । ବର୍ତ୍ତମାନ ବିଦାୟ ! ନାଦୀର ଖାଁ ନିଷ୍କ୍ରାନ୍ତ ହେଲେ ।

Image

 

ପ୍ରତାରଣା

 

ସିଂହାସନାରୋହଣ କରିବାକ୍ଷଣି ସୁବାଦାର ତକିଖାଁ ଭିନ୍ନ ମୂର୍ତ୍ତି ପରିଗ୍ରହ କଲେ । ସେ ପୂର୍ବ ପରି ବିଶ୍ୱସ୍ତ ବନ୍ଧୁ ବିନୋଦବିହାରୀଙ୍କ ସହିତ ସଖ୍ୟ ଭାବରେ ଆଳାପାଦି କଲେ ନାହିଁ–ବିଳାସମନ୍ଦିରରେ ପଦାର୍ପଣ କଲେ ନାହିଁ ! ବିନୋଦ ଦେଖିଲେ, ମନ୍ତ୍ରୀପଦ ଲାଭ କରିବା ତେଣେ ଥାଉ, ଦରବାର-ଗୃହ ଭିନ୍ନ ଅନ୍ୟ କେଉଁଠାରେ ସୁବାଦାରଙ୍କର ସାକ୍ଷାତ ଲାଭ ଘଟୁନାହିଁ । ଏଣୁ ହତାଶ ହୃଦୟରେ ସେ ଦରବାରକୁ ଯାତାୟାତ କରିବା ବନ୍ଦ କରିଦେଲେ ଏବଂ ନର୍ତ୍ତକୀଦଳ ଓ ସୁରାରେହିଁ ଅନୁରକ୍ତ ହୋଇ ରହିଲେ ।

 

ସୁବାଦାର ହେବାର ପ୍ରାୟ ଏକବର୍ଷ ପରେ ତକିଖାଁ ଦିନେ ରାତ୍ରିବେଳେ ହଠାତ ବିନୋଦବାବୁଙ୍କ ବିଳାସଭବନରେ ଯାଇ ଉପନୀତ ହେଲେ । ସୁବାଦାରଙ୍କର ଅର୍ଥ ଆବଶ୍ୟକ–ବିନୋଦଙ୍କ ବ୍ୟତୀତ କିଏ ଆଉ ବିନା ବାକ୍ୟବ୍ୟୟରେ ଅର୍ଥ ଯୋଗାଇବ ? ଅତଏବ ତକିଖାଁ ବହୁ ଦିନ ପରେ ଆଜି ସଖା ଓ ଅନୁଚର ବିନୋଦବିହାରୀଙ୍କୁ ସ୍ମରଣ କରି ଅଛନ୍ତି ! ଏ କଥା କିନ୍ତୁ ବିନୋଦ ମୋଟେ ଜାଣି ନାହାନ୍ତି । ତକିଖାଁଙ୍କୁ ଦେଖି ସେ ସାତିଶୟ ବିସ୍ମିତ, ପୁଲକିତ ହୋଇ ଉଠିଲେ–ଆନନ୍ଦରେ ତାଙ୍କ ପାଦ ଆଉ ତଳେ ପଡ଼ିଲା ନାହିଁ । କିପରି ବା ପଡ଼ନ୍ତା ? ଯେ ପ୍ରାୟ ଏକବର୍ଷ କାଳ ଛୁଇଁ ପଚାରି ଯାଉ ନଥିଲେ, ମନରୁ ପ୍ରାୟ ଅନ୍ତର କରି ଦେଇ ଥିଲେ, ସେହି ଭାଗ୍ୟବିଧାତା ତକିଖାଁ ଯେତେବେଳେ ବିନାନିମନ୍ତ୍ରଣରେ, ଉପଯାଚକ ହୋଇ ତାଙ୍କ ଗୃହରେ ଉପସ୍ଥିତ ହୋଇ ଅଛନ୍ତି–ବିନୋଦବାବୁ ଅତିରିକ୍ତ ଆନନ୍ଦରେ ଅଧୀର ନ ହୁଅନ୍ତେ ବା କିପରି ? ସନ୍ତୋଷ-ପରିପ୍ଳୁତ ବିନୋଦ ସୁବାଦାରଙ୍କୁ ସାଦର ଅଭ୍ୟର୍ଥନା କଲେ । ମଖମଲ ମଣ୍ଡିତ ଉଚ୍ଚାସନରେ ଉପବେଶନ କରି ସୁବାଦାର ଅଧରରେ ମନ୍ଦ ହାସରେଖା ଖେଳାଇ ଦେଇ କହିଲେ–‘ବିନୋଦ ସାହେବ ! କାର୍ଯ୍ୟରେ ବ୍ୟସ୍ତଥିବାରୁ ଅନେକ ଦିନ ହେଲା ଆସି ପାରି ନଥିଲି । କିନ୍ତୁ ମୁଁ ତୁମକୁ ଦିନେ ସୁଦ୍ଧା ଭୁଲି ନାହିଁ ।’

 

ଏହା ଶୁଣି ବିନୋଦ ଆହ୍ଲାଦରେ ଅଧୈର୍ଯ୍ୟ ହୋଇ କ’ଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ସେ ଭୃତ୍ୟ ପରି ସୁବାଦାରଙ୍କୁ ସରାପ, ତାମ୍ୱୂଳ ମାଲ୍ୟାଦି ଅର୍ପଣ କଲେ । ଶେଷରେ ଉପବିଷ୍ଟ ହେଲେ, ଏକାସନରେ ନୁହେ–ପୃଥକାସନରେ, କିଛି ଦୂରରେ । ତକିଖାଁଙ୍କ ଅଭିପ୍ରାୟାନୁସାରେ ବିନୋଦବାବୁ ନର୍ତ୍ତକୀଦଳ ପ୍ରଭୃତିଙ୍କୁ କକ୍ଷତ୍ୟାଗ କରିବାକୁ ଆଦେଶ କଲେ । ସମସ୍ତେ ନିଷ୍କ୍ରାନ୍ତ ହେବାପରେ, ସୁବାଦାର ବନ୍ଧୁଙ୍କୁ ଅତ୍ୟନ୍ତ ସମାଦର-ସୂଚକ ସ୍ଵରରେ ସମ୍ବୋଧନ କରି ନିକଟକୁ ଡାକି ନିଜ ଆସନର ଏକ ପ୍ରାନ୍ତରେ ବସିବାକୁ କହିଲେ । ବହୁ କାଳ ପରେ ଆଜି ସୁବାଦାରଙ୍କ ସଙ୍ଗେ ପୁଣି ଏକାସନରେ ବସିବାରୁ ବିନୋଦଙ୍କର ପ୍ରାଣ ପରମ ପୁଲକିତ ହୋଇ ଉଠିଲା–ସେ ଆପଣାକୁ ମହା ଭାଗ୍ୟବାନ୍‌ ଜ୍ଞାନ କରି ଏକାବେଳକେ ଆତ୍ମ ବିସ୍ମୃତ ହୋଇଗଲେ ।

 

ସୁବାଦାର: ବିନୋଦବାବୁ, ତୁମ ଭିନ୍ନ ମୋର ପ୍ରକୃତ ଶୁଭଚିନ୍ତକ ବନ୍ଧୁ କେହି ନାହିଁ । ଏଣୁ ଉପଦେଶ ନେବାକୁ ଏଠାକୁ ଧାଇଁ ଆସିଛି । ସନ୍ଦେହ ହେଉଛି, କୃଷ୍ଣଚନ୍ଦ୍ର ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଅଛି ।

 

ବିନୋଦ: ନିଶ୍ଚୟ କରୁଅଛି ।

 

ସୁବାଦାର ମନେ ମନେ ହସି କହିଲେ–‘ମୋର ଇଚ୍ଛା, ତାହାକୁ ଅନ୍ତର କରି ଦେଇ ତା’ ପଦରେ ତୁମକୁ ପ୍ରତିଷ୍ଠିତ କରିବି ।’

 

ବିନୋଦ: ଜାହାଁପନା, ଖୋଦାବନ୍ଦ ! ମୁଁ ଆପଣଙ୍କର ଚିର ଅନୁଗତ ।

 

ସୁବାଦାର କିଞ୍ଚିତ୍‌ ଗମ୍ଭୀର ଭାବରେ କହିଲେ–‘ତେବେ ଏକାବେଳକେ ଉଜିର-ପଦକୁ ଉନ୍ନୀତ ହୋଇ ପାରିବ ନାହିଁ । ତୁମକୁ ପ୍ରଥମରେ ମନ୍ତ୍ରୀ-ପଦରେ ନିଯୁକ୍ତ କରିବି ମନେ କରିଛି । ପଦ ଗ୍ରହଣ କରିବାକୁ ସମ୍ମତ ଅଛ ତ ?’

 

ନିର୍ବୋଧ ବିନୋଦ ଆସନରୁ ଲମ୍ଫ ଦେଇ ଉଠି ତିନି ସଲାମ କରି ବିନୟ-ନମ୍ର କଣ୍ଠରେ କହିଲେ,–‘ଖୁବ୍ ସମ୍ମତ ହଜୁର !’

 

ସୁବାଦାର: ତୁମେ ମୋର ସହୋଦରପ୍ରତିମ ଅକୃତ୍ରିମ ମିତ୍ର । ତୁମର ଗଭୀର ପ୍ରୀତି, ସହାନୁଭୂତି ଓ ବୀରତ୍ୱରେ ମୁଁ ବାସ୍ତବିକ ଆପ୍ୟାୟିତ । ବିପଦବେଳେ ତୁମେ ମୋତେ ଢେର୍ ସାହାଯ୍ୟ କରିଛ । ବର୍ତ୍ତମାନ ବିପଦରେ ପଡ଼ିଛି–ତୁମେ ମୋର ସହାୟ ହେବ ଆଶା କରେ ।

 

ବିନୋଦ: ନିଶ୍ଚୟ ।

 

ସୁବାଦାର: ମୋର ଧନ ନିତାନ୍ତ ଆବଶ୍ୟକ ।

 

ବିନୋଦ: ଭୟ କ’ଣ ଜାହାଁପନା ? ମୁଁ, ମୋର ସର୍ବସ୍ଵ ତ ଆପଣଙ୍କର ।

 

ସୁବାଦାର: ବର୍ତ୍ତମାନ ଯାଉଛୁ । କାଲି ପୁଣି ସାକ୍ଷାତ ।

 

ସୁବାଦାର ରାଜପ୍ରାସାଦକୁ ପ୍ରତ୍ୟାବୃତ୍ତ ହେଲେ । ପରଦିନ ସକାଳେ ସେ ଖଣ୍ଡିଏ ସ୍ଵାକ୍ଷରଶୂନ୍ୟ ପତ୍ର ପାଇଲେ । ତାହା କିନ୍ତୁ ଚଇତ କର୍ତ୍ତୃକ ଲିଖିତ ଓ ପ୍ରେରିତ । ତକିଖାଁ ତାହା ପାଠ କଲେ–

 

‘‘ବିନୋଦବିହାରୀଙ୍କର ପୂର୍ବପୁରୁଷଗଣ ଯେଉଁ ସମସ୍ତ ଧନ ରତ୍ନ ସଂଗ୍ରହ କରି ରଖି ଯାଇଛନ୍ତି, ତାହା ଧର୍ମତଃ, ନ୍ୟାୟତଃ ସୁବାଦାରଙ୍କର ପ୍ରାପ୍ୟ । ବିନୋଦବାବୁ ତାହା ତାଙ୍କ ଗୃହ–ପ୍ରାଙ୍ଗଣରେ ଗୋଟିଏ ଗଭୀର ଗର୍ତ୍ତ ମଧ୍ୟରେ ଲୁଚାଇ ରଖିଛନ୍ତି । ଏଥି ସଙ୍ଗେ ପ୍ରେରିତ ବିବରଣ ପାଠ କଲେ ସ୍ଥାନର ନିର୍ଦ୍ଦେଶ ସହଜରେ ବୁଝି ପାରିବେ ।’’

 

ପରେ ସୁବାଦାର ବିବରଣ ପାଠ କଲେ । ପଢ଼ୁ ପଢ଼ୁ ତାଙ୍କର ମୁଖମଣ୍ଡଳ ପ୍ରସନ୍ନ ହୋଇ ଉଠିଲା । ଅର୍ଥାଭାବରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସିଥିଲେ–ଉପଯୁକ୍ତ ସମୟରେ ପତ୍ରଖଣ୍ଡିକ ପାଇ ଆଶାନ୍ୱିତ, ଆଶ୍ୱସ୍ତ ହେଲେ । ସ୍ଥିର କଲେ, ବିନୋଦଙ୍କୁ ଅନୁରୋଧ କରିବା ଆଉ ଦରକାର ହେବ ନାହିଁ ।

 

ଏହି ସମୟରେ ବିନୋଦବିହାରୀ ଆସି ଦେଖା ଦେଲେ । ସୁବାଦାର ତାଙ୍କୁ ଆଦର ସହ ଅଭ୍ୟର୍ଥନା କରି ନିଜ ଆସନର ଏକ ଭାଗରେ ବସିବାକୁ ଇଙ୍ଗିତ କଲେ । ବିନୋଦ ଉଲ୍ଲାସ-ସ୍ପୀତ ହୋଇ ବାରମ୍ବାର ପ୍ରଣାମ କରି ବସିଲେ ।

 

ସୁବାଦାର: ବିନୋଦ ସାହେବ ! ଆଜି ଠାରୁ ତୁମକୁ ମନ୍ତ୍ରୀପଦ ଗ୍ରହଣ କରିବାକୁ ହେବ । ତେବେ ବର୍ତ୍ତମାନ ଯାଅ, କାଲି ସକାଳେ ଆସିବ ।

 

ବିନୋଦ: ଏବେ ନୁହେ ?

 

ସୁବାଦାର: ନା । କୃଷ୍ଣଚନ୍ଦ୍ରକୁ ଡକାଇ ପଠାଇଛି, ସେ ବର୍ତ୍ତମାନ ଆସିବ । ଆଉ ଗୋଟିଏ କଥା–କାଲି ପ୍ରାସାଦରେ ତୁମ ସଙ୍ଗେ ଆହାର ବିହାର, ମଉଜ ମଜଲିସ କରିବ । ନିମନ୍ତ୍ରଣ ରହିଲା ।

 

ବିଳାସୋନ୍ମତ୍ତ ବିନୋଦବିହାରୀ ସୁଦୀର୍ଘ କାଳ ବାରାଙ୍ଗନା–ପ୍ରଣୟରେ ବୁଡ଼ି, ସୁରା-ସ୍ରୋତରେ ଭାସି ବୁଦ୍ଧି ବିବେଚନା ସବୁ ହରାଇ ବସିଥିଲେ । ସୁବାଦାରଙ୍କ ନିମନ୍ତ୍ରଣରେ ତାଙ୍କର ମନ ପ୍ରାଣ ଗର୍ବରେ ଉଲ୍ଲସିତ ହୋଇ ଉଠିଲା–ଧରାକୁ ସରା ମନେ କରି ସେ ହଲି ହଲି ପ୍ରସ୍ଥାନ କଲେ ।

 

ଏଣେ ସୁବାଦାର ଆଉ ବିଳମ୍ବ ନ କରି ବିନୋଦବିହାରୀଙ୍କ ସର୍ବନାଶ କରିବା ସକାଶେ ଦାଉଦ ଖାଁଙ୍କୁ ଡକାଇ ମନ୍ତ୍ରଣା କରିବାକୁ ଲାଗିଲେ । ଦାଉଦ ଖାଁ କୃତଜ୍ଞ କର୍ମଚାରୀ । ସୁବାଦାରଙ୍କର ଯେ କୌଣସି ଜଘନ୍ୟ ଆଦେଶ ପାଳନ କରିବାକୁ ତାଙ୍କର ଲେଶମାତ୍ର ସଙ୍କୋଚ ନଥିଲା ! ସୁବାଦାର କହିଲେ–‘ଦାଉଦ ଖାଁ ଶୁଣୁଛି, ବିନୋଦ ତାହାର ଗୃହ-ପ୍ରାଙ୍ଗଣରେ ପ୍ରଚୁର ଧନରତ୍ନ ପୋତି ରଖିଅଛି । ଆଜି ଅର୍ଦ୍ଧରାତ୍ରି ତୁମେ ୩୦/୪୦ ଜଣ ଅନୁଚରଙ୍କୁ ସଙ୍ଗେ ନେଇ ଗୁପ୍ତ ଭାବରେ କୌଶଳ ସହକାରେ ସେହି ଧନ ବାହାର କରି ଆଣ । ଲୁଣ୍ଠନ କରିବା ପରେ ଗୃହରେ ଅଗ୍ନି ସଂଯୋଗ କରିଦିଅ । ସାବଧାନ, କେହି ଯେପରି ଏ କଥା ଠଉରାଇ ନ ପାରେ ।’

 

ଦାଉଦ ଖାଁ ଭୂମି ସ୍ପର୍ଶକରି ପ୍ରଣାମ କରି ବିଦାୟ ହେଲେ । ନିଶୀଥରେ ସେ ଦ୍ୱିଧାଶୂନ୍ୟ ହୃଦୟରେ ଦୁରାତ୍ମା ସୁବାଦାରଙ୍କର ନିର୍ମମ ଆଦେଶ କାର୍ଯ୍ୟରେ ପରିଣତ କଲେ । ଭୟଙ୍କର ପ୍ରତାରଣା !!

Image

 

ପଦତ୍ୟାଗ

 

ଜଘନ୍ୟ, ପୈଶାଚିକ କାଣ୍ଡ କରିବା କାରଣ ଆଦିଷ୍ଟ ହୋଇ ଦାଉଦ ଖାଁ ପ୍ରସ୍ଥାନ କରିବା ପରେ, ଜନୈକ କର୍ମଚାରୀ ଆସି ସୁବାଦାରଙ୍କୁ ଜଣାଇଲା ଯେ, ଦରବାର ବସିଅଛି ଏବଂ ଉଜିର ଆସି ଅଛନ୍ତି । ତାଙ୍କ ଆଦେଶରେ ରାଜା କୃଷ୍ଣଚନ୍ଦ୍ର କକ୍ଷରେ ପ୍ରବିଷ୍ଟ ହେଲେ ।

 

ସୁବାଦାର: ଉଜିର ସାହେବ, ଆପଣ ମନେ କରୁଛନ୍ତି ଓଡ଼ିଆମାନେ କେବେ ଅସ୍ତ୍ର ଧରି ଆମମାନଙ୍କ ବିରୁଦ୍ଧରେ ଠିଆ ହେବେ ?

 

ରାଜା: ଭବିଷ୍ୟତ୍ କଥା କିଏ କହିପାରିବ ? ତେବେ ମୋର ବିଶ୍ୱାସ, ଉତ୍ପୀଡ଼ିତ ନ ହେଲେ ଚିର ରାଜଭକ୍ତ ଓଡ଼ିଆମାନେ କେବେ ଖଡ଼୍‍ଗହସ୍ତ ହେବେ ନାହିଁ ।

 

ସୁବାଦାର: ଉତ୍ପୀଡ଼ିତ ହେଉଅଛନ୍ତି ?

 

ରାଜା: ହେଉଅଛନ୍ତି ।

 

ସୁବାଦାର: ଆପଣ ତ ଉଜିର, ରାଜ୍ୟର ଶାସନକର୍ତ୍ତା–ପ୍ରତିକାର କରୁନାହାନ୍ତି କାହିଁକି ?

 

ରାଜା: ପ୍ରତିକାର ମୋର ସାଧ୍ୟାତୀତ । ସୁବାଦାର ସ୍ଵୟଂ ଯେଉଁଠାରେ ଅତ୍ୟାଚାରୀ, କର୍ମଚାରୀଦଳ ସେଠାରେ କରିବେ କ’ଣ ? ସୁବାଦାର କ୍ଷଣ କାଳ ଚିନ୍ତାରେ ନିମଜ୍ଜିତ ରହିଲେ । ସେ ଉତ୍ତମରୂପେ ଜାଣନ୍ତି ଯେ, ଓଡ଼ିଶାର ପ୍ରତ୍ୟେକ ପଲ୍ଲୀ, ନଗର ପ୍ରାନ୍ତର, ବନ, ଗିରି ସାହସିକ ସମରନିପୁଣ ଓଡ଼ିଆ ବୀରମାନଙ୍କର ନିତ୍ୟ-ଲୀଳା-ନିକେତନ । ଜାଣନ୍ତି, ପ୍ରଚଣ୍ଡ ମୁସଲମାନଶକ୍ତି ତ୍ରିଶତାଧିକ ବର୍ଷକାଳ ପୁନଃପୁନଃ ଆକ୍ରମଣ କରି, ସୈନ୍ୟ ସାମନ୍ତ ଓ ଧନ ନଷ୍ଟ କରି ଶେଷରେ ଓଡ଼ିଆ ଜାତି ଆଗରେ ଗର୍ବ, ନିଷ୍ପ୍ରଭ ହୋଇ ପଡ଼ିଥିଲା । ବାସ୍ତବରେ ସେତେବେଳେ ଓଡ଼ିଶା ଥିଲା ଶୌର୍ଯ୍ୟ ବୀର୍ଯ୍ୟର ଆକର, ମାନ ମହତ୍ତ୍ୱର ଭଣ୍ଡାର–ଦୁର୍ଗରକ୍ଷଣରେ ଭାରତର ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ଶ୍ରେଷ୍ଠତର । ସୁବାଦାରଙ୍କର ଏ ଭୟ ତାଙ୍କ ପାଷାଣ-କଠୋର ମସ୍ତିଷ୍କରେ ଗୋଟିଏ ଉପାୟ ଉଦ୍ଭାବନା କଲା ।

 

ସୁବାଦାର: ଉଜିର ସାହେବ ! ପ୍ରଜାମାନେ ଯେପରି ବିଦ୍ରୋହୀ ହୋଇ ନ ପାରନ୍ତି, ମୁଁ ତାହାର ଉପାୟ କରୁଅଛି । ପ୍ରତ୍ୟେକ ଗୃହରୁ ଜଣେ ବଳିଷ୍ଠ ଯୁବକକୁ ଧରି ଆଣି ବନ୍ଦୀ କରି ରଖିବ-

 

ରାଜା ଚମକି ଉଠିଲେ । କହିଲେ–‘ତାହାହେଲେ ଦେଶ ତମାମ୍ ନିଆଁ ଜଳି ଉଠିବ ।’

 

ସୁବାଦାର: ଜଳୁ, ସେଥିରେ ଜଳେ କେତେ ପୋଡ଼େ ବା କେତେ ? ପ୍ରଥମରେ କାରାରୁଦ୍ଧ ପ୍ରଜାମାନଙ୍କୁ ସଂହାର କରିବି, ପରେ ବିଦ୍ରୋହୀମାନଙ୍କ ଘର ଦ୍ୱାର ଅଗ୍ନିସାତ୍‌ କରିବି । ଉପାୟଟି କିପରି ହୋଇଅଛି ?

 

ଉଜିରଙ୍କ ଚକ୍ଷରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେଲା; ତେବେ ସେ କୋପଦମନ କରି ଉତ୍ତେଜିତ ସ୍ଵରରେ ଉତ୍ତର କଲେ–‘ଆପଣଙ୍କ ପରି ଶାସକଙ୍କ ମସ୍ତିଷ୍କରୁ ଏପରି ଭୟାବହ ନିଷ୍ଠୁର ଉପାୟ ବାହାରିବା ସ୍ୱାଭାବିକ ।’

 

ସୁବାଦାର: ସବ୍‌ଦର୍‌ ଆଲି ଓ ନାଦୀର ଖାଁଙ୍କୁ ଦୂର କରି ସେମାନଙ୍କ ସ୍ଥାନରେ ଦାଉଦ ଖାଁ ଓ ଆମୀର ଖାଁଙ୍କୁ ନିଯୁକ୍ତ କରିଅଛି ।

 

ରାଜା: ମୁଁ ତେବେ କି ଦୋଷ କଲି–ମୋତେବି ବିଦାୟ ଦିଅନ୍ତୁ ।

 

ସୁବାଦାର: ବେଶ୍ । ତାହାହିଁ ହେଉ ।

 

ରାଜା ସେଠାରୁ ପ୍ରସ୍ଥାନ କଲେ ଏବଂ ଦରବାରଭବନକୁ ଯାଇ ସମବେତ କର୍ମଚାରୀ ଓ ଜନମଣ୍ଡଳୀଙ୍କୁ ଉଚ୍ଚ କଣ୍ଠରେ ସମ୍ବୋଧନ କରି କହିଲେ, ସୁବାଦାର ତାଙ୍କୁ ପଦଚ୍ୟୁତ କରି ଦେଇଅଛନ୍ତି । ବୃଦ୍ଧ ସବ୍‌ଦର୍‌ ଆଲି କହିଲେ ଯେ, ସେ ଓ ନାଦୀର ଖାଁ ପଦଚ୍ୟୁତ ହୋଇ ଅଛନ୍ତି । କାରାଧ୍ୟକ୍ଷ ଉଠି ଜଣାଇଲେ, ସେ ମଧ୍ୟ ବିତାଡ଼ିତ । ଦରବାର କକ୍ଷମଧ୍ୟରେ ଆତଙ୍କ ଓ ବିଷାଦର ଗୋଟିଏ ଘନ ଛାୟା ଆସି ନିପତିତ ହେଲା–ସମସ୍ତଙ୍କ ହୃଦୟରେ ଯୁଗପତ୍‌ ସନ୍ଦେହର ସଞ୍ଚାର ହେଲା । ଓମରାହଗଣ ପରସ୍ପର ପରସ୍ପରକୁ ମୌନ ଭାବରେ ଅନାଇବାକୁ ଲାଗିଲେ ।

 

ରାଜା ଗୃହକୁ ଫେରି ଦେଖିଲେ, ରାଣୀ ଗବାକ୍ଷ ସମୀପରେ ଦଣ୍ଡାୟମାନା । ରାଜାଙ୍କ ବଦନମଣ୍ଡଳରେ ସେତେବେଳେ ଉତ୍କଟ ଚିନ୍ତାରେଖା ପ୍ରତିଭାତ । ତାଙ୍କ ମୁଖରୁ ତାଙ୍କର ପଦତ୍ୟାଗ ସମ୍ବାଦ ଶୁଣି କମଳସୁନ୍ଦରୀ ଆଶ୍ୱାସନା-ଶାଣିତ ସ୍ୱରରେ କହିଲେ–‘ବର୍ତ୍ତମାନ ଚନ୍ଦ୍ର କଳଙ୍କମୁକ୍ତ ହୋଇଅଛି ।’

 

ରାଜା ରାଣୀଙ୍କୁ ସୁବାଦାରଙ୍କର ଉତ୍କଳ-ଯୁବକ ସଂହାର–ପ୍ରସ୍ତାବ ଶୁଣାଇ ଦେଇ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି କହିଲେ,–‘ଜଣା ଯାଉ ନାହିଁ ରାଣୀ, ଓଡ଼ିଶାର ଅଦୃଷ୍ଟରେ କ’ଣ ଅଛି ! ଯାହାହେଉ ଦେଖିବାକୁ ହେବ, ପ୍ରଜାଙ୍କର ଯେପରି ରୁଧିରପାତ ନ ହୁଏ । ବକ୍ଷ-ରକ୍ତ ଢାଳି, ସର୍ବସ୍ୱ ପଣ କରି ପ୍ରଜାରକ୍ଷା କରିବାକୁ ହେବ ।’

 

ରାଣୀ କିଛି ସମୟ ନିରୁତ୍ତର ରହିଲେ । ଏହି ସମୟରେ ଦାମିନୀ-ଝଲକବତ୍‌ ଚଇତ ଚପଳାଗତିରେ ସେଠାରେ ଉପସ୍ଥିତ ହୋଇ ଉଭୟଙ୍କ ଚରଣରେ ପ୍ରଣାମ କଲ । । ରାଜା ପ୍ରସନ୍ନ ମୁଖରେ କହିଲେ–‘ଆସିଛ ଚପଳା ! ମା ତୁମେ ମୋ ସାହାଯ୍ୟର୍ଥ କିପରି ରାଣୀଙ୍କୁ ପଠାଇ ଜଗନ୍ନାଥ ମନ୍ଦିର ରକ୍ଷା କଲ, କୌଶଳରେ ପଠାଣ ହାତରୁ ଅସ୍ତ୍ର ଛଡ଼ାଇ ନେଇ କିପରି ହିନ୍ଦୁ ସୈନ୍ୟ ସଜ୍ଜିତ କଲ ଏବଂ ଚୌଦ୍ୱାର ଦୁର୍ଗରେ ବନ୍ଦୀ ଥିବାବେଳେ ମୋର ଓ ଖୋରଧା ରାଜାଙ୍କର କିପରି ପ୍ରାଣରକ୍ଷା କଲ, ତାହା ଜୀବନରେ କେବେ ଭୁଲିବାର କଥା ନୁହେ । ତୁମେ ମୋର କନ୍ୟା, ଜନନୀ-।’

 

ପରେ ମହାନଦୀତୀରରେ ଚପଳା ପ୍ରତି ତକିଖାଁ ଓ ବିନୋଦଙ୍କ ଅତ୍ୟାଚାର, ତା’ ପିତାର ନିଷ୍ଠୁର ମରଣ ଇତ୍ୟାଦି କଥା ରାଜା ରାଣୀଙ୍କୁ ଶୁଣାଇଲେ । ରାଣୀଙ୍କ ଚକ୍ଷୁ ଜଳି ଉଠିଲା, ନାସାରନ୍ଧ୍ର, ମୁହୁର୍ମୁହୁଃ କମ୍ପିତ, ବକ୍ଷ ସ୍ଫୀତ ହେଲା । କିଛିକ୍ଷଣ ପରେ ସେ ଚପଳାକୁ ଆଲିଙ୍ଗନ କରି ସ୍ନେହ-ସୁଧାରସ-ସିକ୍ତ ସ୍ୱରରେ କହିଲେ–‘ତୁମେ ମା ବାସ୍ତବିକ ଓଡ଼ିଆ କିଶୋରୀକୁଳର ରତ୍ନ ।’ ଦୀପ୍ତିମୟୀ ଚପଳାର ଚିନ୍ତାଚ୍ଛନ୍ନ ଅନଳାଭାମୟ ମୁଖରୁ ରାଣୀ ବୁଝିପାରିଲେ, ତାହାର ହୃଦୟରୁ ପ୍ରତିହିଂସା-ବୃତ୍ତି ଉତ୍ପାଟିତ କରିବା କଠିନ । ରାଜା ଓ ରାଣୀ ବିସ୍ମୟ-ସ୍ପନ୍ଦିତ ନେତ୍ରରେ ଦେଖିଲେ, ତେଜସ୍ୱିନୀ ଚପଳାର ମୁଖରେ ସୁସ୍ନିଗ୍‌ଧ ସୁଷମାଛଟା ଅଥଚ ନୟନରେ ଅନଳଘଟା–ତାହାର ଶରୀର କୁସୁମ-କୋମଳତାରେ ପୁଷ୍ପ, ଗଠିତ ଅଥଚ ଅଗ୍ନିଛଟା-ବିସ୍ଫୁରିତ ।

 

ରାଣୀ : ଚପଳା, ବର୍ତ୍ତମାନ ତୁମେ କେଉଁଠି ରହ ?

 

ଚପଳା : ବିନୋଦବିହାରୀ ରାୟର ବାସଭବନରେ ।

 

ରାଣୀ : ବିନୋଦବିହାରୀ ? ଦୁଶ୍ଚରିତ୍ର ଯୁବକଗୃହରେ ତମ ପରି ରୂପବତୀ କିଶୋରୀର ଧର୍ମରକ୍ଷା ତ ଅସମ୍ଭବ ।

 

ଚପଳା : ସନ୍ଦେହ କରନ୍ତୁ ନା ମା । ମୋର ପଦସ୍ଖଳନ ହୋଇନାହିଁ–ପାପ ମୋତ ସ୍ପର୍ଶ କରି ନାହିଁ । ଯେ ଧର୍ମରକ୍ଷା ପାଇଁ ଏତେ କାଣ୍ଡ ଘଟାଇଅଛି, ସେ କ’ଣ ଧର୍ମତ୍ୟାଗ କରିବ ମନେ କରିଛନ୍ତି ? ମୁଁ ସେଠାରେ ବାଳକ ବେଶରେ ରହେ ।

 

ରାଣୀ : ଉଦ୍ଦେଶ୍ୟ ?

 

ଚପଳା : ତକିଖାଁ ଓ ବିନୋଦଙ୍କର ସର୍ବନାଶ ସାଧନ । କିଶୋରୀଙ୍କ ଅଧର, ଶରୀର କମ୍ପିତ ହେଲା, ଚକ୍ଷୁ ଲାଲ ହୋଇଗଲା ।

 

ରାଣୀ : କେବଳ ତକିଖାଁ ଓ ବିନୋଦଙ୍କର ସର୍ବନାଶ ଚେଷ୍ଟାରେ କ’ଣ ହେବ ମା ? ଓଡ଼ିଶା ଯେ କେତେ ଶତ ତକିଖାଁ, କେତେ ସହସ୍ର ବିନୋଦଙ୍କ ବ୍ୟଭିଚାରରେ ଉଚ୍ଛନ୍ନ ହେଉଅଛି, ତାହା କହି ଶେଷ କରାଯାଇ ନ ପାରେ । ତୁମର ଏ ପ୍ରଖର ତେଜ, ପ୍ରଚଣ୍ଡ ପ୍ରତିଜ୍ଞା ଦେଶର ମଙ୍ଗଳସାଧନରେ ନିୟୋଜିତ କଲେ ବଡ଼ ଭଲ ହେବ ଚପଳା !

 

ଚପଳା କମ୍ପିତ ବକ୍ଷରେ, ସ୍ପନ୍ଦିତ ଦେହରେ ସୁଦୀପ୍ତ ଜଳଦ-ସ୍ୱରରେ କହିଲା–ମୁଁ ଦେଶର ମଙ୍ଗଳ ଚାହେଁ ନାହିଁ ରାଣୀ–ଚାହେଁ କେବଳ ସେ ଦୁଇ ପାଷଣ୍ଡଙ୍କ ଅମଙ୍ଗଳ । ମୋର ଜପ, ତପ, ଧ୍ୟାନ, ଜ୍ଞାନ ଏକମାତ୍ର ପ୍ରତିଶୋଧ । ଯାହାର ଆଶା, ଆନନ୍ଦ, ସ୍ନେହ-ବନ୍ଧନ ମୁହୂର୍ତ୍ତ ମଧ୍ୟରେ ଦଗ୍‌ଧ ହୋଇ ଭସ୍ମରେ ପରିଣତ ହୋଇଅଛି, ତାହାର ମନୋବେଦନା ଆପଣ କ’ଣ ବୁଝିପାରିବେ ରାଣୀ-? ମୁଁ ମୋର ଶକ୍ତ ସଂକଳ୍ପ କେବେ ତ୍ୟାଗ କରିବି ନାହିଁ । ସେ ଦୁହିଁଙ୍କର ପ୍ରତ୍ୟେକ କାର୍ଯ୍ୟରେ ପୁନଃପୁନଃ ବାଧା ଦେଇ, ସେମାନଙ୍କ ହୃଦୟରେ ନିରାଶା–ବହ୍ନି ଜାଳି ଆସ୍ତେ ଆସ୍ତେ ସେମାନଙ୍କୁ ପୋଡ଼ି ମାରିବି ।’

 

ରାଜା, ରାଣୀ ନିର୍ବାକ, ସ୍ତବ୍ଧ । ଚପଳା ଆଉ ସ୍ଥିର ରହିପାରିଲା ନାହିଁ–ରାଜା ଓ ରାଣୀଙ୍କୁ ଶ୍ରଦ୍ଧା ନତମସ୍ତକରେ ଆଭୂମି ପ୍ରଣାମ କରି ଚପଳା–ଚମକବତ୍‌ ସେଠାରୁ ଚାଲିଗଲା ।

Image

 

ବିନୋଦବିହାରୀଙ୍କର ସର୍ବନାଶ

 

ପରଦିନ ପ୍ରଭାତରେ ସୁବାଦାର ସୁସଜ୍ଜିତ ସୁବୃହତ୍ କକ୍ଷ ମଧ୍ୟରେ ଉପବିଷ୍ଟ, ପାର୍ଶ୍ୱରେ ନବନିୟୋଜିତ ଉଜିର କୁତଲଖାଁ । ଆସୀନ, ଏହି ସମୟରେ ବିନୋଦବିହାରୀ ଅଥୟ ପ୍ରାଣରେ ଲୋତକପୂର୍ଣ୍ଣ ନୟନରେ ହଠାତ ସେଠାରେ ଉପନୀତ ହୋଇ ସୁବାଦାରଙ୍କ ଚରଣତଳେ ପଡ଼ି ଯାତନା ଦଗ୍‌ଧ କଣ୍ଠରେ କହିଲେ–‘ସୁବାଦାର ! ମୋର ସର୍ବନାଶ ହୋଇଅଛି ! ଗତ ରାତି କିଏ ମୋର ଧନରତ୍ନ, ସର୍ବସ୍ୱ ଲୁଣ୍ଠନ କରି ଘର ଦ୍ୱାର ପୋଡ଼ି ପକାଇଛି !’

 

ସୁବାଦାର : ଏ କାର୍ଯ୍ୟ ନିଶ୍ଚୟ କୃଷ୍ଣଚନ୍ଦ୍ରର ।

 

ବିନୋଦ : ମୋରବି ସେହି ସନ୍ଦେହ । ମୋ ପ୍ରତି ଆପଣଙ୍କର ବନ୍ଧୁତା, ବିଶ୍ୱାସହିଁ ତା’ ଆକ୍ରୋଶର ପ୍ରଧାନ କାରଣ । ସୈନ୍ୟ ପଠାଇ ତାହାକୁ ଏବେ ବାନ୍ଧି ଆଣନ୍ତୁ ।

 

ସୁବାଦାର : ତାହାକୁ ତ ଏହିକ୍ଷଣି ଶାସ୍ତି ଦିଆଯାଇ ପାରିବ ନାହିଁ । ତୁମେ ଦରବାରରେ ଅଭିଯୋଗ ଆଣ–ବିଚାର ହେବ ।

 

ବିନୋଦ : ଆଜି ନିଶ୍ଚୟ ଅଭିଯୋଗ ଆଣିବ । ଆଉ ଗୋଟିଏ କଥା–କହିଥିଲେ, ଆଜି ମୋତେ ମନ୍ତ୍ରୀ-ପଦ–

 

ସୁବାଦାର : ହଁ ଆଜି ସେହି କାର୍ଯ୍ୟରେ ପ୍ରବୃତ୍ତ ହୁଅ ।

 

ଉଜିର : ଓମରାହଗଣଙ୍କ ବିବେଚନାରେ, ପଠାଣ ନ ହେଲେ କେହି ମନ୍ତ୍ରୀ–ପଦ ପାଇ ପାରିବ ନାହିଁ । ବିନୋଦବାବୁ ଇସ୍‍ଲାମ ଧର୍ମ ଗ୍ରହଣ କଲେ ତ ଭଲ ହେବ ।

 

ବିନୋଦ : ମୁସଲମାନ ହେବି ! କାହିଁ ସୁବାଦାର ତ ଆଗେ ଏ କଥା କହି ନାହାନ୍ତି । ମାଲିକ ସେ–ଓମରାହଗଣଙ୍କ ଆପତ୍ତିରେ ଯାଏଁ ଆସେ କେତେ ?

 

ସୁବାଦାର : ସେମାନଙ୍କ ମତ ବିରୁଦ୍ଧରେ ମୁଁ କିଛି କରି ପାରିବି ନାହିଁ । ଇସ୍‍ଲାମ ଧର୍ମରେ ଦୀକ୍ଷିତ ହେବାକୁ ସମ୍ମତ ଅଛ ବିନୋଦବାବୁ ?

 

ବିନୋଦ : ସମ୍ମତ, ଖୁବ୍‌ ସମ୍ମତ ଖୋଦାବନ୍ଦ ! ମୁସଲମାନଧର୍ମ ଜଗତର ଉତ୍କୃଷ୍ଟତମ ଧର୍ମ ।

 

ଆଉ କାଳ ବିଳମ୍ବ ନ କରି ସୁବାଦାର ବିନୋଦଙ୍କୁ ମୋଲ୍ଲା ନିକଟକୁ ନେବା ସକାଶେ ଉଜିରଙ୍କୁ ଆଦେଶ କଲେ–ତାଙ୍କ ଆଦେଶ ତତ୍‌କ୍ଷଣାତ କାର୍ଯ୍ୟରେ ପରିଣତ ହେଲା ।

 

ବିନୋଦବିହାରୀଙ୍କର କୌଣସି ଭୂସମ୍ପତ୍ତି ନଥିଲା, ଥିଲା ଗୋଟିଏ ଅଟ୍ଟାଳିକା ମାତ୍ର । ସୁବାଦାର ଦାଉଦ ଖାଁଙ୍କୁ ଡକାଇ ବିନୋଦଙ୍କର ଅଟ୍ଟାଳିକାଟି ଦଖଲ କରିବାପାଇଁ ହୁକୁମ ଦେଲେ । ଦାଉଦ ଖାଁ ତାଙ୍କ ଆଦେଶ ପାଳନ କରିବାକୁ କୁଣ୍ଠାବୋଧ କଲେ ନାହିଁ । ସେ ପୃଷ୍ଟରୂପେ ବୁଝି ପାରିଲେ, ବିନୋଦ ସୁବାଦାରଙ୍କର ଚକ୍ଷୁଶୂଳ ହୋଇ ପଡ଼ିଛନ୍ତି ।

 

ଦାଉଦ ଖାଁଙ୍କୁ ବିଦାୟ ଦେବା ପରେ ସୁବାଦାର ଆସନରୁ ଉଠିବାକୁ ଉଦ୍ୟତ ହୋଇଅଛନ୍ତି, ଏହି ସମୟରେ ଉଜିରଙ୍କ ସଙ୍ଗେ ଇସ୍‍ଲାମ-ଧର୍ମ ଦୀକ୍ଷିତ ବିନୋଦବିହାରୀ ବାହୁଡ଼ି ଆସିଲେ । ତାଙ୍କର ମସ୍ତକ ମୁଣ୍ଡିତ, ତାଜମଣ୍ଡିତ, ଦେହ କୁର୍ତ୍ତା-ଆଚ୍‌କାନ୍‌-ଆଦୃତ-ବଦନମଣ୍ଡଳ କୃତ୍ରିକ-ଶ୍ମଶ୍ରୁ-ଶୋଭିତ । ବିନୋଦ କମ୍ପିତ କଳେବରରେ ଭଗ୍ନ ସ୍ଵରରେ ସୁବାଦାରଙ୍କୁ ଜଣାଇଲେ,–‘ପଠାଣଧର୍ମ ଗ୍ରହଣ କରିଅଛି, ଏଥର ମୋତେ ମନ୍ତ୍ରୀ-ପଦ ଦିଅନ୍ତୁ ।’

 

କଠୋରହୃଦୟ ତକିଖାଁ ଦୃଢ଼ କଣ୍ଠରେ କହିଲେ, ସେ ଧର୍ମତ୍ୟାଗୀ ସେ ପ୍ରଭୁଙ୍କୁ ମଧ୍ୟ ତ୍ୟାଗ କରିପାରେ ।

 

ବିନୋଦ : କଦାପି ନୁହେ । ଆପଣଙ୍କ ପାଇଁ ମୁଁ ସେ ଧର୍ମତ୍ୟାଗ କରିଅଛି ।

 

ସୁବାଦାର : ମୋପାଇଁ ନୁହେ—ମନ୍ତ୍ରୀ–ପଦପାଇଁ । ସର୍ବସ୍ୱାନ୍ତ ଲୋକକୁ ମୁଁ ମନ୍ତ୍ରୀ-ପଦରେ ନିଯୁକ୍ତ କରି ପାରିବି ନାହିଁ । ସ୍ଵଧର୍ମ ତ୍ୟାଗ କରି ତୁମେ ନିଜର ପୈତୃକ ସମ୍ପତ୍ତିରୁ ବଞ୍ଚିତ ହୋଇଅଛ । ତୁମ ସ୍ତ୍ରୀ ଯଦି ଜୀବିତ ଥାଏ ତାହାହେଲେ ସେ ହେବ ସେ ସମ୍ପତ୍ତିର ଅଧିକାରିଣୀ । ତୁମ ଗୃହ ମଧ୍ୟ ତୁମେ ପାଇ ପାରିବ ନାହିଁ ।

 

ବିନୋଦ : ଏଁ–ଏଁ–ଜାହାଁ–ପନା ।

 

କ୍ଷୋଭ, ଆତଙ୍କ, ବିସ୍ମୟ ଓ ଅପମାନରେ ବିନୋଦବିହାରୀଙ୍କର ପ୍ରାଣ ଫାଟିଗଲା । ତାଙ୍କର ବୋଧ ହେଲା, ବିଳାସଗୃହ ସଙ୍ଗେ ତାଙ୍କ ଶରୀର ଯେପରି ଦଗ୍‍ଧ ହୋଇ ପଡ଼ିଛି । ବିନୋଦ କାନ୍ଦି କାନ୍ଦି ଚିତ୍କାର କଲେ–‘ହାୟ, ହାୟ ! ଧର୍ମ ଗଲା, ଧନ ରତ୍ନ ଗଲା, ସମ୍ପତ୍ତି ସବୁ ଗଲା–ମନ୍ତ୍ରୀପଦ–ଲାଭାଶା ଜଳି ପୋଡ଼ିଗଲା ।’

 

ଏହା କହୁ କହୁ ଅଭାଗା ବିନୋଦ ଭୂପୃଷ୍ଠରେ ମୂର୍ଛିତ ହୋଇ ପଡ଼ିଲେ । ନିର୍ମମ, କୃତଘ୍ନ, ବନ୍ଧୁଦ୍ରୋହୀ ତକିଖାଁ ସହାସ୍ୟ ମୁଖରେ ସେଠାରୁ ଚାଲିଗଲେ ।

Image

 

Unknown

ଅପୂର୍ବ ପ୍ରଜାପ୍ରୀତି

 

ପ୍ରତ୍ୟେକ ହିନ୍ଦୁ ଗୃହରୁ ଜଣେ ଜଣେ ସବଳ ଯୁବକକୁ ଧରି ଆଣି କାରାଗୃହରେ ନିକ୍ଷିପ୍ତ କରିବା ନିମନ୍ତେ ସୁବାଦାର ଉଜିରଙ୍କୁ ଆଦେଶ ଦେଲେ । ଆଦେଶ ପାଳିବାକୁ ଉଜିର ସାହେବ ବିନ୍ଦୁବିସର୍ଗ ପଶ୍ଚାଦ୍‍ପଦ ହେଲେ ନାହିଁ । ଏ କଥା ରାଜା କୃଷ୍ଣଚନ୍ଦ୍ରଙ୍କର କର୍ଣ୍ଣଗୋଚର ହେବାକ୍ଷଣି, ସେ ଅସ୍ଥିର ହୃଦୟରେ ଦୁଇ ଶତ ଦେହରକ୍ଷୀ ସୈନ୍ୟ ସଙ୍ଗେ ନେଇ ଦରବାରରେ ପହଞ୍ଚିଲେ । ସେଠାରେ ଆମୀର, ଓମରାହଗଣ, ନାଦୀରଖାଁ, ଦାଉଦଖାଁ ପ୍ରଭୃତି ଉପସ୍ଥିତ ଥିଲେ । ସ୍ଵଦେଶବତ୍ସଳ, ବୀରେନ୍ଦ୍ର କୀର୍ତ୍ତି-କିରୀଟ ରାଜା କୃଷ୍ଣଚନ୍ଦ୍ର ନିର୍ବିଶଙ୍କ ହୃଦୟରେ ସୁବାଦାରଙ୍କୁ ପ୍ରଶ୍ନ କଲେ–‘କି ଅପରାଧରେ ନିରୀହ ଓଡ଼ିଆ ଯୁବକମାନଙ୍କୁ ବନ୍ଦୀ କରୁ ଅଛନ୍ତି ସୁବାଦାର ?’

 

ସୁବାଦାର : ଅପରାଧ ସେମାନଙ୍କର ନୁହେ–ତୁମର ।

 

ରାଜା : ତାହାହେଲେ ମୋତେ କାରାଗୃହରେ ଆବଦ୍ଧ କରନ୍ତୁ–ନିରପରାଧ ପ୍ରଜାମାନଙ୍କୁ ଆଉ ଦଣ୍ଡ ଦିଅନ୍ତୁ ନାହିଁ–ଦେଶରେ ଅଶାନ୍ତିର ସୂତ୍ରପାତ କରନ୍ତୁ ନାହିଁ ସୁବାଦାର ! ଏହା ମୋର ବିନୀତ ପ୍ରାର୍ଥନା । ଆପଣ ଶତ ଶତ ବର୍ଷ ଓଡ଼ିଶାର ଶାସକ ହୋଇ ରହନ୍ତୁ; ମୁଁ ଆପଣଙ୍କ ପାର୍ଶ୍ୱରେ ଠିଆ ହୋଇ–ଆପଣଙ୍କ ରାଜ୍ୟ, ସିଂହାସନ ରକ୍ଷା କରିବି । ହିନ୍ଦୁ ପ୍ରାଣରେ ଆଉ ଯନ୍ତ୍ରଣା ଦିଅନ୍ତୁ ନାହିଁ ।

 

ସୁବାଦାର ଲବ ମାତ୍ର ବିଚଳିତ ନ ହୋଇ ଅଳ୍ପ ହସି ଦେଇ କହିଲେ–‘ତୁମ କଥାରେ ମୋର ବିଶ୍ୱାସ ନାହିଁ କୃଷ୍ଣଚନ୍ଦ୍ର !’

 

ରାଜା : ତାହାହେଲେ ମୋତେ ସଂହାର କରନ୍ତୁ, ଆପତ୍ତି ନାହିଁ; କିନ୍ତୁ ଯେଉଁମାନେ ଆପଣଙ୍କ ପ୍ରତି ହିଂସା ଦ୍ୱେଷ କରନ୍ତି ନାହିଁ, ରାଜ୍ୟ ଲାଭ ବାସନା କରନ୍ତି ନାହିଁ, ସେମାନଙ୍କୁ ଅକାରଣ ନିପୀଡ଼ିତ କରିବା ଅନ୍ୟାୟ, ଅନୁଚିତ ।

 

ସୁବାଦାର ନିରୁତ୍ତର ! ପକ୍ଷପାତ ରହିତ, ନ୍ୟାୟନିଷ୍ଠ ନାଦୀର ଖାଁ ଉଠି କହିଲେ,–‘ରାଜା ଠିକ୍‌ କଥା କହି ଅଛନ୍ତି ।’

 

ସୁବାଦାର : ତୁମର ପରାମର୍ଶ ନିଷ୍ପ୍ରୟୋଜନ ନାଦୀର ଖାଁ । ତୁମେ କାଫେର-ଭକ୍ତ, କୃଷ୍ଣଚନ୍ଦ୍ରଙ୍କର ପ୍ରଧାନ ମିତ୍ର । ଆଜି ଠାରୁ ଦରବାରରେ ତୁମର ସ୍ଥାନ ନାହିଁ–ଦୂର ହୁଅ ।

 

ନାଦୀର : ମୋତେ ଅନ୍ତର, ଅପମାନ କରନ୍ତୁ କିମ୍ବା ଶାସ୍ତି ଦିଅନ୍ତୁ; କିନ୍ତୁ ମୁସଲମାନ-ନାମ କଳଙ୍କିତ କରନ୍ତୁ ନା, ନିଜ ସିଂହାସନର ମହତ୍ତ୍ୱ ପଦଦଳିତ କରନ୍ତୁ ନା । ରାଜାର କାର୍ଯ୍ୟ ଦେଖିବାପାଇଁ ସମଗ୍ର ଜଗତ ସର୍ବଦା ବିସ୍ଫାରିତ ଚକ୍ଷୁରେ ଉଦ୍‍ଗ୍ରୀବ ଚିତ୍ତରେ ବସିଥାଏ–ରାଜାର ବାକ୍ୟ ଶୁଣିବାପାଇଁ ଉତ୍କର୍ଣ୍ଣ ହୋଇ ରହିଥାଏ । ରାଜାର କର୍ତ୍ତବ୍ୟ ଜଗତକୁ ଶିକ୍ଷା ଦେବା, ମାନବତ୍ୱର ମେରୁଦଣ୍ଡ ଗଠନ କରିବା । ରାଜାର ବାକ୍ୟ ବିଶ୍ୱ-ବକ୍ଷରେ ପ୍ରତିନିୟତ ପ୍ରତିଧ୍ଵନିତ ହୋଇଉଠେ । ରାଜାର ଆଦର୍ଶରେ, ରାଜାର କାର୍ଯ୍ୟ-କଳାପରେ ପ୍ରଜା ଶିକ୍ଷା କରେ ଧର୍ମ-ପୂଜା, କର୍ମ-ସାଧନ । ମନେ ରଖନ୍ତୁ, ଆପଣଙ୍କର ଏହି କଦର୍ଯ୍ୟ ଜାତି-ବିଦ୍ୱେଷ, ଧର୍ମ-ବିଦ୍ୱେଷ ଓ ସଂକୀର୍ଣ୍ଣତା ସାରା ଜଗତରେ ବିଘୋଷିତ ହୋଇ ମୁସଲମାନର କଳଙ୍କ-କଥା ପ୍ରଚାରିତ କରିବ–ସକଳ ଜାତିଙ୍କ ହୃଦୟରେ ପକ୍ଷପାତର କୁତ୍ସିତ ଆଦର୍ଶ ଜାଗ୍ରତ କରିବ । ପ୍ରଜାଗଣଙ୍କୁ ରକ୍ଷା କରିବା ଧର୍ମନୀତି-ସଙ୍ଗତ, ରାଜନୀତି-ସଙ୍ଗତ ।

 

ସୁବାଦାର: ତୁମେ ଏହି ମୁହୂର୍ତ୍ତରେ ଦରବାର କକ୍ଷ ତ୍ୟାଗ କର ।

 

ନାଦୀର ଖାଁ ଅଭିବାଦନ କରି ଧୀର ମନ୍ଥର ଗତିରେ ସେଠାରୁ ନିଷ୍କ୍ରାନ୍ତ ହେଲେ । ସୁବାଦାର ଦରବାର ଭଙ୍ଗ ହେଉ ବୋଲି କହି ସିଂହାସନରୁ ଉଠିବାମାତ୍ରକେ, କୃଷ୍ଣଚନ୍ଦ୍ର ବୀର୍ଯ୍ୟଦୃପ୍ତ ତୀବ୍ର ସ୍ୱରରେ କହିଲେ–‘ଦେଖୁଛି ତାହାହେଲେ, ଅସନ୍ତୋଷାଗ୍ନି ଜଳାଇବା ଆପଣଙ୍କର ଏକାନ୍ତ ଅଭିପ୍ରେତ । ମନେ ରଖନ୍ତୁ, ଏହି ଅଗ୍ନିରେ କେବଳ ହିନ୍ଦୁର ସୁଖ ଶାନ୍ତି ଦଗ୍‌ଧ ହେବ ନାହିଁ, ପଠାଣର ମାନ ସମ୍ମାନ ସୁଖ୍ୟାତ ପ୍ରତିପତ୍ତିବି ଛାରଖାର ହୋଇଯିବ । ବେଳ ଥାଉ ଥାଉ ସାବଧାନ ହୁଅନ୍ତୁ ସୁବାଦାର ! ହିନ୍ଦୁକୁ ପୀଡ଼ନ କରନ୍ତୁ ନାହିଁ, ମୁସଲମାନ ସିଂହାସନରେ ପଦାଘାତ କରନ୍ତୁ ନାହିଁ । ଏହା ମୋର ଶେଷ ଉପଦେଶ ।’

 

ଅତିରିକ୍ତ ରାଗରେ ସୁବାଦାରଙ୍କର ସର୍ବାଙ୍ଗ ଏକାବେଳକେ ସ୍ଫୀତ ହୋଇ ଉଠିଲା । ରାଜାଙ୍କ ପ୍ରତି ଥରେ ଆରକ୍ତ ଚକ୍ଷୁରେ ଦୃଷ୍ଟିପାତ କରି ସେ ଦରବାର-ଭବନରୁ ଚାଲିଗଲେ ।

Image

 

ତକିଖାଁଙ୍କର ପଳାୟନ

 

ଅମାବାସ୍ୟା ରାତ୍ରି । ଘୋର ତମସାଚ୍ଛନ୍ନ ପୃଥିବୀ ନିସ୍ତବ୍ଧ । ଗଗନମଣ୍ଡଳ ନିର୍ମଳ । ଜୀବଜନ୍ତୁକୁଳ ନୀରବ, ସୁପ୍ତ । ମହାନଦୀ ମୃଦୁ ମନ୍ଥର ଗତିରେ ପ୍ରବାହିତ । ଉଭୟ କୂଳ ସ୍ଥିର । ତେବେ ନଦୀ-ବକ୍ଷରେ ଅସଂଖ୍ୟ ଲୋକପୂର୍ଣ୍ଣ ନୌକା । ଆରୋହୀସକଳ ରାଜା କୃଷ୍ଣଚନ୍ଦ୍ରଙ୍କର ଓ ରାମଚନ୍ଦ୍ର ଦେବଙ୍କର ପ୍ରଜା ଓ ସୈନ୍ୟ–ସାରଥୀଗଡ଼ ଓ ଖୋରଧାରୁ ଆହୂତ, କୁମାର ବିଜୟଚନ୍ଦ୍ରଙ୍କ ଦ୍ୱାରା ଚାଳିତ । ଦେଖୁ ଦେଖୁ ନୌକାସକଳ କଟକ ନିକଟରେ ମହାନଦୀର ଘନଜଙ୍ଗଲାବୃତ କୂଳରେ ଆସି ସ୍ଥଗିତ ରହିଲା–ଆରୋହୀଦଳ ନିଃଶବ୍ଦଭାବରେ ବନ ମଧ୍ୟରେ ଆଶ୍ରୟ ନେଲେ ଏବଂ ଶୂନ୍ୟ ତରଣୀସମୂହ ନଦୀ-ବକ୍ଷରେ କେଉଁଆଡ଼େ ଚାଲିଗଲା । ସୈନିକମାନଙ୍କ ପୃଷ୍ଠରେ ଧନୁର୍ବାଣ, ହସ୍ତରେ ତରବାରି । ଜଙ୍ଗଲର ଗୋଟିଏ ସ୍ଥାନରେ ଆଗରୁ ସ୍ତୂପୀକୃତ ବର୍ଚ୍ଛା ଥିଲା । ପ୍ରତ୍ୟେକ ସୈନିକ ସେଥିରୁ ଗୋଟିଏ ଗୋଟିଏ ଉଠାଇ ନେଲେ । ବିଜୟଚନ୍ଦ୍ର ପ୍ରାୟ ପନ୍ଦର ହଜାର ସୁସଜ୍ଜିତ ଜୀବନ-ମମତାଶୂନ୍ୟ ସୈନ୍ୟ ସହିତ ରାତ୍ରି ଦ୍ୱିପ୍ରହର ସମୟରେ ନୀରବଭାବରେ ନଗର ପ୍ରତି ଅଗ୍ରସର ହେଲେ ।

 

କଟକ ଆଜି ଜନାକୀର୍ଣ୍ଣ–ପ୍ରାୟ ୪୦ ସହସ୍ର ଅସ୍ତ୍ରହୀନ ଓଡ଼ିଆ ଯୁବକଙ୍କ ଦ୍ୱାରା ବାରବାଟୀ, ବିଡ଼ାନସୀ ଓ ଚୌଦ୍ୱାର ଦୁର୍ଗର କାରାଗାରପୂର୍ଣ୍ଣ । କାରାଗାର ଓ ନଗର ମଧ୍ୟରେ ସ୍ଥାନର ଅଭାବ ହେବାରୁ କେତେକ ହିନ୍ଦୁ ନଗର ବାହାରେ ଉନ୍ମୁକ୍ତ ପ୍ରାନ୍ତରରେ ପ୍ରହରୀମାନଙ୍କ ତତ୍ତ୍ୱାବଧାନରେ ନଜରବନ୍ଦି ହୋଇ ରହିଲେ । ନିଶୀଥରେ ସୁବାଦାର ସମ୍ବାଦ ପାଇଲେ ଯେ, ରାଜା କୃଷ୍ଣଚନ୍ଦ୍ର ଅସଂଖ୍ୟ ସୈନ୍ୟ ସାହାଯ୍ୟରେ ସମସ୍ତ କାରାଗାର ଭାଙ୍ଗି ଆବଦ୍ଧ ଯୁବକମାନଙ୍କୁ ମୁକ୍ତ କରୁ ଅଛନ୍ତି । ସୁବାଦାରଙ୍କ ଭୟ ଓ ବିସ୍ମୟ ସୀମା ଅତିକ୍ରମ କରି ଉଠିଲା । ରାଜାଙ୍କୁ ଶୃଙ୍ଖଳାବଦ୍ଧ କରି ଆଣିବା ଉଦ୍ଦେଶ୍ୟରେ ଦାଉଦ ଖାଁଙ୍କୁ ପ୍ରେରଣ କଲେ ।

 

ସୁବାଦାର ଉତ୍କର୍ଣ୍ଣ ହୋଇ ଶୁଣିଲେ, ନଗର ଚତୁର୍ଦ୍ଦିଗରେ ଭୟଙ୍କର ଚିତ୍କାର-ଧ୍ୱନି ଉଠୁଅଛି । ଭୀତ ସଂତ୍ରସ୍ତ ସୁବାଦାର ରାଜପ୍ରାସାଦ ଉପରକୁ ଯାଇ ସ୍ପଷ୍ଟତର କଳରବ ଶୁଣି ପାରିଲେ-। କ୍ଷୋଭ କ୍ଷୁବ୍‌ଧ ପ୍ରାଣରେ ସେ ତଳକୁ ଖସି ପ୍ରାସାଦ-ରକ୍ଷକଙ୍କୁ ପଚାରି ବୁଝିନେଲେ ଯେ, ପ୍ରାସାଦ ମଧ୍ୟରେ ଦୁଇ ହଜାର ମାତ୍ର ସୈନ୍ୟ ଅଛନ୍ତି । ତାଙ୍କର ଭୟ ହେଲା, ରାଜା ୪୦ ସହସ୍ର ବନ୍ଦୀଙ୍କୁ ଅସ୍ତ୍ର-ସଜ୍ଜିତ କରି ଦୁର୍ଗ, ପ୍ରାସାଦ ଜୟ କରିପାରନ୍ତି । ପ୍ରାସାଦରକ୍ଷକ ନିଶ୍ଚିନ୍ତ ରହିବା କାରଣ ସୁବାଦାରଙ୍କୁ ଅନୁରୋଧ କଲେ, ଆଶ୍ୱାସନା ଦେଲେ । ସୁବାଦାର କିନ୍ତୁ ଆଶ୍ୱାସନା ମାନିଲେ ନାହିଁ–ନିଶ୍ଚିନ୍ତ ରହି ପାରିଲେ ନାହିଁ । ଦାଉଦ ଖାଁଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବାର ଦେଖି ସେ ପ୍ରମାଦ ଗଣିଲେ । ଦାଉଦ ଖାଁଙ୍କ ଅନୁସନ୍ଧାନରେ ସୁବାଦାର ପ୍ରେରିତ ଅନୁଚରଗଣ ଶତ୍ରୁ ହସ୍ତରେ କାରାରୁଦ୍ଧ ଅଥବା ନିହତ ହେଲେ । ବ୍ୟସ୍ତ, ବ୍ୟାକୁଳ ହୃଦୟରେ ସୁବାଦାର ପ୍ରାତଃକାଳର ପ୍ରତୀକ୍ଷା କରିବାକୁ ଲାଗିଲେ ।

 

ଏଣେ ଦାଉଦ ଖାଁ ସୁବାଦାରଙ୍କ ଆଦେଶରେ ଅତି ଚଞ୍ଚଳ ଧାଇଁ ଯାଇ ସାରଙ୍ଗଗଡ଼ରେ ଏକ ସହସ୍ର, ସୈନ୍ୟ ସଜ୍ଜିତ କଲେ ! ରାଜପ୍ରାସାଦ ଦିଗରେ ବାହୁଡ଼ିବାବେଳେ ମାର୍ଗରେ ଅଦୃଶ୍ୟ ହସ୍ତ-ନିକ୍ଷିପ୍ତ ଅଗଣିତ ଶର ଆଘାତରେ ତାଙ୍କର ଅଧିକାଂଶ ସୈନ୍ୟ ଧରାତଳଶାୟୀ ହେଲେ । ସେ ତୁରିତ ବେଗରେ ଯାଇ ଆହୁରି ଦୁଇ ସହସ୍ର ସେନା ପ୍ରସ୍ତୁତ କରି ପୁନର୍ବାର ଅଗ୍ରସର ହେବାକୁ ଲାଗିଲେ । ପୃଷ୍ଠ ଓ ସମ୍ମୁଖ ଭାଗରୁ ସହସ୍ର ସହସ୍ର ତୀର ପୁଣି ପଠାଣ ସୈନ୍ୟ ଉପରେ ପଡ଼ି ସେମାନଙ୍କୁ ବିପର୍ଯ୍ୟସ୍ତ କରି ପକାଇଲା । ଅନ୍ଧକାରରେ କିଛି ଦେଖାଯାଉ ନଥିଲା । ପୃଷ୍ଠ ଦିଗରୁ, ଉଭୟ ପାର୍ଶ୍ୱରୁ ଓଡ଼ିଆ ସୈନ୍ୟ ପଠାଣଦଳ ଉପରେ ଅଗଣ୍ୟ ବର୍ଚ୍ଛା ଓ ଶୂଳ ନିକ୍ଷିପ୍ତ କଲେ ଏବଂ ସମ୍ମୁଖ ଭାଗରେ ତରବାରିଦ୍ୱାରା ସେମାନଙ୍କୁ ଧ୍ୱସ୍ତ କରିବାକୁ ଲାଗିଲେ । ଦାଉଦ ଖାଁ ବୁଝି ପାରିଲେ, ତାଙ୍କ ସେନା ଚତୁର୍ଦ୍ଦିଗରୁ ଆକ୍ରାନ୍ତ ହୋଇଅଛନ୍ତି । ଶେଷରେ ଧୈର୍ଯ୍ୟଚ୍ୟୁତ ଦାଉଦ ଖାଁ ବିକଳ ହୃଦୟରେ ତିନି ଚାରି ଶତ ମାତ୍ର ହତାବଶିଷ୍ଟ ସୈନ୍ୟ ସଙ୍ଗେ ରାଜଭବନ ନିକଟରେ ପହଞ୍ଚିଲେ । ଆଉ ଅଗ୍ରସର ହୋଇପାରିଲେ ନାହିଁ, ଅରୁଣୋଦୟର ପ୍ରତୀକ୍ଷା କରିବାକୁ ଲାଗିଲେ । ଦୁର୍ଗ ଯେ ଶତ୍ରୁକର୍ତ୍ତୃକ ଅବରୁଦ୍ଧ ହୋଇଅଛି, ଏହା ଜାଣିବାକୁ କିଂକର୍ତ୍ତବ୍ୟବିମୂଢ଼ ସୁବାଦାରଙ୍କର ଆଉ ବାକି ରହିଲା ନାହିଁ ।

 

ଅରୁଣୋଦୟର ଅବ୍ୟବହିତ ପୂର୍ବେ, ରାଜା କୃଷ୍ଣଚନ୍ଦ୍ର ପ୍ରାପ୍ତ ୩୦ ସହସ୍ର ସୁସଜ୍ଜିତ ସୈନ୍ୟ ସହିତ ଦୁର୍ଦ୍ଧର୍ଷ ବେଗରେ ସୁବାଦାରଙ୍କ ବାସଭବନ ଆକ୍ରମଣ କଲେ । ଆକ୍ରମଣକାରୀମାନଙ୍କ ହାତରେ ଲଗୁଡ଼, ଖଡ଼୍‍ଗ, ଧନୁଶର ଓ ବର୍ଚ୍ଛା । ସେମାନଙ୍କ ମଧ୍ୟରେ ଏକ ସହସ୍ର ସୈନିକ ସୁଶିକ୍ଷିତ, ବଳିଷ୍ଠ, ଯୁଦ୍ଧନିପୁଣ । ଏମାନଙ୍କ ସାହାଯ୍ୟରେ ରାଜା ଯୁବକଦଳକୁ କାରାମୁକ୍ତ କରିଥିଲେ । ତାଙ୍କର ଆଶା ଓ ସାହସ ଥିଲା–ସେ ଯଦି ଏହି ସୈନ୍ୟ ପରି ପଚାଶ ହଜାର ସେନା ସଂଗ୍ରହ କରିପାରନ୍ତି, ତାହାହେଲେ ସେ ସମଗ୍ର ଭାରତବର୍ଷ ଜୟ କରିବାକୁ ସମର୍ଥ ହେବେ ।

 

ରାଜାଙ୍କର ଆଶା ଅବଶ୍ୟ ଯୁକ୍ତିସଙ୍ଗତ । ସେତେବେଳେ ସୁଦ୍ଧା ଓଡ଼ିଆ ନିସ୍ତେଜ, ନିସ୍ପନ୍ଦ ହୋଇ ନଥିଲା–ତାହାର ବାହୁରେ ଥିଲା ଅପରିମେୟ ବଳ, ହୃଦୟରେ ଥିଲା ଅଲୌକିକ ସାହସ । ଓଡ଼ିଆର ଅସାଧ୍ୟ କିଛି ନଥିଲା । କୃଷି, ସ୍ଥଳ-ବାଣିଜ୍ୟ, ଜଳ-ବାଣିଜ୍ୟ, ଶିଳ୍ପ, ସାହିତ୍ୟ, ନୌକାଗଠନ, ମଲ୍ଲଯୁଦ୍ଧ, ସମରପ୍ରିୟତା, ଧର୍ମନିଷ୍ଠା ଇତ୍ୟାଦି ବିଷୟରେ ଓଡ଼ିଆ ଜାତି ଭାରତର ଅନ୍ୟାନ୍ୟ ଜାତିମାନଙ୍କ ଅପେକ୍ଷା କୌଣସି ଅଂଶରେ ନ୍ୟୂନ ନଥିଲା । ଓଡ଼ିଶାର ପ୍ରତ୍ୟେକ ଦୁର୍ଗରୁ ସ୍ଵାଧୀନତା ବିକୀର୍ଣ୍ଣ ହେଉଥିଲା । ଗଙ୍ଗାଠାରୁ କୁମାରିକା ପର୍ଯ୍ୟନ୍ତ ସମୁଦାୟ ଭୂଖଣ୍ଡ ରଣନିପୁଣ ଓଡ଼ିଆ ବୀରଗଣଙ୍କର କ୍ରୀଡ଼ାସ୍ଥଳୀ ଥିଲା । ପ୍ରାୟ ସମସ୍ତ ଭାରତ ଓଡ଼ିଆ ଶକ୍ତିର ପରିଚୟ ପାଇଥିଲା । ଆମ ପୂର୍ବପୁରୁଷଗଣ ଯେ ପୁଣ୍ୟାତ୍ମା, ଈଶ୍ଵର-ପରାୟଣ, ସ୍ଵାର୍ଥତ୍ୟାଗୀ, ବୀରକୁଳ-ଗୌରବ ଥିଲେ, ଇତିହାସହିଁ ଏହାର ପ୍ରମାଣ ଦିଏ । ବର୍ତ୍ତମାନ କିନ୍ତୁ ଇତିହାସ-ପ୍ରସିଦ୍ଧ, ପୁରାଣ-ପ୍ରଖ୍ୟାତ ଓଡ଼ିଆ ଜାତିର ପୂର୍ବ ଗୌରବଗାନ କରି ଲାଭ ନାହିଁ–ଗାନ କରିବାକୁ ଗଲେ ବିଷାଦ ଓ ଲଜ୍ଜାରେ ହୃଦୟ ସଂକୁଚିତ ହୋଇପଡ଼େ । ଆହା ! ଆଜି ଆଉ ସେହି ଓଡ଼ିଶା ନାହିଁ, ସେଇ ଓଡ଼ିଶା ନାହିଁ–ବର୍ତ୍ତମାନ ଓଡ଼ିଆର ସେଇ ଭୁଜବଳ, କର୍ତ୍ତବ୍ୟନିଷ୍ଠା ଓ ସ୍ଵଦେଶାଭିମାନ ନାହିଁ, କିଛି ନାହିଁ । ଆଧୁନିକ ଓଡ଼ିଶା ସ୍ପନ୍ଦନହୀନ, ଆଧୁନିକ ଓଡ଼ିଆ ଜୀବନଶୂନ୍ୟ ।

 

ଭୀଷଣ ଆକ୍ରମଣରେ ସୁବାଦାରଙ୍କ ପ୍ରାସାଦ-ଦ୍ୱାର ଭାଙ୍ଗି ପଡ଼ିଲା ଏବଂ ଓଡ଼ିଆମାନେ ପ୍ରତିବନ୍ଧକମୁକ୍ତ ତଟିନୀ-ସ୍ରୋତ ପରି ସେହି ପଥରେ ଯାଇ ପ୍ରାସାଦମଧ୍ୟସ୍ଥ ବିସ୍ତୀର୍ଣ୍ଣ ପ୍ରାଙ୍ଗଣରେ ଉପନୀତ ହେଲେ । ରାଜା ସେଠାରେ ଦେଖିଲେ, ପ୍ରାୟ ଦୁଇ ସହସ୍ର ଶିକ୍ଷିତ ସଶସ୍ତ୍ର ମୁସଲମାନ ସୈନିକ ଦଳବଦ୍ଧ ହୋଇ ବୀରଦର୍ପରେ ଅଗ୍ରସର ହେଉ ଅଛନ୍ତି । ରାଜା ସେମାନଙ୍କ ବାମ ଭାଗରେ ତୀରଧାରୀ ଓ ଶୂଳଧାରୀ ସୈନ୍ୟ ସ୍ଥାପନ କରି, ଦକ୍ଷିଣ ଭାଗରେ ସ୍ଵୟଂ ଶିକ୍ଷିତ ସୈନ୍ୟ ସହ ଅଗ୍ରସର ହୋଇ ପଠାଣମାନଙ୍କୁ ବେଷ୍ଟନ କରିଦେଲେ । ପଠାଣଦଳ ଶୂଳୀ ଓ ଧନୁଶରସଜ୍ଜିତ ଓଡ଼ିଆମାନଙ୍କ ପ୍ରତି ଧାବିତ ହେବାମାତ୍ରକେ ସେମାନଙ୍କର ଧ୍ୱଂସ ଅନିବାର୍ଯ୍ୟ ହୋଇ ଉଠିଲା । ରାଜାଙ୍କ ସୈନ୍ୟ ଆଗରେ ସେମାନେ ଖରସ୍ରୋତା ନଦୀବକ୍ଷରେ ତୃଣ ତୁଲ୍ୟ ଛିନ୍ନଭିନ୍ନ ହୋଇ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । ଓଡ଼ିଆମାନଙ୍କର ମଧ୍ୟରୁ ଧ୍ୱନି ଉଠିଲା–‘ଜୟ ଜଗନ୍ନାଥଙ୍କର ଜୟ’, ‘ଜୟ ରାଜା କୃଷ୍ଣଚନ୍ଦ୍ରଙ୍କର ଜୟ’ । ସେମାନେ ବାଧାବିଘ୍ନଶୂନ୍ୟ ଜଳପ୍ରପାତ ପରି ପ୍ରାସାଦ ମଧ୍ୟରେ ପ୍ରବିଷ୍ଟ ହୋଇ ସକଳ ଦ୍ୱାର ଭଗ୍ନ କଲେ, ସୁବାଦାରଙ୍କୁ ଖୋଜି ବୁଲିଲେ । ସୁବାଦାର କିନ୍ତୁ କାହାନ୍ତି ? ସେ ଯେ ଗୁପ୍ତ ପଥରେ ପ୍ରାଣଭୟରେ ପ୍ରାସାଦ ମଧ୍ୟରୁ ପଳାୟନ କରି ଅଛନ୍ତି ! ପ୍ରାସାଦରକ୍ଷା କରିବାର କୌଣସି ସମ୍ଭାବନା ନ ଦେଖି ଭୟବିହ୍ୱଳ ଅନୁତପ୍ତ ସୁବାଦାର ଜଣେ ମାତ୍ର ଭୃତ୍ୟ ସଙ୍ଗେ ପ୍ରଦୀପ ଧରି ସୁଡ଼ଙ୍ଗ ମାର୍ଗରେ ପ୍ରାସାଦ ତ୍ୟାଗ କଲେ ।

 

ନିର୍ବୋଧ ସୁବାଦାର ! ଲୌହଶିଳାକା ପ୍ରୋଥିତ କରି ବଜ୍ରକୁ ଆମନ୍ତ୍ରଣ କଲ କାହିଁକି ? ଉତ୍କଳ-ସିଂହର କେଶରାକର୍ଷଣ କରି ସର୍ବନାଶର ମାର୍ଗ ସୁଗମ କଲ ବା କାହିଁକି ?

Image

 

ପାପର ପରିଣାମ

 

ହତଭାଗ୍ୟ ବିନୋଦବିହାରୀ ସର୍ବସ୍ଵ ହରାଇ ନିରାଶ୍ରୟ ହୋଇ କଟକର ରାଜମାର୍ଗରେ ବୁଲିବାକୁ ଲାଗିଲେ । ତାଙ୍କର ଆଉ ସେ ମନୋରମ ଅଟ୍ଟାଳିକା ନାହିଁ, ସେ ବିଳାସ-ବିଭୋରା ନର୍ତ୍ତକୀଦଳ ନାହାନ୍ତି, ସେ ଦାସ ଦାସୀ ନାହାନ୍ତି । ତାଙ୍କ ପକ୍ଷରେ ବର୍ତ୍ତମାନ ଭୋଗ ବିଳାସ, ଆମୋଦ ପ୍ରମୋଦ ସବୁ ଗୋଟିଏ ସ୍ଵପ୍ନ ମାତ୍ର ! ସେ କପର୍ଦ୍ଦକଶୂନ୍ୟ ଦାଣ୍ଡର ଭିଖାରି ! ଅଙ୍ଗରେ ଆଉ ସେ ବହୁମୂଲ୍ୟ ପରିଚ୍ଛଦ ନାହିଁ–ଲଜ୍ଜା ନିବାରଣ ନିମନ୍ତେ ଗୋଟିଏ ଜୀର୍ଣ୍ଣ ଯାବନିକ ପରିଧେୟ ଏବେ ତାଙ୍କର ଏକମାତ୍ର ଅବଲମ୍ବନ । ସେ ଐଶ୍ୱର୍ଯ୍ୟ ଓ ଧର୍ମ ସଙ୍ଗେ ଆତ୍ମୀୟ ସ୍ୱଜନଙ୍କୁ ହରାଇ ବସିଛନ୍ତି । ଯେଉଁମାନେ ଏଥିପୂର୍ବେ ତାଙ୍କର ଆତ୍ମୀୟ ବନ୍ଧୁ ହୋଇଥିଲେ, ପଶ୍ଚାତ୍ତାପ-ବିକ୍ଷୁବ୍‌ଧ ବିନୋଦ ସେମାନଙ୍କର ଦ୍ୱାରସ୍ଥ ହୋଇ ବିନୀତ ଭାବରେ ନିଜ ଭାଗ୍ୟ ବିପର୍ଯ୍ୟୟର କଥା ଜଣାଇଲେ–ସାହାଯ୍ୟ ସହାନୁଭୂତି କିନ୍ତୁ ପାଇଲେ ନାହିଁ । ପକ୍ଷାନ୍ତରେ ଘୃଣିତ, ତିରସ୍କୃତ ଓ ବିତାଡ଼ିତ ହେଲେ । ସଂପଦ ସମୟର ବନ୍ଧୁତା, ଆତ୍ମୀୟତା ବିପଦବେଳେ ଯେ ତିରୋହିତ ହୋଇଯାଏ, ବର୍ତ୍ତମାନ ବିନୋଦ ଏହା ଜୀବନରେ ନୂତନ କରି ଶିଖିଲେ–ଶିଖି ପ୍ରାଣରେ ଗୁରୁ ଯନ୍ତ୍ରଣା ଅନୁଭବ କଲେ । ଐଶ୍ୱର୍ଯ୍ୟଶାଳୀ ଥିବାବେଳେ ସେ ଯେଉଁମାନଙ୍କୁ ଅର୍ଥ ସାହାଯ୍ୟ କରିଥିଲେ, ସେମାନଙ୍କ ନିକଟକୁ ଯିବାରୁ ସେମାନେ ସାହାଯ୍ୟ ଦାନ ବା ସମବେଦନା ପ୍ରକାଶ କରିବା ତେଣିକି ଥାଉ, ନିତାନ୍ତ ଅପରିଚିତ ତୁଲ୍ୟ ଆଚରଣ କଲେ । ଅଭାଗୀ ବିନୋଦବାବୁ ସକଳ ଦିଗରେ ବ୍ୟର୍ଥମନୋରଥ ହୋଇ ମର୍ମେ ମର୍ମେ ନିଷ୍ଠୁର ଅଦୃଷ୍ଟର ନିଦାରୁଣ ପରିହାସ ଉପଲବ୍‍ଧି କରି ଭାବିଲେ, ଜଗତରେ ତାଙ୍କର ଆଉ ସ୍ଥାନ ନାହିଁ ।

 

ଆଶା କେବେ ମନୁଷ୍ୟକୁ ଭାଗ କରେ ନାହିଁ । ବିନୋଦଙ୍କର ଆଶା ହେଲା, ଶେଷରେ ସେ ନିଜ ଭବନରେ ଯାଇ ବାସ କରିବେ । ନିଜ ବାସଗୃହ କିନ୍ତୁ କାହିଁ ? ଭବନ-ଦ୍ୱାରକୁ ଗଲେ, କିନ୍ତୁ ଦୁଇ ଜଣ ସଶସ୍ତ୍ର ପ୍ରହରୀଙ୍କଦ୍ୱାରା ଭର୍ତ୍ସିତ, ବିତାଡ଼ିତ ହୋଇ ଫେରିଲେ । ବିଫଳ ମନୋରଥ ହୋଇ ଅଥଚ କ୍ଷୀଣ ଆଶାର ସୂକ୍ଷ୍ମ ଅଞ୍ଚଳ ଧରି, ସୁବାଦାରଙ୍କ ପଦତଳେ ପଡ଼ି ଭାଗ୍ୟ ଫେରାଇ ଆଣିବା ଅଭିପ୍ରାୟରେ ରାଜପ୍ରାସାଦ ପ୍ରତି ଧୀରେ ଧୀରେ ଅଗ୍ରସର ହେଲେ । କିନ୍ତୁ ପ୍ରାସାଦ-ଦ୍ୱାରରେ ପାଦ ଦେବାମାତ୍ରକେ ଜନୈକ କର୍ମଚାରୀ ତାଙ୍କର ଗତିରୋଧ କରି ଠିଆ ହେଲା ଏବଂ ବ୍ୟଙ୍ଗ ବିଦ୍ରୂପ କରି ତାଙ୍କୁ ସେଠାରୁ ତଡ଼ିଦେଲା । ତାଙ୍କର ସେହି ସମୟର ଭୟଙ୍କର ମନୋବେଦନା ଲେଖନୀରେ ବ୍ୟକ୍ତ ହେବାର ନୁହେ । ସେତେବେଳେ ତାଙ୍କର ବୋଧହେଲା, ସମ୍ପତ୍ତି ସଙ୍ଗେ ତାଙ୍କର ମନ ପ୍ରାଣ ବୃଦ୍ଧି ବିବେଚନା ଯେପରି ଅପହୃତ, ନଷ୍ଟ ହୋଇଅଛି । ସେ ବିଷମ ଅନୁତାପାନଳରେ ଦଗ୍‍ଧ ହେବାକୁ ଲାଗିଲେ–ତାଙ୍କ ଚୈତନ୍ୟୋଦୟ ହେଲା । ପରିତ୍ୟକ୍ତ ପତ୍ନୀ ଗୌରୀଙ୍କର କରୁଣ, ମର୍ମସ୍ପର୍ଶୀ ପତ୍ର ଖଣ୍ଡିକ ମନେ ପକାଇ ଅନବରତ କ୍ରନ୍ଦନ କରିବାକୁ ଲାଗିଲେ । ନିଃସହାୟ ବିନୋଦ ସମସ୍ତ ରାତ୍ରି ନଗରୀର ରାଜପଥରେ ବୁଲି ପରଦିନ ସକାଳେ ଭଗ୍ନ ହୃଦୟରେ ରିକ୍ତ ହସ୍ତରେ ଲୋତକପୂର୍ଣ୍ଣ ନୟନରେ ରାଜଧାନୀ ପରିତ୍ୟାଗ କରି ଚାଲିଲେ । ନଦୀତୀରରେ ଯିବାବେଳେ ଶୁଣି ପାରିଲେ, ସରଳ ତରଳ ତଟିନୀ ଜଳ କଳକଳ ନାଦରେ ଯେପରି ଗାଇ ଯାଉଛି–

 

‘‘ନଳନୀଦଳଗତଜଳମତି ତରଳଂ, ତଦ୍‌ବଜ୍ଜୀବନ ମତିଶୟ ଚପଳଂ;

କ୍ଷଣମିହ ସଜ୍ଜନ ସଂଗତିରେକା, ଭବତି ଭବାର୍ଣ୍ଣବ ତରଣେ ନୌକା ।’’

 

ବିନୋଦ ଆପଣା ମନକୁ କହିଲେ–‘ଆହା ! ଯେମନି କର୍ମ ତେମନି ଫଳ୍ ।’ ପରେ ଗ୍ରାମରୁ ଗ୍ରାମାନ୍ତରକୁ ଯାଇ ଭିକ୍ଷା ମାଗି ବୁଲିଲେ । ଯେଉଁମାନେ ଆଗରୁ ତାଙ୍କ ନାମ ଶୁଣିଥିଲେ, ତାଙ୍କୁ ଚିହ୍ନିଥିଲେ, ସେମାନେ ତାଙ୍କୁ ଭିକ୍ଷା ନ ଦେଇ ଗାଳି ଦେଲେ–ସହାନୁଭୂତି ପ୍ରକାଶ ନକରି ବିକଟ ବିରକ୍ତ ପ୍ରକାଶ କଲେ । ବିନୋଦ ଦିନେ ବେଶି ଭାବି ଚିନ୍ତି ସ୍ଥିର କଲେ, ସେ ହରିପୁରକୁ ଯାଇ ଶ୍ୱଶୁର ଓ ପତ୍ନୀଙ୍କ ପଦତଳେ ପଡ଼ି ଦୀନହୀନ ଭାବରେ କ୍ଷମା ପ୍ରାର୍ଥନା କରିବେ । ତାଙ୍କର ଦୃଢ଼ ବିଶ୍ୱାସ–ପ୍ରକୃତ ଅନୁତପ୍ତ ଓ ବ୍ୟାକୁଳ ପ୍ରାଣରେ କ୍ଷମା ପ୍ରାର୍ଥନା କଲେ ପ୍ରବଳ ଶତ୍ରୁରବି କ୍ରୋଧ, ଘୃଣା ବିଦୂରିତ ହୋଇଯିବ । ଏହି ଆଶା ଓ ଆଶ୍ୱାସନାର ବଶବର୍ତ୍ତୀ ହୋଇ ସେ ତାଙ୍କର ଶ୍ୱଶୁରଙ୍କ ଗ୍ରାମପ୍ରତି ଅଗ୍ରସର ହେଲେ । ସେ ସେହି ପଲ୍ଲୀ ପ୍ରାନ୍ତରେ ପହଞ୍ଚିବାକ୍ଷଣି ପଲ୍ଲୀବାସୀଗଣ ଦୁର୍ଭାଗ୍ୟକ୍ରମେ ତାଙ୍କୁ ଚିହ୍ନି ପାରି, ବର୍ତ୍ତମାନ ସୁଦ୍ଧା ତାଙ୍କ ଅଙ୍ଗରେ ପଠାଣ-ପରିଚ୍ଛଦ ଦେଖି ରାଗରେ ଅଥୟ ହୋଇଗଲେ–ତାଙ୍କୁ ଭିକ୍ଷା ଦେବେ କ’ଣ ପ୍ରହାର କରିବାକୁ ଉଦ୍ୟତ ହେଲେ । ତାଙ୍କୁ ଦେଖି ଜଣେ ଗ୍ରାମବାସୀ ଉପହାସ-ବ୍ୟଞ୍ଜକ ସ୍ୱରରେ କହିଲା–‘ଅଇଲା’ରେ କଙ୍ଗାଳି ବଙ୍ଗାଳୀ ପଠାଣ-ବେଶରେ ଢଳି ଢଳି ।’

 

୨ୟ ଗ୍ରା : ବା : ମାର ଚଣ୍ଡାଳକୁ ମୋଡ଼ି ଦଳି, ତୃପ୍ତ ହେବେ ମହାକାଳୀ, ମାଇପେ ଦେବେ ହୁଳହୁଳି ।

 

୩ୟ ଗ୍ରା : ବା : ଦିଅ ପାଷଣ୍ଡକୁ ମୁଥ ଲାତ, ତୃପ୍ତ ହେବେ ଜଗନ୍ନାଥ, ତୃପ୍ତ ହେବ ହିନ୍ଦୁ ଜଗତ ।

 

୪ର୍ଥ ଗ୍ରା : ବା : ଭାଇମାନେ ! ବଙ୍ଗାଳୀ ବଡ଼ ନିମକହାରାମ ଜାତି ! ଯେଉଁଠି ଖାଇବେ ସେଇଠି ମଳ ତ୍ୟାଗ କରିବେ । ଆମ ଦେଶକୁ ଉଡ଼ି ଆସି, ଆମର ଖାଇ ପିଇ, ଆମର ତୋଟି ଚିପୁଛନ୍ତି–ଆମରି ଉପରେ ଚଢ଼ାଉ କରୁଛନ୍ତି !

 

୫ମ ଗ୍ରା : ବା : ସ୍ଵାର୍ଥସିଦ୍ଧି ପାଇଁ ଯେ କୌଣସି ଅତ୍ୟାଚାର କରି ପାରନ୍ତି ବଙ୍ଗାଳୀ ଜାତିର ପ୍ରକୃତ ସେଇୟା ।

 

୬ଷ୍ଠ : ଗ୍ରା : ବା : ବଙ୍ଗାଳୀ ଭଳି ଭୟାଳୁ ଜାତି ପୃଥିବୀରେ ନାହିଁ । ‘ପା’ ନ କହେ ପାଇକ ଆଗେ, ଟାଣ ଦେଖାଉଥାଏ ମାଇପ ଆଗେ । ପଳାଇଲେ ଗୋଡ଼ାଇବେ, ଗୋଡ଼ାଇଲେ ପଳାଇବେ–ଏ ଜାତିର ଲକ୍ଷଣ ଏଇୟା । ଦେଖୁଛ ପରା, ସେ ଦିନ ଏ ପୁରୀ ଯୁଦ୍ଧରୁ ଡରି ଥରି କିପରି ପଳାଇ ଆସିଲା ।

 

ଜଣେ ଗ୍ରାମବାସୀ ବିନୋଦଙ୍କ ଗଣ୍ଡଦେଶରେ ପ୍ରଚଣ୍ଡ ଚପେଟାଘାତ କରି କହିଲା–‘ଖା’ରେ ପୁଅ ଖା । ପଠାଣର ପାଦ ଚାଟୁଥିଲୁ–ଫଳ ପାଇଲୁ ? ବାବୁ ପୁଣି ହେବେ ମ-ନ୍ତି-ରି !’

 

ଗ୍ରାମବାସୀଙ୍କ ଭାଷଣ ପ୍ରହାର ଫଳରେ ଦୁର୍ଭାଗ୍ୟ ବିନୋଦଙ୍କର ଗୋଟିଏ ପାଦ ଭାଙ୍ଗି ଗଲା, ଦୁଇ ଚକ୍ଷୁ ନଷ୍ଟ ହେଲା । ଜଣେ ବ୍ରାହ୍ମଣ ପଙ୍ଗୁ, ଅନ୍ଧ ବିନୋଦ ଆଗରେ ସହାସ୍ୟ ମୁଖରେ ନୃତ୍ୟ କରି ଗାଇଲା :–‘‘ମାକୁରୁ ଧନ ଜନ ଯୌବନ ଗର୍ବ୍ବ, ହରତି ନିମେଷାତ୍ କାଳଃ ସର୍ବ୍ବଂ ।’’

 

ବିନୋଦ ଚିତ୍କାର କରି ପଲ୍ଲୀବାସୀଙ୍କୁ କହିଲେ–‘ଗ୍ରାମବାସୀଗଣ ! ମୁଁ ମହା ପାପୀ, ନରାଧମ, ବିଶ୍ୱାସଘାତକ–ମୋତେ ମାର, ଆହୁରି ମାର । ମୋର ଏହି କଳୁଷିତ ଦେହ ଖଣ୍ଡ ଖଣ୍ଡ କରି କାଟି ଶୃଗାଳ ଶକୁନିଙ୍କୁ ଆହାର ଯୋଗାଅ ।’

 

ଅନୁତପ୍ତ ବିନୋଦଙ୍କ କାତର ବାକ୍ୟରେ ଗ୍ରାମବାସୀଙ୍କର ହୃଦୟ ତରଳିଗଲା–ସେମାନେ ପ୍ରହାରରୁ ବିରତ ହେଲେ ।

 

ବିନୋଦବିହାରୀଙ୍କ ଶ୍ୱଶୁରଙ୍କ ନାମ ବ୍ରଜକିଶୋର । ସେ ନିଷ୍ଠାପର ହିନ୍ଦୁ, ଉତ୍କଳବତ୍ସଳ–ଓଡ଼ିଶାକୁ ନିଜର କରି ନେଇଥିଲେ, ଓଡ଼ିଆର ଭାଗ୍ୟରେ ନିଜ ଭାଗ୍ୟ ମିଳାଇ ଥିଲେ । ତାଙ୍କର ପ୍ରଚୁର ସମ୍ପତ୍ତି, ଯଥେଷ୍ଟ ପ୍ରତିପତ୍ତି । ତାଙ୍କ ପ୍ରତି ଗ୍ରାମବାସୀଙ୍କର ଅଶେଷ ସମ୍ମାନ, ଭକ୍ତି । ତାଙ୍କ ସଂସାରରେ ପ୍ରୌଢ଼ା ସ୍ତ୍ରୀ, ପଞ୍ଚବଂଶତିବର୍ଷ ବୟସ୍କ ପୁତ୍ର ଏବଂ ପରମ ଲାବଣ୍ୟବତୀ ଯୁବତୀ କନ୍ୟା ଗୌରୀ ।

 

ଯେଉଁ ବାରବନିତାଦଳଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ରହି ତକିଖାଁ ଓ ବିନୋଦ ସର୍ବଦା ଆମୋଦ ପ୍ରମୋଦରେ ଭାସୁଥିଲେ, ସେମାନଙ୍କ ମଧ୍ୟରୁ କେହି ହେଲେ ସୌନ୍ଦର୍ଯ୍ୟରେ ଗୌରୀଙ୍କର ଚରଣନଖଯୋଗ୍ୟ ନୁହନ୍ତି । ଅଥଚ ଅଭାଗିନୀ ଗୌରୀ ପତିଦ୍ୱାରା ଉତ୍ପୀଡ଼ିତ, ପରିତ୍ୟକ୍ତ, ହୋଇ ଗଭୀର ମନୋବେଦନାରେ କାଳଯାପନ କରୁଥିଲେ । ପରିତ୍ୟକ୍ତା ହେଲେହେଁ ସେ ଦିନେ ସୁଦ୍ଧା ବିନୋଦଙ୍କୁ ଘୃଣା କରି ନାହାନ୍ତି–ନିନ୍ଦା କରନ୍ତି ନିଜ ଅଦୃଷ୍ଟକୁ । ତୃତୀୟ ପରିଚ୍ଛେଦରେ ପ୍ରଦତ୍ତ ତାଙ୍କର ସରଳ ସୁନ୍ଦର ପତ୍ରରୁ ପାଠକପାଠିକାମାନେ ବୁଝି ପାରି ଥିବେ, ଗୌରୀ କିପରି ପତିଗତପ୍ରାଣା, ସହନଶୀଳା । ଗୌରୀ ଅଯୋଧ୍ୟାମହିଷୀ ଚିରଦୁଃଖିନୀ ସତୀ ଜାନକୀଙ୍କର ଭକ୍ତ, ତାଙ୍କରି ଆଦର୍ଶରେ ଅନୁପ୍ରାଣିତ । ସେ ଜାଣନ୍ତି, ନିର୍ବାସିତା ବନବାସିନୀ ଦୋହଦବତୀ ସୀତା ଏକ ମୁହୂର୍ତ୍ତ ସୁଦ୍ଧା, ଭ୍ରମରେ ସୁଦ୍ଧା ପତି ନିନ୍ଦା କରି ନଥିଲେ–କରିଥିଲେ ନିଜ ଦୂରଦୃଷ୍ଟିକୁ । ଗୌରୀ ସେଇ ମହିମାମୟ ଆଦର୍ଶ ଆଗରେ ରଖି ଦିନ କଟାଉଥାନ୍ତି । ଗୌରୀଙ୍କ ପିତୃଗୃହରେ ଢେର୍ ଧନ ସମ୍ପତ୍ତି ଥିଲା, ନିଜର ଯଥେଷ୍ଟ ବସ୍ତ୍ର ଅଳଙ୍କାର ଥିଲା, ତାଙ୍କର ବୟସ ଥିଲା–ଭୋଗ-ବିଳାସ-ସାମଗ୍ରୀର ଅଭାବ ନଥିଲା । ତଥାପି ଏ ସମସ୍ତ ପ୍ରତି ଗୌରୀଙ୍କର ଆଦୌ ଦୃଷ୍ଟି, ଆସକ୍ତି ନାହିଁ । ସେ ନିରନ୍ତର ଧ୍ୟାନ କରୁଥିଲେ ପତି-ପଦ, ସତତ କାମନା କରୁଥିଲେ ପତି–ହିତ, ଅନବରତ ଅନୁଧ୍ୟାନ କରୁଥିଲେ ସୀତା-ଚରିତ୍ର ।

 

ବ୍ରଜକିଶୋର ଭାବିଥିଲେ, ସମ୍ପତ୍ତିଶାଳୀ ପାତ୍ରରେହିଁ କନ୍ୟା ସମର୍ପଣ କଲେ କନ୍ୟା ସୁଖ ଲାଭ କରିବ । କିନ୍ତୁ ପତି-ତ୍ୟକ୍ତା ଦୁହିତାର ଦୁରବସ୍ଥା ସନ୍ଦର୍ଶନରେ ସେ ବୁଝିପାରିଲେ, ତାଙ୍କର ସେହି ଭାବନା ଭ୍ରମାତ୍ମକ । ଐଶ୍ୱର୍ଯ୍ୟ ଓ ହୀରକଖଚିତ ଆଭରଣରେ ଯେ ଆଦୌ ସୁଖ ଶାନ୍ତି ନାହିଁ, ଏହା ବୁଝିବାକୁ ତାଙ୍କର ଆଉ ବାକି ରହିଲା ନାହିଁ । ବ୍ୟଭିଚାରୀ, ପଠାଣ-ପଦ-ଲେହନକାରୀ ବିନୋଦବିହାରୀଙ୍କୁ ବ୍ରଜକିଶୋର ଅନ୍ତର ସହିତ ଘୃଣା କରନ୍ତି–ଧୈର୍ଯ୍ୟଚ୍ୟୁତ ହୋଇ ପ୍ରିୟ କନ୍ୟାର ବୈଧବ୍ୟ କାମନା ପର୍ଯ୍ୟନ୍ତ କରିବାକୁ ଛାଡ଼ନ୍ତି ନାହିଁ । ତାଙ୍କ ପରିବାର ବିନୋଦଙ୍କର ସମସ୍ତ ଖବର ରଖନ୍ତି । ସେମାନେ ଜାଣିଥିଲେ, ବିନୋଦ କେବଳ ସୁରାପାୟୀ, ବାରାଙ୍ଗନା-ନିରତ, ପରଦାରାନୁରକ୍ତ ନୁହନ୍ତି–ସେ ମନୁଷ୍ୟକୁଳକଳଙ୍କ, ସ୍ଵଧର୍ମଦ୍ରୋହୀ ଓ ବିଶ୍ୱାସଘାତକ ।

 

ଜଣେ ଗ୍ରାମବାସୀ ବିନୋଦଙ୍କ ହାତ ଧରି ବ୍ରଜକିଶୋରଙ୍କ ଗୃହ ଦ୍ୱାରରେ ନେଇ ବସାଇ ଦେଲା । ପତିଙ୍କର ଶୋଚନୀୟ ଅବସ୍ଥା ଦେଖି ଗୌରୀଙ୍କର ପ୍ରାଣ ଫାଟିଗଲା । ବକ୍ଷରେ ଘନ ଘନ କରତାଡ଼ନ କରି, ନିଜ ଜୀବନକୁ ଶତ ଧିକ୍‍କାର କରି ସେ ଅଶ୍ରୁଭରା ନେତ୍ରରେ ବିଷାଦବ୍ୟଥିତ ସ୍ୱରରେ କହିଲେ–‘ହାୟ ! ଆଲୋକର ଶେଷ ଅଛି–ତୋ’ର କ’ଣ ଶେଷ ନାହିଁ ଅନ୍ଧକାର ?’ ତାଙ୍କର ଆଉ ବାକ୍‌ସ୍ଫୁତ୍ତି ହୋଇ ପାରିଲା ନାହିଁ, ସେ ମୂର୍ଛିତ ହୋଇ ପଡ଼ିଗଲେ । ବ୍ରଜକିଶୋରଙ୍କ ସ୍ତ୍ରୀ, ପୁତ୍ର ଓ ଦାସୀଗଣ ଗୌରୀଙ୍କ ଶୁଶ୍ରୂଷାରେ ଲାଗିଗଲେ । ଏଣେ ବ୍ରଜକିଶୋର ବିନୋଦଙ୍କ ସମକ୍ଷରେ ଠିଆ ହୋଇ ପ୍ରଶ୍ନ କଲେ–‘ପାପର ଫଳ ଭୋଗିଛ ବିନୋଦ ?’

 

ବିନୋଦ ଶ୍ୱଶୁରଙ୍କ ଚରଣରେ ପ୍ରଣତ ହୋଇ କାନ୍ଦି କାନ୍ଦି କହିଲେ–‘ଭୋଗିଛି ପିତା ! କିନ୍ତୁ ପୂର୍ଣ୍ଣ ଭାବରେ ନୁହେ । ହିନ୍ଦୁ ପ୍ରାଣ ଗ୍ରାମବାସୀଗଣ ମୋର ଜୀବନ ଶେଷ କରି ମୋର ଦୂଷିତ, କଳୁଷିତ ଦେହ ମାଟିରେ ମିଶାଇ ଦେଇଥିଲେ ମୋ ପାପର ପୂର୍ଣ୍ଣ ଫଳ ପାଇଥାନ୍ତି । କିନ୍ତୁ ହେଲା ନାହିଁ–ସେଇ ଶିକ୍ଷାପ୍ରଦ ଫଳରୁ ବଞ୍ଚିତ ହେଲି ।’

ବ୍ରଜକିଶୋରଙ୍କ ହୃଦୟ ଦୟାରେ ପରିପ୍ଳୁତ ହୋଇଗଲା–ତାଙ୍କର ଘୃଣା, କ୍ରୋଧ କେଉଁଆଡ଼େ ଉଭେଇ ଗଲା । ସେ ବିଷାଦ-ବିଦ୍ଧ ମନରେ ଠିଆ ହୋଇ ରହିଲେ ।

ବିନୋଦ : ପିତା ! ମୁଁ ଘୋର ପାପିଷ୍ଠ, ପାଷଣ୍ଡ, ନରହନ୍ତା ! ମୁଁ ଆପଣଙ୍କ ମନରେ ଦାରୁଣ କଷ୍ଟ ଦେଇଅଛି, ଆପଣଙ୍କ ପତିବ୍ରତା କନ୍ୟାଙ୍କ ପ୍ରାଣରେ କଠୋର ଯନ୍ତ୍ରଣା ଦେଇ ଅଛି । ଜାଣିଶୁଣି ମୁଁ ନିଜ ଆଖିରେ ଆଙ୍ଗୁଠି ଗେଞ୍ଜିଛି–ନିଜ ହାତରେ ଜିହ୍ୱା କାଟିଛି । ଏହାର ଉପଯୁକ୍ତ ଫଳ, ସମୁଚିତ ଶାସ୍ତି ମୁଁ ଭୋଗ କରିବି ନାହିଁ ତ, କରିବ ଆଉ କିଏ ? ଚକ୍ଷୁ ପାଇ ଅନ୍ଧ ଥିଲି; ବର୍ତ୍ତମାନ ଚକ୍ଷୁ ହରାଇ ଦିବ୍ୟ ଆଲୋକ ପାଇଅଛି–ଏହି ଆଲୋକ ବଳରେ ନିଜର ଭୟଙ୍କର ଭୁଲ୍ ବୁଝିପାରିଛି, ନିଜର ଦାରୁଣ ଦୁର୍ବଳତା ହୃଦୟଙ୍ଗମ କରିପାରୁଛି । ଏ ଧର୍ମଦ୍ରୋହୀ, ନରକ-କୀଟର ଅପରାଧ ମାର୍ଜନ କରନ୍ତୁ ପିତା ! ଆପଣଙ୍କ ପଦତଳେ ପଡ଼ି କ୍ଷମା ଭିକ୍ଷା କରିବାକୁ ଆସିଥିଲି; ବର୍ତ୍ତମାନ ବିଦାୟ ଦିଅନ୍ତୁ । ହିନ୍ଦୁ ଜଗତରେ ଯବନର ସ୍ଥାନ ନାହିଁ ।

ସେତେବେଳେ ପତି-ପ୍ରୀତି-ପାଗଳିନୀ ଆଲୁଳାୟିତକେଶା ବିଦୀର୍ଣ୍ଣ ହୃଦୟରେ ବାଷ୍ପାକୁଳ ଲୋଚନରେ ଧାଇଁ ଆସି ବିନୋଦଙ୍କ ପାଦରେ ହସ୍ତ ଓ ମସ୍ତକ ରଖି କାନ୍ଦିବାକୁ ଲାଗିଲେ-। ବିନୋଦ ହଠାତ ଠିଆ ହୋଇ ଅନୁତାପ-କୀର୍ଣ୍ଣ କଣ୍ଠରେ କହିଲେ–‘ମୋତେ ସ୍ପର୍ଶ କର ନାହିଁ ସତୀ-! ଧର୍ମଭ୍ରଷ୍ଟ ଆଚାରଭ୍ରଷ୍ଟ ଅଯୋଗ୍ୟ ପତିର କଳଙ୍କିତ ଅଙ୍ଗ ସ୍ପର୍ଶ କରି ତୁମର ନିଷ୍କଳଙ୍କ ଦେହ କଳୁଷିତ କର ନାହିଁ । ମୁଁ ତୁମର ପତି ବୋଲି ପରିଚୟ ଦେବାକୁ ଲଜ୍ଜିତ, କୁଣ୍ଠିତ । ତୁମର ପତି ନାହିଁ, ତୁମେ ବିଧବା । ବିଧବା, ବିଶୁଦ୍ଧ ବ୍ରହ୍ମଚାରିଣୀ ହୋଇ ପରପୁରୁଷ ପିଶାଚ ପଠାଣକୁ ଛୁଅଁ ନାହିଁ । ତୁମେ ମାନବୀ ନୁହ–ଦେବୀ । ମୁଁ ମନୁଷ୍ୟ ନୁହେଁ–ରାକ୍ଷସ । ତୁମେ ପତିପରାୟଣା ପୁଣ୍ୟହୃଦୟା ନିଷ୍ଠାପର ହିନ୍ଦୁ ଯୁବତୀ–ମୁଁ ପତ୍ନୀଦ୍ରୋହୀ ଚରିତ୍ରହୀନ ଯବନ ଯୁବକ । ବିପଥଗାମୀ ମ୍ଳେଚ୍ଛର ପାଦ ତୁମ କରସ୍ପର୍ଶର ଯୋଗ୍ୟ ନୁହେ–ତାହାର ମସ୍ତକ କିନ୍ତୁ ତୁମ ଚରଣଯୁଗଳର ଉପଯୁକ୍ତ ସ୍ଥାନ ।’

ଏହା କହି ସେ ଗୌରୀଙ୍କ ଚରଣ ପ୍ରାନ୍ତରେ ପଡ଼ିବାକୁ ଉଦ୍ୟତ ହେବାକ୍ଷଣି, ଗୌରୀ ତାଙ୍କ ହାତ ଧରି କହିଲେ–‘ଦେବତା ! ଦାସୀକୁ ଚରଣତଳେ ସ୍ଥାନ ଦିଅ, ହତାଶ କର ନାହିଁ । ବହୁ ଦିନ ପରେ ଆଜି ଚକ୍ଷୁ ଫେରି ପାଇଛି–ଦାସୀକୁ ପଦସେବାରୁ ବଞ୍ଚିତ କର ନାହିଁ ।’

ସେ ପତିଙ୍କ ହସ୍ତ ଧାରଣ କରି ତାଙ୍କୁ ଗୃହମଧ୍ୟକୁ ନେଉ ଅଛନ୍ତି, ଏହି ସମୟରେ ଧର୍ମଭୀରୁ ବ୍ରଜକିଶୋର କହିଲେ–‘ଗୌରୀ, ବିନୋଦ ଏବେ କୃପା-ପାତ୍ର ସତ; କିନ୍ତୁ ତାଙ୍କୁ ଘର ଭିତରକୁ ନିଅ ନାହିଁ–ସେ ଆଉ ହିନ୍ଦୁ ନୁହନ୍ତୁ ।’

ଗୌରୀ : ପିତା ! ପିତା ! ଏ କ’ଣ କହୁଛନ୍ତି ! ତୁମର ଜାମାତା ହିନ୍ଦୁ ନ ହେଲେହେଁ ବର୍ତ୍ତମାନ ତୁମ ଗୃହର ଅତିଥି ତ । ନିଷ୍ଠାବାନ ଅତିଥିପରାୟଣ ହିନ୍ଦୁ ହୋଇ ଆପଣ ହିନ୍ଦୁ ଧର୍ମ ଭୁଲି ଯାଉଛନ୍ତି, ଅତିଥି-ସେବା ପାସୋରି ଯାଉଛନ୍ତି ? ଆପଣ ଜାଣନ୍ତି, ବାରମ୍ବାର କହିଛନ୍ତି ଯେ, ପୁଣ୍ୟଭୂମି ଭାରତବର୍ଷରେ ଅତିଥି ଈଶ୍ୱର ତୁଲ୍ୟ, ପୂଜ୍ୟ, ମାନ୍ୟ । ଆର୍ଯ୍ୟଭୂମିର ଏ ନିୟମ ପରିବର୍ତ୍ତିତ ହୋଇପାରେ ପିତା ? ଯେଉଁ ହିନ୍ଦୁର ଆତିଥ୍ୟ ନିକଟରେ ଦେବତାମାନେ ମଧ୍ୟ ଶିର ନତ କରିଛନ୍ତି, ସେହି ହିନ୍ଦୁ ଆଜି ଅତିଥିକୁ ଅସମ୍ମାନ କରି ପାରିବ ? ଯେଉଁ ହିନ୍ଦୁ ଅତିଥିର ମନସ୍ତୁଷ୍ଟି ପାଇଁ ହର୍ଷୋତ୍‍ଉଫୁଲ୍ଲ ପ୍ରାଣରେ ସ୍ଵହସ୍ତରେ ନିଜ ସନ୍ତାନକୁ ବଳି ଦେଇ ପାରେ, ଯେଉଁ ହିନ୍ଦୁ ଆଶ୍ରିତର ରକ୍ଷା ସକାଶେ ନିଜ ରାଜ୍ୟ, ଜୀବନ ପର୍ଯ୍ୟନ୍ତ ବିପନ୍ନ କରି ଦେବତା ବିପକ୍ଷରେ ଅସ୍ତ୍ର ଉତ୍‌ଥିତ କରିପାରେ, ଯେଉଁ ହିନ୍ଦୁ କ୍ଷୁଧାର୍ତ୍ତର ଉଦର ପୂରଣପାଇଁ ନିଜ ଦେହର ମାଂସ ନିଜ ହସ୍ତରେ କାଟି ଅକାତର ହୃଦୟରେ ଅକମ୍ପିତ ହସ୍ତରେ ପ୍ରଦାନ କରିପାରେ, ସେହି ଆତ୍ମତ୍ୟାଗୀ ପୁତପ୍ରାଣ ହିନ୍ଦୁର ଦ୍ୱାରକୁ ଆସି ଆଜି ଆଶ୍ରୟାର୍ଥୀ ଅତିଥି ବିମୁଖ ହେବ ? କଦାପି ନୁହେ–ଏହା କେବେ କରାଇ ଦେବି ନାହିଁ । ଏଥରେ ଯଦି ମୋର ମରଣ ହୁଏ, ହେଉ–ସେ ମରଣ ନୁହେ, ଅକ୍ଷୟ ଅନନ୍ତ ଜୀବନ । ଭାରତର ସେଇ ଆଶ୍ରିତ ପାରାୟଣ ଅତିଥିବତ୍ସଳ ମହାତ୍ମାମାନେ ଦେହ ତ୍ୟାଗ କରିଛନ୍ତି–ସେ କେଉଁ ଯୁଗର କଥା ! ଯୁଗ ପରେ ଯୁଗ ଚାଲି ଯାଇଛି, ନୂତନ ଆସୁଛି, ତଥାପି ସେମାନଙ୍କର, ନାମ ଅମ୍ଳାନ । ଯୁଗ ପରେ ଯୁଗ ଆସିବ, ଅଥଚ ସେମାନଙ୍କର ପବିତ୍ର ନାମ ଧ୍ୱନିତ ହେବ ଚିର ଦିନ ।

ପରିବାରର ସମସ୍ତେ କିଛି ସମୟ ଗୌରୀଙ୍କର ପୁଣ୍ୟାଙ୍କିତ ପ୍ରଭାମଣ୍ଡିତ ମୁଖ ପ୍ରତି–ଦେବୀବୋଧରେ, ସଜୀବ ଉତ୍କଳ-ଲକ୍ଷ୍ମୀ ଜ୍ଞାନରେ–ଶ୍ରଦ୍ଧାପୂର୍ଣ୍ଣ ନେତ୍ରରେ ଅନାଇ ରହିଲେ ସ୍ତବ୍ଧ ଚକିତ ହୋଇ । ପରେ ବ୍ରଜକିଶୋର ବିନୋଦଙ୍କୁ କହିଲେ–“ଯାହା ହେବାର ହୋଇ ଯାଇଛି । ଏହି ଅବସ୍ଥାରେ ତୁମେ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ । ଏ ପଲ୍ଲୀରେ ତୁମକୁ ଖଣ୍ଡିଏ ଘର ଦେଉଛି, ରହ–ତୁମର କୌଣସି ଅଭାବ ହେବ ନାହିଁ ।’

ବିନୋଦ : ପୂଜନୀୟ ପିତା ! ‘ଯବନ ହିନ୍ଦୁ ଗ୍ରାମରେ ରହି ସମସ୍ତଙ୍କର ଚକ୍ଷୁ ଶୂଳ, ଆପଣଙ୍କର ଗଳଗ୍ରହ ହେବ ନାହିଁ । ପଠାଣକୁ ଚିର ବିଦାୟ ଦିଅନ୍ତୁ–ସେ ବାଟରେ ଭିଖାରି ହୋଇ ସ୍ୱକୃତ ପାପର ପ୍ରାୟଶ୍ଚିତ୍ତ କରିବ ।’

ଏହା କହି ବିନୋଦବିହାରୀ ଶ୍ୱଶୁରଙ୍କୁ ପ୍ରଣାମ କରି ଗୃହତ୍ୟାଗ କରିବାକୁ ସମୁଦ୍ୟତ ହେବାମାତ୍ରକେ, ଗୌରୀ ବିନୋଦଙ୍କୁ କହିଲେ–“ଦେବତା ! ଆପଣ ଯବନ ହେବା ଦିନୁ ମୁଁ ବି ଯବନୀ ହୋଇ ଅଛି । ବର୍ତ୍ତମାନ ଆପଣଙ୍କର ଯେଉଁ ଗତି ମୋରବି ସେ ଗତି ! କାୟାକୁ ଛାୟା ଛାଡ଼ି ନ ପାରେ । ଆପଣ ଯେଉଁଆଡ଼େ ଯିବେ, ସେଠାକୁ ଏ ଦାସୀକୁ ସଙ୍ଗେ ନେଇ ଚାଲନ୍ତୁ–ନିରାଶ କରନ୍ତୁ ନାହିଁ ।’

ପରେ ବିନୋଦବିହାରୀ ଓ ଗୌରୀ ସମସ୍ତଙ୍କ ନିକଟରୁ ବିଦାୟ ଗ୍ରହଣ କରି ପଲ୍ଲୀ ପରିତ୍ୟାଗ କଲେ । ଗୌରୀ ପତିଙ୍କ ହାତ ଧରି ଚାଲିଲେ । ସେତେବେଳେ ବ୍ରଜକିଶୋରଙ୍କ ମନରେ ଯୁଗପତ୍ ସୁମଧୁର ବିଲ୍ୱମଙ୍ଗଳ–ସ୍ମୃତି ଜାଗ୍ରତ ହୋଇ ଉଠିଲା । ସେ ମନେ ମନେ କହିଲେ–

‘ବିଲ୍ୱମଙ୍ଗଳ ! ତୁମର ନାମ ସିନା ଅନୁତାପ !’

Image

 

ସନ୍ୟାସୀଙ୍କର ଭବିଷ୍ୟଦ୍‌ବାଣୀ

 

ସାରଥୀଗଡ଼ରୁ ପ୍ରାୟ ଦେଢ଼ କ୍ରୋଶ ଦୂରରେ, ବନ ମଧ୍ୟରେ ଭୈରବୀ ଦେବୀଙ୍କର ଭଗ୍ନ ମନ୍ଦିର । ଆବହମାନ କାଳରୁ ଦେବୀଙ୍କର ପୂଜା ଉପାସନା ଚଳି ଆସୁଥିଲା । ଆଗେ ଦେଶ ଦେଶାନ୍ତରରୁ କେତେ ସାଧୁ ସନ୍ୟାସୀ ଆସି ଭୈରବୀଙ୍କ ଚରଣରେ ଭକ୍ତି-ପୁଷ୍ପାଞ୍ଜଳି ଅର୍ପଣ କରୁଥିଲେ ! କେତେ ଭକ୍ତ ସାଧକ ଛାଗ ମହିଷ ବଳି ଦେଇ ଷୋଡ଼ଶଉପଚାରରେ ଦେବୀଙ୍କର ପୂଜା କରୁଥିଲେ ! କିନ୍ତୁ ଯେଉଁ ସମୟର ଘଟନା ବର୍ଣ୍ଣିତ ହେଉଅଛି, ସେତେବେଳେ ମନ୍ଦିରର ଅବସ୍ଥା ସାତିଶୟ ଶୋଚନୀୟ ଥିଲା–ମନ୍ଦିର ଚତୁଃପାର୍ଶ୍ୱର ଚତ୍ୱର ଖସି ପଡ଼ିଥିଲା, ଉପରିଭାଗରେ ବିବିଧ ବୃକ୍ଷରାଜି ସତେଜ ମସ୍ତକ ଉନ୍ନତ କରି ଉଠିଥିଲା ଏବଂ ଖିଲାଣ ଭେଦ କରି ରାଶି ରାଶି ବୃକ୍ଷମୂଳ ମନ୍ଦିର ଭିତରେ ଝୁଲୁଥିଲା ! ହିନ୍ଦୁ-ଦେବ-ଦେବୀ-ଦ୍ୱେଷୀ ପଠାଣମାନେ ମନ୍ଦିର ଭାଙ୍ଗି ତାହାର ପ୍ରସ୍ତର ସବୁ ନେଇ ମସ୍‌ଜିଦ ସୋପାନାବଳୀ ନିର୍ମାଣ କରିଥିଲେ । ଭୈରବୀ ସୁଦୀର୍ଘ ଉପବାସ ସହ୍ୟ କରି–କେବେ କେବେ କେଉଁ ଭକ୍ତ ସନ୍ୟାସୀ ଆସି ପୂଜା ଆରାଧନା କରିବେ, ଏବ ଆଶାରେ–ସେହି ବିଜନ ମନ୍ଦିର ମଧ୍ୟରେ ଅବସ୍ଥିତ ଥିଲେ । ମନ୍ଦିର ମଧ୍ୟରେ ନୃମୁଣ୍ଡମାଳିନୀ ଖଡ଼୍‍ଗ-ଖର୍ପର-ଧାରଣୀ ଭୈରବୀ ଦେବୀଙ୍କର ପାଷାଣମୟ ବରାଭୟକର ମୂର୍ତ୍ତି–ଦର୍ଶକ ମନରେ ଯୁଗପତ୍ ଭୟ ଓ ଭକ୍ତିର ସଞ୍ଚାର କରିଦିଏ । ଏପରି ମୂର୍ତ୍ତି ସଚରାଚର ଦୃଷ୍ଟ ହୁଏ ନାହିଁ । ବିଗ୍ରହର ଶିଳ୍ପୀ ଯେ ସାଧାରଣ ନୁହେ, ଏହା ଗଠନ-ପ୍ରଣାଳୀ ଓ ସର୍ବାଙ୍ଗ-ସୁନ୍ଦର ସମ୍ପନ୍ନ-ଶୋଭା (finish) ଦେଖି ସ୍ପଷ୍ଟ ପ୍ରତିପନ୍ନ ହୁଏ ।

 

ଅମାବାସ୍ୟା ରାତ୍ରି । ଚତୁର୍ଦ୍ଦିଗରେ ଅନ୍ଧକାର–ତେବେ ଅନ୍ଧକାର ସେତେ ଗାଢ଼ ନୁହେ । ରାଣୀ କମଳସୁନ୍ଦରୀ କେତେକ ଜଣ ଅନୁଚର ଓ ଦାସୀଙ୍କୁ ସଙ୍ଗେ ନେଇ–ଦେଶର ସୌଭାଗ୍ୟ କାମନାରେ ଭୈରବୀଙ୍କ ପୂଜା କରିବା ଉଦ୍ଦେଶ୍ୟରେ–ସେହି ମନ୍ଦିର ପ୍ରତି ଅଗ୍ରସର ହେଲେ । ତାଙ୍କର ଅନୁଚରଦଳ ନକ୍ଷତ୍ରମାଳା-ଦୀପ୍ତ କ୍ଷୀଣାଲୋକରେ ମଶାଲ–ଆଲୋକ ମିଳାଇ ବନ-ପଥ ଆଲୋକିତ କରି ଚାଲିଲେ । ଦେଖୁ ଦେଖୁ ସମସ୍ତେ ମନ୍ଦିରରେ ଉପନୀତ ହେଲେ । ରାଣୀଙ୍କର ଅନୁଚରବର୍ଗ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ମନ୍ଦିରର ଧ୍ୱଂସାବଶିଷ୍ଟ ବେଦି ଚତୁର୍ଦ୍ଦିଗରେ ଉପବେଶନ କଲେ । ରାଣୀ ଜଣେ ପରିଚାରିକା ସହିର ଅନ୍ଧକାରମୟ ମନ୍ଦିର ମଧ୍ୟରେ ଧୀରେ ଧୀରେ ପ୍ରବେଶ କଲେ । ତାଙ୍କ ପଛେ ପଛେ ଜଣେ ସନ୍ୟାସୀ ପ୍ରବିଷ୍ଟ ହୋଇ ଦ୍ୱାର ନିକଟରେ ଉପବିଷ୍ଟ ହେଲେ–ତାଙ୍କ ପ୍ରତି ରାଣୀଙ୍କର ଦୃଷ୍ଟିପାତ ହୋଇ ନାହିଁ ।

 

ରାଣୀଙ୍କ ଆଦେଶରେ ଦାସୀ ଦେବୀଙ୍କ ସମ୍ମୁଖରେ ଦୀପ ଜାଳି ରଖିଲା । ଏହା ସେହି ପୁରାକାଳର ଏରଣ୍ଡ-ତୈଳ-ପ୍ରଦୀପ–ଯାହା ଆଜିକାଲି ପ୍ରାୟ ଲୁପ୍ତ ହେବାକୁ ବସିଅଛି, ଯାହା ଆଧୁନିକ ଶିକ୍ଷିତ ସମ୍ପ୍ରଦାୟର ନାସିକାକୁଞ୍ଚନ ଓ ଉପହାସର ବସ୍ତୁ ହୋଇଅଛି ଏବଂ ଯାହା ଏମାନଙ୍କ ମତରେ ଅସଭ୍ୟତାର ଏକ ଚିହ୍ନ । ଏହି ଦୀପାଲୋକର ଯେଉଁ ସ୍ନିଗ୍‌ଧତା ଓ କମନୀୟତା ଅଛି, ତାହା ବିଜୁଳି-ବତିରେ ପାଇବା କଠିନ । ଯଦି କୌଣସି ପ୍ରକାରେ ଆଜିକାଲି ପୂର୍ବପୁରୁଷ-ପ୍ରଚଳିତ ଏହି ଅସଭ୍ୟ (?) ଆଲୋକର ବହୁଳ ବ୍ୟବହାର ହୁଅନ୍ତା, ତାହାହେଲେ ହୁଏତ ନବ୍ୟ-ସଭ୍ୟତା-ପୁଷ୍ଟ, ପାଶ୍ଚାତ୍ୟ-ଶିକ୍ଷା-ଗଠିତ ଯୁବକ-ଯୁବତୀ-ମହଲରେ ଅଗଣିତ ଉପଚକ୍ଷୁର ଉପଦ୍ରବ ଆଉ ଘଟନ୍ତା ନାହିଁ । ବୈଦ୍ୟୁତିକାଲୋକ ସୁଲଭ, ସୁନ୍ଦର ଓ ପରିଷ୍କାର ସତ; କିନ୍ତୁ ତାହା ଯେ ମନୁଷ୍ୟକୁ ମୁଗ୍ଧ କରି ଅଜ୍ଞାତସାରରେ କ୍ରମଶଃ ତାହାର ଦୃଷ୍ଟିଶକ୍ତି ଅପହରଣ କରି ତାହାକୁ ବାର୍ଦ୍ଧକ୍ୟସୁଲଭ ଦୃଷ୍ଟି ଦୌର୍ବଲ୍ୟ ଉପହାର ଦିଏ, ତାହା ଅବଧାନ କରିବାର ଅବକାଶ ଆମମାନଙ୍କର ଆଦୌ ନାହିଁ । ବିଜ୍ଞାନ-ଗରିମା-ଗର୍ବିତ ବ୍ୟକ୍ତିମାନେ ଅଧିକ ଆଲୋକ ପାଇବା ଉଦେଶ୍ୟରେ ବିଜୁଳି ଆଲୋକ ପ୍ରତି ଅନୁରକ୍ତ ହେବା ସଙ୍ଗେ ସଙ୍ଗେ ସେମାନେ ଯେ ଧୀରେ ଧୀରେ ସଭ୍ୟତା ଖର୍ପରରେ ନିଜ ନିଜର ଜୀବନାଲୋକ ବଳି ଦେଉଛନ୍ତି, ସେଥିପ୍ରତି କାହାର ଦୃଷ୍ଟି ଅଛି ?

 

ତୈଳ-ପ୍ରଦୀପର ସ୍ନିଗ୍‌ଧାଲୋକ କାଳୀ-ମୂର୍ତ୍ତି ମୁଖରେ ପଡ଼ି ମୃଦୁ ସୌନ୍ଦର୍ଯ୍ୟର ସୃଷ୍ଟି କଲା । ରାଣୀ ଦେବୀଙ୍କୁ ଭକ୍ତିପୂର୍ଣ୍ଣ ହୃଦୟରେ ପୁଷ୍ପ, ଚନ୍ଦନ, ସିନ୍ଦୂର, ପଟ୍ଟବସ୍ତ୍ରାଦି ଅର୍ପଣ କରି ପ୍ରତିମା ସମ୍ମୁଖରେ କୃତାଞ୍ଜଳି ପୁଟରେ ଠିଆ ହୋଇ କୋମଳ ବାଦ୍ୟଝଙ୍କାରମୟ, ଭକ୍ତି ଗଦ୍‌ଗଦ କଣ୍ଠରେ ‘‘ଚତୁର୍ଭୁଜା କୃଷ୍ଣବର୍ଣ୍ଣା ମୁଣ୍ଡମାଳାବିଭୂଷିତା, ଖଡ଼୍‌ଗଞ୍ଚ ଦକ୍ଷିଣେ ପାଣୌ ବିଭ୍ରତୀନ୍ଦୀବରଦ୍ୱୟଂ-।’’ ଇତ୍ୟାଦି ସ୍ତବସ୍ତୁତି ଆବୃତ୍ତି କରିବା ପରେ କହିଲେ–‘ଦନୁଜଦଳନି, ଜଗଜ୍ଜନନି ! ସନ୍ତାନର କୋମଳ ମସ୍ତକରେ କଠୋର ଅଭିଶାପ ଢାଳିବାକୁ ଯାଉଛୁ କାହିଁକି ମା ? ସମ୍ବରଣ କର ମା ଏ ନୟନାଗ୍ନି, ସଞ୍ଜତ କର ମା ଏ ଅଭିଶାପାନଳ । ଶତ୍ରୁ-ସିଂହାରିଣୀ ! ପୁନଃପୁନଃ ଶତ୍ରୁ ଆଘାତରେ କ୍ଷୀଣ ଦୁର୍ବଳ ଶ୍ରାନ୍ତ କ୍ଳାନ୍ତ ଓଡ଼ିଆକୁ ଶକ୍ତି ଆଶିଷ ଦେ ମା ! ଭକ୍ତର ପ୍ରାର୍ଥନା ପୂର୍ଣ୍ଣ କର ମା । ଲଲାଟରେ ଦେ ମା ଜୟ-ଟିକା–ବକ୍ଷରେ ଦେ ଦୁର୍ଜୟ ସାହସ–ବାହୁରେ ଦେ ମା ଅସୀମ ଶକ୍ତି । ମା ହର-ହୃଦୟ-ବିହାରିଣୀ !

 

ଓଡ଼ିଆକୁ ରକ୍ଷା କର, ଓଡ଼ିଶାର ପୁତ ଅଙ୍ଗ ପବିତ୍ର ରଖ, ହିନ୍ଦୁର ହିମାଳୟ-ଶିଖରସମ ଉଚ୍ଚ ଶିର ଚିର ସମୁନ୍ନତ ରଖ ମା ! ତୋ ଦୀନ ଭକ୍ତର ଭକ୍ତି-ଅର୍ଘ୍ୟ, ହୃଦୟ-ରକ୍ତ-ସିକ୍ତ ପୁଷ୍ପାଞ୍ଜଳି ନେ ମା । ତୀକ୍ଷ୍ଣାସ୍ତ୍ରଧୃତା ଡାକିନୀ-ଯୋଗିନୀ-ପରିବୃତା ଶକ୍ତିଶାଳିନୀ ଜନନୀର ସନ୍ତାନ ହୋଇ ଆମେମାନେ ଶକ୍ତିଶୂନ୍ୟ ହେବୁ ମା ?’

 

ରାଣୀଙ୍କ ଉଜ୍ଜ୍ୱଳ ଉତ୍‌ଫୁଲ୍ଲ ନୟନରୁ ଦରବିଗଳିତ ଅଶ୍ରୁଧାରା ବହି ତାଙ୍କ ବକ୍ଷର ରକ୍ତ ବସନ ସିକ୍ତ କରିଦେଲା–ତାଙ୍କ ଶରୀର ସ୍ୱେଦରୋମାଞ୍ଚିତ ହୋଇ ଉଠିଲା,–ହୃଦୟ ସ୍ଫୀତ, ନାସାରନ୍ଧ୍ର ସ୍ପନ୍ଦିତ ହେଲା । ଗୋଟିଏ ଅପୂର୍ବ ଭାବାବେଶରେ ସେ ଚକ୍ଷୁ ନିମୀଳିତ କରି କିଛି ସମୟ ଊର୍ଦ୍ଧ୍ୱକୁ ଦୃଷ୍ଟିପାତ କରି ରହିଲେ ।

 

ପ୍ରଦୀପାଲୋକରେ ରାଣୀଙ୍କର ଭକ୍ତି-ରସ-ଶାଣିତ ପୁଣ୍ୟାଭାମଣ୍ଡିତ ବଦନମଣ୍ଡଳର କଳ୍ପନା-ବହିର୍ଭୂତ ସୌନ୍ଦର୍ଯ୍ୟ ଦେଖି ସନ୍ୟାସୀ ଏକାବେଳକେ ବିସ୍ମିତ ! ସେ ମନେ ମନେ କହିଲେ–‘ଇନ୍ଦ୍ରାଣୀ ! କିଏ କହେ କେବଳ ତୁମେ ସୁଖିନୀ, ମହାସୌଭାଗ୍ୟଶାଳିନୀ ? ଏପରି ସରଳ ଅନାବିଳ ଭକ୍ତି-ଧାରା ଯେଉଁ ଦେଶରେ ବହିଯାଏ, ସେ ଦେଶହିଁ ସ୍ୱର୍ଗ ସିନା ! ଏପରି ପୁତ୍ର କନ୍ୟା ଯାହାର, ସେ ଜନନୀହିଁ ବାସ୍ତବିକ ସୌଭାଗ୍ୟଶାଳିନୀ ! କିଏ କହେ ଓଡ଼ିଶାରେ ମନୁଷ୍ୟ ନାହିଁ, ହୃଦୟ ନାହିଁ, ଜୀବନ ନାହିଁ ? କିଏ କହେ ଓଡ଼ିଆ ନାରୀ ଭୟବିହ୍ୱଳା, ଦୁର୍ବଳା ? କିଏ କହେ ଓଡ଼ିଆ କାପୁରୁଷ, ଭୀରୁ ?’

 

ଭକ୍ତି-ପରିପ୍ଳୁତ ହୃଦୟରେ ରାଣୀ ଭୈରବୀ ଦେବୀଙ୍କ ରୁଧିର ରଞ୍ଜିତ ପଦ କମଳରେ କୁସୁମାଞ୍ଜଳି ପ୍ରଦାନ କରି ସାଷ୍ଟାଙ୍ଗ ପ୍ରଣିପାତ କରି ଡାକିଲେ–‘ମା, ମା, ମା !’ ଶେଷରେ ଉଠି ସେ ମନ୍ଦିରାଭ୍ୟନ୍ତରରୁ ଫେରିବାକୁ ଉଦ୍ୟତ ହୋଇଅଛନ୍ତି, ଏପରି ସମୟରେ ଦେଖିଲେ, ସନ୍ୟାସୀ ଦ୍ୱାର ଦେଶରେ ଦଣ୍ଡାୟମାନ । ସେ ସନ୍ୟାସୀଙ୍କର ନିକଟବର୍ତ୍ତିନୀ ହୋଇ ତୀକ୍ଷ୍ଣ ଦୃଷ୍ଟିରେ ତାଙ୍କୁ ନିରୀକ୍ଷଣ କରିବାକୁ ଲାଗିଲେ । ଦେଖିଲେ, ସନ୍ୟାସୀଙ୍କର ବିଶାଳ ଜଟାଭାର ଭୂଲୁଣ୍ଠିତ । ତାଙ୍କ ପରିଧାନରେ ବସନ ନାହିଁ, କେବଳ ବ୍ୟାଘ୍ରଚର୍ମ । ହାତରେ ଚିମୁଟା ନାହିଁ–ଗୋଟିଏ କ୍ଷୁଦ୍ରାକାୟ ତ୍ରିଶୂଳ ମାତ୍ର । ଅଙ୍ଗ ବିଭୂତି-ବିଲେପିତ, ରୁଦ୍ରାକ୍ଷ-ଶୋଭିତ । ରାଣୀଙ୍କ ମନରେ ଭକ୍ତିର ଉଦ୍ରେକ ହେଲା–ସେ ସନ୍ୟାସୀଙ୍କୁ ପ୍ରଣାମ କଲେ ।

 

ସନ୍ୟାସୀ ମନ୍ଦହାସାଙ୍କିତ ମୁଖରେ ସ୍ନେହାପ୍ଳୁତ ସ୍ୱରରେ ରାଣୀଙ୍କୁ ସମ୍ୱୋଧନ କରି କହିଲେ,–‘ଆଶୀର୍ବାଦ କରୁଛି ମା ତୁମେ ଯେଉଁ ବ୍ରତ ଗ୍ରହଣ କରିଅଛ, ତାହା ସଫଳ ହେଉ, ତୁମେ ରାଜ୍ୟେଶ୍ୱରୀ ହୁଅ ।’

 

ରାଣୀ : ଆମେମାନେ ରାଜ୍ୟାଭିଳାଷୀ ନୋହୁଁ । ଆପଣଙ୍କର ଐଶ୍ୱରୀକ ଶକ୍ତି ଅଛି, ଆପଣଙ୍କର ଅଜଣା ଅଛି କ’ଣ ? ଜାଣିଛନ୍ତି, ଦେଖୁଛନ୍ତି–ଦେଶବକ୍ଷରେ ବ୍ୟଭିଚାର-ସ୍ରୋତ ପ୍ରବାହିତ, ଓଡ଼ିଆର ଧନ ମାନ ଧର୍ମ ଛଳେ ବଳେ ଅପହୃତ, ହିନ୍ଦୁ ଦେବାଳୟ ମସ୍‌ଜିଦରେ ପରିଣତ, ଓଡ଼ିଶାର ପ୍ରତି ନଗରରେ ପ୍ରତି ପଲ୍ଲୀରେ ମର୍ମଭେଦୀ କ୍ରନ୍ଦନ-ରୋଳ ଉତ୍‌ଥିତ । ଏପରି ଅବସ୍ଥାରେ ଆମେ ରାଜ୍ୟ ଜିଣି କରିବୁ କ’ଣ ?

 

ସନ୍ୟାସୀ : କ’ଣ ଚାହଁ ତେବେ ?

 

ରାଣୀ : ଓଡ଼ିଶାର ମଙ୍ଗଳ ? ଓଡ଼ିଶାର ସୁଖ ଶାନ୍ତି !!

 

ସନ୍ୟାସୀ : ଓଡ଼ିଶାର ମଙ୍ଗଳ ? ଓଡ଼ିଶାର ଆଉ କଲ୍ୟାଣ ନାହିଁ ରାଣୀ ! ଓଡ଼ିଆ ଭାଗ୍ୟରେ ଆଉ ସୁଖ ଶାନ୍ତି ନାହିଁ । ଅଭିଶପ୍ତ ଓଡ଼ିଶା ଯେ ବିଦେଶୀ-ବିଜାତି-ପଦ ମର୍ଦ୍ଦିତ ହୋଇ ରହିବ । ଅବଶ୍ୟ ବର୍ତ୍ତମାନ ଯୁଦ୍ଧରେ ତୁମେମାନେ ଜୟୀ ହେବ, ପଠାଣର ପରାଜୟ ହେବ; କିନ୍ତୁ ମୁସଲମାନ-ଶାସନର ଅବସାନ ଏହିକ୍ଷଣି ହେବ ନାହିଁ । କେତେକ ବର୍ଷ ପରେ ଓଡ଼ିଶାରେ ହେବ ପଠାଣରାଜତ୍ୱର ଶେଷ, ମରହଟ୍ଟା-ଶାସନର ପ୍ରାଦୁର୍ଭାବ । ହାୟ ! ମରହଟ୍ଟା-ପ୍ରପୀଡ଼ିତ ଓଡ଼ିଶାରେ ପୁଣି ଉଠିବ ଆର୍ତ୍ତନାଦ ନାରୀନିର୍ଯାତନ, ଦେବାଳୟ-ଧ୍ୱଂସ ଯୋଗେ ନୁହେ–ଭୀଷଣ ଲୁଣ୍ଠନ, କଦର୍ଯ୍ୟ ଚୌର୍ଯ୍ୟ ଯୋଗେ । ଗଜପତିମାନଙ୍କ ସମୟରେ ଯେଉଁ ଓଡ଼ିଶା ସୁଫଳା ଶସ୍ୟଶାମଳା ଥିଲା, ତାହା ହେବ ଦାରୁଣ ଦୁର୍ଭିକ୍ଷର କ୍ରୀଡ଼ାଭୂମି, ଚୋରି ଡକାୟତି, ନରହତ୍ୟାର ନୃତ୍ୟ ପ୍ରାଙ୍ଗଣ । ମରହଟ୍ଟା-ଭୟରେ ଲୋକେ କାତର ଚିତ୍ତରେ ଗ୍ରାମ ନଗର ତ୍ୟାଗ କରି ବନଜଙ୍ଗଲ, ଗିରି ଗୁହାରେ ଆଶ୍ରୟ ଖୋଜି ବୁଲିବେ–ଶତ ଶତ ଗ୍ରାମ ଜନଶୂନ୍ୟ ହୋଇପଡ଼ିବ, ପ୍ରଜାଙ୍କର କରୁଣ କ୍ରନ୍ଦନ–ଧ୍ୱନିରେ ସାରା ଦେଶ ନିନାଦୀତ ହେବ ।

 

ରାଣୀ : ଆଉ କହନ୍ତୁ ନାହିଁ ସନ୍ୟାସୀ ! ଏପରି ଅଧଃପତନ ଘଟିବା ଆଗରୁ ଓଡ଼ିଶା ସମୁଦ୍ର-ଗର୍ଭରେ ନିମଗ୍ନ ହେଉ ।

 

ସନ୍ୟାସୀ : ବିଚଳିତ ହେବାର କୌଣସି କାରଣ ନାହିଁ ମା । ସବୁ ଭଗବାନ୍‍ଙ୍କର ବିଚିତ୍ର ଲୀଳା ଖେଳା ! ଇଚ୍ଛାମୟଙ୍କର ଇଚ୍ଛା ପୂର୍ଣ୍ଣ ହେବଇ ହେବ । ଣୁଣିଯାଅ ରାଣୀ ନିବିଷ୍ଟ ମନରେ ଦେଶର ଭବିଷ୍ୟତ୍ କାହାଣୀ ।

 

ରାଣୀ : କୁତ୍ସିତ ମରହଟ୍ଟା-ଶାସନର ଆଉ କ’ଣ ଅବସାନ ହେବନାହିଁ ସନ୍ୟାସୀ ?

 

ସନ୍ୟାସୀ : ହେବ ନିଶ୍ଚୟ । କେଉଁ ଶାସନ ପୃଥିବୀ ବକ୍ଷରେ ଚିରଦିନ ତିଷ୍ଠିପାରେ ରାଣୀ-? ମରହଟ୍ଟାମାନଙ୍କ ପରେ ପୃଥିବୀର ପଶ୍ଚିମ ପ୍ରାନ୍ତରୁ ଶ୍ୱେତଦ୍ୱୀପବାସୀଗଣ ବଣିକବେଶରେ ଭାରତକୁ ଆସି ସୁବିଶାଳ ସାମ୍ରାଜ୍ୟ ସଂସ୍ଥାପନ କରିବେ । ସେମାନଙ୍କ ଶାସନରେ ଦେଶରେ ସ୍ତ୍ରୀମାନେ ପୂର୍ବପରି ଧର୍ମଭ୍ରଷ୍ଟ ହେବେ ନାହିଁ–ଦେବମନ୍ଦିର ଧ୍ୱସ୍ତ, କଳୁଷିତ ହେବ ନାହିଁ,–ପ୍ରଜାମାନଙ୍କର ଧନ ସମ୍ପତ୍ତି ପୂର୍ବ ପରି ଆଉ ଲୁଣ୍ଠିତ, ଅପହୃତ ହେବ ନାହିଁ । କେବେ କେବେ ଅବଶ୍ୟ ଦେଶରେ ଅଶାନ୍ତି ବିଦ୍ରୋହ ଉପସ୍ଥିତ ହେବ; ତେବେ ତାହା ଦୀର୍ଘ କାଳସ୍ଥାୟୀ ହେବ ନାହିଁ–ଚତୁର ବୁଦ୍ଧିମାନ୍ ଶାସକର ଯତ୍ନ ଓ କୌଶଳରେ ସବୁ ନିରାକୃତ ହେବ । ଦେଖୁଛି ମା, ଭବିଷ୍ୟତ୍‍ରେ ସମଗ୍ର ଦେଶରେ ବିଦ୍ୱେଷ ଓ ଅନୈକ୍ୟର ପ୍ରବାହ ଖେଳିବ । ଓଡ଼ିଆ ଜାତି ଦୁର୍ବଳ, ଅକର୍ମଣ୍ୟ ହୋଇ ପଡ଼ିବ–ନିଶ୍ଚେଷ୍ଟ ନିସ୍ପନ୍ଦ ଜୀବନ ଯାପନ କରିବ । ଦୁର୍ଭିକ୍ଷ ଓ ବନ୍ୟାର ତୀବ୍ର ତାଡ଼ନାରେ ଉତ୍କଳଜନନୀ ରୁଗ୍‌ଣା, ଅବସନ୍ନା ହୋଇ ବସିବ ।

 

ରାଣୀ : ଆହା ! ଓଡ଼ିଶାର ଆଉ ପରିତ୍ରାଣ ନାହିଁ, କଲ୍ୟାଣ ନାହିଁ !

 

ସନ୍ୟାସୀ : ପରିତ୍ରାଣ ନାହିଁ, କଲ୍ୟାଣ ନାହିଁ ! ଓଡ଼ିଶା ହେବ ସଂକୀର୍ଣ୍ଣତା, ପରଶ୍ରୀକାତରତା । ସ୍ୱାର୍ଥପରତା ଓ ଆଳସ୍ୟର ନିତ୍ୟ-ନିକେତନ, ବିଳାସ-ଭବନ, ଅନାହାର, ଦରିଦ୍ରତା ଓଡ଼ିଆ ଜାତିକୁ ବିକଳ ବିକଳାଙ୍ଗ କରି ପକାଇବ । ଓଡ଼ିଶାର ପ୍ରାଚୀନ ଗୌରବଜଡ଼ିତ ଜଗତପ୍ରସିଦ୍ଧ ଭାସ୍କର ବିଦ୍ୟା, ସ୍ଥପତି କଳା, ବାଣିଜ୍ୟ ବ୍ୟବସାୟ କ୍ରମଶଃ ବିଲୟ ପ୍ରାପ୍ତ ହେବ । ଓଡ଼ିଶାର ପୁରାଣ-ବିଶ୍ରୁତ ଇତିହାସ-ବିଖ୍ୟାତ ତୁଳନାରହିତ ସମରକୁଶଳତା, ବୀର୍ଯ୍ୟ ଶୌର୍ଯ୍ୟ, ଶକ୍ତି ସାହସ ସବୁ ଲୁପ୍ତ ହେବ । ଦେଶର ସକଳ ବନ୍ଦରର ବାଣିଜ୍ୟ ଓଡ଼ିଆ ହାତରୁ ଖସି ବୈଦେଶିକଦ୍ୱାରା ପରିଚାଳିତ ହେବ–ଓଡ଼ିଆମାନେ ଶୂନ୍ୟ ଦୃଷ୍ଟିରେ ଅନାଇ ରହିବେ । ସେମାନେ ବତ୍ସ, ଲବଣ, ମତ୍ସ୍ୟ, ପ୍ରସ୍ତର, ଆକର ଇତ୍ୟାଦି ସଂକ୍ରାନ୍ତ ବ୍ୟବସାୟ ହରାଇ, ଘରର ଜିନିଷ ପରକୁ ଦେଇ ଚେତନାହୀନ ପ୍ରାଣରେ ବସି ରହିବେ । ଉଦାସୀନତା ଓ ଅକର୍ମଣ୍ୟତା ଫଳରରେ ଓଡ଼ିଆର ମାନ ମହତ୍ତ୍ୱ, ଶିକ୍ଷା ଦୀକ୍ଷା ସବୁ ବିଲୀନ ହୋଇଯିବ–ରହିବ କେବଳ କେତୋଟି ଦେବମନ୍ଦିରକୁ ନେଇ ଅକିଞ୍ଚିତ୍‌ କର ଶୂନ୍ୟଗୌରବବୋଧ, ହାସ୍ୟାସ୍ପଦ ବୃଥା ଆସ୍ଫାଳନ, ନିରର୍ଥକ ଗର୍ବ ଅଭିମାନ । ହତଭାଗ୍ୟ ଓଡ଼ିଆ ଜାତି ଉପରେ ସାରା ଦେଶର ହେବ ବିଦ୍ରୂପ-ବାଣ-ବର୍ଷଣ । ଓଡ଼ିଆମାନେ ଶିକ୍ଷାହୀନତା ଓ ଔଦାସୀନ୍ୟ ଯୋଗେ ଜୀବନର ସକଳ କ୍ଷେତ୍ରରେ ଭାରତର ଅନ୍ୟାନ୍ୟ ଜାତିଙ୍କର ବହୁ ପଛରେ ରହିବେ–ପ୍ରବଳ ପ୍ରତିବେଶୀ ଜାତିମାନଙ୍କ ଦ୍ୱାରା ଲାଞ୍ଛିତ, ଉତ୍ପୀଡ଼ିତ ହୋଇ ଜୀବନ କଟାଇବେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସବୁ ଏକଶାସନାଧିନ ରହିବ ନାହିଁ–ଫଳତଃ ଓଡ଼ିଶା ଜାତିର ବଳକ୍ଷୟ ହେବ, ଉନ୍ନତି ମାର୍ଗରେ ପ୍ରବଳ ପ୍ରତିବନ୍ଧକ ଉପସ୍ଥିତ ହେବ ।

 

ଭାବୀ ଓଡ଼ିଶାରେ କରୁଣ କାହାଣୀ ଶୁଣି, କୁତ୍ସିତ ଚିତ୍ର ଦେଖି ରାଣୀଙ୍କର ହୃଦୟ ଏକାବେଳକେ ଅସ୍ଥିର ହୋଇ ପଡ଼ିଲା । ତାଙ୍କର ବିଭାମୟ ମୁଖମଣ୍ଡଳ ମଳିନ ହୋଇଗଲା–ବକ୍ଷ ଶଙ୍କା-ଶିହରିତ ହୋଇ ଉଠିଲା । ସେ ନିଶ୍ଚଳ ହୋଇ ଠିଆ ହେଲେ । ତାଙ୍କର ଉତ୍ସାହ, ଉତ୍ତେଜନା ଯେପରି କ୍ଷଣ କାଳ ପ୍ରଖର-ବାଧା-ପ୍ରାପ୍ତ ହୋଇ ପଡ଼ିଲା । ପରେ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ଘନବିଷାଦାଙ୍କିତ ମୁଖରେ ବେଦନାବିଦ୍ଧ କଣ୍ଠରେ ପ୍ରଶ୍ନ କଲେ–‘ତାହାହେଲେ ସନ୍ୟାସୀ, ଆମର ଏ ଉଦ୍ୟମ, ପରିଶ୍ରମର କ’ଣ କିଛି ଫଳ ନାହିଁ ?’

 

ସନ୍ୟାସୀ : ଜଗତରେ କୌଣସି କାର୍ଯ୍ୟ ନିଷ୍ଫଳ ହୁଏ ନାହିଁ, ଉଦ୍ୟମ ବୃଥା ଯାଏଁ ନାହିଁ ରାଣୀ ! ତୁମର ସାମାନ୍ୟ ଚିନ୍ତା, କ୍ଷୁଦ୍ର କାର୍ଯ୍ୟର ବିଫଳ ଅଛି–ବିନାଶ ନାହିଁ । ତୁମେ ଆଜି ଯାହା ଭାବିବ, ଯାହା କରିବ, ତାହା ଯୁଗଯୁଗାନ୍ତର ପରେ–ଯେତେବେଳେ ତୁମେ ପୁଣି ପୃଥିବୀରେ ଆବିର୍ଭୂତ ହେବ ସେତେବେଳେ ମଧ୍ୟ–ତୁମକୁ ଆଶାତିରିକ୍ତ, କଳ୍ପନାତୀତ ଫଳ ପ୍ରଦାନ କରିବ, ସନ୍ଦେହ ନାହିଁ । କର୍ମମୟ ସଂସାରରେ କର୍ମହିଁ ମାନବର ଏକମାତ୍ର ଲକ୍ଷ୍ୟ ରହିବା ଆବଶ୍ୟକ । କର୍ମରେ ବିରକ୍ତି, ବିରାମ, କ୍ଳାନ୍ତି ଓ ଔଦାସୀନ୍ୟ ଦେଖାଗଲେ, ତାହା ସୁଫଳ ପ୍ରସବ କରେ ନାହିଁ । ବୃଦ୍ଧିମାନ୍‌ ବ୍ୟକ୍ତି ଏକ ନିମେଷ ସୁଦ୍ଧା ଅବସାଦଗ୍ରସ୍ତ ହୁଏ ନାହିଁ, ସର୍ବଦା ଅନଳସ ହୋଇ ପ୍ରଚଣ୍ଡ ଉତ୍ସାହରେ କର୍ମନିରତ ରହିଥାଏ । ‘‘ନିୟତଂ କୁରୁ କର୍ମତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ, ଶରୀର–ଯାନ୍ତ୍ରାପି ଚତେନ ପ୍ରସିଦ୍ଧ୍ୟେଦକର୍ମଣଃ ।’’ ପ୍ରତିନିୟତ କର୍ମ କର । କର୍ମ ନ କରିବା ଅପେକ୍ଷା କର୍ମ କରିବାହିଁ ଭଲ । କର୍ମ ନକଲେ ଦେହ-ଯାତ୍ରା-ନିର୍ବାହ ହେବ ନାହିଁ ।

 

ରାଣୀ : ଭଲ ମନ୍ଦ ବିବେଚନା ନ କରି ଯେ କୌଣସି କର୍ମ କଲେ ଚଳିବ ?

 

ସନ୍ୟାସୀ : ସେ କଥା କହିବାକୁ ଯାଉଛି । ଯେତେବେଳେ ଆମେମାନେ କୌଣସି କାର୍ଯ୍ୟ ନ କରି ବସିଥାଉ, ସେତେବେଳେ ମଧ୍ୟ ଆମେମାନେ ପ୍ରକୃତରେ ବସି ରହୁ ନାହୁଁ–ମନ ବା ବୁଦ୍ଧି ବା ମୁଖ କିମ୍ବା ରସନା ଅଥବା ଅନ୍ୟ କୌଣସି ଇନ୍ଦ୍ରୟ ଯେ କୌଣସି କର୍ମରେ ରତ ହୁଏ । ସେତେବେଳେ ସ୍ୱଳ୍ପବୁଦ୍ଧି ଲୋକ ଶ୍ରେଷ୍ଠ କର୍ମ ନ କରି ଅକିଞ୍ଚିତ୍‌କର ଘୃଣ୍ୟ କର୍ମରେ ପ୍ରବୃତ୍ତ ରହି ଇନ୍ଦ୍ରିୟ ଓ ଆୟୁଃ କ୍ଷୟ କରନ୍ତି । କେବଳ ଜ୍ଞାନୀ ମହାପୁରୁଷଗଣ ପ୍ରତି ମୁହୂର୍ତ୍ତ ପରମ କର୍ମରେ ନିଜ ନିଜକୁ ନିୟୋଜିତ କରିଥାନ୍ତି । ମୂଢ଼ ଲୋକ ମୋହ-ତମସାଚ୍ଛନ୍ନ ରହି ବୃଥା କର୍ମରେ ଦିନାତିପାତ କରନ୍ତି–ବୁଦ୍ଧି-ବିଭ୍ରାଟ ଯୋଗେ ସମୟର ମୂଲ୍ୟ ବୁଝନ୍ତି ନାହିଁ ଏବଂ କର୍ମପ୍ରଭାବରେ ଜଗତକୁ ଆଲୋକିତ କରି ଜଗତ ମଧ୍ୟରେ ଶ୍ରେଷ୍ଠରୂପେ ଗଣ୍ୟ ହୋଇପାରନ୍ତି ନାହିଁ ।

 

ରାଣୀ : ତେବେ ଏ ବୁଦ୍ଧିପାଇଁ ଦାୟୀ କିଏ ?

 

ସନ୍ୟାସୀ : ମନୁଷ୍ୟ ନିଜେ । କେବଳ ଅଦୃଷ୍ଟ ପ୍ରତି ଦୋଷାରୋପ କରି ନିଶ୍ଚେଷ୍ଟ ହୋଇ ବସି ରହିଲେ ଚଳିବ ନାହିଁ । ଅଦୃଷ୍ଟ ଓ ପ୍ରାକ୍ତନ ବୋଲି ଯେଉଁ ଦିଓଟି ସହଜ ମାର୍ଗ ଅଛି, ତାହା ଉପରେ ଆମେମାନେ ସକଳ ଦୋଷ ଢାଳି ଦେଇ ନିଜ ନିଜ ମନଙ୍କୁ ପ୍ରବୋଧ ଦେଉ ଯେ, ଆମର କିଛି ଦୋଷ ନାହିଁ । ଏହା କିନ୍ତୁ ବୁଦ୍ଧିର ଅଳ୍ପତା ବ୍ୟତୀତ ଆଉ କିଛି ନୁହେ ।

 

ରାଣୀ : ମନେ କରନ୍ତୁ, ଏପରି ଜଣେ ବ୍ୟକ୍ତି ଅଛି ଯାହାର ହୃଦୟ ଆବିଳ, ଅଥଚ ସେ କର୍ମୀ । ଜଗତ ଦେଖେ କ’ଣ ? ତାହାର ହୃଦୟ ନା କର୍ମ ?

 

ସନ୍ୟାସୀ : କର୍ମ । ଜଗତରେ ଲୋକ ହୃଦୟ ଦେଖନ୍ତି ନାହିଁ, ଦେଖନ୍ତି କାର୍ଯ୍ୟ । ସମସ୍ତେ ଚାହାନ୍ତି କାର୍ଯ୍ୟକାରିତା । ଯେ ନିଷ୍କର୍ମା, ଯାହାଠାରୁ ଲୋକ ଉପକାର ପା’ନ୍ତି ନାହିଁ, ତାହାକୁ ଆବର୍ଜନାରୂପେ ସେମାନେ ଦୂରରେ ବିସର୍ଜନ କରନ୍ତି । ତଟିନୀ କଳକଳ ନାଦରେ ବହିଯାଏ–ଲୋକ କାନ ଡେରି ଶୁଣନ୍ତି ତାହାର ମୋହନ ମଧୁର ଗାନ, ଦେଖନ୍ତି ତାହାର ଶାନ୍ତିପ୍ରଦ ଶୋଭା, ପାନ କରନ୍ତି ତାହାର ସରସ ସ୍ନିଗ୍‌ଧ ସଲିଳ । ଜଗତ ଦେଖେ ନାହିଁ, ତଟିନୀ ଗର୍ଭରେ କେତେ କଙ୍କର କେତେ ପଙ୍କିଳତା ଲୁକ୍କାୟିତ ଅଛି । ଆକାଶରେ ଚନ୍ଦ୍ର ଉଦିତ ହୁଏ, ପୃଥିବୀବକ୍ଷରେ ରଜତ-ଶୁଭ୍ର ଆଲୋକ ବିଞ୍ଚ୍ଥିଦିଏ–ମାନବର ଅନ୍ଧ ନୟନକୁ ଆଲୋକ ଦାନ କରେ । ଲୋକ ତାହାର ସ୍ୱଚ୍ଛ ସରଳ ଜ୍ୟୋତ୍ସ୍ନାରେ ଅବଗାହନ କରନ୍ତି, ବିସ୍ମୟ–ବିମୁଗ୍ଧ ନେତ୍ରରେ ତାହାର ଅପରୂପ ରୂପ ଦେଖନ୍ତି କିନ୍ତୁ ଚନ୍ଦ୍ରମା-ଗର୍ଭରେ କି ଅନଳଦାହ ବା ବାଲୁକାସ୍ତୂପ ସଞ୍ଚିତ ରହିଅଛି, ସେଥିପ୍ରତି ଜଗତର ନଜର ନାହିଁ । ପୁଷ୍ପ ପ୍ରସ୍ଫୁଟିତ ହୁଏ, ସୌରଭରେ ଦଶ ଦିଗ ଆମୋଦିତ କରେ–ଚତୁର୍ଦ୍ଦିଗରେ ସୌନ୍ଦର୍ଯ୍ୟ-ତରଙ୍ଗ ଖେଳାଇ ଦିଏ । ମାନବ ତୃପ୍ତ ହୁଏ ତାହାର ମନୋମୁଗ୍‌ଧକର ସୌନ୍ଦର୍ଯ୍ୟରେ, ସୌରଭରେ-। ପୁଷ୍ପଦେହ ଯେ କୀଟଯୁକ୍ତ, କଣ୍ଟକଜଡ଼ିତ, ତାହା ଲୋକେ ଦେଖି ସୁଦ୍ଧା ଦେଖନ୍ତି ନାହିଁ-। ଉଦ୍ୟମଶୀଳ ନହେଲେ ସୁନ୍ଦର ସ୍ପଟିକସ୍ୱଚ୍ଛ ହୃଦୟରେ ମାଧୁରୀ, ତାହାର ମଧୁର ମୋହନ ତୁହିନ-ନିର୍ମଳ ହାସ୍ୟରେ ଶୋଭା କିଏ ଦେଖେ ନାହିଁ, ହୃଦୟଙ୍ଗମ କରେ ନାହିଁ । ଏପରି ମନୁଷ୍ୟ ଗୋଟିଏ କ୍ରୀଡ଼ନକ ଦ୍ରବ୍ୟ ମାତ୍ର ।

 

ରାଣୀ : ଆପଣଙ୍କ ପରି ମହାତ୍ମାମାନଙ୍କର ବହୁମୂଲ୍ୟ ଉପଦେଶରେ ମାନବ ବାହୁରେ ବଳ, ହୃଦୟରେ ଶକ୍ତି ସଞ୍ଚୟ କରି କର୍ମଶୀଳ ହେବଇ ହେବ । ଆପଣଙ୍କ ଆଶୀର୍ବାଦହିଁ ଶକ୍ତି, ସାହସ, ସବୁ ।

 

ରାଣୀ ବିଷଣ୍ଣ ବଦନରେ କିଛି ସମୟ ନୀରବ ରହି କହିଲେ–‘ଗିରି-ବନ-ପ୍ରଫୁଲ୍ଲା ବିହଙ୍ଗ-ତଟିନୀ-ମୁଖରିତା ଆମର ଏ ଜନ୍ମଭୂମି ଚିରଦିନ କ’ଣ ଅନ୍ଧକାରରେ ବୁଡ଼ି ରହିବ ?’ ସନ୍ୟାସୀ : ନା, ଚିରଦିନ ନୁହେ ରାଣୀ ! ବହୁ ଦିନ ପରେ ଓଡ଼ିଶାର ଭାଗ୍ୟପରିବର୍ତ୍ତନ ହେବ, ଓଡ଼ିଆ ଜାତିର ପୁନରୁତ୍‌ଥାନ ହେବ–ଓଡ଼ିଆର ଲୁପ୍ତ ଗୌରବ-ବିଭବ, ଧର୍ମକର୍ମ, ଶୌର୍ଯ୍ୟ, ବୀର୍ଯ୍ୟ, ସୁଖ ସମୃଦ୍ଧିର ପୁନରୁଦ୍ଧାର ହେବ । ଓଡ଼ିଆତ୍ୱ ପୁନର୍ବାର ବିକଶି ଉଠିବ । ଉତ୍କଳ ଜନନୀର ସନ୍ତାନଗଣ ନବଜୀବନରେ ଲାଭ କରି ପୁଣି ଜାଗି ଉଠିବେ–ନବ ବଳରେ ବଳୀୟାନ୍ ହୋଇ, ନୂତନ ଉତ୍ସାହ ଉନ୍ମାଦନାରେ ଅନୁପ୍ରାଣିତ ହୋଇ ପୁନର୍ବାର ମାତୃଭୂମିର ଗୌରବ ଗରିମା ବଢ଼ାଇବେ, ସନ୍ଦେହ ନାହିଁ । ସେମାନେ ଶିଳ୍ପ, ସାହିତ୍ୟ, ବିଜ୍ଞାନ, ବାଣିଜ୍ୟ–ସକଳ କ୍ଷେତ୍ରରେ ପୁଣି ବିଜୟ-ବୈଜୟନ୍ତୀ ଉଡ଼ାଇ ଭାରତକୁ ମୁଗ୍ଧ କରିବେ । ଓଡ଼ିଆ ଜାତି ଅତ୍ୟୁନ୍ନତ, ଅତି ଉଦାର ହୋଇ ଉଠିବ–ସାରା ଭାରତର ଅନ୍ୟାନ୍ୟ ସୁସଭ୍ୟ ଜାତିମାନଙ୍କ ସମକକ୍ଷ ହୋଇ ଠିଆ ହେବ । ଦେଶ ତମାମ୍ ସ୍ଵାଧୀନ ଚିନ୍ତା, ସ୍ଵାଧୀନ କର୍ମ, ଅହିଂସା ଓ ଉଦାରତାର ସ୍ଵଚ୍ଛ ସୁନ୍ଦର ଊର୍ମିମାଳା ମାତିଯିବ । ଓଡ଼ିଆଜାତି ଉପରେ ଶାସକର ଅନୁକୂଳ ଦୃଷ୍ଟି ପଡ଼ିବ–ସେମାନେ ପ୍ରତିବେଶୀ ଜାତିମାନଙ୍କ ଦ୍ୱାରା ସମାଦୃତ, ସମ୍ମାନିତ ହେବେ । ପ୍ରଗାଢ଼ ପ୍ରୟାସ ଫଳରେ ଉତ୍କଳୀୟମାନଙ୍କ ଲଲାଟରୁ କାଳିମା-ରେଖା ଚିରଦିନ ପାଇଁ ଅପସାରିତ ହେବ । ଦେବଭୂମି ଓଡ଼ିଶା ଦ୍ୱାରରେ ସାରା ଜଗତ ଶ୍ରଦ୍ଧା ଓ ଭକ୍ତିରେ ପୁଣି ନତ କରିବା ମସ୍ତକ । ସାହସୀ, ରାଜନୀତିନିପୁଣ ଓଡ଼ିଆମାନଙ୍କ ଘନଘନ ଆନ୍ଦୋଳନ ଆବେଦନ ଫଳରେ ଓଡ଼ିଶା ପୁଣି ପୂର୍ଣ୍ଣାଙ୍ଗପ୍ରାପ୍ତ, ପ୍ରଭାମଣ୍ଡିତ ହୋଇ ଉଠିବ–ଓଡ଼ିଆଭାଷୀ ଅଞ୍ଚଳସବୁ ଏକ ଶାସନାଧୀନ ହେବ । ବ୍ୟସ୍ତ ହୁଅ ନାହିଁ ମା । ପତନ ଉତ୍‌ଥାନ ଜଗତର ନିୟମ–ଦେଶ, ଜାତି ପଡ଼େ ଉଠେ ।

 

ରାଣୀ : ଆପଣଙ୍କ କଥା ଶୁଣି ମୋ ଭାବନାର ଯେପର ପତନ ଓ ଉତ୍‌ଥାନ ଦେଲା–ପ୍ରଥମରେ ମୋର ହୃଦୟ ମ୍ରିୟମାଣ ହୋଇ ପଡ଼ିଲା ପୁଣି ଆଶା ଉଲ୍ଲାସରେ ସତେଜ ହୋଇ ଉଠିଲା ।

 

ସନ୍ୟାସୀ : ଏକ ଦିଗରେ ଅତୀତର ଚିତ୍ର-ଅପର ଦିଗରେ ସୁଦୂର ଭବିଷ୍ୟତ୍‌ର ଛବି । ଦୁଇ ଦିଗ ପ୍ରତି ଦୃଷ୍ଟିପାତ ନ କରି ବର୍ତ୍ତମାନ ପ୍ରତି ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କର । ସାହସ, ସହିଷ୍ଣୁତା ସହ କର୍ତ୍ତବ୍ୟ ସମ୍ପାଦନ କର ।

 

ରାଣୀ : ଆପଣଙ୍କର ମଧୁମୟ ଉପଦେଶ, ଆଦେଶ ଶିରୋଧାର୍ଯ୍ୟ ।

 

ରାଣୀ ସନ୍ୟାନୀଙ୍କୁ ଭକ୍ତିପୁଷ୍ଟ ପ୍ରଣାମ କରି ମନ୍ଦିର ତ୍ୟାଗ କଲେ । ସନ୍ୟାସୀ ସେଠାରୁ ନିଷ୍କ୍ରାନ୍ତ ହୋଇ ତମସାଚ୍ଛନ୍ନ ବନ ମଧ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । ରାଣୀ ଅନୁଚରବର୍ଗ ଓ ଦାସଦାସୀଦଳ ସଙ୍ଗେ ସାରଥୀଗଡ଼କୁ ପ୍ରତ୍ୟାବୃତ୍ତ ହେଲେ ।

Image

 

ଓଡ଼ିଶାର ଜୟ

 

ପ୍ରାତଃକାଳରେ ରାଜା କୃଷ୍ଣଚନ୍ଦ୍ର ସୁବାଦାରଙ୍କ କୋଷାଗାର ହସ୍ତଗତ କରି ପ୍ରାସାଦଶିଖରକୁ ଉଠି ସେଠାରେ ଜାତୀୟପତାକା ପ୍ରୋଥିତ କଲେ । ରାଜା ଦେଖିଲେ, ରକ୍ତ ରବି ଯେପରି ଅତୀତ ଗର୍ଭରୁ ଧୀରେ ଧୀରେ ଉତ୍‌ଥିତ ହୋଇ ଓଡ଼ିଶାପ୍ରତି ଦୃଷ୍ଟିପାତ କରି, ରକ୍ତିମାଭ କିରଣମାଳାରେ ସେହି ଶୁଭ୍ର ପତାକାକୁ ସ୍ନେହାଲିଙ୍ଗନ କରି ଅତୀତର କେତେ କଥା କହୁଅଛି ! ରାଜା ପତାକାମୂଳେ ଠିଆ ହୋଇ ଚକିତ ଚିତ୍ତରେ ଅତୀତର ଗୌରବାବହ ବିସ୍ମୟଜନକ ଚରିତ ଅନୁଧ୍ୟାନ କରିବାକୁ ଲାଗିଲେ । ସହସା ତାଙ୍କର ସ୍ମରଣ ହେଲା, ଦିନେ ଠିକ୍‌ ଏପରି ସମୟରେ ରାଣୀ ଉତ୍ତେଜିତ କଣ୍ଠରେ କହିଥିଲେ–“ଓଡ଼ିଶାର ଆକାଶ ମେଘଯୁକ୍ତ ହୋଇଅଛି ରାଜା ! ମୁଁ ମନଶ୍ଚକ୍ଷୁରେ ଦେଖୁଛି, ଉଦ୍‍ବେଳିତ ମହାନଦୀ ଗର୍ଭରେ ଯେପରି ମୁସଲମାନ ସିଂହାସନ ବୁଡ଼ି ଯାଉଛି ।’

 

ରାଜାଙ୍କ ଦେହ କଣ୍ଟକିତ ହୋଇଗଲା । ସେ ଆନନ୍ଦୋତ୍‍ଫୁଲ୍ଲ ନୟନରେ ଚତୁର୍ଦ୍ଦିଗ ପ୍ରତି ଥରେ ଦୃଷ୍ଟିପାତ କରି ଗର୍ବ ଅନୁଭବ କଲେ । ଦେଖିଲେ, ଉତ୍କଳ-ଜାହ୍ନବୀ ଚିତ୍ରୋତ୍ପଳା ନୂତନ ରାଜ୍ୟ, ନୂତନ ନଗର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ସ୍ଫୀତ ବକ୍ଷରେ ପ୍ରବାହିତା ଏବଂ ସେହି ଆଲୋଡ଼ିତ ବକ୍ଷରେ ଅତୀତ ଉତ୍କଳର ସମୁଜ୍ଜ୍ୱଳ ସ୍ମୃତି ସମୁଜ୍ଜ୍ୱଳ ରଙ୍ଗରେ ଅଙ୍କିତ । ରାଜାଙ୍କର ସ୍ମରଣ ହେଲା, ଓଡ଼ିଶାର ଗଙ୍ଗ ଓ ସୂର୍ଯ୍ୟ ବଂଶର ଅପୂର୍ବ ଗୌରବମଣ୍ଡିତ ମହିମାନ୍ୱିତ ରାଜତ୍ୱକାଳ–ସମରବି ଜୟୀ ପ୍ରବଳ ପ୍ରତାପୀ ଅନଙ୍ଗ ଭୀମଦେବଙ୍କର ବିରାଟ ସୈନ୍ୟ ସଙ୍ଗଠନ, ସଦୃଢ଼ ଦୁର୍ଗ ନିର୍ମାଣ ଓ ଦୁରାଧର୍ଷ ଯୁଦ୍ଧାଭିଯାନ–ଅଦ୍ଭୁତବଳଶାଳୀ ଯୁଦ୍ଧପ୍ରିୟ ଲାଙ୍ଗୁଳା ନରସିଂହ ଦେବଙ୍କର ବିଚିତ୍ର ବିଜୟ-କୀର୍ତ୍ତି, ଅକ୍ଷୟ ମନ୍ଦିର-ଖ୍ୟାତି–ଅମିତପରାକ୍ରମ କପିଳେନ୍ଦ୍ର ଦେବଙ୍କର ବିରାଟ ଦାକ୍ଷିଣାତ୍ୟ ଅଭିଯାନ–ବୀରେନ୍ଦ୍ର-କୀର୍ତ୍ତି-ମୁକୁଟ ପୁରୁଷୋତ୍ତମ ଦେବଙ୍କର ଲୋମହର୍ଷଣ କାଞ୍ଚିଯୁଦ୍ଧ ବୀରବତାର ପ୍ରତାପରୁଦ୍ର ଦେବଙ୍କର ଅଜେୟ ବିକ୍ରମ–ଏବଂ ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବଙ୍କର ବିପୁଳ ଶକ୍ତି ଓ ଖ୍ୟାତି । ମନେପଡ଼ିଗଲା, ବଙ୍ଗଳାର ଶେଷ ହିନ୍ଦୁରାଜା ଲକ୍ଷ୍ମଣସେନ କିପରି ପଠାଣଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣଭୟରେ ବଙ୍ଗ ବିସର୍ଜନ କରି ଓଡ଼ିଶାକୁ ଆସି ଶରଣ ରକ୍ଷଣ ଅନଙ୍ଗଭୀମ ଦେବଙ୍କର ଶରଣାଗତ ହୋଇଥିଲେ ଏବଂ ଅନଙ୍ଗଭୀମଦେବ କିପରି ସଂତ୍ରସ୍ତ ବଙ୍ଗରାଜାଙ୍କୁ ଅଭୟ ଆଶ୍ରୟ ଦେଇ ମୁସଲମାନର ଚକ୍ଷୁଃଶୂଳ ହୋଇ ଉଠିଥିଲା । ଦୁର୍ଦ୍ଦମ୍ୟ ଉତ୍କଳ–ବାହିନୀଦ୍ୱାରା ମହମ୍ମଦ ସିରାଜ, ଗିୟାସୁଦ୍ଦିନ ଓ ତୁମାନ ରାଜା କିପରି ପରାଭୂତ ହୋଇଥିଲେ, ତାହା କୃଷ୍ଣଚନ୍ଦ୍ରଙ୍କର ସ୍ମୃତିପଥାରୂଢ଼ ହେଲା । ଲାଙ୍ଗୁଳା ନରସିଂହ ଦେବଙ୍କର ବଙ୍ଗାକ୍ରମଣ, ବହୁ-ରତ୍ନାଧିକାର, ଗୌଡ଼ରାଜଧାନୀ-ଅବରୋଧ ଓ ରାଢ଼–ବାରେନ୍ଦ୍ର ରାଜ୍ୟ ଜୟ ମନେ ପଡ଼ିବା ମାତ୍ରକେ ଗର୍ବରେ ରାଜାଙ୍କର ବକ୍ଷ ଫୁଲି ଉଠିଲା । ନରସିଂହ ଦେବଙ୍କ ସାହସୀ ସେନାର ଅସାଧାରଣ ବିକ୍ରମରେ ବଙ୍ଗ-ସୁଲତାନ ଇକ୍ତିଆରୁଦ୍ଦିନଙ୍କର ପରାଜୟ ଓ ବହୁ-ଧନ-ଜନ-କ୍ଷୟ ମନେ ପକାଇ ସେ ଆନନ୍ଦରେ ଅଧୀର ହୋଇଗଲେ ।

 

ରାଜା ତନ୍ମୟ ପ୍ରାଣରେ ଚିନ୍ତା କଲେ–‘‘ହାୟ, କାହିଁ ସେ ଦିନ ଯେଉଁଦିନ ନରସିଂହଦେବ କୋଲବର୍ଗ ଓ ବିବର ପର୍ଯ୍ୟନ୍ତ ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ, ଯେଉଁଦିନ ଉତ୍କଳ-ସୂର୍ଯ୍ୟବଂଶ-ପ୍ରତିଷ୍ଠାତା କପିଳେନ୍ଦ୍ରଦେବ ସୁଦୂର ନେଲୋର ଜିଲା, କେରଳ ରାଜ୍ୟ ଓ ଅଭେଦ୍ୟ ବାହମଣୀ ଦୁର୍ଗ ଜୟ କରିଥିଲେ ! ଆହା ! କି ମହିମାମୟ ଥିଲା ସତେ ସେଇ ଯୁଗ, ଯେତେବେଳେ ବୀରକୁଳ–ଚୂଡ଼ାମଣି କପିଳେନ୍ଦ୍ର ଯୁଦ୍ଧାଭିଯାନରେ ରାଜ୍ୟ ପରେ ରାଜ୍ୟ ଜୟ କରି ରାମେଶ୍ୱର ପର୍ଯ୍ୟନ୍ତ ଜୟ-ପତାକା ଉଡ଼ାଇଥିଲେ । ଗଙ୍ଗ-ସୂର୍ଯ୍ୟବଂଶର ରାଜନ୍ୟବୃନ୍ଦ ! ତୁମମାନଙ୍କ ଗରିମାମୟ ଶାସନରେ ପରା ଉତ୍କଳର ବିଜୟ-ଗୌରବ-ନିଶାଣ ହିମାଳୟ ପାଦଦେଶରୁ ପାନ୍ନାର ଉପସାଗର ଯାଏଁ ଭାରତର ସମଗ୍ର ପୂର୍ବାଞ୍ଚଳରେ ଅପୂର୍ବ ଦୀପ୍ତିରେ ଉଡ଼୍ଡ଼ୀନ ଥିଲା !’’

 

ପ୍ରାସାଦ–ଚୂଡ଼ାସୀନ ରାଜା କେତେକ ସମୟ ତାଙ୍କ ମନଶ୍ଚକ୍ଷୁ ସମକ୍ଷରେ ଭୂତ ଉତ୍କଳର ମଧୁର ମନୋରମ ଚିତ୍ର ନଚାଇବା ପରେ ଦେଖିଲେ, କଟକ ରାଜପଥରେ ଓଡ଼ିଆମାନେ ଉନ୍ମତ୍ତ ଦସ୍ୟୁଦଳ ତୁଲ୍ୟ ଧାବିତ ହୋଇ ପଠାଣମାନଙ୍କ ଗୃହସକଳ ଲୁଣ୍ଠିତ, ନଷ୍ଟ କରୁ ଅଛନ୍ତି ଏବଂ ପଳାୟନରତ ମୁସଲମାନଗଣଙ୍କୁ ନିହତ କରୁ ଅଛନ୍ତି–ଘରଦ୍ୱାର ବାଟଘାଟରେ ନଗର ତମାମ୍ ରକ୍ତ-ସ୍ରୋତ ବହି ଯାଉଛି, ଅଥଚ ଓଡ଼ିଆ ସୈନ୍ୟ ନିରସ୍ତ ହେଉ ନାହାନ୍ତି । ଏହି ଦୃଶ୍ୟରେ ରାଜାଙ୍କ ମନରେ ଘୃଣା ଜାତ ହେଲା । ମୁଖ ବୁଲାଇ ସେ ଦେଖିଲେ, ଦୁର୍ଗଶିରରେ ସେତେବେଳେ ସୁଦ୍ଧା ଇସ୍‍ଲାମ-ପତାକା ସାହଙ୍କର ଉଡ଼୍ଡ଼ୀୟମାନ–ଦୁର୍ଗ ସମ୍ମୁଖରେ ଉନ୍ମୁକ୍ତ ପ୍ରାନ୍ତରରେ କୁମାର ବିଜୟଚନ୍ଦ୍ର ସୈନ୍ୟ ଧରି ବ୍ୟାଘ୍ରବତ୍ ଆକ୍ରମଣ ପାଇଁ ପ୍ରସ୍ତୁତ ଏବଂ ତାଙ୍କୁ ଆକ୍ରମଣ କରିବାପାଇଁ ପଠାଣମାନେ ଦୁର୍ଗ ମଧ୍ୟରେ ସଜ୍ଜିତ । ଦୁର୍ଗମଧ୍ୟରୁ ଶର ନିକ୍ଷିପ୍ତ ହେଲା; କିନ୍ତୁ ସେଥିରୁ ଗୋଟିଏ ସୁଦ୍ଧା ପ୍ରାନ୍ତର ଉଲ୍ଲଙ୍ଘନ କରି ହିନ୍ଦୁମାନଙ୍କୁ ସ୍ପର୍ଶ କରି ପାରିଲା ନାହିଁ । ତଥାପି ମୁସଲମାନମାନଙ୍କର ବିରାମ ନାହିଁ । ରାଜା କୁମାରମାନଙ୍କର ଆପଦାଶଙ୍କା କରି ପ୍ରାସାଦ-ଶିଖରରୁ ଅବତାରଣ କଲେ–ତିରିଶ ସହସ୍ର ଓଡ଼ିଆଙ୍କ ସଙ୍ଗେ ବିଜୟଚନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ଅବିଳମ୍ବେ ଅଗ୍ରସର ହେଲେ ।

 

ରାଜା ଦୁର୍ଗଦ୍ୱାରରେ ଯାଇ ଦେଖିଲେ, ଫକିର ଷା ଆଲମ୍ ଓ ଅମୀର ଖାଁ ସସେନା ଯୁଦ୍ଧପାଇଁ ପ୍ରସ୍ତୁତ । ଓଡ଼ିଆମାନେ ସଂଖ୍ୟାରେ ଅଧିକ–ପଠାଣସେନା କୌଶଳୀ ଓ ଶିକ୍ଷିତ । ଦ୍ୱାର ସମ୍ମୁଖରେ ଓଡ଼ିଆମାନେ ଠିଆ ହୋଇ ରହିଲେ, ଆଉ ଅଗ୍ରସର ହୋଇ ପାରିଲେ ନାହିଁ । ରାଜା ନିଜ ସୈନିକମାନଙ୍କୁ ସମ୍ବୋଧନ କରି କହିଲେ–‘କିଏ କେଉଁଠି ଅଛ ଓଡ଼ିଆ, ଧାଇଁ ଆସ ଭୟ ଦୂର କରି, ପ୍ରଦୀପ୍ତ ପାବକରେ ନେତ୍ର ରଞ୍ଜିତ କରି । ବଜ୍ର ଗତିରେ, ବଜ୍ରଶକ୍ତି ନେଇ ଧାଇଁ ଆସ । କିଏ ଅଛ ମନୁଷ୍ୟ ଉତ୍କଳମାତାଙ୍କର ସୁସନ୍ତାନ ! ଆନନ୍ଦରେ ନାଚି ଉଠୁ ଓଡ଼ିଆର ପ୍ରାଣ–ତୁମମାନଙ୍କ ବିକ୍ରମରେ କମ୍ପି ଉଠୁ ସୁବାଦାର–ସିଂହାସନ ।’

 

ଓଡ଼ିଆମାନେ ଉତ୍ତେଜିତ ହେଲେ । ଦେଖୁ ଦେଖୁ ତୁମୁଳ ସଂଗ୍ରାମ ଆରବ୍ଧ ହେଲା । ଏକ ଦିଗରେ କୃଷ୍ଣଚନ୍ଦ୍ର, ଅନ୍ୟ ଦିଗରେ ଆମୀର ଖାଁ । ରାଜା ଦେଖିଲେ, ଆମୀରଙ୍କୁ ଶୀଘ୍ର ବଧ କରି ନ ପାରିଲେ ଯୁଦ୍ଧର ଅବସାନ ହେବ ନାହିଁ । ସେ ଆମୀର ଖାଁଙ୍କୁ ସମ୍ବୋଧନ କରି କହିଲେ–‘ମନେ ଅଛି ଖାଁ ସାହେବ, ପୁରୀ ମନ୍ଦିର ଆଗରେ ମୁଁ କି ପ୍ରତିଜ୍ଞା କରିଥିଲି ?’

 

ଆମୀର : କି ପ୍ରତିଜ୍ଞା କରିଥିଲ ରାଜା ?

 

ରାଜା : ପୁନରାବୃତ୍ତି କରୁଛି ଶୁଣ–ତୁମକୁ ନ ମାରି ମୁଁ ଆଜି ମରିବି ନାହିଁ ।

 

ଏହା କହି ରାଜା ତରବାରିରେ ଆମୀରଙ୍କୁ ଭୀଷଣ ଆକ୍ରମଣ କଲେ । ଆମୀର ଭୀମ ବେଗରେ ଆସି ଉଠାଇ କହିଲେ–‘ସାବଧାନ ରାଜା ସାହେବ । ଆଜିର ଯୁଦ୍ଧ ରାଜ୍ୟରକ୍ଷା ପାଇଁ, ମନ୍ଦିରରକ୍ଷା ପାଇଁ ନୁହେ ।’

 

ଖଡ଼୍‌ଗାଘାତ ପ୍ରତିହତ କରୁ କରୁ ରାଜା ଉତ୍ତର କଲେ ‘ରାଜ୍ୟରକ୍ଷା ପାଇଁ ନୁହେ ଖାଁ ସାହେବ–ଜୀବନରକ୍ଷା ପାଇଁ । ତୁମେମାନେ ଆମମାନଙ୍କର ଧନ, ଜୀବନ ଓ ଧର୍ମ ନଷ୍ଟ କରିବାକୁ ଆସିଅଛ–ଆମେମାନେ ଏସବୁ ରକ୍ଷା କରିବାକୁ ଆସିଅଛୁ । ବଳବାନ୍‍ କିଏ ? ରାକ୍ଷସ ନା ଦେବତା-? ପାପ ନା ପୁଣ୍ୟ ?’

 

ଆମୀରଙ୍କ ଉଗ୍ର ଆକ୍ରମଣରେ ରାଜାଙ୍କର ଖଡ଼୍‍ଗ ଭାଙ୍ଗି ପଡ଼ିଲା । ନିମେଷ ମାତ୍ର ବିଳମ୍ବ ନ କରି ରାଜା ଉଭୟ ହସ୍ତରେ ଶୂଳ ଧରି ପ୍ରଚଣ୍ଡ ବେଗରେ ଆମୀରଙ୍କ ଉପରକୁ ନିକ୍ଷିପ୍ତ କଲେ । ବୀରଚୂଡ଼ାମଣି ଆମୀର ଖାଁ ତାହା ନିବାରଣ କରି ପାରିଲେ ନାହିଁ–ଶୂଳଟି ତାଙ୍କ କବଚ କାଟି ବକ୍ଷ ଭେଦ କଲା । ତାଙ୍କର ବିଶାଳ ଶରୀରରୁ ପ୍ରାଣବାୟୁ ଉଡ଼ିଗଲା । ମୁସଲମାନ ସୈନ୍ୟ ମଧ୍ୟରେ ହାହାକାର ଉଠିଲା । ସେମାନେ ଯୁଦ୍ଧରୁ କ୍ଷାନ୍ତ ହେଲେ–ଛତ୍ରଭଙ୍ଗ ଦେଇ କ୍ରମେ ପଳାୟନ କରିବାକୁ ଲାଗିଲେ । ହିନ୍ଦୁ ସୈନ୍ୟ ଉନ୍ମତ୍ତବତ୍ ପ୍ରଧାବିତ ହେଲେ । ଫକିର ଶୁଣିଲେ, ସୁବାଦାର ଓ ଦାଉଦ ଖାଁ ଜୀବନ ଭୟରେ ଗୁପ୍ତ ଭାବରେ କେଉଁଆଡ଼େ ପଳାୟନ କରିଅଛନ୍ତି । ବୁଝିଲେ, ମୁସଲମାନର ଆଉ କଲ୍ୟାଣ, ପରିତ୍ରାଣ ନାହିଁ । ହତାଶ ହୃଦୟରେ ସେ ମଧ୍ୟ ଦୁର୍ଗରୁ ପଳାୟନ କଲେ ।

 

ନିର୍ବୁଦ୍ଧି, ଅନୁଦାରମତି ତକିଖାଁଙ୍କ କୋପାନଳରେ ପଡ଼ି ପ୍ରସିଦ୍ଧ ମୁସଲମାନବୀର ନାଦୀର ଖାଁ କାରାଗୃହରେ ଆବଦ୍ଧ ଥିଲେ । ସେଠାରେ ସେ ଓଡ଼ିଆମାନଙ୍କର ଦୁର୍ଗାକ୍ରମଣ, ସୁବାଦାର, ଦାଉଦ ଖାଁ ଓ ଫକିରଙ୍କର ପଳାୟନ ଏବଂ ଆମୀର ଖାଁଙ୍କର ନିଧନ ସମ୍ବାଦ ପାଇବାମାତ୍ରକେ ସେ ଅସ୍ଥିର ହୋଇ ପଡ଼ିଲେ–ହସ୍ତପଦରେ ଶୃଙ୍ଖଳ ଛିନ୍ନଭିନ୍ନ କରି କାରାଦ୍ୱାର ଭାଙ୍ଗି ଓଡ଼ିଆମାନଙ୍କୁ ବାଧା ଦେବା ଉଦ୍ଦେଶ୍ୟରେ ଉନ୍ମତ୍ତ ହସ୍ତିବତ୍‍ ଧାବିତ ହେଲେ । ଓଡ଼ିଆ ସୈନ୍ୟ ଏବଂ ପଳାୟନ ତତ୍ପର ମୁସଲମାନଗଣ ବିସ୍ମୟ-ବିହ୍ୱଳ ଚକ୍ଷୁରେ ଦେଖିଲେ, ଦୀର୍ଘକାୟ ନାଦୀରଖାଁ ନଗ୍ନ ଦେହରେ, ନଗ୍ନ ପଦରେ, ଶୂନ୍ୟ ହସ୍ତରେ ଏକାକୀ ବାୟୁ ବେଗରେ ହିନ୍ଦୁ ସୈନ୍ୟପ୍ରତି ଧାବମାନ ହୋଇ ଚିତ୍କାର କରି କହୁ ଅଛନ୍ତି–‘ପଠାଣଗଣ ! ଯଦି ଶତ୍ରୁ ମାରି ମରିବାକୁ ଚାହଁ, ତାହାହେଲେ ମୋ ସଙ୍ଗେ ଆସ । ତୁମେମାନେ କେଉଁଠାକୁ ପଳାଇବ ମନେ କରିଛ ? ହିନ୍ଦୁମାନେ ଚତୁର୍ଦ୍ଦିଗ ଘେରି ରହିଛନ୍ତି, ପଳାୟନର ପଥ ନାହିଁ । ଭିତରେ, ବାହାରେ, ସୁଡ଼ଙ୍ଗମାର୍ଗରେ, ରାଜପ୍ରାସାଦରେ–ସକଳ ସ୍ଥାନରେ ଓଡ଼ିଆ ସୈନ୍ୟ ! ମରିବାର ବାସନା ଥିଲେ ବୀର ପରି ଯୁଦ୍ଧ କରି ମର–ମୋର ଅନୁବର୍ତ୍ତୀ ହୁଅ ।’

 

ନାଦୀର ଖାଁଙ୍କ ଅଙ୍ଗରେ କୁର୍ତ୍ତା ନାହିଁ ବା ଅନ୍ୟ କୌଣସି ଆବରଣ ନାହିଁ, ପାଦରେ ପାଦୁକା ନାହିଁ, ମସ୍ତକରେ ତାଜ ନାହିଁ, ହସ୍ତରେ ଅସ୍ତ୍ର ଶସ୍ତ୍ର ନାହିଁ । ପରିଧାନରେ ଖଣ୍ଡିଏ ମାତ୍ର ଜୀର୍ଣ୍ଣ, ମଳିନ ପାଇଜାମା । ତାଙ୍କର ଉତ୍ତେଜନାପୂର୍ଣ୍ଣ ଉନ୍ମାଦନାଯୁକ୍ତ ବୀର-ବାଣୀ ଶ୍ରବଣରେ ମୁସଲମାନଗଣ ରଣଭୂମିକୁ ପ୍ରତ୍ୟାବୃତ୍ତ ହେଲେ । ନିରସ୍ତ୍ର ନାଦୀର ଖାଁ ଜଣେ ଅସ୍ତ୍ରଧାରୀ ଓଡ଼ିଆକୁ ଭୂତଳରେ ପତିତ କରି ତାହା ହସ୍ତରୁ ତରବାରି ଛଡ଼ାଇ ନେଲେ ଏବଂ ଭୀମ ଦର୍ପରେ ଅଗ୍ରସର ହୋଇ ଓଡ଼ିଆବାହିନୀ ମଧ୍ୟରେ ସିଂହସଦୃଶ ଗର୍ଜନ କରି ପ୍ରବେଶ କଲେ । ଓଡ଼ିଆମାନେ ମହାକାୟ ନାଦୀରଙ୍କ ସମ୍ମୁଖରେ ସ୍ଥିର ରହି ନ ପାରି ପୃଷ୍ଠଭଙ୍ଗ ଦେଇ ପଳାଇବାକୁ ଲାଗିଲେ । ସେମାନେ କିନ୍ତୁ ସଂଖ୍ୟାରେ ଅନେକ–ଗୋଟିଏ ଦଳ ହଟିଗଲେ ଅପରଦଳ ଧାଇଁ ଆସି ସେମାନଙ୍କ ସ୍ଥାନ ଅଧିକାର କରି ନିଅନ୍ତି । ଦେଖୁ ଦେଖୁ ନାଦୀର ଖାଁଙ୍କ ଖଡ଼୍‍ଗ ହସ୍ତସ୍ଖଳିତ ହୋଇ ପଡ଼ିଲା । ସେତେବେଳେ ସେ ଜଣେ ଓଡ଼ିଆ ସୈନିକ ହାତରେ କୁଠାର ସଜୋର ବାହାର କରି ନେଇ ଶତ୍ରୁ ଧ୍ୱସଂରେ ପ୍ରବୃତ୍ତ ହେଲେ । ମତ୍ତ ମାତଙ୍ଗ ତୁଲ୍ୟ ପଦ୍ମ-ବନ ଦଳନ କରିବାକୁ ଲାଗିଲେ । କେହି ତାଙ୍କର ସମ୍ମୁଖୀନ ହୋଇ ପାରିଲେ ନାହିଁ ।

 

ରାଜା ଦୂରରୁ ଯୁଦ୍ଧବ୍ୟାପୃତ ନାଦୀର ଖାଁକୁ ଲକ୍ଷ୍ୟ କରି ସତେଜ ସ୍ୱରରେ ଓଡ଼ିଆ ସୈନ୍ୟକୁ ଆଦେଶ କଲେ–‘ସେନାପତି ନାଦୀର ଖାଁଙ୍କୁ ବନ୍ଦୀ କର, ମାର ନାହିଁ । ତାଙ୍କୁ ଯେ ମାରିବ, ସେ ମୋର ଶତ୍ରୁ ।’

 

ପଠାଣବୀରକୁଳଭୂଷଣ ପଠାଣ ସେନାପତି ସେତେବେଳେ ମୃଗପଲମଧ୍ୟସ୍ଥ ସିଂହ ପରି ଲମ୍ଫ ଦେଇ ବୁଲୁଥିଲେ–ତାଙ୍କର ଉନ୍ମତ୍ତ ନୃତ୍ୟରେ ଗଗନଭେଦୀ ହୁଙ୍କାରରେ ସମର-ପ୍ରାଙ୍ଗଣ ପ୍ରକମ୍ପିତ ହେଉଥିଲା । ବଡ଼ ବଡ଼ ଓଡ଼ିଆ ଯୋଦ୍ଧା–ବିଜୟଚନ୍ଦ୍ର, ଗୋପାଳ, ମଦନ ପ୍ରଭୃତି ପରାସ୍ତ ହୋଇଗଲେ । ହିନ୍ଦୁମାନେ କ୍ରମେ କ୍ରମେ ପଛଘୁଞ୍ଚା ଦେବାକୁ ଆରମ୍ଭ କଲେ । ମୁସଲମାନ ସେନା ଆନନ୍ଦ କୋଳାହଳରେ ଆକାଶତମ ନିଦାଦୀତ କରି ଉଠିଲେ ।

 

ରାଜା ନାଦୀର ଖାଁଙ୍କର ଅସୀମ କୁଠାର ଚାଳନା-ଶକ୍ତି, ଅଦ୍ଭୁତ ବୀରତ୍ୱ ଦେଖି ମୁଗ୍ଧ ହୋଇଗଲେ–ଗଜପୃଷ୍ଠରେ ତାଙ୍କର ସମ୍ମୁଖୀନ ହୋଇ ତାଙ୍କୁ ସମ୍ମାନ ସହକାରେ ଅଭିବାଦନ କଲେ-। କହିଲେ–‘ସେନାପତି ସାହେବ ! ମୁଁ ଇଚ୍ଛା କଲେ ବଳପୂର୍ବକ ଆପଣଙ୍କୁ ସଂହାର କରିପାରିବି । ତେବେ ଆପଣଙ୍କ ପରି ବୀର ମାରିବାକୁ ପ୍ରବୃତ୍ତି ହେଉ ନାହିଁ–ଆପଣ ବର୍ମ ଅସ୍ତ୍ର ଗ୍ରହଣ କରନ୍ତୁ ।’

 

ନାଦୀର : ଶତ୍ରୁର ଦାନ ଗ୍ରହଣରେ ମୁଁ ଅଭ୍ୟସ୍ତ ନୁହେଁ ରାଜା ସାହେବ ! ମୋର ଅସ୍ତ୍ର ଆବଶ୍ୟକ ନାହିଁ–ଆପଣଙ୍କ ନିକଟରେ ମୁଁ ଜୀବନ ଭିକ୍ଷା କରିବାକୁ ଇଚ୍ଛୁକ ନୁହେଁ । ଶକ୍ତି, ସାହସ ଥିଲେ ମୋତେ ମାରି ଆପଣଙ୍କ ପଥ ନିଷ୍କଣ୍ଟକ କରନ୍ତୁ ।

 

ରାଜା : ନଗ୍ନ–ଶରୀର, ଅସ୍ତ୍ରହୀନ ଯୋଦ୍ଧାକୁ ବଧ କରିବାରେ କୌଣସି ପୌରୁଷ ନାହିଁ, ଖାଁ ସାହେବ-

 

ନାଦୀର : ବୃଥା ଗର୍ବପ୍ରକାଶରେ କିଛି ପୌରୁଷ ନାହିଁ, ରାଜାସାହେବ !

 

କୃଷ୍ଣଚନ୍ଦ୍ର ହସ୍ତିପୃଷ୍ଠରୁ ଅବତରଣ କଲେ–ତରବାରି ରଖି କୁଠାର ଗ୍ରହଣ କଲେ । ଦୁଇ ଶ୍ରେଷ୍ଠ ବୀର ଦୁର୍ଗଦ୍ୱାର ସମୀପରେ ପରସ୍ପର ସମ୍ମୁଖୀନ ହୋଇ ଠିଆ ହୋଇଗଲେ । ଉଭୟଙ୍କ ହାତରେ କେବଳ କୁଠାର । ରାଜାଙ୍କ ଶରୀର ଅକ୍ଷତ–ନାଦୀର ଖାଁଙ୍କ ଆପାଦମସ୍ତକ ଶୋଣିତାପ୍ଳୁତ-। ରାଜାଙ୍କ ଦେହ ବର୍ମାଚ୍ଛାଦିତ–ନାଦୀରଙ୍କ ଦେହ ଅନାବୃତ । ରାଜାଙ୍କ ମସ୍ତକରେ ଶିରସ୍ତ୍ରାଣ–ନାଦୀରଙ୍କ ମସ୍ତକରେ ଗୋଟିଏ ତାଜ ବା ଟୋପିବି ନାହିଁ । ତଥାପି ଅସାମାନ୍ୟ ବୀର ନାଦୀର ଖାଁ ନିଃଶଙ୍କ ଚିତ୍ତରେ ରାଜାଙ୍କୁ ଆକ୍ରମଣ କଲେ । ରାଜା ସେତେବେଳେ ଅଙ୍ଗରୁ କବଚ, ମସ୍ତକରୁ ଶିରସ୍ତ୍ରାଣ କାଢ଼ି ଫୋପାଡ଼ି ଉଲଙ୍ଗ ଦେହରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଆଗରେ ନିର୍ଭୀକ ମନରେ ଠିଆ ହେଲେ-। ହିନ୍ଦୁ ଓ ମୁସଲମାନ ସୈନ୍ୟ ଦୂରରେ ରହି ବିସ୍ମୟ-ଜଡ଼ିତ ନୟନରେ ଏହି ଦୁଇ ବୀରକେଶରୀଙ୍କ ଭୟଙ୍କର ଦ୍ୱନ୍ଦ୍ୱ ଯୁଦ୍ଧ ଦେଖିବାକୁ ଲାଗିଲେ । ଯେଉଁ ପଠାଣମାନେ ପଳାଉଥିଲେ, ସେମାନେ ମଧ୍ୟ ବାହୁଡ଼ି ଏହି ବିସ୍ମୟୋତ୍ପାଦକ ଯୁଦ୍ଧର ଦର୍ଶକ ହେଲେ । ଉଭୟେ ତୁଲ୍ୟ ଯୋଦ୍ଧା । ଦୁହିଁଙ୍କ ଭଳି ରଣନିପୁଣ ବୀରପୁରୁଷ ସେତେବେଳେ ଓଡ଼ିଶାରେ ବିରଳ କହିଲେ ଚଳେ ।

 

ଯୁଦ୍ଧ ଅଳ୍ପକାଳସ୍ଥାୟୀ ହେଲା । ଦେଖୁ ଦେଖୁ କ୍ଳାନ୍ତ ନାଦୀରଙ୍କ ଅବସନ୍ନ ହସ୍ତରୁ କୁଠାରଟି ଛିନ୍ନ ହୋଇ ଦୂରରେ ନିକ୍ଷିପ୍ତ ହେଲା । ସେ ଅସ୍ତ୍ର ପ୍ରତ୍ୟାଶାରେ ଥରେ ଚତୁର୍ଦ୍ଦିଗରେ ନେତ୍ରପାତ କଲେ । ଦେଖିଲେ, ନିକଟରେ ହିନ୍ଦୁ କିମ୍ୱା ପଠାଣ କେହି ନାହାନ୍ତି, କୌଣସି ଅସ୍ତ୍ର ନାହିଁ । ସେ ନିରାଶା-ପୀଡ଼ିତ ହୃଦୟରେ ଦୁର୍ଗଶିଖରସ୍ଥିତ ଅର୍ଦ୍ଧଚନ୍ଦ୍ରାଙ୍କିତ ମୁସଲମାନ-ପତାକା ପ୍ରତି କାତର ଦୃଷ୍ଟି ନିକ୍ଷେପ କଲେ ।

 

ରାଜା ସହାସ୍ୟ ବଦନରେ ନାଦୀରଙ୍କ ହାତରେ ନିଜ କୁଠାରଟି ଦେଲେ ଏବଂ ନିଜ ଅନାବୃତ ବକ୍ଷ ଉପରେ ଦୁଇ ବାହୁ ନିବଦ୍ଧ କରି ନାଦୀର ଖାଁଙ୍କ ଆଗରେ ଧୀର ସ୍ଥିର ପଦରେ ଠିଆ ହେଲେ । ମୃଦୁ ମଧୁର କଣ୍ଠରେ କହିଲେ–‘ଭାଇ ନାଦୀର ! ମୋତେ ମାର–ମାରି ଶାନ୍ତି ଲାଭ କର-।’

 

ନାଦୀର ଖାଁ ହସ୍ତ ଉତ୍ତୋଳନ କଲେ ନାହିଁ, ରାଜାଙ୍କ ଆଡ଼କୁ ଅନାଇ ରହିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ବହିଗଲା । ଦର୍ଶକମାନେ ସ୍ତବ୍ଧ, ମୁଗ୍ଧ ! ନାଦୀର ଖାଁ ଅଶ୍ରୁପୂର୍ଣ୍ଣ ନୟନରେ ପୁଣି ଇସ୍‍ଲାମ-ପତାକା ପ୍ରତି, ପରେ ରାଜାଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ–‘ବୀରତ୍ୱର ଆଧାରମୟ ଦେବତା, ବୀରକୁଳନମସ୍ୟ ଭାଇ କୃଷ୍ଣଚନ୍ଦ୍ର ! ଦେବତାମାନେ ନିଜ ଉପାଦାନରେ ଆପଣଙ୍କ ହୃଦୟ ଗଢ଼ିଛନ୍ତି–ଆପଣଙ୍କ କଣ୍ଠରେ ଦେଇଛନ୍ତି ନିଜ ବାଣୀ–ହୃଦୟରେ ଦେଇଛନ୍ତି ସ୍ୱର୍ଗର ମହତ୍ତ୍ୱରାଶି–ବାହୁରେ ଦେଇଛନ୍ତି ଅଜେୟ ଶକ୍ତି । ଧନ୍ୟ ବୀର, ଧନ୍ୟ ଉତ୍କଳ ସନ୍ତାନ ! ଆପଣ ସାଧନାର ସିଦ୍ଧି, ଆରାଧନାର ଧନ ଓଡ଼ିଶା-ସରସୀର ଫୁଲ୍ଲ କମଳ । ଭାବ, ଯୁଗଯୁଗାନ୍ତକୋଳରେ ଫୁଟି ଉଠୁ ଆପଣଙ୍କର ବୀର ମୂର୍ତ୍ତି, କଣ୍ଠେ କଣ୍ଠେ ଧ୍ୱନିତ ହେଉ ଆପଣଙ୍କର ଗରିମା–କାହାଣୀ–ଦୀପ୍ତ, ପୂତ ହେଉ, କ୍ଷିପ୍ତ ହେଉ ଉତ୍କଳ–ବକ୍ଷ ଆପଣଙ୍କର ଏହି ଆଭାମଣ୍ଡିତ ଦେବ-ଆଦର୍ଶରେ । ଖୋଦାଙ୍କ ନିକଟରେ ଏତିକି ମାତ୍ର ମୋର ଦୀନ ନିବେଦନ ।’

 

ହିନ୍ଦୁ ଓ ପଠାଣମାନେ ଚିତ୍କାର କଲେ–‘ଜୟ ରାଜା କୃଷ୍ଣଚନ୍ଦ୍ରଙ୍କ ଜୟ ।’ ବୀରହିଁ ବୀରକୁ ଚିହ୍ନେ । ନାଦୀର ଖାଁଙ୍କ ଅପୂର୍ବ ବୀରତ୍ୱ ସନ୍ଦର୍ଶନରେ ସମସ୍ତେ ବିମୋହିତ ହୋଇଗଲେ । ରାଜା ନାଦୀର ଖାଁଙ୍କ ସମକ୍ଷରେ ନତଜାନୁ ହୋଇ ଦୀପ୍ତ କଣ୍ଠରେ କହିଲେ–‘ପ୍ରାଣର ଭାଇ ନାଦୀର ! ଦିନେ କହିଥିଲି, ଯୁଦ୍ଧ ଭୂମିରେ ଆପଣଙ୍କ ପରି ଶତ୍ରୁ ନ ପାଇଲେ ଜୟଲାଭରେ ସୁଖ ନାହିଁ । ଆପଣଙ୍କ ତୁଲ୍ୟ ସ୍ୱନାମଧନ୍ୟ ବୀର ସଙ୍ଗେ ଯୁଦ୍ଧ କରି ବାସ୍ତବିକ ଆଜି ପରମ ସୁଖ ଲାଭ କରିଅଛି-। ଆପଣଙ୍କର କଳ୍ପନାତୀତ ବୀରତ୍ୱ, ମହତ୍ତ୍ୱ ଓ ଉଦାରତା ଦେଖି ଆଜି ମୋର ଜୀବନ ଧନ୍ୟ ହେଲା-। ଆପଣଙ୍କର ଅକୃତ୍ରିମ ପ୍ରେମ, ଆଦରରେ ମୋ ଜୀବନ ସଫଳତା ଲାଭ କରିଅଛି । ବର୍ତ୍ତମାନ ଚାହେଁ ଆପଣଙ୍କର ଆଶୀର୍ବାଦ ।’

 

ନାଦୀର ଖାଁ ଆଉ କିଛି କହିପାରିଲେ ନାହିଁ । ବିସ୍ତର ରକ୍ତହାନି ଯୋଗେ ସେ ଭୂପୃଷ୍ଠରେ ପତିତ ହୋଇ ଇହଲୀଳା ସାଙ୍ଗ କଲେ । ସମବେତ ସୈନ୍ୟ ମଧ୍ୟରେ ହାହାକାର ଉତ୍‍ଥିତ ହେଲା । ରାଜାଙ୍କ ଦୀପ୍ତ ନୟନଯୁଗଳ ଲୋତକରେ ସିକ୍ତ ହୋଇଗଲା ।

Image

 

ଉତ୍କଳର ରେବା

 

ଐତିହାସିକ ଉପନ୍ୟାସ ବକ୍ଷରେ ପୁରାଣ-ସ୍ମୃତିର ସୂକ୍ଷ୍ମ ଅଙ୍କନ ନ କରି ରହି ହେଉ ନାହିଁ-। କାରଣ ? ପତିପରାୟଣା ଗୌରୀଙ୍କ ବିଶୁଦ୍ଧ ଚରିତ୍ରହିଁ ଏହାର କାରଣ । ପାଠକପାଠିକାଗଣ ଜାଣିଥିବେ, ବ୍ରାହ୍ମଣ–ବ୍ରାହ୍ମଣୀଙ୍କ ଅଭିସମ୍ପାତ ଫଳରେ ଗନ୍ଧର୍ବଯୁଗଳ ଧରାବକ୍ଷରେ ଅବତୀର୍ଣ୍ଣ ହୋଇଥିଲେ ରେବା ଓ କୌଶିକରୂପେ–ଯେଉଁ ଘଟନାର ସ୍ମରଣ ମାତ୍ରକେ ହିନ୍ଦୁ–ହୃଦୟରେ ନାଚି ଖେଳିଯାଏ ଭକ୍ତି, ଶାନ୍ତି ଓ ପବିତ୍ରତାର ଢେଉ । ରେବା ଥିଲେ ମହାତପା ଅତ୍ରି ଓ ପରମ ପତିବ୍ରତା ଅନସୂୟାଙ୍କର ଶିଷ୍ୟା–ଉପଯୁକ୍ତ ଶିଷ୍ୟା । ଗୁରୁ ଓ ଗୁରୁପତ୍ନୀଙ୍କ ଉପଦେଶରେ ରେବା ଆଜନ୍ମ ଅନ୍ଧ, କ୍ଷତଶରୀର କୌଶିକଙ୍କୁ ମହା ଆନନ୍ଦରେ ପତିରୂପେ ବରଣ କରି ନେଇଥିଲେ । ବିନୋଦ-ପତ୍ନୀ ଗୌରୀଙ୍କ ଜୀବନ ମହିମୋଜ୍ଜ୍ୱଳା ରେବା-ଚରିତ୍ରର ଅବିକଳ ଚିତ୍ରରେ ରଞ୍ଜିତ–ଠିକ୍ ସେଇ ଅଦ୍ଭୁତ ସ୍ୱାମୀ-ସେବା, ଅଲୌକିକ ଆତ୍ମତ୍ୟାଗ ! ସୁତରାଂ ନାମ ରଖାଯାଇଛି–‘ଉତ୍କଳର ରେବା ।’ ଏହି କୈଫିଅତ୍‍ରେ ପାଠକପାଠିକାମାନେ, ଆଶା କରାଯାଏ, ତୃପ୍ତ ହେବେ ।

 

ଗୌରୀ ସ୍ୱାମୀଙ୍କୁ ପୁଣି ପାଇ, ହିନ୍ଦୁ ନାରୀର, ସତୀ ସ୍ତ୍ରୀର ଯାହା ସାଧ୍ୟ, ସ୍ୱାମୀଙ୍କ ପାଇଁ ତାହା କଲେ । ପଙ୍ଗୁ ପତିଙ୍କୁ ସ୍କନ୍ଧରେ ବହନ କରି ଗ୍ରାମରୁ ଗ୍ରାମାନ୍ତରକୁ ଯାଇ ଭିକ୍ଷା ମାଗିବାକୁ ଲାଗିଲେ, ଅନ୍ଧକୁ ଆପଣା ଚକ୍ଷୁ ସାହାଯ୍ୟରେ ବନ ଗିରି, ପଲ୍ଲୀ ପ୍ରାନ୍ତର ଦେଖାଇବାକୁ ଲାଗିଲେ । ସେ ନିଜ ପରିହିତ ବସନର ଅର୍ଦ୍ଧାଶଂରେ ପତି-ଅଙ୍ଗ ଆବୃତ କରି ସ୍ୱୟଂ ଅର୍ଦ୍ଧ ବସନରେ ରହିଲେ–କ୍ଷୋଭ ନାହିଁ, ସଙ୍କୋଚ ନାହିଁ ।

 

ଦିନେ ଅପରାହ୍ନବେଳେ ଗୌରୀ ଭିକ୍ଷାଲବ୍‍ଧ ତଣ୍ଡୁଳ ପାକ କରି ପତିଙ୍କି ଖୁଆଇ, ଭୁକ୍ତାବଶିଷ୍ଟ ଅନ୍ନ ଭୋଜନରେ ବ୍ୟାପୃତା ଅଛନ୍ତି, ଏହି ସମୟରେ ବୃକ୍ଷତଳଶାୟୀ ଦୃଷ୍ଟିଶକ୍ତିବିହୀନ ବିନୋଦବିହାରୀ ପ୍ରେମ–ରସାପ୍ଳୁତ କଣ୍ଠରେ ପ୍ରଶ୍ନ କଲେ–‘କ’ଣ କରୁଛ ଗୌରୀ ?’

 

ଗୌରୀ : ଭାତ ଖାଉଛି ।

 

ବିନୋଦ : ଭାତ ? କେଉଁଠି ଥିଲା ?

 

ଗୌରୀ : ଆପଣଙ୍କ ପତ୍ରରେ ।

 

ବିନୋଦ : ପତ୍ରରେ ତ କିଛି ନଥିଲା ।

 

ଗୌରୀ : ଯାହା ଥିଲା ତାହାହିଁ ଯଥେଷ୍ଟ ପ୍ରଭୋ !

 

ବିନୋଦ କିଛି କାଳ ନୀରବ ରହି ଧୀର ସ୍ୱରରେ କହିଲେ–‘ସୁନ୍ଦରୀ ! ତୁମେ ମୋ ଉଚ୍ଛିଷ୍ଟ ଖାଉଛ କାହିଁକି ? ମୁଁ ଯେ ମ୍ଳେଚ୍ଛ, ମୁସଲମାନ ।’

 

ଗୌରୀ : ପ୍ରଭୋ–ମୁଁ ମୁସଲମାନୀ ।

 

ବିନୋଦ : ଗୌରୀ ! ତୁମ ଜୀବନ, ଆଚରଣ, କାର୍ଯ୍ୟକଳାପ ଚିର ପବିତ୍ର, ଚିର ସୁନ୍ଦର-। ଆଗେ ମୋର ଚକ୍ଷୁ ଥିଲା, ଅଥଚ ତୁମର ସୌନ୍ଦର୍ଯ୍ୟ ଦେଖିପାରି ନଥିଲା । ବର୍ତ୍ତମାନ ମୁଁ ଅନ୍ଧ; ତଥାପି ବେଶ୍‌ ଅନୁଭବ କରିପାରୁଛି ତୁମର ସୌନ୍ଦର୍ଯ୍ୟ, ପବିତ୍ରତା । ଅନ୍ଧ ହୋଇ ନଥିଲେ ଏହା ହୋଇପାରି ନଥାନ୍ତା । ଗ୍ରାମବାସୀଙ୍କ ନିକଟରେ ମୁଁ ଚିର କୃତଜ୍ଞ–ସେମାନଙ୍କ କୃପାରେ ଆଜି ମୁଁ ସମର୍ଥ ହୋଇଅଛି ତୁମର ଚରିତ୍ର-ସୌନ୍ଦର୍ଯ୍ୟ-ସୁଧା-ରସ ପାନ କରିବାକୁ ।

 

ଲୋତକ–ଧାରରେ ଗୌରୀଙ୍କ ଅର୍ଦ୍ଧାବୃତ ବକ୍ଷ ସିକ୍ତ ହୋଇଗଲା ।

 

ବିନୋଦଙ୍କ ବାସନାନୁସାରେ ଗୌରୀ ତାଙ୍କୁ ବୋହି ପୁରୀଯାତ୍ରା କଲେ । ସେଠାରେ ପହଞ୍ଚିବାକ୍ଷଣି ବିନୋଦ ବ୍ୟଗ୍ର କଣ୍ଠରେ କହିଲେ–‘ଗୌରୀ ! ଜଗନ୍ନାଥ ମନ୍ଦିର ସିଂହଦ୍ୱାରକୁ ମୋତେ ଥରେ ନିଅ । ମୋର କଳୁଷିତ ହସ୍ତ ସେହି ଦ୍ୱାର ଦିନେ ନରରକ୍ତରେ ସିକ୍ତ କରିଥିଲା, ହିନ୍ଦୁ ରୁଧିରରେ ରଞ୍ଜିତ କରିଥିଲା । ଆଜି ସେହି ପବିତ୍ର ସ୍ଥାନର ପବିତ୍ର ଧୂଳି ଏହି କଳଙ୍କିତ ଅଙ୍ଗରେ ବୋଳି ଶାନ୍ତି ଲାଭ କରିବା–ତାହା ଲୋତକରେ ଭସାଇ ଦେଇ ଆଶ୍ୱାସନା ପାଇବି ।’

 

ଗୌରୀ ପତିଙ୍କର ବାସନା ଅପୂର୍ଣ୍ଣ ରଖିଲେ ନାହିଁ–ସେହି ମୁହୂର୍ତ୍ତରେ ତାଙ୍କୁ ବୋହି ମନ୍ଦିରଦ୍ୱାରରେ ଯାଇ ଉପସ୍ଥିତ ହେଲେ । ସେଠାରେ ବିନୋଦ ଗୌରୀଙ୍କ ସ୍କନ୍ଧରୁ ତଳକୁ ଖସି ବସିଲେ, ପରେ ଭୂଲୁଣ୍ଠିତ ହେଲେ । ସେଠା ଧୂଳିରେ କିଛି ସମୟ ଗଡ଼ି, ହୃଦୟ ଫଟାଇ କାନ୍ଦିବାକୁ ଲାଗିଲେ । କାନ୍ଦି କାନ୍ଦି ତାଙ୍କର ବ୍ୟଥିତ ପ୍ରାଣ ଯେତେବେଳେ ଶାନ୍ତ, ଆଶ୍ୱସ୍ତ ହେଲା, ସେତେବେଳେ ଧୀରେ ଧୀରେ ଉଠି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ଏବଂ ଭକ୍ତିବିହ୍ୱଳ ଚିତ୍ତରେ ଅଶ୍ରୁ ସିକ୍ତ ନେତ୍ରରେ ଚିତ୍କାର କଲେ–‘ପତିତପାବନ ! ପତିତକୁ ଉଦ୍ଧାର କର । ତୁମେ ଦୁର୍ବଳର ବଳ, ଅନ୍ଧର ଚକ୍ଷୁ । ତୁମ ଅଖଣ୍ଡ ଅନନ୍ତ ମହିମା ତେଜରେହିଁ ଆଜି ମୁଁ ଚକ୍ଷୁଲାଭ କରି ଦେଖୁଅଛି, ତୁମେ ବାସ୍ତବିକ ବିଶ୍ୱବିମୋହନ, ଜଗତଜୀବନ ।’

 

ତାଙ୍କର ଏହି ଅଦ୍ଭୁତ, ଆକସ୍ମିକ ପରିବର୍ତ୍ତନ ଦେଖି ସମସ୍ତ ପୁରୀବାସୀ ବିସ୍ମିତ ହୋଇଗଲେ । ବୁଝିପାରିଲେ, ଗୌରୀଙ୍କ ଅଟଳ ଅଚଳ ପତିବ୍ରତ୍ୟହିଁ ତାଙ୍କ ପରିବର୍ତ୍ତନର ଏକମାତ୍ର କାରଣ ।

 

ପତି ପତ୍ନୀ କିଛିଦିନ ପୁରୀରେ ଅବସ୍ଥାନ କରି କଟକ ଅଭିମୁଖରେ ପ୍ରତ୍ୟାବୃତ୍ତ ହେଲେ-

 

ମଧ୍ୟାହ୍ନ ସମୟ । ମସ୍ତକୋପରି ନିଦାଘର ଜ୍ୱାଳାମୟ ସୂର୍ଯ୍ୟ, ପଦତଳେ କଙ୍କର-ସମାକୁଳ ଉତ୍ତପ୍ତ ବାଲୁକା, ଚତୁର୍ଦ୍ଦିଗରେ ଶୁଷ୍କ ନୀରସ ଦଗ୍‌ଧକର ବାୟୁ । କ୍ଷୁଧା ପିପାସାତୁର ବିନୋଦବିହାରୀ ଗୋଟିଏ ବୃକ୍ଷମୂଳରେ ଶାୟିତ, ତାଙ୍କ ଚରଣ ପ୍ରାନ୍ତରେ ଗୌରୀ ଆସୀନା–ଏହି ସମୟରେ ଜଣେ ଉଚ୍ଛୃଙ୍ଖଳ ଦୁଶ୍ଚଚିତ୍ର ବଙ୍ଗାଳୀ ଯୁବକ ଗୌରୀଙ୍କ ରୂପରେ ମୋହିତ ହୋଇ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ ହେଲା । ଗୌରୀ ପଦ-ମର୍ଦ୍ଦିତା ସର୍ପିଣୀ ସଦୃଶ ଗର୍ଜନ କରି ଉଠି, ବୃକ୍ଷରୁ ଗୋଟିଏ ଶାଖା ଭାଙ୍ଗି ପାଶବିକ-ପ୍ରଣୟ-ପ୍ରୟାସୀ ଯୁବକକୁ ପ୍ରହାର କଲେ–କାମୁକ ଯୁବକ ଉପଯୁକ୍ତ ଶିକ୍ଷା ପାଇ ସେଠାରୁ ପଳାୟନ କଲା । ଗୌରୀ ସେ ଦିନ ତାଙ୍କର ନିତମ୍ୱଚୁମ୍ୱୀ ଘନକୃଷ୍ଣ କେଶଗୁଚ୍ଛ ଦନ୍ତ ସାହାଯ୍ୟରେ କାଟି ନିକ୍ଷିପ୍ତ କଲେ, ଦୁଇ ଗୋଟି ଦନ୍ତ ଭାଙ୍ଗି ଦେଲେ ଏବଂ ତପ୍ତ ଅଙ୍ଗାରରେ ମୁଖ, ବକ୍ଷ ଓ ବାହୁ ପୋଡ଼ି ବିକୃତ କରି ପକାଇଲେ ।

Image

 

ତକିଖାଁଙ୍କର ଶେଷ

 

ଦୁର୍ଗର ଉତ୍ତର ଭାଗରେ ଗୋଟିଏ ବିସ୍ତୀର୍ଣ୍ଣ ପ୍ରାନ୍ତର–ତାହାର ଉତ୍ତରରେ ସୁଦୂର ବିସ୍ତୃତ ବନ । ଚଇତ ଏହି ଜଙ୍ଗଲର ପ୍ରାନ୍ତଭାଗରେ ଠିଆ ହୋଇ ଦେଖିଲା, ଦୁର୍ଗ-ଚୂଡ଼ା ହିନ୍ଦୁ-ପତାକା–ବିମଣ୍ଡିତ ହୋଇଅଛି । ତାହାର ଆଶା ସାଫଲ୍ୟର ସମୀପବର୍ତ୍ତିନୀ ହେଲା; ସୁତରାଂ ଆହ୍ଲାଦରେ ତାହାର ମୁଖମଣ୍ଡଳ ଉତ୍‌ଫୁଲ୍ଲ, ସର୍ବାଙ୍ଗ ସ୍ଫୀତ ହୋଇ ଉଠିଲା । ଦୁର୍ଗମଧ୍ୟରେ ସେତେବେଳେ ସୁଦ୍ଧା ଯୁଦ୍ଧ ଚାଲିଥିଲା । ଚଇତ ଗୋଟିଏ ବୃକ୍ଷକାଣ୍ଡ ଉପରେ ବସି ଚତୁର୍ଦ୍ଦିଗ ପ୍ରତି ଲକ୍ଷ୍ୟ ରଖିବାକୁ ଲାଗିଲା । ସେ ଜାଣେ, ଦୁର୍ଗମଧ୍ୟରୁ ପଳାୟନ କରିବା ମୁସଲମାନଗଣଙ୍କୁ ଏହି ବନ-ପଥରେହିଁ ଯିବାକୁ ହେବ–ଅନ୍ୟ ମାର୍ଗ ପଠାଣ ପକ୍ଷରେ ସେତେବେଳେ ନିରାପଦ ନଥିଲା । ଚଇତ ସେଠାରେ ପଥ ଆଗୁଳି ବସି ରହିଲା । ସେ ଯେଉଁଠାରେ ବସିଥିଲା, ତାହାର କିଛି ଦୂରରେ, ବୃକ୍ଷଶ୍ରେଣୀ ଅନ୍ତରାଳରେ ଦଶଜଣ ଅତି ବଳବାନ୍‌ ଅସ୍ତଧାରୀ ଓଡ଼ିଆସୈନିକ ଲୁଚି ରହିଥିଲେ । ସେମାନେ ରାଜା କୃଷ୍ଣଚନ୍ଦ୍ରଙ୍କର ବିଶ୍ୱସ୍ତ ପ୍ରଜା–ଚଇତର ଆଜ୍ଞାନୁବର୍ତ୍ତୀ ।

ସୂର୍ଯ୍ୟଦେବ କ୍ରମଶଃ ପଶ୍ଚିମ ଦିଗରେ ବୁଡ଼ିଗଲେ । ଠିକ୍‌ ସେହି ସମୟରେ ରଇତ ଦେଖିଲା, ଜନୈକ ଅଶ୍ୱାରୋହୀ ବୀରପୁରୁଷ ସେହି ଜଙ୍ଗଲ ପ୍ରତି ଶରବେଗରେ ଧାବମାନ । ସେ ତୀକ୍ଷ୍ଣ ଦୃଷ୍ଟିରେ ଅଶ୍ୱାରୋହୀକୁ ନିରୀକ୍ଷଣ କରି ରହିଲା । ଯୋଦ୍ଧୃପୁରୁଷ କ୍ରମେ ନିକଟତର ହେବାରୁ, ଚଇତ ତାହାକୁ ଚିହ୍ନି ପାରିଲା ଏବଂ ସଙ୍କେତ ସାହାଯ୍ୟରେ ସୈନିକମାନଙ୍କୁ ସେ କଥା ଜଣାଇଦେଲା-। ଅଶ୍ୱାରୋହୀ ବୀରପୁରୁଷଟି ହତଭାଗ୍ୟ ସୁବାଦାର ତକିଖାଁ–ଯାହାଙ୍କ ଅପେକ୍ଷାରେ, ଯାହାଙ୍କ ସର୍ବନାଶ ସାଧନ କରିବା ଉଦ୍ଦେଶ୍ୟରେ, ଚଇତ ସେଠାରେ ଜାଲ ବିସ୍ତାର କରି ବସି ରହିଛି-। ସେ ସ୍କନ୍ଧରୁ ଧନୁ ଓହ୍ଲାଇ ସେଥିରେ ଶର ଯୋଜନା କଲା–ସୈନିକମାନେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲେ । ତକିଖାଁ ପ୍ରାନ୍ତର ଅତିକ୍ରମ କରି ବନମଧ୍ୟରେ ପ୍ରବିଷ୍ଟ ହେବାମାତ୍ରକେ ଚଇତ ଲକ୍ଷ୍ୟ ସ୍ଥିର କରି ଶର ତ୍ୟାଗ କଲା; ଶରଟି କିନ୍ତୁ ଅଶ୍ୱାରୋହୀ କିମ୍ୱା ଅଶ୍ୱକୁ ସ୍ପର୍ଶ ନକରି ଗୋଟିଏ ବୃକ୍ଷ ଦେହରେ ଯାଇ ପଶିଲା । ଅତିଶୟ ଆତଙ୍କରେ ସୁବାଦାରଙ୍କ ମୁଖ ମଳିନ ହୋଇଗଲା, ସେ ଅଶ୍ୱ-ବେଗ ସଞ୍ଜତ କରି ଭୀତି–ଚକିତ ଚକ୍ଷୁରେ ଚତୁର୍ଦ୍ଦିଗରେ ଦୃଷ୍ଟିପାତ କରିବାକୁ ଲାଗିଲେ । ସେହି ମୁହୂର୍ତ୍ତରେ ଚଇତ-ହସ୍ତ-ନିକ୍ଷିପ୍ତ ଦ୍ୱିତୀୟ ଶର ଯାଇ ଅଶ୍ୱ-ଲଲାଟ ବିଦୀର୍ଣ୍ଣ କରି ଦେଲା–ଅଶ୍ୱ ଭୂତଳଶାୟୀ ହେଲା ।

ତକିଖାଁ ପତନୋନ୍ମୁଖ ଅଶ୍ୱ ପୃଷ୍ଠରୁ ହଠାତ ଡେଇଁ ପଡ଼ି ତରବାରି କୋଷୋନ୍‌ମୁକ୍ତ କରି ଶତ୍ରୁର ସମ୍ମୁଖ–ଆକ୍ରମଣ ଆଶଙ୍କାରେ ଠିଆ ହେଲେ ଏବଂ ତୀକ୍ଷ୍ଣ ଦୃଷ୍ଟିରେ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାକୁ ଲାଗିଲେ । ଦେଖିଲେ, କିୟତ୍ ଦୂରରେ ଜଣେ ଦୀପ୍ତିମାନ୍‌ ବାଳକ ଶର-ଯୁକ୍ତ ଧନୁ ଧରି ଦଣ୍ଡାୟମାନ । ସୁବାଦାର ତାହାକୁ ଚିହ୍ନି ପାରି ରୋଷ-କମ୍ପିତ ଦେହରେ ତାହା ପ୍ରତି ପ୍ରଧାବିତ ହେଲେ । ଚଇତ ଆରକ୍ତ ନେତ୍ରରେ ବଜ୍ର-ସ୍ୱରରେ କହିଲା–‘ଯେଉଁଠି ଅଛ, ସେଠାରେହିଁ ରହ ସୁବାଦାର, ପଦେ ସୁଦ୍ଧା ଅଗ୍ରସର ହୁଅ ନାହିଁ ।’

ତକିଖାଁ : ତୋର ଆଉ ନିସ୍ତାର ନାହିଁ କାଫେର-କିଶୋର ! ଭକ୍ଷକ ଆଗରେ ଭକ୍ଷ୍ୟର ଆଉ ରକ୍ଷା ନାହିଁ ।ଏହା କହି ସୁବାଦାର କିଛି ଅଗ୍ରସର ହେବାକ୍ଷଣି ଚଇତ ତାଙ୍କର ଦକ୍ଷିଣ ବାହୁମୂଳ ଲକ୍ଷ୍ୟ କରି ଶର ଛାଡ଼ିଲା । ସୁବାଦାର ଆହତ ହୋଇ ପଛଘୁଞ୍ଚା ଦେଲେ–ତାଙ୍କ ହସ୍ତରୁ ଖଡ଼୍‌ଗ ଖସି ପଡ଼ିଲା । ଚଇତ ସେତେବେଳେ କ୍ଷିପ୍ର ପଦରେ ଯାଇ ତକିଖାଁଙ୍କ ତରବାରି ଭୂମିରୁ ଉଠାଇ ନେଲା । ତକିଖାଁଙ୍କ ଭୟ ତାହାର ସୀମା ଉଲ୍ଲଙ୍ଘନ କଲା–ସାହାଯ୍ୟ ପ୍ରତ୍ୟାଶାରେ ସେ ଚତୁର୍ଦ୍ଦିଗରେ ଥରେ ଦୃଷ୍ଟି ସଞ୍ଚାଳନ କଲେ, ସାହାଯ୍ୟ କିନ୍ତୁ ପାଇଲେ ନାହିଁ ।

ଚଇତ ମୃଦୁ ଅଥଚ ଗମ୍ଭୀର କଣ୍ଠରେ ପ୍ରଶ୍ନ କଲା–‘ମୋତେ ଚିହ୍ନି ପାରୁଛ ତକିଖାଁ ?’

 

ତକିଖାଁ : ଚିହ୍ନି ପାରିଛି, ତୁ କୃଷ୍ଣଚନ୍ଦ୍ର–ଭକ୍ତ ଚିଇତ–ବିନୋଦର ବିଶ୍ୱାସଘାତକ ଭୃତ୍ୟ ।

 

ଚଇତ : ମୁଁ ଚଇତ ନୁହେଁ, ଚପଳା–ତୁମ ଅଦୃଷ୍ଟାକାଶର ଭୀମ ଧୂମକେତୁ, ଅତ୍ୟାଚାରୀ–ସର୍ପକୁଳର କ୍ରୋଧୋଦ୍ଦୀପ୍ତ ଗରୁଡ଼ ! କିଛି ସମୟ ଏଠାରେ ଅପେକ୍ଷା କର । ସାବଧାନ, ପଳାୟନ–ପ୍ରୟାସୀ ହେଲେ ତୃତୀୟ ଶରରେ ତୁମ ମରଣ ସୁନିଶ୍ଚିତ !

 

ଚଇତ ସେହିକ୍ଷଣି ଗୋଟିଏ ବୃକ୍ଷାନ୍ତରାଳକୁ ଯାଇ ଅତି ଚଞ୍ଚଳ ବେଶ ପରିବର୍ତ୍ତନ କରି ଫେରିଲା । ତକିଖାଁ ବିସ୍ମୟ ସ୍ଫୁରିତ ନୟନରେ ଦେଖିଲେ, ଚଇତ ପାଇଜାମା ଓ କୁର୍ତ୍ତା ପରିବର୍ତ୍ତେ ରକ୍ତବସନ ଓ କାଞ୍ଚୁଲୀ ପରିଧାନ କରିଅଛି, ମସ୍ତକରୁ ପଗଡ଼ି ବାହାର କରି ଦେଇ ତାହାର ଘନକୃଷ୍ଣବାରିଦ–ବିନିନ୍ଦୀ କେଶଗୁଚ୍ଛ ବନ୍ଧନ-ମୁକ୍ତ କରି ଦେଇଛି ଏବଂ ବାମ ହସ୍ତରେ ଧନୁର୍ବାଣ, ଦକ୍ଷିଣ ହସ୍ତରେ କୃପାଣ ଧାରଣ କରିଅଛି । ତକିଖାଁ ସେତେବେଳେ ଯେପରି ବିସ୍ମୟରେ ନିମଜ୍ଜିତ ହେଲେ, ଜୀବନରେ କେବେ ସେପରି ହୋଇ ନଥିଲେ । ଶତ୍ରୁ-ସଂହାର-ପ୍ରୟାସିନୀ ଚପଳା ଦୀପ୍ତିଶାଳିନୀ ଚପଳା ତରବାରି ଉପରେ ଭରା ଦେଇ ତକିଖାଁଙ୍କ ସମ୍ମୁଖରେ ଠିଆ ହୋଇ କହିଲା–‘ଏବେ ଚିହ୍ନି ପାରୁଛ ତକିଖାଁ ? ଏହି ବେଶରେ ମୋତେ ଆଉ କେବେ ଦେଖିଥିଲ ମନେ ଅଛି ? ଏହି ଛିନ୍ନ ବସନ, ଛିନ୍ନ କାଞ୍ଚୁଲୀ ଦେଖି ଅତୀତର କୌଣସି ସ୍ମୃତି ମନରେ ଉଦିତ ହୁଏ ?’

 

ତକିଖାଁଙ୍କର ପ୍ରତୀତ ହେଲା, ଚପଳାକୁ ସେ ଯେପରି ପୂର୍ବେ ଥରେ ଦେଖିଛନ୍ତି; କିନ୍ତୁ ଠିକ୍‌ କେଉଁ ସ୍ଥାନରେ, କେଉଁ ସମୟରେ ତାହା ସ୍ମରଣ କରି ପାରିଲେ ନାହିଁ । ସନ୍ଦେହ ରେଖାଙ୍କିତ ମୁଖରେ ଠିଆ ହୋଇ ରହିଲେ ।

 

ଚପଳା : ମହାନଦୀକୂଳରେ, ଭଗ୍ନ ଅଟ୍ଟାଳିକା-ପ୍ରାଙ୍ଗଣରେ–ମନେ ପଡ଼ୁ ନାହିଁ ଅତ୍ୟାଚାରୀ ପଠାଣ ? ଠିକ୍‌ ଏହି ସମୟରେ–ସୂର୍ଯ୍ୟ ଅସ୍ତମିତ, ଚନ୍ଦ୍ର ସମୁଦିତ ହେବାବେଳେ–ତୁମେ ଓ ତୁମ ପାପ ସହଚର ବିନୋଦବିହାରୀ–

 

ତକିଖାଁ : ହଁ ମନେ ପଡ଼ିଲା, ତୁମେ ସେଇ–

 

ତକିଖାଁ : ହଁ ମୁଁ ସେଇ–ସେଇ ନଗଣ୍ୟ ଓଡ଼ିଆ ବାଳିକା । ଯା’ର ଧର୍ମ କ୍ରୀଡ଼ନକ ମନେ କରି ଦିନେ ପଦଦଳିତ କରିବାକୁ ଚେଷ୍ଟା କରିଥିଲ, ଆଜି ସେଇ ନଗଣ୍ୟ ବାଳିକା ରାଜାଧିରାଜ ସୁବାଦାର ତକିଖାଁଙ୍କ ଆଗରେ ଭାଗ୍ୟବିଧାତ୍ରୀରୂପେ ଦଣ୍ଡାୟମାନ ।

 

ତକିଖାଁ : ଚପଳା ! ମୁଁ ଚେଷ୍ଟା କରିଥିଲି ମାତ୍ର; କିଛି ଅନିଷ୍ଟ ତ କରି ନାହିଁ ।

 

ଚପଳା ବ୍ୟାଘ୍ରୀତୁଲ୍ୟ ସ୍ଫୀତ ହୋଇ ଉଠି ତର୍ଜନ ଗର୍ଜନ କରି କହିଲା–‘ଅନିଷ୍ଟ କରି ନାହଁ ନରାଧମ ? ମୋ ପିତାଙ୍କୁ ମହାନଦୀଗର୍ଭରେ ଫିଙ୍ଗି ମାରିଛ, ମୋ ଦେହ ସ୍ପର୍ଶ କରି କଳଙ୍କିତ କରିଛ, ମୋ ବାଗ୍‍ଦତ୍ତ ସ୍ୱାମୀଙ୍କ ସହିତ ମୋ ଚିର ବିଚ୍ଛେଦ ଘଟାଇଛ । ଅନିଷ୍ଟ କରି ନାହଁ !’

 

ତକିଖାଁ : ଚପଳା, ତୁମେ ଦୁର୍ବଳା ନଗଣ୍ୟା ନୁହ–ତୁମେ ପ୍ରତିଶୋଧମୟୀ କରାଳିନୀ ଓଡ଼ିଆ କିଶୋରୀ । ମୋର ଭ୍ରମ ଘୁଞ୍ଚିଅଛି । ମୋ ଅପରାଧ କ୍ଷମା କର ଚପଳା !

 

ଚପଳା : କ୍ଷମା ? କ୍ଷମା କାହାକୁ କହନ୍ତି ମୁଁ ଜାଣେ ନାହିଁ । ଏ ପ୍ରାଣରେ ଆଉ କରୁଣା ନାହିଁ–ଅଛି ପ୍ରତପ୍ତ ପ୍ରଦାହ, ଅଛି ଅନଳ ଗଠିତ ସ୍ମୃତିର ସତେଜ ନିଷ୍ଠୁର ପୀଡ଼ନ, ଅଛି ପ୍ରଜ୍ୱଳିତ ।

 

ପ୍ରତିହିଂସା–ପାବକ । ପିତୃଶବ ସ୍ପର୍ଶ କରି ପ୍ରତିଜ୍ଞା କରିଛି, ତୁମର ଓ ବିନୋଦର ସର୍ବନାଶ କରିବି । ତୁମର ଆଉ ପରିତ୍ରାଣ ନାହିଁ ମୁସଲମାନ !

 

ଚପଳାଙ୍କ ଆହ୍ୱାନରେ ଲୁକ୍କାୟିତ ସୈନିକଦଳ ଘଟନାସ୍ଥଳକୁ ଦ୍ରୁତ ଗତିରେ ଧାଇଁ ଆସିଲେ । ଚପଳା ସେମାନଙ୍କୁ କହିଲା–‘ପାଷଣ୍ଡକୁ ବାନ୍ଧ ।’ ତକିଖାଁ ବୁଝିଲେ, ତାଙ୍କ ଜୀବନର ଆଉ ଆଶା ନାହିଁ । ସେ ସୈନିକଦଳଙ୍କୁ ପ୍ରଲୁବ୍ଧ କରିବା ଆଶାରେ ବ୍ୟାକୁଳ ଚିତ୍ତରେ କହିଲେ,–ମୁଁ ତୁମମାନଙ୍କୁ ଧନସମ୍ପତ୍ତି ଦେବି, ଜାୟଗିରି ଦେବି–ମୋତେ ବାନ୍ଧ ନାହିଁ, ମାର ନାହିଁ ।

 

ଜଣେ ସୈନିକ କଠୋର କଣ୍ଠରେ କହିଲା,–‘ରାଜା କୃଷ୍ଣଚନ୍ଦ୍ର ଆମର ଧନସମ୍ପତ୍ତି, ଜାୟଗିରି, ସବୁ । ତୁମ ଦାନରେ, ଅନୁଗ୍ରହରେ ପଦାଘାତ କରୁଛୁ । ଦେବତା କୃଷ୍ଣଚନ୍ଦ୍ରଙ୍କର ଆମେମାନେ ବିଶ୍ୱସ୍ତ, ବିନୀତ ପ୍ରଜା, ପରମ ଭକ୍ତ । ମ୍ଳେଚ୍ଛଦଳନୀ ଚପଳାଙ୍କ ଆଦେଶ ପାଳନ କରିବୁଇ କରିବୁ । ଜୀବନ-ମମତା ତ୍ୟାଗ କର ତକିଖାଁ ।’

 

ଏହା କହି ସେମାନେ ତକିଖାଁଙ୍କୁ ଗୋଟିଏ ଦୀର୍ଘ ଦୃଢ଼ ରଜ୍ଜୁରେ ଆବଦ୍ଧ କରିଦେଲେ । ହତାଶ ହୃଦୟରେ ତକିଖାଁ ପ୍ରାଣରକ୍ଷାର ଶେଷ ଚେଷ୍ଟା କରିବା ଇଚ୍ଛାରେ ଅଶ୍ରୁପୂର୍ଣ୍ଣ ନୟନରେ କହିଲେ–‘ଚପଳା, ତୁମେ ମୋତେ ଯାହା କରିବ, ଯାହା ଲୋଡ଼ିବ ଦେବି । ମୋତେ ଛାଡ଼ି ଦିଅ ।’

 

ହସ୍ତି ଉପରେ କ୍ଷୁଧିତା ସିଂହୀ ଯେପରି ଗର୍ଜନ କରି ବସେ, ପ୍ରତିହିଂସାପାଗଳିନୀ ଚପଳା ସେପରି ଆବଦ୍ଧ ଧରାଶାୟୀ ତକିଖାଁଙ୍କ ବକ୍ଷରେ ବସି ହୁଙ୍କାର କରି କହିଲା,–‘ତୁମକୁ କେବେ ଜୀବିତାବସ୍ଥାରେ ଛାଡ଼ିବି ନାହିଁ ପାମର । ମୋର ସର୍ବସ୍ୱ ହରି ନେଇ ଏବେ ଦେଖାଉଛ ପ୍ରଲୋଭନ ! ଲଜ୍ଜା ନାହିଁ ତକିଖାଁ ? ବର୍ତ୍ତମାନ ମୁଁ ଚାହେଁ ନାହିଁ ତୁମର ଦାନ, ଚାହେଁ କେବଳ ରୁଧିରପାନ ! ଜାଣି ରଖ ମ୍ଳେଚ୍ଛ, ତୁମର ସର୍ବଶେଷ କରିବାକୁ ଯାଉଛି ନ୍ୟାୟାନୁରୋଧରେ, ଧର୍ମାନୁରୋଧରେ–ତୁମକୁ ଶିଖାଇବାକୁ ଯାଇଛି ନାରୀସମ୍ମାନରକ୍ଷା । ତୁମେ ଲକ୍ଷ ଲକ୍ଷ ନାରୀଙ୍କର ରକ୍ଷକ ପାଳକ ହୋଇ ନାରୀମର୍ଯ୍ୟାଦା ନଷ୍ଟ କରିଛ, ନାରୀଧର୍ମକୁ ଅପମାନ ଦେଇଛ । ମନୁଷ୍ୟର ନାମ କଳଙ୍କିତ କରି ପଠାଣ ଜାତିର ମସ୍ତକ ମୃତ୍ତିକାରେ ଲୁଣ୍ଠିତ କରିଛ । ତୁମେ ମନୁଷ୍ୟ ନାମର ଅଯୋଗ୍ୟ । ନିଷ୍ଠୁର ପଠାଣ ! ତୁମର କଠୋର ପ୍ରାୟଶ୍ଚିତ୍ତ ପାଇଁ ପ୍ରସ୍ତୁତ ହୁଅ । ତୁମର ବେଦନା-ବିକୃତ ସ୍ୱର ଶୁଣି, ତୁମ କଠିନ ପ୍ରାୟଶ୍ଚିତ୍ତର ବୀଭତ୍ସ ଦୃଶ୍ୟ ଦେଖି ଜଗତ ଶିକ୍ଷା ଲାଭ କରୁ ରମଣୀ-ମାନ-ରକ୍ଷା, ଅତ୍ୟାଚାରୀ ଲାଭ କରୁ ମନୁଷ୍ୟତ୍ୱ ।’

 

ତକିଖାଁ : ଚପଳା ! ତୁମକୁ ରାଜ୍ୟ ଦେବି, ସିଂହାସନରେ ବସାଇ ଆଜୀବନ ଦାସ ହୋଇ ରହିବି । କ୍ଷମା କର, ମୋ ଜୀବନ ନିଅ ନାହିଁ ।

 

ଚପଳା ଅଶନି-କର୍କଶ ସ୍ୱରରେ କହିଲା–‘ମହାନଦୀତୀରରେ ଯେତେବେଳେ ତୁମର ପାଦ ଧରି କାତର ସ୍ୱରରେ ମୋତେ ଛାଡ଼ିଦେବାକୁ ପ୍ରାର୍ଥନା କରିଥିଲି, ସେତେବେଳେ ମୋ ପ୍ରାର୍ଥନା କ’ଣ ରଖିଥିଲ ? ନା, ତୁମର ଆଉ ନିସ୍ତାର ନାହିଁ । ତୁମେ ସେଇ ପାଷଣ୍ଡ ନରରାକ୍ଷସ, ନାମ–ସ୍ମରଣରେ ଯା’ର ବକ୍ଷରକ୍ତ ଆଲୋଡ଼ିତ ହୋଇଉଠେ–ଯା’ର ହୃଦୟ–ଶୋଣିତରେ ତର୍ପଣ କରିବାକୁ ସମଗ୍ର ଓଡ଼ିଶା ଆଜି ବୁଭୁକ୍ଷିତ ବ୍ୟାଘ୍ର ପରି ଲୋଲୁପ ନେତ୍ରରେ ଚାହିଁ ରହିଅଛି–ଯା’ର ହୃତପିଣ୍ଡ ନଖାଘାତରେ ଉତ୍ପାଟିତ କରିବାକୁ ହସ୍ତ ମୋର ବ୍ୟଗ୍ର । ତୁମର ଆଉ ପରିତ୍ରାଣ ନାହିଁ ।’

 

ଏହା କହି ଚପଳା ତକିଖାଁଙ୍କ ବକ୍ଷସ୍ଥଳରେ କୃପାଣ ଆମୁଷ୍ଟି ପ୍ରୋଥିତ କରିଦେଲେ । ବିକଟ ଚିତ୍କାର କରି ତକିଖାଁ ପ୍ରାଣ ହରାଇଲେ । ତାଙ୍କର ଶେଷ ହେଲା–ପାପ, ଅତ୍ୟାଚାରର ଶେଷ ହେଲା,–ଶତ୍ରୁ ସଂହାରିଣୀ ଚପଳାର ପ୍ରତିଶୋଧ–ବହ୍ନିର ଅର୍ଦ୍ଧାଂଶ ନିର୍ବାପିତ ହେଲା ।

Image

 

ପ୍ରତିହିଂସା-ବ୍ରତ-ଉଦ୍‌ଯାପନ

 

ଗୌରୀ ବିନୋଦବିହାରୀଙ୍କୁ ବୋହି ବା ତାଙ୍କ ହାତ ଧରି ଆଉ ବୁଲିଲେ ନାହିଁ–ଚିତ୍ରୋତ୍ପଳାତଟରେ, ଶୁଭ୍ରବର୍ଣ୍ଣା ମହାନଗରୀ କଟକର ଅନତିଦୂରରେ ଅନନ୍ତ ଆକାଶତଳେ ଗୋଟିଏ ବୃକ୍ଷ ନିକଟରେ ଖଣ୍ଡିଏ କୁଟୀର ନିର୍ମାଣ କରି ସୁଖ ଶାନ୍ତିରେ ଦିନାତିପାତ କରିବାକୁ ଲାଗିଲେ । ପତିଙ୍କୁ କୁଟୀରରେ ସଯତ୍ନ ରଖି ନିଜେ ଭିକ୍ଷା ମାଗି ଯା’ନ୍ତି । ପତିବ୍ରତା ପକ୍ଷରେ ପତିସେବାହିଁ ମହା ସୁଖ, ପରମ ଶାନ୍ତି ସିନା !

 

ଦିନେ ପ୍ରାତଃକାଳରେ ବିନୋଦ ଗୌରୀଙ୍କ ନିକଟରେ ବସି କାତର ସ୍ୱରରେ କହିଲେ–‘ଗୌରୀ ! ତୁମ ରୂପ ଦେଖିବାକୁ ମୋର ଭାରି ଇଚ୍ଛା ହେଉଛି । ଅନେକ ଦିନ ହେଲା ତୁମ ସରସ ରୂପମାଧୁରୀ ଦେଖି ନାହିଁ–ଜୀବନରେ କେବେ ଉତ୍ତମରୂପେ ଦେଖିପାରି ନାହିଁ । କି ହତଭାଗ୍ୟ ମୁଁ ସତେ ସୁନ୍ଦରୀ !’

 

ଗୌରୀ ନିରୁତ୍ତର ହୋଇ ପତିଙ୍କ ଆହୁରି ନିକଟରେ ବସିଲେ, ବିନୋଦ ତାଙ୍କର ଶୁଭ୍ର’ ଉଜ୍ଜ୍ୱଳ ମୁଖରେ ଥରେ ହାତ ବୁଲାଇ ବ୍ୟଥିତ ମନରେ ପ୍ରଶ୍ନ କଲେ–‘ମୁଖ ପୋଡ଼ି ବିକୃତ କରି ପକାଇଲ କାହିଁକି ପ୍ରିୟେ ?’

 

ଗୌରୀ : ଯେଉଁ ସୌନ୍ଦର୍ଯ୍ୟ ଆପଣ ଦେଖିପାରୁ ନାହାନ୍ତି, ତାହା ରଖି ବା ଫଳ କ’ଣ ?

 

ବିନୋଦ କୌଣସି ଉତ୍ତର ନ ଦେଇ ତୁନି ହୋଇ ରହିଲେ । ଉଭୟେ ଉଭୟଙ୍କ ହାତ ଧରି, ଅଙ୍ଗରେ ଅଙ୍ଗ ମିଶାଇ କେତେକ ସମୟ ବସି ରହିଲେ । ସୂର୍ଯ୍ୟୋଦୟରେ ଚତୁର୍ଦ୍ଦିଗରେ ମଧୁର ମନୋହର ବିହଙ୍ଗ-କୂଜନ ଶ୍ରୁତ ହେଲା; କିନ୍ତୁ ସେଥିପ୍ରତି ଦୁହିଁଙ୍କର ଲକ୍ଷ୍ୟ ନାହିଁ–ତନ୍ମୟ ପ୍ରାଣରେ ନୀରବ ହୋଇ ବସି ରହିଲେ । ବିନୋଦ ହଠାତ ମୌନଭଙ୍ଗ କରି ସସ୍ମିତ ମୁଖରେ ଗୌରୀଙ୍କୁ ଗୋଟିଏ ଗାନ ଶୁଣାଇବାକୁ ଅନୁରୋଧ କଲେ । ଗୌରୀ ଥିଲେ ସୁଗାନବତୀ, ସଙ୍ଗୀତପ୍ରିୟା । ପତି-ବିଚ୍ଛେଦରେ ଅନେକ ଦିନ ତାଙ୍କର ସଙ୍ଗୀତ-ସ୍ରୋତ ସ୍ଥଗିତ ହୋଇ ପଡ଼ିଥିଲା । ପତିଙ୍କ ଉତ୍ସଙ୍ଗରେ ଗୌରୀ ଆଜି ପୁଣି ସେଇ ସରଳ ସ୍ୱଚ୍ଛ ଗାନ-ଉତ୍ସ ଖେଳାଇବାକୁ ଉଦ୍ୟାତ ହୋଇ ହସି ହସି କହିଲେ–‘ଶୁଣାଇବି ଗାନ । କିଛି ଅପେକ୍ଷା କରନ୍ତୁ ।’

 

ଏହା କହି ସେ ନଦୀତୀରକୁ ଗଲେ । ଦେଖିଲେ, ସେଠାରେ ଗୋଟିଏ ନୌକା ଲାଗିଅଛି । ନଦୀତଟର ସେହି ଭାଗରେ କେବେ ନୌକା ରହେ ନାହିଁ–ନୌକାର ଆବଶ୍ୟକତାବି ନଥିଲା । ନିକଟରେ ଲୋକାଳୟ ନାହିଁ । ଗୌରୀ ଅତ୍ୟନ୍ତ ବସ୍ମିତ ହୋଇ, ଜଳ ଧରି କୁଟୀରକୁ ଫେରିଲେ । ପରେ ପତିଙ୍କ କୋଳରେ ବସି ତାଙ୍କ ବାସନାନୁସାରେ ତାଙ୍କ ସ୍ୱାଭାବିକ ସୁକୋମଳ ସୁମଧୁର ବୀଣା-ବିନିନ୍ଦୀ କଣ୍ଠରେ ଗାନ କଲେ–

 

‘‘ଚନ୍ଦ୍ରମା ସୁନ୍ଦର ତପନ ସୁନ୍ଦର ତତୋଧିକ ସୁନ୍ଦର ତୁମେ ହେ ସାଗର ଭୂଧର ଗଗନ ସୁନ୍ଦର ତୁମରି ପରଶେ ନାଥ ହେ । ଯମୁନା-ପୁଳିନେ ବୁଲୁଥିଲ ବୋଲି ଯମୁନା ଏତେ ସୁନ୍ଦର ହେ ରାଧା ରାଧା ବୋଲି ଡାକୁଥିଲ ବୋଲି ରାଧାଙ୍କ ଏତେ ଗରବ ହେ ।’’

 

ବିନୋଦ ଗୌରୀଙ୍କର ସୁକୋମଳ ହସ୍ତଦ୍ୱୟ ଧରି ବିଭୋର ପ୍ରାଣରେ ଗାନ ଶୁଣିବାକୁ ଲାଗିଲେ । ସୂର୍ଯ୍ୟ କ୍ରମେ ଆକାଶ ଉପରକୁ ଉଠିଲା, ତେବେ ତାହା ପ୍ରତି ମୁଗ୍ଧ ତନ୍ମୟ ଯୁଗଳର ଲେଶମାତ୍ର ଦୃଷ୍ଟି ନାହିଁ । ଜଣେ ଗାନ କରୁଅଛି, ଅନ୍ୟ ଜଣେ ଶୁଣୁଅଛି ଜଣକର ଶୁଣାଇବାରେ ତୃପ୍ତି ଅନ୍ୟ ଜଣକର ଶୁଣିବାରେ ତୃପ୍ତି । ଗାନ ଶେଷ ହେବା ସଙ୍ଗେ ସଙ୍ଗେ ଆଦରଣୀୟା ଗୌରୀ ପତିଙ୍କ ନିକଟରୁ ସ୍ନେହ–ଚୁମ୍ୱନ ଓ ପ୍ରେମାଲିଙ୍ଗନ ଉପହାର ପାଇ ଉଠିଲେ ।

 

ବିନୋଦ : ଗୌରୀ, ଦେଶକୁ ଫେରିଯିବା ମନେ କରୁଛି ।

 

ଗୌରୀ : କାହିଁକି ଏ ତ ଆମର ଦେଶ । ଯେଉଁଠାରେ ଆପଣ ଅଛନ୍ତି, ମୁଁ ଅଛି–ଯେଉଁ ସ୍ଥାନରେ ଆମ ଦୁହିଁଙ୍କର ସୁଖ-ସ୍ମୃତି ଅଙ୍କିତ ଅଛି–ସେହି ସ୍ଥାନ ଅପେକ୍ଷା ପ୍ରିୟତର ସ୍ଥାନ ଜଗତରେ ଆଉ କାହିଁ ?

 

ବିନୋଦ: ପିତୃଗୃହକୁ ଯିବାକୁ ଇଚ୍ଛା କରୁନାହଁ ? ସେଠାରେ ରହିଲେ ତ ତୁମକୁ ଆଉ ଭିକ୍ଷା ମାଗି ବୁଲିବାକୁ ହେବ ନାହିଁ ।

 

ଗୌରୀ : ପିତୃଗୃହରେ ରାଜଭୋଗରେ ମତ୍ତ ହୋଇ ରହିବାଠାରୁ ଏଠାରେ ଭିକ୍ଷା ମାଗି ବୁଲିବାର ସହସ୍ରାଂଶରେ ଭଲ ।

 

ବିନୋଦ : ତୁମକୁ ଭିକ୍ଷାପାଇଁ ବୁଲିବାର ଦେଖି ମୋ ପ୍ରାଣରେ ବଡ଼ ଆଘାତ ଲାଗେ ସୁନ୍ଦରୀ !

 

ଗୌରୀ : ମୁଁ ଏବେ ଯେଉଁ ସୁଖରେ ଅଛି, ସେ ସୁଖ ବୋଧହୁଏ ଦେବତାଙ୍କ ଭାଗ୍ୟରେବି ଘଟେ ନାହିଁ ।

 

ବିନୋଦ : ଚାଲ ଗୌରୀ କଟକକୁ ଯିବା । ରାଜା କୃଷ୍ଣଚନ୍ଦ୍ରଙ୍କ ନିକଟରେ କ୍ଷମା ଭିକ୍ଷା କରିବି । ସେ କ’ଣ କ୍ଷମା କରିବେ ନାହିଁ ?

 

ଗୌରୀ : କରିବେ ଅବଶ୍ୟ । ତେବେ ବର୍ତ୍ତମାନ ନ ଯାଇ ଆଉ କିଛିଦିନ ପରେ ଯିବା ।

 

ଗୌରୀ ଆଉ ବିଳମ୍ୱ ନ କରି ଭିକ୍ଷାପାଇଁ କୁଟୀର ତ୍ୟାଗ କଲେ । ବିନୋଦବିହାରୀ କୁଟୀରରେ ଏକାକୀ । ନିକଟରେ ଲୋକାଳୟ ନାହିଁ, ଚତୁର୍ଦ୍ଦିଗ ଜନଶୂନ୍ୟ । ସମ୍ମୁଖରେ କଲ୍ଲୋଳିନୀ ନଦୀ–ମସ୍ତକୋପରି, ବୃକ୍ଷ ଉପରେ ଅସଂଖ୍ୟ ପକ୍ଷୀ । ବିନୋଦ କୁଟୀରରେ ବସି ନଦୀର କ୍ରନ୍ଦନ, ପକ୍ଷୀମାନଙ୍କ ଭଗ୍ନ ହୃଦୟର ଚିତ୍କାର ଶୁଣିବାକୁ ଲାଗିଲେ । ତଟିନୀର ସେହି ନିରାଶାବ୍ୟଥିତ ଧ୍ୱନି ମର୍ମସ୍ପର୍ଶୀ କ୍ରନ୍ଦନ ଶୁଣି ତାଙ୍କର ମନେ ହେଲା, କିଏ ଯେପରି ପ୍ରାଣର ଯାତନାରେ ଅଧୀର ହୋଇ ଗଭୀର ଉଚ୍ଛ୍ୱାସରେ ନିରନ୍ତର ବିଳାପ କରୁଅଛି, ଯେପରି କୌଣସି ପ୍ରେମ-ବିଗଳିତା ରମଣୀକୁ ପତି-ଆଲିଙ୍ଗନରୁ ବିଚ୍ଛିନ୍ନ କରି କିଏ ଧରି ବାନ୍ଧି ରଖିଅଛି, ଅତଏବ କଲ୍ଲୋଳିନୀ କାନ୍ଦି କାନ୍ଦି ଫୁଲି ଉଠି ଦୁଇକୂଳ ଖାଇ ବନ୍ଧନ ଭାଙ୍ଗିବାକୁ ଚେଷ୍ଟା କରୁଅଛି । ବିନୋଦ ବୃକ୍ଷମୂଳେ ବସି ପକ୍ଷୀ-ଗାନ ଶୁଣିବାକୁ ଲାଗିଲେ । ଭାବିଲେ, ପକ୍ଷୀମାନେବି ସୁଖୀ ନୁହନ୍ତି । ବିହଗକୁଳର ସେଇ ଆର୍ତ୍ତନାଦ ଶୁଣି ବିନୋଦ ଚିନ୍ତା କଲେ–‘ହାୟ, ଜଗତରେ କେହି ସୁଖୀ ନୁହେ । ସମସ୍ତେ କ’ଣ ମୋ ପରି ଦୁଃଖୀ ? ସମସ୍ତେ କ’ଣ ଭଗ୍ନ ପ୍ରାଣରେ ପୃଥିବୀବ୍ୟାପୀ କାନ୍ଦି ବୁଲୁଛନ୍ତି ? ହା ଭଗବାନ୍‌ । ପଶୁ ପକ୍ଷୀ ନଦୀ ମନୁଷ୍ୟ–କାହା କପାଳରେ ସୁଖ ଲେଖି ନାହଁ ।

 

ଏହି ସମୟରେ ପାର୍ଶ୍ୱରେ ଠିଆ ହୋଇ କେହି ଜଣେ କହିଲା–‘ଏତେ ସୁଖରେବି ସୁଖୀ ନୁହ ତୁମେ ?’

 

ବିନୋଦ ଚମକି ପଡ଼ିଲେ । ମୁଖ ବୁଲାଇ ହର୍ଷୋତ୍‍ଫୁଲ୍ଲ କଣ୍ଠରେ ପ୍ରଶ୍ନ କଲେ–‘କା’ର କଣ୍ଠସ୍ୱର ? ଚଇତ ଆସିଛ ?’

 

ଚପଳା : ତୁମେ କାହିଁକି ଯେ ଦୁଃଖ କରୁଛ ମୁଁ କିଛି ବୁଝି ପାରୁ ନାହିଁ । ତୁମେ ସର୍ବସ୍ୱ ହରାଇଲେହେଁ ଜଗତର ଶ୍ରେଷ୍ଠ ରତ୍ନ ତ ପାଇଛ ! ଦୁଃଖ କାହିଁକି ?

 

ବିନୋଦ : ଗୌରୀଙ୍କ କଥା କହୁଛ ତ ? ହଁ ସେ ରତ୍ନ; କିନ୍ତୁ–

 

ଚପଳା : କିନ୍ତୁ ନାହିଁ ମୂର୍ଖ ! ଯେ ଗୌରୀ ପରି ସ୍ତ୍ରୀ-ରତ୍ନ ପାଇଛି, ସେ ସକଳ ସଂପଦ, ସକଳ ସୁଖର ପ୍ରକୃତ ଅଧିକାରୀ । ମୁଁ ତୁମର ସେଇ ସଂପଦ, ସେଇ ସୁଖ ଦଗ୍‌ଧ କରିବାକୁ ଆସିଛି-। ଉଠି ଆସ ।

 

ବିନୋଦ: ଦେଖୁଛି, ତୁମେ ତାହାହେଲେ ଚଇତ ନୁହ । ମୋ ଚଇତ ତ ଏତେ ନିଷ୍ଠୁର, ଏପରି ହୃଦୟହୀନ ନଥିଲେ !

 

ଚପଳା: ମୁଁ ଚଇତ ନୁହେଁ–ଚପଳା । ଯା’ର ପିତାକୁ ତୁମେ ଦିନେ ପାପୀ ତକିଖାଁ ସଙ୍ଗେ ମହାନଦୀ–ଗର୍ଭରେ ବୁଡ଼ାଇ ମାରିଥିଲ, ଯାହାକୁ ତୁମେ ଦିନେ ତକିଖାଁ ସାହାଯ୍ୟରେ ଧର୍ମଭ୍ରଷ୍ଟ କରିବାର ପ୍ରୟାସ କରିଥିଲ, ମୁଁ ସେଇ ପଦଦଳିତା ଅନାଥିନୀ ଚପଳା । ତୁମ ଗୃହରେ ଅନେକ ଦିନ ଥିଲି ନିଜକୁ ଚଇତ ବୋଲି ପରିଚୟ ଦେଇ । ତୁମର ସର୍ବନାଶ କରିବା ଉଦ୍ଦେଶ୍ୟରେ ତୁମ ଭଳି କୁକୁରର ଦାସତ୍ୱ କରୁଥିଲି । ଆଜି ମୋର ଦିନ ଆସିଅଛି–ମନୁଷ୍ୟ ମନୁଷ୍ୟକୁ କେବେ ଯେଉଁ କଷ୍ଟ ଦେଇ ନାହିଁ, ମୁଁ ତୁମକୁ ସେଇ କଷ୍ଟ ଦେଇ ମାରିବି ।

 

ଏହା କହି ଚପଳା ନଦୀ-ତୀରକୁ ବାହୁଡ଼ିଲା । ସେଠାରେ ଖଣ୍ଡିଏ କ୍ଷୁଦ୍ର ନୌକା ବନ୍ଧା ହୋଇଥିଲା, କେତେକ ଜଣ ନାବିକ ଥିଲେ । ଚପଳାର ଆଦେଶରେ ସେମାନେ ହତଭାଗ୍ୟ ବିନୋଦବିହାରୀଙ୍କୁ ଧରି ନେଇ ନୌକା ଉପରେ ବସାଇଦେଲେ । ବିନୋଦ କେତେ ଚିତ୍କାର କଲେ, କେହି କିନ୍ତୁ ସେଥିରେ କର୍ଣ୍ଣପାତ କଲେ ନାହିଁ । ନାବିକଦଳ ଧୀରେ ଧୀରେ ତୀର ନିକଟରେ ନୌକା ଚଳାଇବାକୁ ଲାଗିଲେ । କିଛି ଦୂର ଅଗ୍ରସର ହେବା ପରେ ସେମାନେ ବିସ୍ମିତ ହୋଇ ଦେଖିଲେ, ଜଣେ ଯୁବତୀ ଉନ୍ମାଦିନୀ-ବେଶରେ ନୌକା ପଛେ ପଛେ ନଦୀକୂଳରେ ଧାଇଁ ଯାଉଅଛି । ଚପଳା ତାହାକୁ ଚିହ୍ନିଲା, ସେ ଗୌରୀ । ହତଭାଗିନୀ ଗୌରୀ ଯାଉ ଯାଉ ପଥରେ ଝୁଣ୍ଟି ତଳେ ପଡ଼ିଗଲେ–ତାଙ୍କ ଦେହ କ୍ଷତବିକ୍ଷତ ହୋଇ ରୁଧିରାକ୍ତ ହୋଇଗଲା । ଅଥଚ ଉନ୍ମାଦିନୀ ଲକ୍ଷ୍ୟ ମାର୍ଗ ପ୍ରତି ନାହିଁ, କେବଳ ନୌକା ପ୍ରତି । ସେ କାତର ସ୍ୱରରେ ଚିତ୍କାର କରି କହିଲେ–‘ତୁମମାନଙ୍କୁ ପ୍ରାର୍ଥନା କରୁଛି, ମୋ ପତି–ଦେବତାଙ୍କୁ ଛାଡ଼ି ଦିଅ । ସେ ମୋର ଚକ୍ଷୁ, ମୋତେ ମୋର ଚକ୍ଷୁ ଫେରାଇ ଦିଅ ।’

 

ନୌକା ମଧ୍ୟରୁ ବିନୋଦବିହାରୀ ଉଚ୍ଚ କଣ୍ଠରେ କହିଲେ–‘ଗୌରୀ ! ଚପଳା ପ୍ରତିଶୋଧ ନେବାପାଇଁ ମୋତେ ନଦୀ–ଗର୍ଭକୁ ଟାଣି ନେଉଛି ! ତୁମେ ପିତୃଗୃହକୁ ଫେରିଯାଅ । ତୁମ ସହିତ ମୋର ସମ୍ୱନ୍ଧ ଏ ଜୀବନରେ ଶେଷ ହେଲା । ପାପର ଫଳ ଭୋଗିବାକୁ ମୁଁ କୁଣ୍ଠିତ ନୁହେଁ ।’

 

ଗୌରୀ : ଚପଳା କିଏ ଦେବତା ?

 

ବିନୋଦ : ଚପଳାହିଁ ‘ଚଇତ’ ନାମରେ ମୋର ଚାକର ହୋଇଥିଲା । ଦିନେ ତାହାର ଧର୍ମ ନଷ୍ଟ କରିବାକୁ ଯାଇଥିଲି । ବର୍ତ୍ତମାନ ତାହାର ପ୍ରତିଶୋଧ ନେବାର ସମୟ । ଫେରି ଯାଅ ତୁମେ–ଦୁଃଖ କର ନାହିଁ । ପତିର ଏ ସୌଭାଗ୍ୟରେ ଆଶ୍ୱସ୍ତ ହୁଅ ।

 

ଗୌରୀ କ୍ରମେ ନୌକାର ନିକଟବର୍ତ୍ତିନୀ ହୋଇ ଦେଖିଲେ, ନୌକାପ୍ରାନ୍ତରେ ତାଙ୍କର ଅଭାଗା ପତି ଉପବିଷ୍ଟ–ତାଙ୍କ ପାର୍ଶ୍ୱରେ ପ୍ରତିହିଂସାର ଉଗ୍ର ଅବତାର ଚପଳା ଆସୀନା । ସେ ଦୀର୍ଣ୍ଣ ହୃଦୟରେ ଲୋତକପୂର୍ଣ୍ଣ ନେତ୍ରରେ ଚିତ୍କାର କଲେ–‘ଭଉଣୀ, ଚପଳା ! ମୋ ପତିଙ୍କୁ କ୍ଷମା କର–ସେ ଅନୁତପ୍ତ । ବହୁ ଦିନ ପରେ ମୁଁ ମୋର ଧନ ସମ୍ପତ୍ତି ଫେରି ପାଇଛି, ମୋତେ ସେଥିରୁ ବଞ୍ଚିତ କର ନାହିଁ ।’

 

ନିରୁତ୍ତରା ଚପଳା ଅଧୋମୁଖରେ ଜଳ ପ୍ରତି ଅନାଇ ରହିଲା । ସେ ନୀରବ ହୋଇ ଯେପରି ଜଳ ତରଙ୍ଗ ଗଣନା କରିବାକୁ ଲାଗିଲା–ସେହି ସ୍ୱଚ୍ଛ ସଲିଳରେ ସେ ଯେପରି ତା’ର ପିତୃଶବ ଅନ୍ୱେଷଣ କରିବାକୁ ଲାଗିଲା । ନଦୀଗର୍ଭରେ ପିତାର ମୃତ ଦେହ ଦେଖିବାକୁ ପାଇଲା ନାହିଁ–ଆକାଶ ପ୍ରତି ଥରେ ଦୃଷ୍ଟି ନିକ୍ଷେପ କଲା, ତଥାପି ପିତାର ଶବ ଦେଖି ପାରିଲା ନାହିଁ । ପରେ ସେ ଚକ୍ଷୁ ମୁଦ୍ରିତ କଲା ।

 

ଆରୋହୀଦଳ ନଦୀବକ୍ଷ ପ୍ରତି ନୌକା ଚାଳନ କଲେ । ନୌକା ଧରିବା ଉଦ୍ଦେଶ୍ୟରେ ଗୌରୀ ନଦୀକୁ ଡେଇଁ ପଡ଼ି ଜଳରାଶି ବିଦୀର୍ଣ୍ଣ କରି ଦ୍ରୁତବେଗରେ ନୌକା ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ । ଅଭାଗିନୀ କିନ୍ତୁ ସତ୍ୱର କ୍ଳାନ୍ତ, ଅବସନ୍ନ ହୋଇ ପଡ଼ିଲେ–ଆଉ ସନ୍ତରଣ କରିପାରିଲେ ନାହିଁ । ବୁଝିଲେ, ତାଙ୍କ ମରଣ ସନ୍ନିକଟ । କ୍ଷୀଣ କଣ୍ଠରେ ବିନୋଦଙ୍କୁ କହିଲେ–‘ଆଉ ପାରୁ ନାହିଁ ପ୍ରଭୁ–ବିଦାୟ ।’

 

ଗୌରୀ ମହାନହୀ–ଗର୍ଭରେ ଚିର ଆଶ୍ରୟ ଗ୍ରହଣ କଲେ !

 

ସେତେବେଳେ ଚପଳା ଉଠି ଠିଆ ହେଲା, ତୀକ୍ଷ୍ଣ ଦୃଷ୍ଟିରେ ଚତୁର୍ଦ୍ଦିଗ ଦେଖିବାକୁ ଲାଗିଲା । ଦେଖିଲା, ଗୌରୀଙ୍କର ଚିହ୍ନ ବର୍ଣ୍ଣ ନାହିଁ–ନଦୀ ଯେପରି ତରଙ୍ଗ ଉପରେ ତରଙ୍ଗ ଖେଳାଇ ଚାଲୁଥିଲା ସେପରିହିଁ ଚାଲିଛି ! ବିନୋଦ ଚିତ୍କାର କରି ଡାକିଲେ–‘ଗୌରୀ !’ ଉତ୍ତର ନାହିଁ-। ଚତୁର୍ଦ୍ଦିଗ ନିସ୍ତବ୍ଧ ! ସେହି ନୀରବତା ମଧ୍ୟରେ କେବଳ ନଦୀର କଲ୍ଲୋଳ–କଳ ଶ୍ରୁତ ହେଉଥିଲା । ବିନୋଦ ପୁଣି ଡାକିଲେ, ‘ଗୌରୀ’ । ଉତ୍ତର ନାହିଁ । ଜଣେ ଆରୋହୀ କହିଲା–‘ଗୌରୀ ବୁଡ଼ି ମରିଛନ୍ତି ।’ ଉନ୍ମତ୍ତବତ୍‌ ବିନୋଦ କହିଲେ–‘ଏଁ–ଏଁ ସତୀ ଚାଲି ଯାଇଛନ୍ତି !’

 

ଚପଳା ସେତେବେଳେ ଅଧରରେ ହାସ୍ୟରେଖା ଖେଳାଇ କରତାଳି ଦେଇ ମୃଦୁ ମଧୁର ସ୍ୱରରେ ଗାଇଲା–

 

‘‘ମରଣ ଏଇଠି ଲଭିଛି ମରଣ ଜୟ ଜୟ ସତୀର ଜୟ !

ଯେଉଁଠି ଦୀପ୍ତ ସତୀର ମହିମା ନାହିଁ ତ ଭ୍ରାନ୍ତି ନାହିଁ ତ ଭୟ !

ଅନଳେ ସଲିଳେ କାନନେ ରଣେ,

ରୋଗେ ଶୋକେ ତାପେ ଭବନେ;

ସୁଖେ ଦୁଃଖ ଜୀବନେ ମରଣେ ଜୟ ଜୟ ଜୟ ସତୀର ଜୟ !

ଭୂତଳେ ସ୍ୱର୍ଗ ସତୀ-ଜୀବନ,

ଜୀବନ-ମରୁର ନନ୍ଦନବନ:

ଉଚ୍ଚ କଣ୍ଠେ ସକଳେ ଗାଅ ଜୟ ଜୟ ସତୀର ଜୟ !’’

 

ନଦୀ-ବକ୍ଷରୁ ଯେପରି ପ୍ରତିଧ୍ୱନି ଉଠିଲା–‘ଜୟ ଜୟ ଜୟ ସତୀର ଜୟ ।’ ବିନୋଦ ହସି ହସି କହିଲେ–‘ଗୌରୀ ! ଅପେକ୍ଷା କର, ତୁମ ନିକଟକୁ ମୁଁ ଯାଉଛି !’ ଏହା କହି ସେ ନଦୀ ଗର୍ଭରେ ଲମ୍ଫ ଦେଲେ । ଦେଖୁ ଦେଖୁ ତାଙ୍କର ସବୁ ଶେଷ ! ଚପଳା ଭାବିଲା–‘ଅଭିଶାପ-କାଳ ଶେଷରେ ରେବା କୌଶିକ ପୁଣି ଦିବ୍ୟଧାମକୁ ଫେରିଛନ୍ତି ।’

 

ଚପଳା ସ୍ପନ୍ଦନହୀନ ନୟନରେ ଚତୁର୍ଦ୍ଦିଗ ଦେଖିଲା । ଚତୁର୍ଦ୍ଦିଗରେ କେବଳ କ୍ରନ୍ଦନ-ରୋଳ । ନଦୀ କାନ୍ଦୁଅଛି, ପକ୍ଷୀକୁଳ କହୁଛନ୍ତି–ଆକାଶ ପୃଥିବୀ ଜଳ ସ୍ଥଳ ସର୍ବତ୍ର ରୋଦନ-ଧ୍ୱନି ! ସେ ମୁଦିତ ନୟନରେ ନଦୀ ଜଳକୁ ଡେଇଁ ପଡ଼ିଲା । ତାହାରବି ସବୁ ଶେଷ ! ଆରୋହୀଦଳ ସ୍ତମ୍ଭିତ ! ଭାବିଲେ–‘ପ୍ରତିହିଂସାମୟୀ ଚପଳାର ଆଜି ବାସ୍ତବିକ ହେଲା ପ୍ରତିହିଂସାବ୍ରତ ଉଦ୍‌ଯାପିତ !’

Image

 

ବିଜୟୋତ୍ସବ

 

ଦେଖୁ ଦେଖୁ ରାଜା କୃଷ୍ଣଚନ୍ଦ୍ରଙ୍କର କଟକ-ବିଜୟ ଓ ତକିଖାଁଙ୍କର ମରଣ ସମ୍ୱାଦ ଓଡ଼ିଶା, ବଙ୍ଗ, ବିହାର ସର୍ବତ୍ର ପ୍ରଚାରିତ ହୋଇଗଲା । ବଙ୍ଗ-ସୁବାହାର ସୁଜାଉଦ୍ଦିନ ମହମ୍ମଦଙ୍କ ହୃଦୟ ବିଷାଦରେ ବୁଡ଼ିଗଲା । କିନ୍ତୁ ବିଚକ୍ଷଣ ସୁଶାସକ ମୁସଲମାନ-ମଙ୍ଗଳ-କାମୀ ଉତ୍କଳ-ବତ୍ସଳ ସୁଜାଉଦ୍ଦିନଙ୍କ ହୃଦୟରେ ତକିଖାଁ-ମୃତ୍ୟୁ ଜନିତ ଦୁଃଖ ଅଧିକ କାଳ ତିଷ୍ଠି ପାରିଲା ନାହିଁ । ସେ ଓଡ଼ିଶାର ସୁଶାସନ ନିମନ୍ତେ ତାଙ୍କର ଜାମାତା ଶାନ୍ତିପ୍ରିୟ ଧୀରପ୍ରକୃତି ଉଦାରହୃଦୟ ମୁର୍ଷିଦ କୁଲି ଖାଁଙ୍କୁ ଓଡ଼ିଶା-ସୁବାଦାରସ୍ୱରୂପ ଏବଂ ମିର ହବିବ ଆଲି ଖାଁଙ୍କୁ ତାଙ୍କର ଦେବାନରୂପେ ପଠାଇଲେ ।

 

ରାଣୀ କମଳସୁନ୍ଦରୀ ହର୍ଷୋତ୍‌ଫୁଲ୍ଲ ହୃଦୟରେ ବାସନ୍ତୀଙ୍କୁ ସଙ୍ଗେ ଧରି କଟକକୁ ପ୍ରତ୍ୟାବୃତ୍ତ ହେଲେ । ବିଜୟୋତ୍ସବର ବିପୁଳ ଆୟୋଜନ କରାଗଲା । ରାଜା କୃଷ୍ଣଚନ୍ଦ୍ରଙ୍କ ନିମନ୍ତ୍ରଣ ପାଇ ଖୋରଧାରାଜା ରାମଚନ୍ଦ୍ରଦେବ ଉତ୍ସବରେ ଯୋଗଦେବା ସକାଶେ ସଦଳ କଟକରେ ଉପସ୍ଥିତ ହେଲେ ।

 

ଚତୁର୍ଦ୍ଦିଗରେ ଉତ୍ସବ-ଉଲ୍ଲାସ, ଉତ୍ସବ-ଉଚ୍ଛ୍ୱାସ, ଉତ୍ସବ-ଉତ୍ସ ଉଦ୍‌ବେଳିତ–ଉତ୍ସବ-ଊର୍ମିମାଳାରେ କଟକନଗରୀ ଆଜି ତରଙ୍ଗାୟିତ, ଉନ୍ମତ୍ତ ଉତ୍ସବରେ ନିମଜ୍ଜିତ । ସମସ୍ତଙ୍କ ହୃଦୟରେ ଉତ୍ସବ, ନୟନରେ ଉତ୍ସବ, ବାକ୍ୟରେ ଉତ୍ସବ । ଯେଉଁ ରାଜସଭା-ଗୃହରେ ଦିନେ ପ୍ରତିଧ୍ୱନିତ ହେଉଥିଲା ଅସ୍ତ୍ର-ନାଦ, ପ୍ରବାହିତ ହେଉଥିଲା ଅଗ୍ନି-ଉଦ୍ଦୀପନା, ସେହି ରାଜସଭାଗୃହ ଆଜି ଆନନ୍ଦ-କଲ୍ଲୋଳିତ, ଉଲ୍ଲାସ ଉଲ୍ଲସିତ, ଅସଂଖ୍ୟ ନରନାରୀ-ପୂରିତ । ସଭାକକ୍ଷଟି ପୂର୍ବ ପରି ସ୍ଥିର ଧୀର ଗମ୍ଭୀର ନୁହେ–ଅଧୀର ଅସ୍ଥିର; ସମସ୍ତଙ୍କ କଣ୍ଠ, ନେତ୍ର ଓ ହୃଦୟ ଚଞ୍ଚଳ । ସଭାଗୃହର ଯେଉଁଠାରେ ଅସ୍ତ୍ର ଥିଲା, ସେହି ସ୍ଥାନ ଆଜି ପତାକା-ଶୋଭିତ । ଯେଉଁଠାରେ ପତାକା ଥିଲା, ସେହି ସ୍ଥାନ ପୁଷ୍ପଗୁଚ୍ଛ-ମଣ୍ଡିତ । ସିଂହାସନ ଶୂନ୍ୟ–ଅସ୍ତ୍ର-ଭୂଷିତ, କୁସୁମ-ସ୍ତବକ-ସଜ୍ଜିତ । ନୂତନ ସୁବାଦାର ମୁର୍ଷିଦ କୁଲିଖାଁ, ରାମଚନ୍ଦ୍ର ଦେବ, ରାଜା କୃଷ୍ଣଚନ୍ଦ୍ର, କୁମାର ବିଜୟଚନ୍ଦ୍ର ପ୍ରଭୃତି ଭିନ୍ନ ଭିନ୍ନ ଆସନରେ ଉପବିଷ୍ଟ । ରାଣୀ କମଳସୁନ୍ଦରୀ ହସ୍ତରେ ପତାକା ଧରି ବାସନ୍ତୀଙ୍କ ସହିତ ସଭାକକ୍ଷରେ ଉଦିତା ହେଲେ । ସମସ୍ତଙ୍କ ନୟନରେ ସ୍ନିଗ୍‌ଧାଲୋକ ବର୍ଷଣ ହେଲା, ସମସ୍ତଙ୍କ ହୃଦୟ ହର୍ଷ-ହିଲ୍ଲୋଳ-ପ୍ଳାବନରେ ନାଚି ଉଠିଲା । ସେ ଓ ବାସନ୍ତୀ ଆସନ ଗ୍ରହଣ କରିବା ପରେ, ରାଜା କୃଷ୍ଣଚନ୍ଦ୍ର ଶୂନ୍ୟ ସିଂହାସନ ସମ୍ମୁଖରେ ଠିଆ ହୋଇ ସ୍ଫୀତ ହୃଦୟରେ ସଜଳ ଜଳଦ-ସ୍ୱନରେ କହିଲେ–’ଦେଶବାସୀଗଣ ! ଆଶା ନଥିଲା ଯେ, କ୍ରୂର ତକିଖାଁଙ୍କ ଅତ୍ୟାଚାରର ଧ୍ୱଂସସାଧନା ହେବ, ଆମମାନଙ୍କର ଜାତୀୟପତାକା ଉତ୍ତୋଳିତ ହେବ । ଆର୍ତ୍ତତ୍ରାଣ ଜଗନ୍ନାଥଙ୍କ ଅନୁକମ୍ପା ବଳରେ ସେଇ ସ୍ୱପ୍ନ ଆଜି ପୂର୍ଣ୍ଣ ହୋଇଅଛି–ସାଧନା ଆଜି ସିଦ୍ଧ ହୋଇଅଛି । ଏ ସିଦ୍ଧି, ଏ ସାଫଲ୍ୟର ପ୍ରଧାନ କାରଣ ତୁମମାନଙ୍କର ପ୍ରଗାଢ଼ ମାତୃଭକ୍ତି । ଆଶା ଓ ବିଶ୍ୱାସ କରେ, ଓଡ଼ିଆର ଏହି ଅଦ୍ଭୁତ ନୂତନ ଜାଗରଣ ଭାରତ ବକ୍ଷରେ ଭୁବନ-ମୋହନ ପ୍ରଭାରେ ଚିର ଜାଗରୁକ ଚିର ଉଜ୍ଜ୍ୱଳ ହୋଇ ରହିବ । ଓଡ଼ିଆର ଏହି ଜନ୍ମଭୂମି-ସେବା, ଏହି ମହାନ୍‌ ଆତ୍ମୋତ୍ସର୍ଗ ଓଡ଼ିଆ ପ୍ରାଣରେ ପ୍ରବାହିତ କରିବ ନୂତନ ଛନ୍ଦ, ନୂତନ ସ୍ପନ୍ଦନ–ନୟନରେ ଫୁଟାଇବ ନବପ୍ରଭାତର କନକାରୁଣ–କର୍ଣ୍ଣରେ ଉଠାଇବ ବୀଣା-ଝଙ୍କାର । ଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରୁଅଛି, ଉତ୍କଳର ଏହି ଜୟ, ଏ ବୀରତ୍ୱ ଗରିମା ଶତ ପ୍ରଭାରେ ଓଡ଼ିଆକଣ୍ଠରେ ରତ୍ନହାର ତୁଲ୍ୟ ଶୋଭାପାଉ । ଏହି ମହୋତ୍ସବ ଦିବସରେ, ଏହି ଉଲ୍ଲାସ-କଲ୍ଲୋଳରେ କଣ୍ଠ ମିଳାଇ ଗାଅ ସମସ୍ତେ ପବିତ୍ର ଜନନୀ-ନାମ । ତାହା ଶୁଣି ମୁଗ୍ଧ ହେଉ ପ୍ରାଣ, ତୃପ୍ତ ହେଉ କର୍ଣ୍ଣ, ଧନ୍ୟ ହେଉ ଜୀବନ । ଉଠୁ ଉଚ୍ଛ୍ୱାସେ ଉଚ୍ଛ୍ୱାସେ ଆକାଶରେ ସେ ଧ୍ୱନି; ବାହିତ ହେଉ ସମୀର-ସ୍ରୋତରେ ଦେଶ ଦେଶାନ୍ତରକୁ ପୁତ ମାତୃନାମର ଭକ୍ତି-ବାଣୀ, ଶୁଣୁ ଜଗତ ନିର୍ବାକ ନିସ୍ତବ୍ଧ ଚିତ୍ତରେ ଉଚ୍ଛ୍ୱାସମୟ ସେ ସଙ୍ଗୀତ-ଧ୍ୱନି । ଗାଅ ବୀରଗଣ ଭକ୍ତି-ବିପ୍ଳୁତ ପ୍ରାଣରେ ଏକ ତାନରେ ପବିତ୍ର ଜନନୀ-ନାମ-ଗାନ ।’

ସମବେତ ବିଶାଳ ଜନତାର ହୃଦୟ ଗର୍ବ ଓ ଆନନ୍ଦରେ ଫୁଲି ଉଠିଲା । ସମସ୍ତେ ମୁକ୍ତ କଣ୍ଠରେ କହିଲେ–‘ଜୟ ଜଗନ୍ନାଥଙ୍କର ଜୟ ! ଜୟ ଉତ୍କଳଜନନୀର ଜୟ !! ଜୟ ରାଜା କୃଷ୍ଣଚନ୍ଦ୍ରଙ୍କର ଜୟ !!!’ ଦୂର ଦୂରାନ୍ତରରେ ଏହି ଗମ୍ଭୀର ଗର୍ଜନ ପ୍ରତିଧ୍ୱନିତ ହେଲା । ଉତ୍ସବ-ନିମଗ୍ନ ନରନାରୀ, କ୍ରୀଡ଼ାମଗ୍ନ ବାଳକ ବାଳିକା ଯେ ଯେଉଁଠାରେ ଥିଲେ, ସେମାନେବି ଜୟଧ୍ୱନିର ପ୍ରତିଧ୍ୱନି ଉଠାଇଲେ । ଜୟନାଦରେ ଜଳ, ସ୍ଥଳ, ବ୍ୟୋମ ଶିହରିତ, ପ୍ରକମ୍ପିତ ହୋଇଗଲା । ରାଜା କୃଷ୍ଣଚନ୍ଦ୍ରଙ୍କ ଅଭିପ୍ରାୟାନୁସାରେ ସମବେତ ନରନାରୀଗଣ ଠିଆ ହୋଇ ଉତ୍ସାହ ଉତ୍ତେଜନାରେ ଆତ୍ମବିସ୍ମୃତ ହୋଇ, ବିଭୋର ପ୍ରାଣରେ ଭକ୍ତି-ଅଶ୍ରୁ-ସିକ୍ତ ନେତ୍ରରେ ସମସ୍ୱରରେ ସମତାନରେ ଉଚ୍ଛ୍ୱସିତ ଉଚ୍ଚ କଣ୍ଠରେ ଗାନ କଲେ–

‘‘ଜୟ ମା ଉତ୍କଳଜନନୀ ରତ୍ନମୁକୁଟଧାରିଣୀ,

ଶୌର୍ଯ୍ୟ-ବୀର୍ଯ୍ୟ-ଶାଳିନୀ–

ଶୈଳ-ଶିଖର-ଶୋଭିନୀ–

ବୀର ପୁତ୍ରର ରୁଧିର-ଅର୍ଜିତ-ଗୌରବ-ମଣି-ମାଳିନୀ ।

ଘୁଞ୍ଚିଛି ଅନ୍ଧାର ଫୁଟିଛି ଆଲୋକ

ହସ ମା କମଳବରଣି !

ବନ ବିଭାରେ ଫୁଲ୍ଲ ପ୍ରାଣରେ

ପୁଣି ଉଠିଅଛି ଧରଣୀ ।

ଜାଗିଛି ପ୍ରାଣ ଆସିଛି ସିଦ୍ଧି

ବୀର-ପୁତ୍ର-ପ୍ରବସିନୀ !

ଆସିଅଛୁ ଆଜି ଚରଣ ପୂଜନେ

ହସ ମା କନକବରଣି !

–ହସ ମା ହସ ମା ଶାନ୍ତିଦାୟିନି !!

–ହସ ମା ହସ ମା ଉତ୍କଳରାଣୀ !!!’’

ଗଗନମଣ୍ଡଳ ସ୍ପନ୍ଦିତ କରି, ଦିଗଦିଗନ୍ତ କମ୍ପିତ କରି ଶେଷରେ ସ୍ଥଗିତ ହେଲା ଭକ୍ତଗଣଙ୍କର ସେ ବନ୍ଦନା ଗାନ, ସଙ୍ଗୀତ-ନିସ୍ୱନ । ସମସ୍ତେ ପୁନର୍ବାର ଉପବିଷ୍ଟ ହେଲେ । ପରେ ରାଣୀ କମଳସୁନ୍ଦରୀ ଉଠି ପ୍ରଦୀପ୍ତ ସ୍ୱରରେ କହିଲେ,–‘ଏହି ମାତୃମହାଯଜ୍ଞର ପ୍ରଧାନ ହୋତା ପୁରୁଷ ନୁହେ–ରମଣୀ । ସେ ଜଣେ କିଶୋରୀ, ନାମ ଚପଳା । ସେ ବାଳିକା ଯଦି ଓଡ଼ିଆମାନଙ୍କୁ ଅଗ୍ନିମୟ ବାକ୍ୟରେ ରଣୋତ୍ସାହରେ ଉଦ୍ଦୀପିତ, ପ୍ରୋତ୍ସାହିତ କରି ନ ଥାନ୍ତା, ତାହାହେଲେ ଏ ଯୁଦ୍ଧରେ, ପରିମାଣରେ ହର୍ଷ ଓ ଶାନ୍ତି ପ୍ରବାହିତ ହୁଅନ୍ତା ନାହିଁ–ପ୍ରବାହିତ ହୁଅନ୍ତା ଶୋଣିତ–ସ୍ରୋତ, ଅଶ୍ରୁ-ତରଙ୍ଗ । ସେ କିଶୋରୀ ଯଦି ରାମଚନ୍ଦ୍ର ଦେବ ଓ କୃଷ୍ଣଚନ୍ଦ୍ରଙ୍କ ଜୀବନ ଉଦ୍ଧାର କରି ନ ଥାନ୍ତା, ତାହାହେଲେ ତୁମେମାନେ ଆଜି କଟକନଗରୀକୁ ହାସ୍ୟୋଜ୍ଜ୍ୱଳା, ଉଲ୍ଲାସ-କଳ-କଲ୍ଲୋଳା ଦେଖିପାରନ୍ତ ନାହିଁ–ଦେଖନ୍ତ କେବଳ ରୁଦ୍ର ଶ୍ମଶାନ ଦୃଶ୍ୟ, ବୀଭତ୍ସତାର ନଗ୍ନ ମୂର୍ତ୍ତି–ଶୁଣନ୍ତ ହାହାକାର ଆର୍ତ୍ତଧ୍ୱନି । ବାଳିକା ହେଲେହେଁ, ଚପଳାର କାର୍ଯ୍ୟ ମହତ୍‌, ବୃହତ୍‌ ଓ ଆଲୋକ-ଜଡ଼ିତ ।’

 

ରାଜା କୃଷ୍ଣଚନ୍ଦ୍ର ଉଠି ଉପସ୍ଥିତ ବିଜୟ-ଗୌରବରେ, ସଫଳତା ଲାଭରେ ଖୋରଧାରାଜା, ରାଣୀ କମଳସୁନ୍ଦରୀ, ଗୋପାଳ ବିଷୟୀ, ମଦନ, ବିଜୟଚନ୍ଦ୍ର ପ୍ରଭୃତିଙ୍କ ଅଂଶ ବର୍ଣ୍ଣନ କରିବା ପରେ କହିଲେ–‘ମୁଁ ଅନେକ ପଠାଣ-ଯୁଦ୍ଧ ଦେଖିଅଛି, କିନ୍ତୁ ପଠାଣ ବୀର ନାଦୀରଖାଁଙ୍କ ବିଚିତ୍ର ଯୁଦ୍ଧ, ମହାନ୍‌ ତ୍ୟାଗ, ଗଭୀର ଇସ୍‍ଲାମ-ମମତା କେବେ ଦେଖି ନାହିଁ ! କଳ୍ପନା ସେ ଦୃଶ୍ୟ ଧାରଣ, ଗଠନ କରି ନ ପାରେ । ତାଙ୍କର ଜୀବନ-ଚରିତ, କର୍ମକଳାପ ମୋ ହୃଦୟରେ ଗୋଟିଏ ମହାଭାବ-ତରଙ୍ଗ ଉତ୍‌ଥିତ କରିଅଛି । ସାଗରଗାମୀ ନଦ ତୁଲ୍ୟ ଉନ୍ମତ୍ତ ଉଚ୍ଛ୍ୱାସରେ ସେ ଯୁଦ୍ଧଭୂମି ପ୍ରତି ଯେପରି ଧାଇଁଗଲେ ତାହା କେବେ ଭୁଲିବାର କଥା ନୁହେ । ନିରୁଦ୍ଦିଷ୍ଟ ପୁତ୍ର ଦର୍ଶନରେ ଜନନୀ ଯେପରି ତାହାକୁ ଅତିଶୟ ଉଲ୍ଲାସରେ ବକ୍ଷରେ ଭିଡ଼ି ଧରେ–ପ୍ରେମିକ ଯେପରି ଅତିରିକ୍ତ ହର୍ଷ-ବିହ୍ୱଳ ହୋଇ ପ୍ରଣୟିନୀକୁ ପ୍ରେମାଲିଙ୍ଗନ କରେ, ଉତ୍ସାହର ଜୀବନ୍ତ ମୂର୍ତ୍ତି ନାଦୀରଖାଁ ସେପରି ସହାସ୍ୟ ବଦନରେ ସୋତ୍ସୁକ ପ୍ରାଣରେ ଯୁଦ୍ଧକୁ ଆଲିଙ୍ଗନ କଲେ ନଗ୍ନ ଦେହରେ ଶୂନ୍ୟ ହସ୍ତରେ । ଆହା କି ଅପୂର୍ବ ଆହ୍ଲାଦ ସେ ଚକ୍ଷୁରେ, କି ସୁମଧୁର ହାସ୍ୟ ସେ ଅଧରପ୍ରାନ୍ତରେ, କି ସଜୀବତା ସେ ଶରୀରରେ ! ମୁଁ ତାଙ୍କର ମଧୁମୟ ମୂର୍ତ୍ତି ଅଙ୍କିତ କରି ରଖିଅଛି ମୋ ହୃଦୟର ନିଭୃତ କୋଣରେ ।’

 

ଶେଷରେ ନବନିଯୁକ୍ତ ସୁବାଦାର ମୁର୍ଷିଦ କୁଲିଖାଁ ଧୀର ସ୍ଥିର ଭାବରେ ଉଠି ଗମ୍ଭୀର କଣ୍ଠରେ କହିଲେ–‘ବନ୍ଧୁଗଣ ! ରମଣୀ ଯେଉଁ ଜାତିର ହେଉ ପଛକେ–ପ୍ରତ୍ୟେକ ପୁରୁଷର କର୍ତ୍ତବ୍ୟ ନାରୀସମ୍ମାନ, ନାରୀମାନରକ୍ଷା । ସକଳ ଦେଶରେ ସକଳ ଯୁଗରେ ରମଣୀ ଶକ୍ତିରୂପେ ପୂଜିତା, ଦେବୀ ନାମରେ ଅଭିହିତା । ଶକ୍ତିରୂପା ଦେବୀସମା ନାରୀର ଅମର୍ଯ୍ୟାଦା, ହିନ୍ଦୁ ଧର୍ମର ଅସମ୍ମାନ ଯୋଗେହିଁ ଲକ୍ଷ ଲକ୍ଷ ନର ନାରୀଙ୍କ ଭାଗ୍ୟ-ଦେବତା ସୁବାଦାର ତକିଖାଁ ପରାଜିତ, ନିହତ ହୋଇଅଛନ୍ତି । ଏହାଠାରୁ ବଳି କଠୋର, ଭୀଷଣ ଶାସ୍ତି ଆଉ ହୋଇପାରେ କ’ଣ ? ଏ ଶାସ୍ତି କେବଳ ନାରୀନିର୍ଯାତନର ଫଳ । ଦୁର୍ବୃତ୍ତ ମୋହାନ୍ଧ ତକିଖାଁଙ୍କର ଭୁଲ୍ ଧାରଣା ଥିଲା ଯେ, ଓଡ଼ିଶାର ବୀର କେହି ନାହିଁ–ଓଡ଼ିଆ ବିନା ଯୁଦ୍ଧରେ ନିଜ ଇଚ୍ଛାରେ ପଠାଣପାଦରେ ସ୍ୱାଧୀନତା ଅର୍ପଣ କରିବ-। ଏ ଭ୍ରାନ୍ତ ଧାରଣାହିଁ ତାଙ୍କର ସର୍ବନାଶ କରିଅଛି । ମୁଁ ମୁକ୍ତ କଣ୍ଠରେ ସ୍ୱୀକାର କରୁଛି, ଓଡ଼ିଶାର ପ୍ରତି ଧୂଳିକଣାରେ ଅଗ୍ନିଦାହ ନିହିତ–ବୀରତ୍ୱ-ବିଭବର ଜନ୍ମଭୂମି ଏ ଦେଶ । ଓଡ଼ିଆ ପଠାଣର ଶିକ୍ଷାଦାତା କେତେ ଶତ ବିଶାଳ ରାଜ୍ୟ ଅସ୍ତ୍ରାଘାତରେ ଚୂର୍ଣ୍ଣ କରିଅଛି ! ପ୍ରଜାପୁଞ୍ଜର ସୁଖଶାନ୍ତି ଶାସକର ଏକମାତ୍ର ଲକ୍ଷ୍ୟ ରହିବା ଉଚିତ । ମୁଁ ଚାହେଁ ଓଡ଼ିଶାର ଶୁଭ, ଓଡ଼ିଶାର ମଙ୍ଗଳ । ମୁଁ ଦିବ୍ୟଦୃଷ୍ଟିରେ ଦେଖିପାରୁଛି ପ୍ରଜାଗଣ, ହିନ୍ଦୁର ଏହି ଭକ୍ତିଧାରା, ଏହି ନ୍ୟାୟନିଷ୍ଠା, ହିନ୍ଦୁର ଏହି ଆତ୍ମୋତ୍ସର୍ଗ, ଅନନ୍ତ ଆତ୍ମ ନିର୍ଭରତା ସଙ୍ଗେ ଯଦି ମୁସଲମାନର ଦୁର୍ବାର ବିକ୍ରମ ଅମିତ ସାହସ ସମ୍ମିଳିତ ହୁଏ, ହିନ୍ଦୁ ମୁସଲମାନ ଯଦି ଜାତିଗତ ହିଂସା ଦ୍ୱେଷ ବିସ୍ମୃତ ହୋଇଯାନ୍ତି,–ପରସ୍ପର କରଧାରଣ କରି ସ୍ନେହ-ବନ୍ଧନରେ ବଦ୍ଧ ହୋଇ ଦୀପ୍ତ ମସ୍ତକରେ ଦଣ୍ଡାୟମାନ ହୁଅନ୍ତି, ତାହାହେଲେ ସମଗ୍ର ଏସିଆ ସେ ମହାମିଳନ ଦେଖି ଆତଙ୍କରେ ମୁଦ୍ରିତ କରିବ ଚକ୍ଷୁ, ତ୍ରସ୍ତ ହୋଇ ଭାରତ ଭୂମିରେ ନତ କରିବ ମସ୍ତକ । ମୁଁ ଚାହେଁ ହିନ୍ଦୁ-ପଠାଣଙ୍କର ଭ୍ରାତୃତ୍ୱ-ବନ୍ଧନ, ସଂପ୍ରୀତି-ସ୍ଥାପନ, ଶକ୍ତି-ସଂଯୋଗ । ହିନ୍ଦୁ-ମୁସଲମାନ ଦୁଇ ଭାଇ । ଖୋଦାଙ୍କ ଚରଣରେ ପ୍ରାର୍ଥନା କରେ–ହିନ୍ଦୁ-ମୁସଲମାନଙ୍କ ଏହି ମିଳନ, ଏହି ଆଲିଙ୍ଗନ, ଏହି ସମ୍ଭାଷଣ ଯୁଗ ଯୁଗାନ୍ତ ସ୍ଥାୟୀ ହେଉ, ହିନ୍ଦୁ-ମୁସଲମାନଙ୍କର ବିଜୟ-ଧ୍ୱନି, ଐକ୍ୟ-ମନ୍ତ୍ର ସାଗର-ତରଙ୍ଗରେ ଭାସିଯାଉ ପୃଥିବୀପ୍ରାନ୍ତକୁ । ନିତ୍ୟ ନୂତନ ଛନ୍ଦରେ, ମେଘ ମନ୍ଦ୍ରରେ ସାରା ଜଗତ ଗାଇ ଉଠୁ ହିନ୍ଦୁ-ପଠାଣଙ୍କ କୀର୍ତ୍ତି-ଗାନ । ଏହି ମହାମିଳନରେ ସମସ୍ତେ ଆନନ୍ଦୋଚ୍ଛ୍ୱସିତ କଣ୍ଠରେ ଗାଅ–‘ଜୟ ହିନ୍ଦୁ-ମୁସଲମାନଙ୍କର ଜୟ ।’

 

ସମବେତ ହିନ୍ଦୁ ଓ ପଠାଣମାନଙ୍କ ମଧ୍ୟରୁ ପ୍ରତିଧ୍ୱନି ଉତ୍‌ଥିତ ହେଲା ‘ଜୟ ହିନ୍ଦୁ-ମୁସଲମାନଙ୍କର ଜୟ ।’ ଖୋରଧାରାଜା ରାମଚନ୍ଦ୍ର ଦେବ ନିଜ ଆସନରୁ ଉଠି ମୁଗ୍ଧ ତନ୍ମୟ କଣ୍ଠରେ କହିଲେ–‘ଠିକ୍‌ କହିଛନ୍ତି ସୁବାଦାର ? ଆବରଣ ବିମୋଚନ କରି, ଅନ୍ଧକାର ଯବନିକା ଉନ୍ମୋଚନ କରି ଆପଣ ଅଙ୍କିତ କରି ଦେଇଛନ୍ତି ଭବିଷ୍ୟତ୍‍ର ଚିତ୍ର ନବ ରଙ୍ଗରେ ନବ ତୂଳିକାରେ । ଭଗବାନ୍‍ଙ୍କ ଆଶୀର୍ବାଦରେ ପୂର୍ଣ୍ଣ ହେଉ ଅଭିଳାଷ ଆପଣଙ୍କର–ସଫଳ, ସଜୀବ ହେଉ ପ୍ରାର୍ଥନା ଆପଣଙ୍କର । ଗଙ୍ଗା ଯମୁନା ଭଳି, ମସ୍‍ଜିଦ ଓ ମନ୍ଦିର ଏକତ୍ର ଅବସ୍ଥାନ କରି ବ୍ୟୋମ ପଥରେ ମସ୍ତକ ଉତ୍ତୋଳନ କରୁ, ଏକ ତାନରେ ଉଠୁ ରାମ ରାହିତ-ଜୟ ଧ୍ୱନି, ଜଳଧି-ଜଳଗର୍ଜନରେ, ଉତ୍‌ଥିତ ହେଉ ଶ୍ରୀକୃଷ୍ଣ-ମହମ୍ମଦ-ବିଜୟ-ନିନାଦ । ଏହି ମହୋତ୍ସବ ହିନ୍ଦୁ-ମୁସଲମାନଗଣଙ୍କର ମିଳନୋତ୍ସବରେ ପରିଣତ ହେଉ–ଏହି ପୁଣ୍ୟମିଳନ-ପ୍ରଭାତ ହିନ୍ଦୁ-ମୁସଲମାନ ଜାତି ଦ୍ୱୟର ଚିର ସ୍ମରଣୀୟ ଚିର ବରଣୀୟ ହେଉ । ଏହି ଶୁଭମିଳନର ମୋହନ ମିଳନ-ବାଣୀ ମୃଦୁ ମଧୁର ଝଙ୍କାରରେ ଭାସିଯାଉ ଦେଶ ଦେଶାନ୍ତରକୁ । ଓଡ଼ିଶା ! ଆଜି ଠାରୁ ମୁସଲମାନ ପ୍ରତି ସକଳ ଈର୍ଷା, କଳହ କର ସମାପ୍ତ ।’

 

ରାଜା କୃଷ୍ଣଚନ୍ଦ୍ରଙ୍କ ବାସନାନୁସାରେ କେତେକ ଜଣ ହିନ୍ଦୁ ଓ ପଠାଣ ବାଳକ ସୁମଧୁର ରାଗରେ ମିଳିତ କଣ୍ଠରେ ଗାନ କଲେ–

 

‘‘ଛିଣ୍ଡାଅରେ ଦ୍ୱେଷ-ପାଶ ଭାଙ୍ଗିଦିଅ ଶୃଙ୍ଖଳ,

ସଂକୀର୍ଣ୍ଣତା ଭେଦଭାବ ଯାଉ ଜବେ ରସାତଳ ।

ସର୍ବେ ମିଳି ଗାଅ ଗାଅ ଭାରତର ସନ୍ତାନ !

–ଆମେ ସବୁ ଏକ ଦଳ ଏକ ମନ ଏକ ପ୍ରାଣ–

ପରାଭବ ଯାଉ ଘୁଞ୍ଚି, ଘୁଞ୍ଚି ଯାଉ ଦ୍ୱନ୍ଦ୍ୱ,

ଅତ୍ୟାଚାର ଯାଉ ନିଭି ଦୂର ହେଉ ମନ୍ଦ ।

ରଖ ମନେ ରଖ ଏହା ଆମର ଏ ମନ୍ତ୍ର–

ସବୁ ଭାଇ ଏକାଠେଇ ନୋହୁଁରେ ସ୍ୱତନ୍ତ୍ର !’’

 

ବିଜୟୋତ୍ସବ ଏପରି ମହା ସମାରୋହରେ ମହୋଲ୍ଲାସରେ ସମାପ୍ତ ହେଲା ।

 

ନୂତନ ସୁବାଦାର ମହାମତି ମୁର୍ଷିଦ କୁଲିଖାଁ ରାଜା କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ରଦେବଙ୍କ ପ୍ରତି ଭକ୍ତି, ସମ୍ମାନ ପ୍ରଦର୍ଶନ କରି, ସେ ଦୁହିଁଙ୍କର ଅଗାଧ ସ୍ନେହ, ପ୍ରେମ ଆକର୍ଷଣ କରିବାକୁ ଲାଗିଲେ । ଓଡ଼ିଆଜାତି ତାଙ୍କ ସାଧୁତାରେ ଆକୃଷ୍ଟ ହେଲେ–ତାଙ୍କୁ ସୁବାଦାର-ପଦରେ ନିଯୁକ୍ତ କରିଥିବାରୁ, ଉତ୍କଳ-ଭକ୍ତିଭାଜନ ସୁଜାଉଦ୍ଦିନଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କଲେ । ମୁର୍ଷିଦ କୁଲି ଖାଁଙ୍କ ଉତ୍ତମ ଉଦାର ଶାସନ ଫଳରେ ଓଡ଼ିଆମାନେ ଅପୂର୍ବ ସୁଖ ଶାନ୍ତି ଭୋଗ କରିବାକୁ ଲାଗିଲେ ।

 

ମୁର୍ଷିଦ କୁଲିଖାଁ ରାଜା କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ର ଦେବଙ୍କ ସଙ୍ଗେ ପୁରୀ ଯାଇ ମନ୍ଦିର-ପଣ୍ଡାମାନଙ୍କୁ ଅଭୟ, ଆଶ୍ୱାସ ଦେଲେ । ପଣ୍ଡାମାନେ ତିନି ମୂର୍ତ୍ତିଙ୍କୁ ଆଣି ମନ୍ଦିରରେ ପୁଣି ପ୍ରତିଷ୍ଠିତ କଲେ । ସୁବାଦାରଙ୍କ ସବିଶେଷ ଯତ୍ନରେ ଜଗନ୍ନାଥଙ୍କର ସେବା ଆରାଧନା ପୁନର୍ବାର ସୁଚାରୁରୂପେ ଚଳିବାକୁ ଲାଗିଲା ।

 

ସୁବାଦାର ଖୋରଧା ପ୍ରଜାଙ୍କୁ ଅସ୍ତ୍ର ଶସ୍ତ୍ର ଓ ସୈନ୍ୟବଳରେ ଦମନ ନ କରି ସୁନୀତିପ୍ରୟୋଗରେ ଶାନ୍ତ, ସନ୍ତୁଷ୍ଟ କଲେ । ତାଙ୍କ ପ୍ରତି ଖୋରଧାବାସୀଙ୍କ ମନରେ ପ୍ରଗାଢ଼ ଭକ୍ତି, ବିଶ୍ୱାସ ଜନ୍ମିଲା । ସେମାନେ ପୁଣି ରାଜସ୍ୱ ଦେବାକୁ ଆରମ୍ଭ କଲେ । ଇତିହାସରୁ ଜଣାଯାଏ, ମୁର୍ଷିଦ କୁଲିଖାଁଙ୍କ ବିଶାଳ ହୃଦୟବତ୍ତା ଓ ସାଧୁ ଚରିତ୍ରରେ ବିମୁଗ୍ଧ ହୋଇ, ରାମଚନ୍ଦ୍ର ଦେବ ସୁବାଦାର-କନ୍ୟାଙ୍କ ପାଣିପୀଡ଼ନ କଲେ, ଇସ୍‍ଲାମ ଧର୍ମରେ ଦୀକ୍ଷିତ ହେଲେ ।

 

ସୁବାଦାର ତାଙ୍କର ସୁଦକ୍ଷ ଦେବାନ ମିର ହବିବଙ୍କ ସହାୟତା ଓ ସାହଚର୍ଯ୍ୟରେ ଦେଶରେ ରାଜସ୍ୱ-ସମ୍ବନ୍ଧୀୟ କେତେକ ନୂତନ ସଂସ୍କାର ଓ ନୂତନ ବନ୍ଦୋବସ୍ତ କଲେ । ରାଜା କୃଷ୍ଣଚନ୍ଦ୍ରଙ୍କ ଅନୁରୋଧରେ, ମୁର୍ଷିଦ କୁଲିଖାଁ ପରମ ପତିପରାୟଣା ଗୌରୀଙ୍କ ସ୍ମୃତି-ଚିହ୍ନସ୍ୱରୂପ ବିନୋଦବିହାରୀଙ୍କ ଅଟ୍ଟାଳିକାକୁ ‘‘ଗୌରୀମନ୍ଦିର’’ ଆଖ୍ୟା ପ୍ରଦାନ କଲେ । ମନ୍ଦିରଟି ଅନାଥାମାନଙ୍କ ଆଶ୍ରୟ-ସ୍ଥଳ ହେଲା–ଦୁଃସ୍ଥ ପୀଡ଼ିତ ଲୋକଙ୍କ ସେଠାରେ ଖାଦ୍ୟପେୟଦାନର ସୁବ୍ୟବସ୍ଥା କରାଗଲା-। ମୁର୍ଷିଦ କୁଲିଖାଁଙ୍କ ଶାସନ ଅଳ୍ପକାଳ ସ୍ଥାୟୀ ଥିଲା । ପ୍ରକାଣ୍ଡ ନୀରସ ମରୁଭୂମି ମଧ୍ୟରେ ଗୋଟିଏ ଗୋଟିଏ ସୁଶୀତଳ ସୁଶ୍ୟାମଳ ଉପବନ ପରି, ଦୁଇଶତବର୍ଷ ବ୍ୟାପୀ ପଠାଣଶାସନର ବିବିଧ ବ୍ୟଭିଚାର, ଅନାଚାର ମଧ୍ୟରେ ମୁର୍ଷିଦ କୁଲି ଖାଁଙ୍କ ପରି ଜଣେ ଜଣେ ସୁଶାସକଙ୍କର ରାଜତ୍ୱ ଯେତେ ଅଳ୍ପକାଳସ୍ଥାୟୀ ହେଲେହେଁ ପ୍ରଜାଗଣଙ୍କୁ ଅପରିସୀମ ଆନନ୍ଦ, ଆଶ୍ୱାସନା ଦେଉଥିଲା ।

 

ବୀର ଓଡ଼ିଆ ରାଜା କୃଷ୍ଣଚନ୍ଦ୍ର କଟକ ତ୍ୟାଗ କରି ସପରିବାର ସାନୁଚର ପୁରୀରେ ନିଜ ପ୍ରାସାଦରେ ପରମ ସୁଖ ସନ୍ତୋଷରେ ଦିନାତିପାତ କରିବାକୁ ଲାଗିଲେ ।

Image